ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ବର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ପର୍ବତର ହିମଶୈଳଗୁଡ଼ିକ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଏପରିକି ଏଥି ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଧ୍ବଂସକାରୀ ବନ୍ୟା ମଧ୍ୟ ଦେଖାଦେଇଛି। ଗତ ଅଗଷ୍ଟ ମାସରେ ସେଠାରେ ସଂଘଟିତ ହିମଶୈଳ ତରଳିବା ଜନିତ ବନ୍ୟା ବା ଗ୍ଲାସିଆଲ୍ ଲେକ୍ ଆଉଟ୍ବର୍ଷ୍ଟ ଫ୍ଲଡ୍ (ଗ୍ଲଫ୍)ରେ ନେପାଳର ପ୍ରସିଦ୍ଧ ସେର୍ପାମାନଙ୍କ ବାସସ୍ଥଳୀ ‘ଥାମେ’ ଗାଁ ସଂପୂର୍ଣ୍ଣ ଭାବେ ଧୋଇଯାଇଛି।
ଏଭରେଷ୍ଟ ଇଲାକାରେ ଅବସ୍ଥିତ ଏହି ଲୋକପ୍ରିୟ ଗାଁଟିର ଜୀବନଜୀବିକା ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ଉକ୍ତ ବନ୍ୟାରେ ଯଦିଓ କେହି ମୃତାହତ ହୋଇନାହାନ୍ତି, ତେବେ ଏହା ସେଠାକାର ଲୋକମାନଙ୍କ ବାସଗୃହ, ଶିକ୍ଷାନୁଷ୍ଠାନ ସମେତ ଏକ ଜଳବିଦ୍ୟୁତ୍ କେନ୍ଦ୍ରକୁ ଧ୍ବଂସ କରିଦେଇଛି ଏବଂ ଅନେକଙ୍କୁ ସ୍ଥାନାନ୍ତର ହେବାକୁ ବାଧ୍ୟ କରିଛି। ଫଳରେ ମନୋରମ ‘ଥାମେ’ ଉପତ୍ୟକାରେ ପର୍ଯ୍ୟଟନ ଭିତ୍ତିଭୂମି ସଂପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଛି ବୋଲି ଏକ କ୍ଷତିଗ୍ରସ୍ତ ଚିକିତ୍ସାଳୟର ଜଣେ ଡାକ୍ତର କହିଛନ୍ତି।
ଏହି ଗ୍ଲଫ୍ ଯୋଗୁଁ ହିଁ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା କଷ୍ଟକର ହୋଇପଡ଼ିଛି। ଯଦିଓ ସ୍ବାସ୍ଥ୍ୟକର୍ମୀମାନେ ସେଠାରେ ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲି ଚିକିତ୍ସାସେବା ଯୋଗାଇବା ପାଇଁ ପ୍ରୟାସ କରିଛନ୍ତି, ତେବେ ଗ୍ଳଫ୍ ସୃଷ୍ଟ ରାସ୍ତାଘାଟଗୁଡ଼ିକର ଦୁରବସ୍ଥା ଯୋଗୁଁ ସେମାନେ ସଫଳ ହୋଇପାରିନାହାନ୍ତି। ‘ଥାମେ’ ଉପତ୍ୟକାରେ ରହିଥିବା ପୁରୁଣା ଭିତ୍ତିଭୂମିଗୁଡ଼ିକୁ ଅଞ୍ଚଳବାସୀ ସଜାଡ଼ିବେ ନା ଅନ୍ୟତ୍ର ସ୍ଥାନାନ୍ତର ହୋଇ ନୂତନ ଜୀବନ ଆରମ୍ଭ କରିବେ, ସେ ନେଇ ସେମାନେ ଦ୍ବନ୍ଦ୍ବରେ ରହିଛନ୍ତି। ତେବେ ସଂପୃକ୍ତ ଅଞ୍ଚଳରେ ଭୂତାତ୍ତ୍ବିକ ସର୍ବେକ୍ଷଣ ଦ୍ବାରା ହିମଶୈଳ ଜନିତ ସମ୍ଭାବ୍ୟ ବିପଦ ବାବଦରେ ଆକଳନ କରି ସେ ସମ୍ପର୍କରେ ଦୃଢ଼ନିଶ୍ଚିତ ହେବା ପରେ ହିଁ ସେମାନେ ଯାହା କିଛି କରିବେ ବୋଲି ଆଶା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/11/5tAUFAlq5NB1S3twJOND.jpg)