ଦକ୍ଷିଣ ଆମେରିକାର ଇ‌େକ୍ବଏଡର ଅନ୍ତର୍ଗତ ଗାଲାପାଗୋସ ଦ୍ବୀପର କିଛି ପକ୍ଷୀ ଟ୍ରାଫିକ୍‌ କୋଳାହଳ ଯୋଗୁଁ ବେଶୀ ଉଗ୍ର ହୋଇପଡୁଥିବା ଜଣାପଡ଼ିଛି। ଟ୍ରାଫିକ୍‌ର ଶବ୍ଦ ପ୍ରଦୂଷଣ ‘ୟେଲୋ ଵାର୍ବଲର’ମାନଙ୍କୁ ଦିନକୁ ଦିନ ଉଗ୍ର କରି ସେମାନଙ୍କର ଆକ୍ରମଣାତ୍ମକ ସ୍ତର ବଢ଼ାଉଛି। ଏ ସଂକ୍ରାନ୍ତ ଅଧ୍ୟୟନର ସବିଶେଷ ବିବରଣୀ ଗତ ୨୦ ତାରିଖ ‘ଆନିମଲ୍‌ ବିହେଭିଅର’ ପତ୍ରିକାରେ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଇକ୍ବେଡର ଉପକୂଳରୁ ପ୍ରାୟ ୫୦୦ ମାଇଲ୍‌ ଦୂରରେ ଅବସ୍ଥିତ ଗାଲାପାଗୋସ ଦ୍ବୀପପୁଞ୍ଜ ଏକ ବିଶ୍ବ ପ୍ରସିଦ୍ଧ ‘ପ୍ରାକୃତିକ ଜୀବନ ପ୍ରୟୋଗଶାଳା’ ଭାବେ ବିବେଚିତ। ‘ମାନବୀୟ ବିବର୍ତ୍ତନର ଜନକ’ ଭାବେ ପରିଚିତ ବିଖ୍ୟାତ ପ୍ରାଣୀବିଜ୍ଞାନୀ ଚାର୍ଲସ ଡାରଵିନ୍‌ଙ୍କୁ ତାଙ୍କର ପ୍ରସିଦ୍ଧ ‘ପ୍ରାକୃତିକ ଚୟନ ଦ୍ବାରା ବିବର୍ତ୍ତନ’ ତତ୍ତ୍ବ ନିର୍ଣ୍ଣୟ କରିବାରେ ଏହି ଗାଲାପାଗୋସ ଦ୍ବୀପ ପ୍ରେରଣା ଯୋଗାଇଥିଲା। ଉକ୍ତ ଦ୍ବୀପ ବିଶାଳ ଗାଲାପାଗୋସ କଇଁଛ, ସାମୁଦ୍ରିକ ଇଗୁଆନା, ଉଡ଼ାଣବିହୀନ କର୍ମୋରାଣ୍ଟ୍‌ ଏବଂ ୟେଲୋ ଵାର୍ବଲର ସମେତ ଅନେକ ଅନନ୍ୟ ତଥା ସ୍ଥାନୀୟ ପ୍ରଜାତିଙ୍କର ପ୍ରମୁଖ ବାସସ୍ଥଳୀ। 

Advertisment

ସ୍ବର ସୃଷ୍ଟିକାରୀ କ୍ଷୁଦ୍ର ୟେଲୋ ଵାର୍ବଲର ଏଠାରେ ବିକ୍ଷିପ୍ତ ଭାବରେ ବିସ୍ତାରିତ। ବିଗତ ବର୍ଷଗୁଡ଼ିକରେ ଗାଲାପାଗୋସରେ ପର୍ଯ୍ୟଟନର ବୃଦ୍ଧି ସହ ଜନସଂଖ୍ୟା ଏବଂ ଗାଡ଼ିମୋଟରର ପ୍ରଭାବ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଏହି ଅଧ୍ୟୟନର ମୁଖ୍ୟ ଗବେଷକ କାଗ୍‌ଲାର ଆକେଙ୍କ ଅନୁସାରେ, ଆଞ୍ଚଳିକ ପ୍ରତିରକ୍ଷା ସମୟରେ ପକ୍ଷୀମାନେ ସେମାନଙ୍କର କଳରବକୁ ଏକ ଆକ୍ରମଣାତ୍ମକ ସଂକେତ ଭାବେ ବ୍ୟବହାର କରିଥା’ନ୍ତି। କିନ୍ତୁ ଟ୍ରାଫିକ୍‌ ଭଳି ବାହ୍ୟ ଶବ୍ଦ ଯଦି ବାଧା ସୃଷ୍ଟି କରେ, ସେମାନଙ୍କ ପାଇଁ ସଂକେତର ତୀବ୍ରତା ବୃଦ୍ଧି କରିବାକୁ ପଡୁଛି। ଏହି ଅଧ୍ୟୟନରୁ ରାସ୍ତାପାର୍ଶ୍ବରେ ରହୁଥିବା ପକ୍ଷୀମାନେ ରାସ୍ତାରୁ ଦୂରରେ ରହୁଥିବା ପକ୍ଷୀଙ୍କ ତୁଳନାରେ ଅଧିକ ଆକ୍ରମଣାତ୍ମକ ଆଚରଣ ଦେଖାଉଥିବା ଜଣାପଡ଼ିଥିଲା। ସୁତରାଂ ବାହ୍ୟ ଶବ୍ଦର ମୁକାବିଲା ପାଇଁ ସେମାନେ ନିଜ ସ୍ବରକୁ ଅଧିକ ଉଗ୍ର କରିଥିବାର ଜଣାପଡ଼ିଛି।