ଉତ୍କଳୀୟ ପରମ୍ପରାରେ କୁମାରୀ ଝିଅମାନଙ୍କୁ ଦିଆଯାଇଛି ସ୍ବତନ୍ତ୍ର ମର୍ଯ୍ୟାଦା। କେତେକ ପର୍ବପର୍ବାଣି ସେମାନଙ୍କ ଲାଗି ଧର୍ମୀୟ ଓ ସାମାଜିକ ପରମ୍ପରାରେ ସଂଯୋଜିତ ହୋଇଛି। ଉପକୂଳ ଓଡ଼ିଶାରେ ଆଶ୍ବିନରେ ଝିଅମାନେ କୁମାର ପୂର୍ଣ୍ଣିମା ଓ ଜହ୍ନିଓଷା ପାଳୁଥିବା ବେଳେ ପଶ୍ଚିମ ଓଡ଼ିଶାରେ ହୁମୋ ପର୍ବ ପାଳନ କରାଯାଏ। ସ୍ଥାନୀୟ ପରମ୍ପରା ଅନୁସ‌ାରେ ଆଶ୍ବିନ ଶୁକ୍ଳ ଚତୁର୍ଦ୍ଦଶୀ ରାତ୍ରିରେ କୁମାରୀ ଝିଅମାନେ ଏକତ୍ରହୋଇ ନାଚ ଓ ଗୀତରେ ମସ୍‌ଗୁଲ୍‌ ହୁଅନ୍ତି। ପୁରୁଷ ଲୋକ ସେ ସ୍ଥାନକୁ ଯିବା ମନା, କାରଣ ଯୁବତୀମାନେ ସେମାନଙ୍କ ଉପସ୍ଥିତିରେ ମନଖୋଲା ଟାହି-ଟାପରା ଓ ହସମଜା କରିପାରି ନଥାନ୍ତି। ମା’ ମାଉସୀ, ଖୁଡ଼ୀ, ପିଉସୀ, ଆଈ ଜେଜେମାଙ୍କର ଗହଣରେ ଆଦ୍ୟ ଯୌବନରେ ପାଦରଖିଥିବା କୁମାରୀମାନେ ହୁମୋ ଖେଳନ୍ତି। ସମାନ ସଂଖ୍ୟାରେ କୁମାରୀ ଝିଅ ଦୁଇ ଦଳରେ ବିଭକ୍ତ ହୁଅନ୍ତି। ଦୁଇ ସାହିର ଝିଅ ବି ଦୁଇ ଦଳ ହୋଇପାରନ୍ତି। ପାଞ୍ଚରୁ ସାତ ଫୁଟ୍‌ ଦୂରତାରେ ମୁହଁାମୁହିଁ ହୋଇ ଦୁଇ ଦଳ ଠିଆ ହୁଅନ୍ତି। ଏହାପରେ ଆରମ୍ଭ ହୁଏ ପ୍ରଶ୍ନୋତ୍ତରୀ। ଗୋଟେ ଦଳ ଅନ୍ୟ ଦଳକୁ ପ୍ରଶ୍ନ ପଚାରନ୍ତି, ସେମାନେ ତା’ର ଉତ୍ତର ଦିଅନ୍ତି। ଉତ୍ତର ନଦେଇ ପାରିଲେ ହାରନ୍ତି। ‘ହୁମୋ ନନ୍‌, ନନ୍‌, ନନ୍‌ ବଉଳିରେ ହୁମୋ ନନ୍‌ ନନ୍‌ ନନ୍‌ରେ...’ ଗୀତ ଗାଇ ଜହ୍ନ ଆଲୁଅରେ ଝିଅମାନେ ପ୍ରଶ୍ନୋତ୍ତରୀ କଲାବେଳେ ମନଖୋଲି ହସନ୍ତି, ଗାଆନ୍ତି ଓ ନାଚନ୍ତି।

Advertisment

ଗବେଷକ ଶ୍ୟାମସୁନ୍ଦର ଧର ଏ ପ୍ରସଙ୍ଗରେ କହନ୍ତି, ‘‘ପୂର୍ବରୁ କୁମାରୀ କନ୍ୟାଙ୍କ ପାଇଁ ପଶ୍ଚିମ ଓଡ଼ିଶାରେ ବହୁ ପର୍ବପର୍ବାଣି ଥିଲା। କିନ୍ତୁ ଏହା ଧୀରେ ଧୀରେ ଅପ୍ରଚଳିତ ହୋଇଗଲାଣି। ହୁମୋ ପର୍ବ ଆଉ ଦେଖିବାକୁ ମିଳୁନାହିଁ। ଏହାସହିତ ଭୁଜୁଲି ଉତ୍ସବ ମଧ୍ୟ ହେଉଥିଲା। ବାଲିରେ ଧାନ ଓ ଗହମ ପକାହୁଏ। ଗଛ ଉଠିଲା ପରେ ଜଣେ ଜଣଙ୍କୁ ଦେଇ ସଙ୍ଗାତ ବସିଥାନ୍ତି। ଏଥିରୁ ଗୋଟେ ସମ୍ପର୍କ ସ୍ଥାପିତ ହୋଇଥାଏ। ‘ଘୋ ଘୋ ରାନୀ’, ଓ ‘ଛୁର୍‌କି’ଭଳି ଖେଳ ମଧ୍ୟ ଲୋପ ପାଇଲାଣି। ଏସବୁ ଆଉ ଦେଖିବାକୁ ମିଳୁନାହିଁ। ସଂସ୍କୃତି  ଓ ପରମ୍ପରାରେ ଏ ସବୁ ଅଛି ସତ କିନ୍ତୁ ଏହାର ପ୍ରଚଳନ ନାହିଁ।’’
ଆଶ୍ୱିନର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ ଜହ୍ନିଓଷା। ମାସ ସାରା ଅପରାହ୍‌ଣରେ ଜହ୍ନିଲଟାରେ ଫୁଲ ଫୁଟିବାପରେ ଜହ୍ନିଫୁଲ ତୋଳା ହୋଇଆସେ। ତାହାକୁ ନେଇ ତୁଳସୀ ଚଉରା ମୂଳେ କୁମାରୀମାନେ ଆକର୍ଷଣୀୟ କୋଠି ତୋଳି ବୃନ୍ଦାବତୀଙ୍କୁ ପୂଜା କରନ୍ତି। ଲିଆ, ଉଖୁଡ଼ା, କଦଳୀ, କାକୁଡ଼ି ଆଦି ଭୋଗ ଲାଗିଥାଏ। ହୁଳହୁଳି ଦେଇ ଝିଅମାନେ ଜହ୍ନିଓଷା ବହି ପଢ଼ନ୍ତି। ଗୀତ ଗାଇଗାଇ ବୃନ୍ଦାବତୀଙ୍କୁ ଜହ୍ନିଫୁଲ ଆଞ୍ଜୁଳି ଦିଅନ୍ତି। ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଜହ୍ନିଓଷା କରାଯିବା କଥିତ ଅଛି।

ସେହିପରି କୁମାର ପୂର୍ଣ୍ଣମୀରେ କୁମାରୀମାନେ ଭୋର୍‌ରୁ ଉଠି ଗାଧୋଇ ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ଏହାପରେ ସେମାନେ ବୃନ୍ଦାବତୀଙ୍କ ପାଖରେ ଖଇ, ଗୁଆ, କଦଳୀ, ନଡ଼ିଆ, କଷିକାକୁଡ଼ି, କଷିଜହ୍ନି ଓ ଆଖୁ ଆଦି ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଆଞ୍ଜୁଳି ଅର୍ପଣ କରିଥାନ୍ତି। ଏହାକୁ ଆଞ୍ଜୁଳା ଟେକା କୁହାଯାଏ। ସଂଧ୍ୟାରେ କୁମାରୀମାନେ ଚଉରା ମୂଳେ ଏକତ୍ର ହୋଇ ଚାନ୍ଦ ପୂଜା କରନ୍ତି। ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ରେ ପ୍ରସ୍ତୁତ ଚାନ୍ଦଚକଟା ପୂନେଇଁ ଜହ୍ନକୁ ଭୋଗ ଦିଆଯାଏ। ଭୋଗ ପରେ ନିଜ ନିଜ ପ୍ରିୟ ସାଙ୍ଗକୁ ସେହି ଚାନ୍ଦ ଖୁଆଇ ‘ଚାନ୍ଦ’ ବସନ୍ତି। କୁମାର ପୂର୍ଣ୍ଣମୀରେ ଝିଅମାନେ ପୁଚି, ଠିଆପୁଚି, କଉଡ଼ି, ଢିଲୋ ଓ ବୋହୁ‌େଚୋରୀ ଆଦି ଖେଳିଥାଆନ୍ତି। ଆଜିକାଲି ପୂଜା ହେଉଛି, କିନ୍ତୁ ଏଥିସହ ଜଡ଼ିତ ଖେଳଗୁଡ଼ିକ ଲୋପ ପାଇଗଲାଣି। ତେବେ ଗାଁ ଗହଳିରେ ଏସବୁ ଦେଖାଯାଉଛି ବୋଲି କହିଛନ୍ତି ବୈଦିକ ବିଦ୍ବାନ୍‌ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା। କୁହାଯାଏ, ନାରୀତ୍ବକୁ ସୁରକ୍ଷିତ ରଖିବାକୁ ଆତ୍ମସମର୍ପଣ ସ୍ବରୂପ ଜହ୍ନିଫୁଲ ଆଞ୍ଜୁଳିରେ ଭରି ଅର୍ପଣ କରାଯାଏ। ଏହି ସମୟରେ ଯେଉଁ ଖେଳ ସବୁ ଖେଳାଯାଏ ତାହା ଜଣେ କୁମାରୀର ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହ ମାଂସପେଶୀ ଦୃଢ଼ କରିଥାଏ। ଖେଳ ଜରିଆରେ କରାଯାଉଥିବା ଏହି ବ୍ୟାୟାମ ସନ୍ତାନ ଧାରଣ ପାଇଁ ଶାରୀରିକ ସକ୍ଷମତା ଆଣିଥାଏ। ଚନ୍ଦ୍ରକିରଣ ପୀତନାଶକ ଭାବେ କାର୍ଯ୍ୟ କରିଥାଏ। ତେଣୁ ଏସବୁ ଖେଳ ରାତିରେ ଜହ୍ନ ଆଲୁଅରେ ଖେଳାଯାଏ। ଓଡ଼ିଶା ବ୍ୟତୀତ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜରାଟରେ ମଧ୍ୟ କୁମାରୀଙ୍କ ପର୍ବ ରହିଛି। ଅନ୍ୟ ରାଜ୍ୟରେ କୁମାର ପୂର୍ଣ୍ଣିମା ଶରତ୍‌ ପୂର୍ଣ୍ଣିମା ନାମରେ ଜଣାଶୁଣା। ଗୁଜରାଟର ପଶ୍ଚିମାଞ୍ଚଳରେ ଏହି ପୂର୍ଣ୍ଣିମାକୁ ଶରଦ୍ ପୁନମ୍ କୁହାଯାଏ। ଏହି ପୂର୍ଣ୍ଣିମା ରାତିରେ ମହିଳାମାନେ ଗରବା ଓ ଦାଣ୍ଡିଆ ଖେଳିଥାନ୍ତି, ଯାହାର ଶାରୀରିକ ଉପଯୋଗିତା ରହିଛି।