ଯଦିଓ ପର୍ଯ୍ୟାପ୍ତ ନିଦ୍ରା ଯିବାର ଗୁରୁତ୍ୱକୁ ସମସ୍ତେ ସ୍ୱୀକାର କରିଛନ୍ତି, କିନ୍ତୁ ଅତ୍ୟଧିକ ଶୋଇବାର ସମ୍ଭାବ୍ୟ କ୍ଷତିକୁ ପ୍ରାୟତଃ ଅଣଦେଖା କରାଯାଇଥାଏ। ସାଧାରଣତଃ ରାତିରେ ନିୟମିତ ଭାବରେ ୯ ଘଣ୍ଟାରୁ ଅଧିକ ଶୋଇବାକୁ ମାତ୍ରାଧିକ ନିଦ୍ରା କୁହାଯାଏ। ଏହା ନିଦ୍ରାହୀନତା ପରି ମଧ୍ୟ ଚିନ୍ତାଜନକ ହୋଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ଲିପ୍ ଫାଉଣ୍ଡେସନ୍ ଅନୁଯାୟୀ, ସୁସ୍ଥତା ପାଇଁ ନିଦ୍ରା ଜରୁରି; ଏଥିରେ ଦ୍ବିମତ ନାହିଁ। ତେବେ ଏହାର ସନ୍ତୁଳନ ଗୁରୁତ୍ୱପୂର୍ଣ୍ଣ।
ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁମାନେ ନିୟମିତ ଭାବରେ ୯ ଘଣ୍ଟାରୁ ଅଧିକ ଶୋଇଥାନ୍ତି, ସେମାନଙ୍କ ହୃଦ୍ରୋଗ ଏବଂ ମସ୍ତିଷ୍କଘାତର ଆଶଙ୍କା ଅଧିକ ଥାଏ। ଅଧିକ ଶୋଇବା ସହିତ ପ୍ରଦାହ ଏବଂ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେବାର ମଧ୍ୟ ସମ୍ପର୍କ ରହିଛି। ସେହିପରି ଅଧିକ ଶୋଇବା ଅବସାଦ ପରି ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ଓ କାରଣ ହୋଇପାରେ। ଅନିୟମିତ ନିଦ୍ରା ଶରୀରର ଆଭ୍ୟନ୍ତରୀଣ ସମୟଚକ୍ରକୁ ବ୍ୟାହତ କରେ, ଫଳରେ ଦିନସାରା ମାନସିକ ଅସ୍ଥିରତା ଲାଗିରହେ ଏବଂ ଉର୍ଜ୍ଜା ସ୍ତର ହ୍ରାସପାଏ। ସେହିପରି ଅତ୍ୟଧିକ ନିଦ ସ୍ମୃତି, ଧ୍ୟାନ ଏବଂ ସତର୍କତା ଭଳି ଜ୍ଞାନାତ୍ମକ କାର୍ଯ୍ୟକୁ ପ୍ରଭାବିତ କରିପାରେ। ଅଧିକ ଶୋଇବା ଯୋଗୁଁ ଶାରୀରିକ କାର୍ଯ୍ୟକଳାପ ହ୍ରାସ ଏବଂ ମେଟାବୋଲିଜିମ୍ ମନ୍ଥର ହେବା ହେତୁ ଓଜନ ବୃଦ୍ଧି ହୋଇପାରେ।
ଆବଶ୍ୟକତାଠାରୁ ଅଧିକ ଶୋଉଥିବା ବ୍ୟକ୍ତିଙ୍କର ଖାଦ୍ୟ ଶୈଳୀ ଅନିୟମିତ ହୋଇଥାଏ। ଯେଉଁମାନେ ନିୟମିତ ଭାବରେ ରାତିରେ ୯ ଘଣ୍ଟାରୁ ଅଧିକ ସମୟ ଶୋଇଥାନ୍ତି, ସେମାନଙ୍କ ଠାରେ ଇନସୁଲିନ୍ ପ୍ରତିରୋଧ ଏବଂ ଟାଇପ୍ ୨ ମଧୁମେହ ହେବାର ଆଶଙ୍କା ବି ଅଧିକ ଥାଏ। ଅଧିକାଂଶ ବୟସ୍କଙ୍କ ପାଇଁ ପ୍ରତି ରାତିରେ ୭ରୁ ୮ ଘଣ୍ଟା ଗୁଣାତ୍ମକ ନିଦ ଆବଶ୍ୟକ। ଯଦି କେହି ଏହାଠାରୁ ଅଧିକ ସମୟ ଶୋଇପଡ଼ୁଛନ୍ତି, ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଜରୁରି।