ଜୟଦେବ ବାଟିକାରେ ଯମୁନା ନଈ

ଆଜି ପର୍ଯ୍ୟଟନ ଦିବସ

ତମାଳ ଓ କଦମ୍ବ ଗଛର ଧାରେ ଧାରେ ବହୁଛି ଛଳଛଳ ଯମୁନା ନଈ। ବୃନ୍ଦାରଣ୍ୟ ମଧ୍ୟରେ ଶୋଭା ପାଉଛି ଫୁଲଗଛ। ନିକଟରେ ଝରଣାର କଳକଳ ନାଦ ସାଙ୍ଗକୁ ମନ ମୋହିବ ଚଢ଼େଇଙ୍କ କିଚିରିମିଚି ଶବ୍ଦ। ଜୟଦେବଙ୍କ ଗୀତଗୋବିନ୍ଦରେ ବର୍ଣ୍ଣିତ ଯମୁନା ନଦୀର ମନମୋହକ ଦୃଶ୍ୟର ଭ୍ରମ ସୃଷ୍ଟି କରୁଛି ‘ଜୟଦେବ ବାଟିକା’। ତା’ସାଙ୍ଗକୁ ଗୀତଗୋବିନ୍ଦର ପଙ୍କ୍ତି ଥିବା ଇତିବୃତ୍ତକୁ ଏହି ବାଟିକାରେ ଉଲ୍ଲେଖ କରାଯାଇଛି। ରାଧା ମାଧବ ଯମୁନା କୂଳେ କେଳି କରିବାର ବୃତ୍ତାନ୍ତକୁ ଚମତ୍କାର ଢଙ୍ଗରେ ଏଠାରେ ବର୍ଣ୍ଣନା କରାଯାଇଛି। ବାଟିକା ମଧ୍ୟରେ ୫୦୦ ମିଟର ଲମ୍ବର ଏଇ ନଈ ବୋହିଯାଉଛି। ନଈ ଉପରେ ଏକ ପୋଲ ନିର୍ମାଣ କରାଯାଇଛି, ଯାହାକି ବାହାର ଦେଶର କୌଣସି ଏକ ସହରର ଭ୍ରମ ସୃଷ୍ଟି କରୁଛି। ଯମୁନା ନଈର କୂଳେ କୂଳେ ଘାସ୍‌ର ଲନ୍‌ ମଧ୍ୟ କରାଯାଇଛି। ଏହି ସ୍ଥାନ ଏବେ ପର୍ଯ୍ୟଟକଙ୍କୁ ସ୍ୱର୍ଗୀୟ ଅନୁଭୂତି ଦେଉଛି। ୧୦୦ ଏକର ପରିମିତ ଘଞ୍ଚ ଜଙ୍ଗଲର ଏହି ବାଟିକା ବଣଭୋଜି ପାଇଁ ପସନ୍ଦଯୋଗ୍ୟ ସ୍ଥାନ ପାଲଟିଛି। ଫିଲ୍ମ ସୁଟିଂର ଅନ୍ୟତମ ଠିକଣା ପାଲଟିଛି ଜୟଦେବ ବାଟିକା।

ରିପୋର୍ଟ: କେଶବ ପାଣି, ସତ୍ୟନାରାୟଣ ରାଉତରାୟ

ସହର ଉପକଣ୍ଠରେ ପ୍ରକୃତି କୋଳ

ବ୍ୟାଟେରି ଚାଳିତ ଗାଡ଼ିରେ ଜଙ୍ଗଲ ବୁଲିବେ। ହାତୀମାନଙ୍କ ଖେଳ ଦେଖିବେ। ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ବି ଶୁଣିବେ। ପ୍ରକୃତିର ପ୍ରତିଟି ଶୋଭାକୁ ଅଙ୍ଗେ ଅଙ୍ଗେ ନିଭାଇବେ। ରାଜଧାନୀ ଉପକଣ୍ଠ ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଏଭଳି ପରିବେଶ ପର୍ଯ୍ୟଟନର ମଜା ମିଳୁଛି। ଅଭୟାରଣ୍ୟର ଡେରାସ, ଝୁମୁକା, ଗୋଡ଼ିବାରୀରେ ପ୍ରାକୃତିକ ପରିବେଶର ଅନୁଭୂତି ଯୋଗାଇ ଦେଉଛି ଜଙ୍ଗଲ ଓ ପରିବେଶ ବିଭାଗ। ଜଙ୍ଗଲ ଭିତରେ ରାତି କାଟିବାର ସୁବିଧା ବି ରହିଛି। ଏଥିପାଇଁ ପର୍ଯ୍ୟଟକଙ୍କୁ ‘ଇକୋ ଟୁର’ ମାଧ୍ୟମରେ ବୁକିଂ କରିବାକୁ ପଡ଼ିବ। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ଏବେଠାରୁ ପ୍ରସ୍ତୁତ ହୋଇଛି ଅଭୟାରଣ୍ୟ। ରାତିରେ ରହଣି ପାଇଁ ଅଧିକ ସଂଖ୍ୟା ରୁମ୍‌ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।

ଅପେକ୍ଷାରେ ଉଦୟଗିରି ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ

ଶାନ୍ତିସ୍ତୂପ ଧଉଳି ଏବଂ ବିଶ୍ୱ ଐହିତ୍ୟ ‘କୋଣାର୍କ’ରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଚାଲିଥିବା‌ ‌େବଳେ ଐହିତ୍ୟ ପାହାଡ଼ ଖଣ୍ଡଗିରି ଓ ଉଦୟଗିରି ଗୁମ୍ପାରେ ଲାଇଟ ଆଣ୍ଡ ସାଉଣ୍ଡ ସୋ’ ଅପେକ୍ଷାରେ ରହିଛି। ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ପ୍ରଦର୍ଶିତ ହେବାକୁ ଥିବା ସୋ’ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ସବୁଜ ସଙ୍କେତ ଦେଇସାରିଛି। ଖୁବ୍‌ଶୀଘ୍ର ହେବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏପର୍ଯ୍ୟନ୍ତ ଅନୁମତି ମିଳିନି। ମିଳିବା କ୍ଷଣି ଆସନ୍ତା ୬ ମାସ ମଧ୍ୟରେ ଏହି ଗୁମ୍ଫା ପର୍ଯ୍ୟଟକମାନେ ଶବ୍ଦ ଓ ଆଲୋକ କାର୍ଯ୍ୟକ୍ରମ ଦେଖିପାରିବେ ବୋଲି ବିଭାଗର ଜଣେ ଅଧିକାରୀ କହିଛନ୍ତି।
ଐତିହ୍ୟକୁ ଯୋଡ଼ୁଛି ପଦଯାତ୍ରା

ପୁରୁଣା ଭୁବନେଶ୍ୱରରେ ଐତିହ୍ୟ ପଦଯାତ୍ରା ସଫଳ ହେବା ପରେ ଖଣ୍ଡଗିରି- ଉଦୟଗିରିକୁ ନେଇ ଆରମ୍ଭ ହୋଇଛି ଆଉ ଏକ ଐତିହ୍ୟ ପଦଯାତ୍ରା। ୨୦୧୭ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କୁ ସାମିଲ କରାଯାଉଛି। ଓଡ଼ିଶାକୁ ଆସୁଥିବା ହଜାର ହଜାର ବୌଦ୍ଧ ଓ ଜୈନ ପର୍ଯ୍ୟଟକଙ୍କୁ ନଜରରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ଯାତ୍ରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଇଛି। ଏଥିରେ ପର୍ଯ୍ୟଟକମାନେ ପାହାଡ଼ ଚଢ଼ୁଥିବାରୁ ସେମାନେ କିପରି ସୁରକ୍ଷିତ ଭାବେ ବୁଲିବେ ସେଥିପାଇଁ ଧ୍ୟାନ ଦିଆଯାଉଛି। ଏଥିସହ ପୋଖରୀପୁଟଠାରେ ଥିବା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ରେ ସ୍ବତନ୍ତ୍ର ପଦଯାତ୍ରା ଆୟୋଜନ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଉଛି।

ସମ୍ବନ୍ଧିତ ଖବର