ବିନା ଚାଳକରେ ଚାଲୁଛି ଟ୍ରାକ୍ଟର: ସମ୍ଭବ କରି ଦେଖାଇଛନ୍ତି ରାଜସ୍ଥାନର ଯୋଗେଶ ନାଗର

ଜୟପୁର: ନିଜ ବାପାଙ୍କ ଅସୁବିଧାକୁ ଦୂର କରିବା ପାଇଁ ରାଜସ୍ଥାନର ଯୋଗେଶ୍‌ ନାଗର ପ୍ରସ୍ତୁତ କରିଛନ୍ତି ରିମୋଟ ଚାଳିତ ଟ୍ରାକ୍ଟର । ଏ ନେଇ ରାଜସ୍ଥାନର ବାମୋରିକଳା ଗ୍ରାମର ୧୯ ବର୍ଷିୟ ଯୋଗେଶ୍‌ଙ୍କ ବିଷୟରେ ଏବେ ଚାରି ଆଡ଼େ ଚର୍ଚ୍ଚା ।

ଯୋଗେଶ୍‌ଙ୍କ ବାପା ରାମ ବାବୁ ନାଗର ଜଣେ ଚାଷୀ ହୋଇଥିବା ବେଳେ ଚାଷ କାର୍ଯ୍ୟ ପାଇଁ ସବୁ ବେଳେ ତାଙ୍କୁ ଟ୍ରାକ୍ଟର ଚଲାଇବାକୁ ପଡ଼ୁଥିଲା । ଯାହାଫଳରେ କି ଟ୍ରାକ୍ଟରରେ ବସି ବସି ତାଙ୍କ ଅଣ୍ଟା ବ୍ୟଥା ହେଉଛି ବୋଲି ସେ ବହୁତ ପୂର୍ବରୁ ଘରେ କହି ଆସୁଥିଲେ । ଯୋଗେଶ୍‌ ତାଙ୍କ ପାଠ ପଢ଼ା ପାଇଁ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରି ପାରନ୍ତି ନାହିଁ ବୋଲି ସବୁ ବେଳେ ଚିନ୍ତାରେ ରହି ଆସିବା ସହ ସାହାଯ୍ୟ କରି ନ ପାରିଲେ ମଧ୍ୟ ବାପାଙ୍କ ଏହି ଅସୁବିଧାକୁ କିପରି ଦୂର କରାଯାଇ ପାରିବ ବୋଲି ସେ ଭାବିବା ଆରମ୍ଭ କରିଥିଲେ । ଏହା ପରେ ଟ୍ରାକ୍ଟରକୁ ରିମୋଟ ଦ୍ୱାରା କଣ୍ଟ୍ରୋଲ କରିବା ପାଇଁ ସେ ଗବେଷଣା ଆରମ୍ଭ କରିଥିଲେ । କିଛି ଦିନର ଗବେଷଣା ପରେ ସେ ଏକ ଡ଼ିଭାଇସ୍‌ ତିଆରି କରିବା ସହ ଏହାକୁ ସାଟେଲାଇଟ୍‌ ମାଧ୍ୟମରେ ଟ୍ରାକ୍ଟର ସହ ସଂଯୋଗ କରିଥିଲେ ।

ସଂଯୋଗ କରିବା ପରେ ଏହା ସଫଳ ସାବ୍ୟସ୍ତ ହୋଇଥିଲା । ଏହି ଡ଼ିଭାଇସ୍‌କୁ ତିଆରି କରିବା ପାଇଁ ଯୋଗେଶ୍‌ଙ୍କ ବାପା ଏବଂ ତାଙ୍କ ସାଙ୍ଗ ମାନେ ୫୦,୦୦୦ଟଙ୍କା ସାହାଯ୍ୟ କରିଥିଲେ । ଏବେ ରାମ ବାବୁ ଏହାକୁ ବ୍ୟବହାର କରି ବିନା ଅଣ୍ଟା ବ୍ୟଥାରେ ଚାଷ କାର୍ଯ୍ୟ କରିପାରୁଛନ୍ତି । ଏହି ଡ଼ିଭାଇସ୍‌କୁ ସମଗ୍ର ଭାରତରେ ପ୍ରସାର କରିବା ପାଇଁ ଯୋଗେଶ୍‌ ମେକ୍‌ ଇଣ୍ଡିଆ ଇନିସିଏଟିଭ୍‌ ସହ ଏହାକୁ ଯୋଡ଼ିବା ପାଇଁ ଚେଷ୍ଟା କରୁଛନ୍ତି।
ଏହା ସହ ସେ ଆଣ୍ଟି ଥେପ୍ଟ୍‌ ମସିନ୍‌ ଉଦ୍ଭାବନ କରିଛନ୍ତି ଯାହାଦ୍ୱାରା କେହି ନଥିବା ବେଳେ ଯଦି ଘରକୁ କେହି ପ୍ରବେଶ କରେ ତେବେ ଏହି ମେସିନ ଘରର ମାଲିକକୁ ସୂଚନା ଦେଇଥାଏ ଏବଂ ସ୍ମାର୍ଟ ପାଓ୍ଵାର ସେଭର ଯାହାଦ୍ୱାରା ରୁମ୍‌ ଖାଲି ଥିଲେ ଆପେ ଆପେ ଲାଇଟ୍‌ ବନ୍ଦ ହୋଇ ପାରିବ । ଭାରତୀୟ ସେନା ମରୁଭୂମି ଏବଂ ପାହାଡ଼ିଆ ଅଞ୍ଚଳକୁ ଯିବାର ସୁବିଧା କରିବା ପାଇଁ ସେ ଏକ ଗାଡ଼ି ତିଆରି କରିବାକୁ ସ୍ୱପ୍ନ ରଖିଛନ୍ତି ।

ସମ୍ବନ୍ଧିତ ଖବର