ଭାଇରାଲ ହେଉଛିଏହି ଟ୍ରାଫିକ୍ ସିଗ୍ନାଲର ଭିଡ଼ିଓ: ରାସ୍ତା ପାର୍ କରିବାରେ ଅସୁବିଧା ହେବାରୁ ବୃଦ୍ଧଙ୍କୁ କାନ୍ଧରେ ବସାଇ ନେଲେ ଟ୍ରାଫିକ୍ ପୁଲିସ
ନୂଆଦିଲ୍ଲୀ : ଗାଡ଼ି ଚଳାଇବା ସମୟରେ ରାସ୍ତାରେ ଲୋକମାନଙ୍କ ସୁରକ୍ଷା ପାଇଁ ଟ୍ରାଫିକ୍ ସିଗ୍ନାଲ କରାଯାଇଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ ଟ୍ରାଫିକ୍ ପୁଲିସଙ୍କୁ ଦିଆଯାଇଛି । ସଡ଼କ ସୁରକ୍ଷାକୁ ନେଇ ସରକାର ଅନେକ ନିୟମ ଗଢ଼ୁଥିବା ବେଳେ ଲୋକମାନେ କେମିତି ଏହାର ଠିକ୍ ଭାବରେ ପାଳନ କରିବେ ସେ ନେଇ ତଦାରଖ କରିଥାନ୍ତି ଟ୍ରାଫିକ୍ ପୁଲିସ । ବିନା ହେଲ୍ମେଟ୍ରେ ଗାଡ଼ି ଚଳାଇଲେ ଜରିମାନାଠାରୁ ଆରମ୍ଭ କରି ଗାଡ଼ି ଚଳାଇବା ସମୟରେ କ’ଣ ସବୁ ସାବଧାନତା ଅବଲମ୍ବନ କରିବା ଉଚିତ୍ ସେ ନେଇ ଟ୍ରାଫିକ୍ ପୁଲିସ ଲୋକମାନଙ୍କୁ ଜଣାଇଥାନ୍ତି। ତେବେ ଟ୍ରାଫିକ୍ ପୁଲିସଙ୍କ ଦାୟିତ୍ୱ କେବଳ ଏତିକିରେ ସୀମିତ ବୋଲି ଯଦି ଆପଣ ଭାବୁଛନ୍ତି, ତେବେ ଚୀନ୍ର ଏହି ଟ୍ରାଫ୍ିକ୍ ସିଗ୍ନାଲର ଭିଡ଼ିଓ ଆପଣଙ୍କ ଚିନ୍ତାଧାରାକୁ ବଦଳାଇବ ନିଶ୍ଚୟ ।
ଚୀନ୍ର ମିୟାଙ୍ଗ ସହରରେ ଥିବା ଏକ ଟ୍ରାଫିକ୍ ସିଗ୍ନାଲର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ବୃଦ୍ଧ ରାସ୍ତା ପାର ହେଉଥିବାର ଦେଖିବାକୁ ମିଳିଛି । ବୃଦ୍ଧଙ୍କୁ ଚାଲିବାର ଅସୁବିଧା ହେଉଥିବାରୁ ସେ ଧୀରେ ଧୀରେ ଚାଲି ରାସ୍ତା ପାର ହେଉଛନ୍ତି । ଏହି ସମୟରେ ସିଗ୍ନାଲର ଲାଇଟ୍ ଗ୍ରିନ ହୋଇଯିବାରୁ ବୃଦ୍ଧ ଜଣଙ୍କ ଡ଼ରି ଯାଉଛନ୍ତି । କିନ୍ତୁ ସିଗ୍ନାଲ ଲାଇଟ୍ ଗ୍ରିନ ହୋଇ ମଧ୍ୟ ବୃଦ୍ଧଙ୍କୁ ଯେମିତି ଅସୁବିଧା ନ ହେଉ ସେଥିପାଇଁ ଗାଡ଼ି ଗୁଡ଼ିକ ଆଗକୁ ନ ବଢ଼ି ପୂର୍ବ ଭଳି ଠିଆ ହୋଇ ରହୁଛନ୍ତି । ଏହି ସମୟରେ ବୃଦ୍ଧଙ୍କ ଅସୁବିଧା ଦେଖି ତାଙ୍କୁ ସାହାଯ୍ୟ କରିବାକୁ ପହଞ୍ଚୁଛନ୍ତି କାର୍ଯ୍ୟରତ ଟ୍ରାଫିକ୍ ପୁଲିସ । ଟ୍ରାଫିକ୍ ପୁଲିସ ଜଣଙ୍କ ବୃଦ୍ଧଙ୍କୁ କାନ୍ଧରେ ବସାଇ ରାସ୍ତାର ଆର ପାଖକୁ ନେବା ପରେ ସବୁ ଗାଡ଼ି ଧୀରେ ଧୀରେ ଆଗକୁ ବଢ଼ୁଛନ୍ତି । ଏହି ଭିଡ଼ିଓରେ ଟ୍ରାଫିକ୍ ପୁଲିସଙ୍କ ମହାନତା ଏବଂ ଚୀନ୍ବାସୀଙ୍କ ଧୈର୍ଯ୍ୟ କେତେ ତାହା ସ୍ପଷ୍ଟ ଜଣାପଡ଼ୁଛି ।