ଫେକ୍‌ ଫଟୋ : ଜର୍ମାନୀରେ ତୈଳ ଦର ବୃଦ୍ଧି ପ୍ରତିବାଦ ଫଟୋ ଚାଇନାର ଟ୍ରାଫିକ୍‌ ଜାମ୍‌

ଭାରତରେ ନିକଟ ଅତୀତରେ ତୈଳ ଦର ବଢ଼ିବା ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଛି। ବିରୋଧୀ ଦଳ ହୁଅନ୍ତୁ ବା ସାଧାରଣ ଜନତା, ସମସ୍ତେ ଏ ନେଇ ସରକାରଙ୍କ ବିରୋଧ କରୁଥିବାର ଦେଖାଯାଉଛି । ଗତ ୯ ଦିନ ମଧ୍ୟରେ ପେଟ୍ରୋଲ୍‌ର ଦର ଭାରତରେ ୨.୨୪ ଟଙ୍କା ବଢ଼ିଥିବା ବେଳେ ଡ଼ିଜେଲ୍‌ ଦର ୨.୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହାର ଲାଭ ଉଠାଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ଲେଖା ହୋଇଥିଲା ଠିକ୍‌ ଏପରି ପରିସ୍ଥିତି ବହୁ ବର୍ଷ ପୂର୍ବେ ଜର୍ମାନୀରେ ଦେଖାଦେଇଥିଲା। ସେହି ସମୟରେ ସେଠାକାର ସ୍ଥାନୀୟ ଲୋକ ସରକାରଙ୍କ ନିର୍ଣ୍ଣୟ ବଦଳିବାର ଅପେକ୍ଷା କରିବା ଛାଡ଼ି ସରକାରଙ୍କ ବିରୋଧରେ ଯାନବାହାନ ଗୁଡ଼ିକୁ ରାସ୍ତା ଉପରେ ଠିଆ କରିଥିଲେ । ଲୋକଙ୍କ ବିରୋଧ ପରେ ସରକାରଙ୍କୁ ବାଧ୍ୟ ହୋଇ ତାଙ୍କ ନିଷ୍ପତ୍ତିିକୁ ବଦଳିବାକୁ ପଡ଼ିଥିଲା ।

India TV

ଭାଇରାଲ ହେଉଥିବା ଏହି ଖବରଟି ପ୍ରକୃତରେ ମିଛ ବୋଲି ଜଣାପଡ଼ିଥିବା ବେଳେ ଫଟୋଟିରେ ଜର୍ମାନ ନୁହଁ ଜାମ୍‌ ଫଟୋଟି ଚୀନର ବୋଲି ଜଣାପଡ଼ିଛି। ଘଟଣାଟି ୨୦୧୦ ମସିହାର ଘଟଣା କୁହାଯାଇଥିବା ବେଳେ ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ମୁତାବକ ସେହି ସମୟରେ ସେଭଳି କିଛି ଘଟଣା ଜର୍ମାନୀରେ ଘଟିନଥିବା ଜଣାପଡିଛି। ଫଟୋଟି ପ୍ରକୃତରେ ୨୦୧୦ ମସିହାରେ ହୋଇଥିବା ଦୁନିଆର ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠାରୁ ବଡ଼ ଟ୍ରାଫିକ୍‌ ଜାମ୍‌ର ଜଣାପଡ଼ିଛି । କିଛି ଦିନ ହେବ ଭାରତରେ ବଢ଼ୁଥିବା ତୈଳ ଦରକୁ ନେଇ ଚିନ୍ତିତ ଥିବା ଜନସାଧାରଣଙ୍କୁ ଏହିଭଳି ପୋଷ୍ଟ ଦ୍ୱାରା ଉତ୍ତେଜିତ କରାଯାଉଥିବାର କୁହାଯାଇଛି।

rojakpot

ଫଟୋ ସହ କୁହାଯାଉଥିବା ମିଥ୍ୟା କାହାଣୀ ଅନୁଯାୟୀ , ୨୦୧୦ ମସିହାରେ ଜର୍ମାନ ସହିତ ଯୁରୋପର ବିଭିନ୍ନ ଦେଶରେ ତୈଳ ଦର ବୃଦ୍ଧି ହୋଇଥିଲା। ଯାହାପରେ ସାଧାରଣ ଜନତା ବିରୋଧ ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ । ସାଧାରଣ ଜନତା ତାଙ୍କ ଗାଡ଼ିକୁ ରାସ୍ତା ମଝିରେ ଠିଆ କରାଇ ନିଜ କାର୍ଯ୍ୟଳୟକୁ ଚାଲିଚାଲି ଯାଇଥିଲେ । ସାଧାରଣ ଜନତାଙ୍କ ଏହି ବିରୋଧ ସରକାରଙ୍କ ଉପରେ ଚାପ ପକାଇବା ସହ ବିରୋଧୀ ଦଳ ତରଫରୁ ମଧ୍ୟ ଏହା ଉପରେ ତୁରନ୍ତ ନିଷ୍ପତ୍ତିି ନେବା ପାଇଁ ଚାପ ପଡ଼ିଥିଲା ଯାହା ପରେ ସରକାର ଶେଷକୁ ତୈଳଦରକୁ କମ୍‌ କରିବା ସହ ଏହା ଉପରେ ଟିକସ ହ୍ରାସ କରିଥିଲେ ।
ତେବେ ଏହି ବିଷୟରେ ଏକ ମିଛ ପୋଷ୍ଟ ନିକଟରେ ଫେସବୁକ୍‌ରେ ଘୂରିବୁଲୁଛି , ଯେଉଁଥିରେ ଲୋକମାନେ ଭାରତରେ ମଧ୍ୟ ଏପରି କରିବା ଆବଶ୍ୟକ ବୋଲି କହୁଥିବାର ଦେଖିବାକୁ ମିଳିଛି। ଏଣୁ ଆମେ ଆପଣଙ୍କୁ ଅନୁରୋଧ କରିବୁ ସୋସିଆଲ ମିଡ଼ିଆରେ ଆସୁଥିବା ସମସ୍ତ ଖବର ଉପରେ ଆଖିବୁଜି ବିଶ୍ୱାସ କରିବା ବଦଳରେ ଖବର ପଛର ସତ୍ୟତା ବିଷୟରେ ପ୍ରଥମେ ଅନୁସନ୍ଧାନ କରନ୍ତୁ ।

ସମ୍ବନ୍ଧିତ ଖବର