କୋହ୍ଲାପୁରୀ ଚପଲ: ଅତି ଆରାମଦାୟକ ଚମଡ଼ାରେ ଏହି ହାତ ତିଆରି ସ୍ଲିପର୍ସ ଦେଖିବାକୁ ବହୁତ ଆକର୍ଷକ। ଏହା ଯେମିତି ଲଙ୍ଗ ଲାଷ୍ଟିଙ୍ଗ୍ ଏହାର କାରୁକାର୍ଯ୍ୟ ସେମିତି ସୁନ୍ଦର। ତେଣୁ ସାରା ପୃଥିବୀରେ ଏହାର ସ୍ବତନ୍ତ୍ର ପରିଚୟ ରହିଛି। ଦ୍ୱାଦଶ ଶତାବ୍ଦୀରେ ରାଜା ବିଜ୍ଜଲ ଓ ତାଙ୍କ ପ୍ରଧାନମନ୍ତ୍ରୀ ବାସଭାନ୍ ମୋଚି ସମ୍ପ୍ରଦାୟର ଉନ୍ନତି ଲାଗି ଏହି ଚପଲର ଉତ୍ପାଦନ ବଢ଼ାଇଥିଲେ। ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ନାମାନୁସାରେ ଉକ୍ତ ଚପଲର ନାମକରଣ ହୋଇଛି। ଦୀର୍ଘ ୧୦୦ ବର୍ଷ ହେଲା ଏହି ଚପଲ ତା’ର ପୁରୁଣା ଷ୍ଟାଇଲ ଓ ଆକାରରେ ଆଜି ବି ଉପଲବ୍ଧ ହେଉଛି। ଯଦିଓ ଏବେ ଗ୍ରାହକଙ୍କ ଚାହିଦାକୁ ଲକ୍ଷ୍ୟରେ ରଖି ଏହା ବିଭିନ୍ନ ରଙ୍ଗ ଓ ଡିଜାଇନ୍ରେ ଉପଲବ୍ଧ ହେଲାଣି। ଆଜିକାଲି ମଡର୍ନ ଟଚ୍ ଦେବା ଲାଗି ମେଟାଲିକ, ଗୋଲ୍ଡ ଓ ସିଲଭର୍ର ଷ୍ଟ୍ରାଇପ୍ ସହିତ ସେକ୍ୱିନ୍ରେ ସଜ୍ଜିତ କୋହ୍ଲାପୁରୀ ଚପଲ ଡିଜାଇନ୍ ହେଉଛି। ଉଭୟ ପୁରୁଷ ଓ ମହିଳାଙ୍କର ଏହା ପ୍ରିୟ।
ମୋଜାରୀ ଖୁସା: ପୁରାତନ ସମୟରେ ରାଜସ୍ଥାନର ଏହି ଜୋତାକୁ ନବାବ୍, ମହାରାଜ, ମହାରାଣୀ ଜମିଦାରମାନେ ପିନ୍ଧୁଥିଲେ। ଏହା ସେମାନଙ୍କ ପ୍ରତିପତିକୁ ଦର୍ଶାଉଥିଲା। ପୂର୍ବେ ଏହି ଜୋତାକୁ ଖାଣ୍ଟି ସୁନା, ରୁପାର ସୂତାରେ ତିଆରି କରାଯାଉଥିଲା। ବିରଳ ମୋତି ଓ ଦାମୀ ରତ୍ନରେ ସଜାଯାଉଥିଲା। ଉକ୍ତ ଜୋତାର ସାମ୍ନା ଭାଗ ମୋଡ଼ି ହୋଇ ରହିଥାଏ, ଯାହା ରାଜକୀୟ ଲୁକ୍ ଦିଏ। ଶିଖ୍ ସମ୍ପ୍ରଦାୟରେ ଏହା ଯୋଧପୁରୀ ଜୋତା ଭାବେ ପରିଚିତ ଥିଲା। ଚମଡ଼ାର ଏହି ଜୋତାକୁ ହାତରେ ତିଆରି କରାଯାଏ। ଏହାର କାରିଗରି ଯୋଧପୁର, ଗୋଲାପି ସହର ଜୟପୁର ଓ ପଞ୍ଜାବରେ ହୋଇଥାଏ। ଏଥିରେ ହେଉଥିବା ସୁନ୍ଦର ଏମ୍ବ୍ରୋଏଡାରୀ କାମ, ଭେଲଭେଟ୍, ସେକ୍ବିନ, ମୋତି, ସେରାମିକ ବିଡ୍ର ସାଜସଜ୍ଜା ଏହାକୁ ଆକର୍ଷକ କରିଥାଏ।
ଜୁତି: ପଞ୍ଜାବ ଓ ରାଜସ୍ଥାନର ଏହି ପ୍ରସିଦ୍ଧ ଜୁତି କେବଳ ଉତ୍ତର ଭାରତରେ ନୁହେଁ, ସାରା ପୃଥିବୀରେ ଲୋକପ୍ରିୟ ହୋଇପାରିଛି। ମୋଗଲମାନେ ହେଉଛନ୍ତି ଏହାର ପୃଷ୍ଠପୋଷକ। ଏହାକୁ ପ୍ରଥମେ ମହାରାଜା, ମହାରାଣୀମାନେ ପିନ୍ଧୁଥିଲେ। ଏହାକୁ ଚମଡ଼ାରେ ତିଆରି କରାଯାଉଥିଲା। ସୁନା ଓ ରୁପାର ସୁତାରେ ଏହାକୁ ଏମ୍ବ୍ରୋଏଡାରୀ କରାଯାଉଥିଲା। ବିଭିନ୍ନ ରତ୍ନ, ମୂଲ୍ୟବାନ ପଥର, ଦାମୀ ମୋତିରେ ଏହାକୁ ସଜାଇ ଆକର୍ଷଣୀୟ କରା ଯାଉଥିଲା। ଯୁଗ ବଦଳିବା ସହ ଏଥିରେ ଅନେକ ପରିବର୍ତ୍ତନ ହୋଇଛି। ଆଉ ଏବେ ଏହା ଅନେକ ଟ୍ରେଣ୍ଡି ପ୍ୟାଟର୍ନରେ ଉପଲବ୍ଧ ହେଉଛି। ବିବାହ, ପର୍ବପର୍ବାଣି, ପାର୍ଟି ଆଦିରେ ଏହାକୁ ପିନ୍ଧିଲେ ବହୁତ ଭଲ ଲାଗେ। ଏଥନିକ ଲୁକ୍ ପାଇଁ ଏହାକୁ ଲେହଙ୍ଗା, ଅନାରକଲି, ଘାଘରା ସହ ପିନ୍ଧିବାକୁ ବେଶ୍ ପସନ୍ଦ କରାଯାଉଛି।
ପୁଲା ଚପଲ: ‘ଲାଣ୍ଡ ଅଫ୍ ଗଡ୍ସ’ ଭାବେ ପରିଚିତ ହିମାଚଳ ପ୍ରଦେଶର ପାହାଡ଼ୀ ଲୋକେ ଏହି ସ୍ବତନ୍ତ୍ର ଧରଣର ଚପଲ ପିନ୍ଧନ୍ତି। ଏହାକୁ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଏଠାକାର ଏକପ୍ରକାରର ଘାସକୁ ମୋଡ଼ି ଦଉଡ଼ି କରାଯାଏ। ଆଉ ସେହି ଦଉଡ଼ିକୁ କପଡ଼ାରେ ଲଗାଲଗି ରଖି ସିଲେଇ କରି ସେଥିରେ ଚପଲ ପ୍ରସ୍ତୁତ କରାଯାଏ। ଚପଲର ଉପରଭାଗରେ ସୁନ୍ଦର ଛୁଞ୍ଚି ସୂତାର କାରିଗରି କରାଯାଇଥାଏ। ହିମାଚଳ ପ୍ରଦେଶରେ ଚମଡ଼ାର ଜୋତା କି ଚପଲ ବ୍ୟବହାର ଉପଯୋଗୀ ହୋଇପାରେନା। କେବଳ ହାଲ୍କା ପୁଲା ଚପଲକୁ ପିନ୍ଧି ବରଫରେ ଚାଲିବା ସହଜ ହୋଇଥାଏ। ପର୍ବପର୍ବାଣିରେ ମନ୍ଦିର ପରିସରରେ ଚାଲିବା ଲାଗି ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଏହାକୁ ଏଠାକାର ଚଦ ନାମକ ସ୍ଥାନରେ ତିଆରି କରାଯାଏ। ତେବେ ଏହାର ବଜାର ଏବେ ରାଜସ୍ଥାନ, ଗୁଜୁରାଟ ଓ ମଧ୍ୟପ୍ରଦେଶକୁ ବି ବ୍ୟାପିଗଲାଣି।
ଓସୋ ଚପଲ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ଓସୋ ରଜନୀଶ୍ଙ୍କ ନାମାନୁସାରେ ଏହାର ନାମକରଣ ହୋଇଛି। ଏହା ଏକ ଇକୋ ଫ୍ରେଣ୍ଡଲି ଚପଲ ଅଟେ। ଏହାକୁ ବାଉଁଶ, ଝୋଟ ଓ ସ୍ବତନ୍ତ୍ର ଧରଣର ଘାସରେ ତିଆରି କରାଯାଇଥାଏ। ଚପଲର ଷ୍ଟ୍ରିଙ୍ଗ ବା ଫିତା ପାଇଁ ଫକ୍ସ ଭେଲଭେଟ୍, ରବର, କିମ୍ବା କଟନ୍ କପଡ଼ାର ବ୍ୟବହାର କରାଯାଇଥାଏ। ଶକ୍ତ ରବର୍ର ବେସ୍ ଉପରେ ବାଉଁଶ, ଝୋଟ ତଥା ଘାସର ଚଟାଇ ପରି ଲେୟାର ଥାଏ। ଏହି ଚପଲ ଦେଖିବାକୁ ସିମ୍ପଲ କିନ୍ତୁ ବହୁତ ଷ୍ଟାଇଲିଶ। ତା’ସହ ପାଦକୁ ଥଣ୍ଡା ବି ରଖେ। କମ୍ ଦାମ, ସୁନ୍ଦର ରଙ୍ଗ ଓ ବିଭିନ୍ନ ଷ୍ଟାଇଲରେ ଏହା ଉପଲବ୍ଧ ହୁଏ।