ସାଧାରଣ ଜନତାଙ୍କ ପ୍ରଶ୍ନ: ଆଇନ ତ ବଦଳାଇଲ, କେବେ ସୁଧାରିବ ରାସ୍ତାର ଅବସ୍ଥା

ଭୁବନେଶ୍ୱର(ମୋନାଲିସା ପରିଡ଼ା) : ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଦେଶରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଅନେକ ଲୋକଙ୍କୁ ସରକାରଙ୍କ ଏହି ନୂଆ ଆଇନ ପସନ୍ଦ ଆସୁ ନଥିବା ଦେଖାଯାଇଛି । ପ୍ରଥମ କାରଣ ହଜାର ହଜାର ଟଙ୍କାର ଜରିମାନା ହୋଇଥିବା ବେଳେ ଦ୍ୱିତୀୟ କାରଣ ହେଉଛି ରାସ୍ତାରେ ଦେଖାଯାଉଥିବା ଅନେକ ସମସ୍ୟା । ରାସ୍ତାର ସମସ୍ୟାକୁ ପ୍ରଥମେ ସମାଧାନ ନ କରି ସରକାର କ’ଣ ପାଇଁ ଏତେ ଟଙ୍କା ଜରିମାନା ଲାଗୁ କଲେ ତାହା ଏବେ ସବୁ ସାଧାରଣ ଜନତାଙ୍କ ପ୍ରଶ୍ନ ପାଲଟିଛି ।

Image result for cows in road
Hindustan Times

ବଡ଼ ବଡ଼ ସହରରେ ବର୍ଷା ହେଲେ ଗାଁଠାରୁ ହୀନ ଅବସ୍ତା ହେଉଥିବା ବେଳେ ଯାତାୟତରେ ଅନେକ ଅସୁବିଧା ଦେଖାଯାଉଛି । ଅସରାଏ ବର୍ଷାରେ ରାସ୍ତାରେ ପାଣି ଜମି ରହିବା ସହ ରାସ୍ତା ମଝିରେ ଥିବା ଖାଲରେ ପାଣି ଭରି ଯାଇଥାଏ । ଯାହା ଦ୍ୱାରା ଲୋକେ ଜାଣି ନ ପାରି ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେବାର ଅନେକ ଦୃଶ୍ୟ ସାମ୍ନାକୁ ଆସିଛି । ସବୁଠାରୁ ବଡ଼ ସମସ୍ୟା ହେଉଛି ରାସ୍ତାରେ ଗାଡ଼ି ସହ ବୁଲା ଗାଇ, ଷଣ୍ଢ ଓ ବୁଲା କୁକୁରମାନଙ୍କ ରାଜ୍‌ ଚାଲିଛି । ଯାହା ପାଇଁ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । କିଛି ବର୍ଷ ତଳେ ହୋଇଥିବା ସର୍ବଭାରତୀୟ ସର୍ବେକ୍ଷଣରୁ ଜଣା ପଡ଼ିଥିଲା କି, ଦେଶରେ ୧୦ପ୍ରତିଶତ ବାଇକ୍‌ ଦୁର୍ଘଟଣା ରାସ୍ତାରେ ବୁଲୁଥିବା ବୁଲା ଗାଇ, ଷଣ୍ଢ ଓ ବୁଲା କୁକୁରମାନଙ୍କ ପାଇଁ ହୋଇଥାଏ । । ଦିନ ହେଉ ବା ରାତି ଅନେକ ସ୍ଥାନରେ ମୁଖ୍ୟ ରାସ୍ତାରେ ଗାଇମାନେ ଶୋଇଥିବାର ଦୃଶ୍ୟ ଦେଖାଯାଇଥାଏ । କିଛି ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ନଥିବାରୁ ଲୋକେ ଗାଇମାନଙ୍କୁ ରାସ୍ତାରେ ଶୋଇଥିବାର ଦେଖି ପାରନ୍ତି ନାହିଁ । ଯାହାଦ୍ୱାରା ଲୋକେ ହଠାତ୍‌ ବ୍ରେକ୍‌ ମାରି ଦୁର୍ଘଟଣା ଶିକାର ହୋଇଥାନ୍ତି । ତେବେ ରାସ୍ତାରୁ ଗାଇମାନଙ୍କୁ ହଟାଇବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଆଜି ବି ଅନେକ ମୁଖ୍ୟ ରାସ୍ତାରେ ଗାଇମାନଙ୍କୁ ବେଧଡ଼କ ବୁଲୁଥିବାର ଦେଖାଯାଇଥାଏ । ଏବେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ପୁଣି ଥରେ ସବୁ ସାଧାରଣ ଜନତାଙ୍କ ମନରେ ଗୋଟେ ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଛି । ସଡ଼କ ସୁରକ୍ଷା ଜୀବନ ରକ୍ଷାର ନାରା ଲଗାଉଥିବା ସରକାର ଜରିମାନା ଲାଗୁ କରିବା ଛାଡ଼ି ରାସ୍ତାର ସମସ୍ୟା କେବେ ସମାଧାନ କରିବେ? ଏବେ ସୋସିଆଲ ମିଡିଆରେ ଏଭଲି ପ୍ରଶ୍ନ ପଚାରୁଛନ୍ତି ଲୋକେ ।

ସମ୍ବନ୍ଧିତ ଖବର