ଆଧୁନିକ ଜୀବନଶୈଳୀରେ ଆମକୁ ପ୍ରତ୍ୟହ ଖାଦ୍ୟ, ବାୟୁ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମାଧ୍ୟମରେ ପରିବେଶକୁ ବିଷାକ୍ତ କରୁଥିବା ଅନେକ ପ୍ରାକୃତିକ ଓ କୃତ୍ରିମ ପଦାର୍ଥର ସାମନା କରିବାକୁ ପଡୁଛି। କୃତ୍ରିମ ଖାଦ୍ୟ ରଙ୍ଗଠାରୁ ଆରମ୍ଭ କରି ପରିବେଶ ପ୍ରଦୂଷକ ପର୍ଯ୍ୟନ୍ତ ଏଭଳି ଅନେକ ବିଷାକ୍ତ ପଦାର୍ଥ ଆମ ଅଲକ୍ଷ୍ୟରେ କର୍କଟ ରୋଗର ଆଶଙ୍କା ବଢ଼ାଇଥାଏ, ଯାହା ଜନସ୍ବାସ୍ଥ୍ୟ ପାଇଁ ଚିନ୍ତାର କାରଣ ହୋଇପାରେ। ଯଦିଓ ବାୟୁ, ଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରୁ ସଂପୃକ୍ତ କ୍ଷତିକାରକ ପଦାର୍ଥଗୁଡ଼ିକୁ ସଂପୂର୍ଣ୍ଣ ଦୂର କରିହେବ ନାହିଁ, ତେବେ ତାହାର ସମ୍ଭାବ୍ୟ ବିପଦଗୁଡ଼ିକୁ ବୁଝିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରିବ। 

Advertisment

ସେଗୁଡ଼ିକ ମଧ୍ୟରେ ‘ବେଞ୍ଜିନ୍‌’ ହେଉଛି ଏକ ସାଧାରଣ ଶିଳ୍ପ ରାସାୟନିକ ପଦାର୍ଥ, ଯାହାର ଉପସ୍ଥିତି ଯାନବାହାନରୁ ନିର୍ଗତ ଧୂଆଁ ଓ ବର୍ଜ୍ୟ, ସିଗାରେଟ୍‌ ଧୂଆଁ ଓ କିଛି ଘରୋଇ ଉତ୍ପାଦରେ ଦେଖିବାକୁ ମିଳିଥାଏ। ତାହା ସଂସ୍ପର୍ଶରେ ଦୀର୍ଘ ସମୟ ଆସିଲେ ସାଧାରଣ ଜୀବକୋଷର କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ ଏବଂ କର୍କଟ ରୋଗର ଆଶଙ୍କା ବଢ଼ିପାରେ। ବାୟୁଚଳାଚଳ ସୁନିଶ୍ଚିତ କରି ଓ ଫିଲ୍‌ଟର୍‌ ମାଧ୍ୟମରେ ଘର ଭିତରର ବାୟୁ ଗୁଣବତ୍ତା ଉନ୍ନତ କରି ବେଞ୍ଜିନ୍‌ ସହ ସଂସ୍ପର୍ଶ ହ୍ରାସ କରିବା ସହିତ ତମାଖୁ ଧୂଆଁକୁ ଏଡ଼ାଇବା ଦ୍ବାରା ତାହାର ପ୍ରଭାବକୁ କମାଯାଇପାରିବ। 

କୃତ୍ରିମ ଖାଦ୍ୟ ରଙ୍ଗରୁ ଆରମ୍ଭ କରି ପରିବେଶ ପ୍ରଦୂଷକ ପର୍ଯ୍ୟନ୍ତ ବିଷାକ୍ତ ପଦାର୍ଥ ଆମ ଅଲକ୍ଷ୍ୟରେ କର୍କଟ ରୋଗର ଆଶଙ୍କା ବଢ଼ାଇଥାଏ। ସବୁ କ୍ଷତିକାରକ ପଦାର୍ଥଗୁଡ଼ିକୁ ସଂପୂର୍ଣ୍ଣ ଦୂରାଇବା ଅସମ୍ଭବ, କିନ୍ତୁ ସେଗୁଡ଼ିକ ପାଖରୁ ପାରୁପର୍ଯ୍ୟନ୍ତ ଦୂରେଇ ରହିବା ସମ୍ଭବ 

ନିର୍ମାଣ ସାମଗ୍ରୀ, କାଷ୍ଠଶିଳ୍ପ ଓ ବ୍ୟକ୍ତିଗତ ଯତ୍ନ ଉତ୍ପାଦରେ ବ୍ୟବହୃତ ‘ଫର୍ମାଲଡିହାଇଡ୍‌’ ହେଉଛି ଆଉ ଏକ ଜଣାଶୁଣା କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ। ଘର ଭିତରର ଖରାପ ବାୟୁ ସଞ୍ଚାଳନ ଯୋଗୁଁ ତାହା ସଂସ୍ପର୍ଶରେ ଅଧିକ ଆସିବାର ଆଶଙ୍କା ରହିଛି। ତେଣୁ କୋଠରିରେ ନିରନ୍ତର ବାୟୁଚଳନର ଆବଶ୍ୟକତା ରହିଛି। ସେହିପରି ଫର୍ମାଲଡିହାଇଡ୍-ମୁକ୍ତ କାଠସାମଗ୍ରୀ ବ୍ୟବହାର, ବାୟୁ ବିଶୋଧକ ବ୍ୟବହାର ଏବଂ ପ୍ରାକୃତିକ ପରିଷ୍କାରକ ଉତ୍ପାଦ ଆପଣେଇଲେ ଦୈନନ୍ଦିନ ପରିବେଶରେ ଫର୍ମାଲଡିହାଇଡ୍‌ର ଉପସ୍ଥିତି ହ୍ରାସ ହୋଇପାରିବ। ପ୍ଲାଷ୍ଟିକ୍‌ ପାତ୍ର ଓ ଖାଦ୍ୟ ପ୍ୟାକେଜିଂରେ ବ୍ୟବହୃତ ବିସ୍‌ଫେନଲ ଏ (ବିପିଏ) ସହିତ ହରମୋନ୍‌ ବିଭ୍ରାଟର ସମ୍ପର୍କ ରହିଛି, ଯାହା କର୍କଟ ଆଶଙ୍କା ବଢ଼ାଇଥାଏ। ତେଣୁ ତାହା ସହ ସଂସ୍ପର୍ଶକୁ କମାଇବା ଲାଗି କାଚ କିମ୍ବା ଷ୍ଟେନ୍‌ଲେସ ଷ୍ଟିଲ୍‌ ପାତ୍ରରେ ଖାଦ୍ୟ ସଂରକ୍ଷଣ କରିବା ଏବଂ ପ୍ଲାଷ୍ଟିକ୍‌ ବୋତଲଗୁଡ଼ିକୁ ଦୂରେଇଦେବା ଠିକ୍‌ ହେବ। 

ପ୍ରକ୍ରିୟାକୃତ ଖାଦ୍ୟକୁ ଆକର୍ଷଣୀୟ କରିବା ପାଇଁ କୃତ୍ରିମ ଖାଦ୍ୟ ରଙ୍ଗ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ମାତ୍ର ରେଡ୍‌ ଡାଇ ଏନ୍‌୩ ପରି କିଛି ରଙ୍ଗ ସମ୍ଭାବ୍ୟ ସ୍ବାସ୍ଥ୍ୟ ବିପଦ ସହ ଜଡ଼ିତ। ସମ୍ପ୍ରତି ନିଷିଦ୍ଧ ହୋଇଥିବା ଉକ୍ତ ରଙ୍ଗ କୋଷୀୟ କ୍ଷତି ଓ କର୍କଟ ଆଶଙ୍କା ବଢ଼ାଇଥାଏ। ଏଥି ସହିତ ଲଙ୍କାଗୁଣ୍ଡ, ରନ୍ଧନ ତୈଳ ଭଳି କିଛି ଖାଦ୍ୟ ପଦାର୍ଥରେ ବେଆଇନ ଭାବରେ ବ୍ୟବହୃତ ‘ରୋଡେମିନ୍‌ ବି’ ହେଉଛି ଏକ ଶିଳ୍ପ ରଙ୍ଗ ଯାହା ସଂସ୍ପର୍ଶରେ ଦୀର୍ଘ ସମୟ ଆସିଲେ ଡିଏନ୍‌ଏର କ୍ଷତି ପହଞ୍ଚିବା ସହ କର୍କଟ ଆଶଙ୍କା ବଢ଼ିଥାଏ। ସହରାଞ୍ଚଳର ପ୍ରଦୂଷିତ ବାୟୁରେ ଥିବା କଣିକା ପଦାର୍ଥ (ପିଏମ୍‌୨.୫, ପିଏମ୍‌୧୦), ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, ସଲଫର ଡାଇଅକ୍ସାଇଡ୍‌ ଓ ଅସ୍ଥିର ଜୈବଯୌଗିକ (ଭିଓସି) ସଂସ୍ପର୍ଶରେ ଆସିଲେ ଧୂମପାନ କରୁ ନଥିବା ଲୋକଙ୍କ ପାଇଁ ମଧ୍ୟ କର୍କଟ ଆଶଙ୍କା ରହିଛି। ଏଥି ସହିତ ତମାଖୁ ସେବନ, ମଦ୍ୟପାନ ଓ ମେଦବହୁଳତା ଆଦି ଏହି ବିପଦକୁ ଆହୁରି ବଢ଼ାଇଥାଏ।