ପର୍ଯ୍ୟଟନ ଶିଳ୍ପରେ ନିଯୁକ୍ତି ସୁଯୋଗ ଅଧିକ

ଭୁବନେଶ୍ବର : ଜନତା ମଇଦାନରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ବିତୀୟ ଦିନରେ ବୈତରଣୀ ହଲ୍‌ରେ ପର୍ଯ୍ୟଟନ ଉପରେ ଏକ ସ୍ବତନ୍ତ୍ର ସେମିନାର ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନର ବିକାଶ ହେଲେ ଏହି ଶିଳ୍ପରେ କମ୍ ଶିକ୍ଷିତ ଯୁବବର୍ଗଙ୍କୁ ତାଲିମ ଦିଆଯାଇ ନିଯୁକ୍ତି ଦିଆଯାଇ ପାରିବ। ଏଥିସହିତ ପର୍ଯ୍ୟଟନ ଶିଳ୍ପ ଏକ କମ୍ ପ୍ରଦୂଷଣ କରୁଥିବା ଶିଳ୍ପ। ତେଣୁ ଏହି ଶିଳ୍ପର ବିକାଶ ପାଇଁ ଅଧିକ ଗୁରୁତ୍ବ ଦିଆଯିବା ଉଚିତ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ‌ସେମିନାରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ହୋଇଥିବା ବିକାଶ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ପୁରୀ ଓ ଭୁବନେଶ୍ବରରେ ବ୍ୟାଖାନ କେନ୍ଦ୍ରଠାରୁ ଆରମ୍ଭ କରି ସାତପଡ଼ା ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହୋଟେଲ ଆଦି ନିର୍ମାଣ ସମ୍ପର୍କରେ ସେ କହିଥିଲେ।

ଏହି ସେମିନାରରେ ପର୍ଯ୍ୟଟନ ସଚିବ ବିଶାଳ କୁମାର ଦେବ, ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ମହାନିର୍ଦ୍ଦେଶକ ସତ୍ୟଜିତ ରଂଜନ, ସାମି ହୋଟେଲ୍ସ ଉପସଭାପତି ଜ୍ଞାନ ଦାସ, ଲେମନ ଟ୍ରି ହୋଟେଲ୍ସର ଉପ ପରିଚାଳନା ନିର୍ଦ୍ଦେଶକ ରତନ କେଶୱାନି, ମେ ଫେୟାର ହୋଟେଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର, ବର୍ଗ୍ରୁଏନ୍ ହୋଟେଲ୍ସର ସିଇଓ ଅଂଶୁ ସରିନ୍, ଇଣ୍ଡିଆନ ହୋଟେଲ୍ସ କମ୍ପାନି ଲି‌ମିଟେଡର ଉପସଭାପତି ଦୀନେଶ ଚଢ଼ା, ୟେସ ବ୍ୟାଙ୍କର ଗ୍ରୁପ ‌ପ୍ରେସିଡେଣ୍ଟ ନିଖିଳ ସହନିଙ୍କ ସମେତ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ସେମିନାରେ ସାମ୍ବାଦିକମାନଙ୍କ ସୂଚନା ଦେଇ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶ ଶ୍ରୀମତୀ ପଟ୍ଟନାୟକ କହିଥିଲେ, ରାଜ୍ୟରେ ପର୍ଯଟ୍ୟନର ବିକାଶ ନେଇ ଅନେକ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ରାଜ୍ୟରେ ପର୍ଯ୍ୟଟନର ବିକାଶ ନେଇ ଆଜିର ସେମିନାରରେ ଆଲୋଚନା ହୋଇଥିଲା। ନୂଆ ପ୍ରସ୍ତାବ ଏପର୍ଯ୍ୟନ୍ତ ଆସି ନଥିଲେ ମଧ୍ୟ ମ୍ୟାଙ୍ଗୋ ହୋଟେଲ ଚେନ୍ ପକ୍ଷରୁ ରାଜ୍ୟର ପାଞ୍ଚଟି ସ୍ଥାନରେ ହୋଟେଲ ନିର୍ମାଣ ସହିତ ମେ ଫେୟାର ପକ୍ଷରୁ ସାତପଡ଼ାରେ ହୋଟେଲ ନିର୍ମାଣ ସମ୍ପର୍କିତ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର