ସୁଲଭ ଅନ୍ତର୍ଜାତୀୟ ଶୌଚାଳୟ ସଂଗ୍ରହାଳୟ
ନୂଆଦିଲ୍ଲୀସ୍ଥିତ ମହାବୀର ଏନ୍କ୍ଲେଭ୍ ଅଞ୍ଚଳରେ ରହିଛି ଦେଶର ପ୍ରଥମ ଶୌଚାଳୟ ସଂଗ୍ରହାଳୟ। ପ୍ରାଚୀନ, ମଧ୍ୟ ଓ ଆଧୁନିକ ଯୁଗରେ ବ୍ୟବହୃତ ଭିନ୍ନ ଭିନ୍ନ ଶୈଳୀର ଶୌଚାଳୟ ଏଠାରେ ପ୍ରଦର୍ଶନ କରାଯାଉଛି। ସୁଲଭ ଇଣ୍ଟର୍ନ୍ୟାସ୍ନାଲ୍ ଦ୍ୱାରା ପରିଚାଳନା ଓ ରକ୍ଷଣାବେକ୍ଷଣ କରାଯାଉଥିବା ଏହି ସଂଗ୍ରହାଳୟ ସାରା ଦେଶରେ ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଥାପନା କରାଇଛି। ‘ଟାଇମ୍’ ପତ୍ରିକା ଅନୁଯାୟୀ, ବିଶ୍ୱର ୧୦ଟି ଅଦ୍ଭୁତ ସଂଗ୍ରହାଳୟ ମଧ୍ୟରେ ଶୌଚାଳୟ ସଂଗ୍ରହାଳୟ ଅନ୍ତର୍ଭୁକ୍ତ ହୋଇଛି। ୧୯୯୨ ମସିହାରେ ସୁଲଭ ପରିମଳ ଓ ସାମାଜିକ ସଂସ୍କାର ଆନ୍ଦୋଳନର ପ୍ରାଣପ୍ରତିଷ୍ଠାତା ଡକ୍ଟର ବିନ୍ଦେଶ୍ୱର ପାଠକଙ୍କ ଦ୍ୱାରା ଏହି ସଂଗ୍ରହାଳୟ ସ୍ଥାପିତ ହୋଇଥିଲା। ଏହି ସଂଗ୍ରହାଳୟରେ ୫୦ଟି ଦେଶର ଶୌଚାଳୟ ପ୍ରଦର୍ଶିତ ହେଉଛି। ଖ୍ରୀଷ୍ଟପୂର୍ବ ୩୦୦୦ରୁ ବିଂଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ପରିମଳ କଳାକୃତିଗୁଡ଼ିକୁ କ୍ରମାନୁସାରେ ସଜାଯାଇଛି। ସଂଗ୍ରହାଳୟରେ ଥିବା ଜିନିଷଗୁଡ଼ିକ ମଧ୍ୟରେ ପ୍ରାଇଭି, ଚାମ୍ବର୍ ପାତ୍ର, ସଜ୍ଜିତ ଭିକ୍ଟୋରିଆନ୍ ଶୌଚାଳୟ ସିଟ୍, ଶୌଚାଳୟ ଫର୍ଣ୍ଣିଚର୍, ବିଡେଟ୍ ଏବଂ ୧୧୪୫ ଖ୍ରୀଷ୍ଟାବ୍ଦରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଚଳିତ ପାଣି ଆଲମାରି ରହିଛି। ଆକର୍ଷଣୀୟ ପ୍ରଦର୍ଶନୀ ଏ ମଧ୍ୟରୁ ଧନଭଣ୍ଡାର ପରି ଦେଖାଯାଉଥିବା ବ୍ରିଟିସ୍ ମଧ୍ୟଯୁଗୀୟ କମୋଡ୍ ଅନୁକରଣରେ ନିର୍ମିତ ଏକ ଶୌଚାଳୟ ଖୁବ୍ ଆକର୍ଷକ। ୧୯୨୦ ଦଶକରେ ଆମେରିକାରେ ବ୍ୟବହୃତ ଏକ ଦୁଇମହଲା ଶୌଚାଳୟ ମଧ୍ୟ ସେ ସଂଗ୍ରହାଳୟର ଅଂଶବିଶେଷ।
ହେୟୁଜାଏ ସଂଗ୍ରହାଳୟ, ଦକ୍ଷିଣ କୋରିଆ
ଦକ୍ଷିଣ କୋରିଆର ସ୍ୁୱନ୍ ସହରରେ ହେୟୁଜାଏ ସଂଗ୍ରହାଳୟ ଅବସ୍ଥିତ। ଏଠାରେ ପୁରାତନ ଓ ଆଧୁନିକ ଶୌଚାଳୟ ସହିତ ଲୋକସଂସ୍କୃତିରେ ଶୌଚାଳୟର ଭୂମିକା ଉପରେ ଗୁରୁତ୍ବାରୋପ କରାଯାଇଛି। ଏହା ‘ମିଷ୍ଟର ଟଏଲେଟ୍ ହାଉସ୍’ ଭାବରେ ମଧ୍ୟ ଜଣାଶୁଣା। ‘ହେୟୁଜାଏ’ର ଅର୍ଥ ‘ଚିନ୍ତା ଦୂରକାରୀ ଘର’। ଏକ ଅଦ୍ଭୁତ ସ୍ଥାପତ୍ୟ ହେଲେ ମଧ୍ୟ ଏହି ସଂଗ୍ରହାଳୟ ସାରା ବିଶ୍ୱରେ ଶୌଚାଳୟର ତାତ୍ପର୍ଯ୍ୟକୁ ଦର୍ଶାଏ। ୨୦୦୭ ମସିହାରେ ସୁୱନ୍ର ପୂର୍ବତନ ମେୟର ଶିମ୍ ଜାଏ ଡେଓକ୍ଙ୍କ ବାସସ୍ଥାନ ଭାବେ ହେୟୁଜାଏ ନିର୍ମିତ ହୋଇଥିଲା। ଶୌଚାଳୟର ଗୁଣବତ୍ତା ଓ ଗୁରୁତ୍ବ ସମ୍ବନ୍ଧରେ ସଚେତନ କରିବା ଶିମ୍ଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଅଭିଯାନ ଥିଲା। ୨୦୦୯ରେ ଶିମ୍ଙ୍କ ମୃତ୍ୟୁପରେ ତାଙ୍କ ଅନ୍ତିମ ସଂସ୍କାର ହେୟୁଜାଏରେ କରାଯାଇଥିଲା। ତା’ପରେ ହେୟୁଜାଏକୁ ଶିମ୍ଙ୍କ ପରିବାର ସୁୱନ୍ ସରକାରଙ୍କୁ ଦାନ କରିଥିଲେ। ୨୦୧୦ ମସିହାରେ ସେଠାରେ ଶୌଚାଳୟ ସଂଗ୍ରହାଳୟ ଖୋଲାଯାଇଥିଲା। ସଂଗ୍ରହାଳୟର ପ୍ରଥମ ମହଲାରେ ୧୯୫୦ ଦଶକରୁ ଆରମ୍ଭକରି ବର୍ତ୍ତମାନ ପର୍ଯ୍ୟନ୍ତ ଶୌଚାଳୟଗୁଡ଼ିକର ଶୈଳୀ କିପରି ରହିଛି ସେ ସମ୍ବନ୍ଧୀୟ ସାମଗ୍ରୀ ପ୍ରଦର୍ଶନ କରାଯାଇଛି। ଜନସଂସ୍କୃତିରେ ଶୌଚାଳୟର ଭୂମିକା କ’ଣ ଏବଂ ଶୌଚାଳୟ ବ୍ୟବସ୍ଥା କିପରି ଉନ୍ନତ କରାଯାଇପାରିବ ଦ୍ୱିତୀୟ ମହଲାରେ ସେ ବିଷୟରେ ସୂଚନା ଫଳକ ରହିଛି। ଏହାବ୍ୟତୀତ, ସଂଗ୍ରହାଳୟରେ ଦକ୍ଷିଣ କୋରିଆର ପୁରାତନ ଯୁଗର ଶୌଚାଳୟ ‘ବାଏକ୍ଜେ’ ଏବଂ ସିଲା ଯୁଗର ଶୌଚାଳୟ ରହିଛି। ସଂଗ୍ରହାଳୟ ଚାରିପାଖେ ଥିବା ପାର୍କରେ ଘୁଷୁରି ଶୌଚାଳୟ ଓ ମଳତ୍ୟାଗ କରୁଥିବା ଲୋକଙ୍କ ମୂର୍ତ୍ତି ରହିଛି।
ଟଏଲେଟ୍ ଇତିହାସ ସଂଗ୍ରହାଳୟ, ୟୁକ୍ରେନ୍
ୟୁକ୍ରେନ୍ର କିଭ୍ରେ ରହିଛି ଟଏଲେଟ୍ ହିଷ୍ଟ୍ରି ମ୍ୟୁଜିୟମ୍। ଏହି ଘରୋଇ ସଂଗ୍ରହାଳୟରେ ଐତିହାସିକ ଚାମ୍ବର୍ ପାତ୍ର, ସ୍କ୍ୱାଟିଂ ପ୍ୟାନ୍ ଓ ମୂତ୍ରାଗାର ସମେତ ବିଶ୍ୱର ସର୍ବବୃହତ୍ ଶୌଚାଳୟ ସମ୍ବନ୍ଧୀୟ ସ୍ମାରକ ଏବଂ ସାମଗ୍ରୀଗୁଡ଼ିକ ସଂଗ୍ରହକରି ରଖାଯାଇଛି। ୨୦୦୬ ମସିହାରେ ୟୁକ୍ରେନୀୟ ଦମ୍ପତି ନିକୋଲେ ଓ ମାରିନା ବୋଗଡାନେଙ୍କୋଙ୍କ ଦ୍ୱାରା ଏହି ସଂଗ୍ରହାଳୟଟି ପ୍ରତିଷ୍ଠିତ ହୋଇଥିଲା। ସେମାନେ ପୂର୍ବରୁ ପ୍ଲମ୍ବିଂ କାମ କରୁଥିଲେ ଏବଂ ଲୋକମାନଙ୍କୁ ସ୍ୱଚ୍ଛତା ସମ୍ବନ୍ଧରେ ଶିକ୍ଷାଦେବାକୁ ଚାହୁଥିଲେ। ଏହି ସଂଗ୍ରହାଳୟରେ ପ୍ରାଗୈତିହାସିକ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶୌଚାଳୟ ଏବଂ ଶୌଚାଳୟ ସଫାକରିବା ପାଇଁ ପିନ୍ଧାଯାଉଥିବା ପୋଷାକ ସମ୍ପର୍କରେ ଉଲ୍ଲେଖ ରହିଛି। ସଂଗ୍ରହାଳୟରେ ସାମଗ୍ରୀଗୁଡ଼ିକୁ ଆଦିମ, ପ୍ରାଚୀନ, ମଧ୍ୟଯୁଗ, ନବଜାଗରଣ, ୧୭ରୁ ୨୦ ଶତାବ୍ଦୀ ଏବଂ ଆଧୁନିକ ସମୟ ଅନୁଯାୟୀ କ୍ରମାନୁସାରେ ସଜାଯାଇଛି। ଏହାସହ ମଧ୍ୟଯୁଗୀୟ ଶୌଚାଳୟକୁ କାହିଁକି ୱାର୍ଡରୋବ୍ କୁହାଯାଉଥିଲା ତାହା ବି ବର୍ଣ୍ଣନା କରାଯାଇଛି। ଲିଓନାର୍ଡୋ ଦା ଭିନ୍ସିଙ୍କ ଦ୍ୱାରା ପ୍ରଥମେ ଚିତ୍ରିତ ଫ୍ଲସିଂ ଶୌଚାଳୟର ଏକ କାଠ ମଡେଲ୍ ନିର୍ମାଣକରି ଏଠାରେ ରଖାଯାଇଛି। ଏଠି ୫୮୦ରୁ ଅଧିକ ଜିନିଷ ରହିଛି। ୨୦୧୬ ମସିହାରେ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ଏହାକୁ ‘ବିଶ୍ୱର ସ୍ମାରକୀ ଶୌଚାଳୟ ପାତ୍ରର ସର୍ବବୃହତ୍ ସଂଗ୍ରହ’ ବୋଲି ସ୍ୱୀକୃତି ପ୍ରଦାନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/16/fhshxvvbbv-2025-11-16-01-00-43.jpg)