ମେ ମାସର ମୁଣ୍ଡଫଟା ଖରା ଓ ଗରମରୁ ବର୍ତ୍ତିବା ପାଇଁ ସପରିବାର କୌଣସି ଶୀତଳ ସ୍ଥାନକୁ ବୁଲି ଯିବାକୁ ଚାହାନ୍ତି, ତେବେ ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ବୁଲିଆସନ୍ତୁ। ଏବେ ସେଠାକାର ତାପମାତ୍ରା ସ୍ଥଳ ବିଶେଷରେ ମାତ୍ର ୬ରୁ ୧୩ ଡିଗ୍ରି ସେଲ୍ସିୟସ୍ ମଧ୍ୟରେ। ହିମାଳୟ କୋଳରେ ରହିଛି ପ୍ରକୃତିର ଅପୂର୍ବ ଶୋଭାବିମଣ୍ଡିତ ତୱାଙ୍ଗ୍। ବିସ୍ତୀର୍ଣ୍ଣ ସବୁଜିମା, ବରଫାବୃତ ପର୍ବତ ଶିଖର, ପାହାଡ଼ୀ ଝରଣା, ଅଙ୍କାବଙ୍କା ନଈ, ନୀଳ ଜଳରାଶିରେ ଭରା ହ୍ରଦ ଓ ଘଞ୍ଚ ଅରଣ୍ୟ ପରିବେଷ୍ଟିତ ପରିବେଶରେ ଆପଣ ଆତ୍ମହରା ହୋଇଯିବା ନିଶ୍ଚିତ। ପୁଣି ଏଠାକାର ପ୍ରାଚୀନ ବୌଦ୍ଧ ବିହାର ତୱାଙ୍ଗ୍କୁ ଆହୁରି ଆକର୍ଷଣୀୟ କରିଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୩,୦୪୮ ମିଟର୍ ଉଚ୍ଚରେ ଅବସ୍ଥିତ ଅରୁଣାଚଳ ପ୍ରଦେଶର ଏହି ଶୈଳନିବାସର ଶାନ୍ତ ଓ ଶୀତଳ ପରିବେଶ ଗ୍ରୀଷ୍ମକଷ୍ଟ ଭୁଲିଯିବା ପାଇଁ ଯଥେଷ୍ଟ।
କେମିତି ଯିବେ: ମାର୍ଚରୁ ଅକ୍ଟୋବର ହେଉଛି ତୱାଙ୍ଗ୍ ଯିବା ନିମନ୍ତେ ଉପଯୁକ୍ତ ସମୟ। ଆସାମର ତେଜପୁର ବିମାନବନ୍ଦରଠାରୁ ଏହାର ଦୂରତା ୩୨୦ କିଲୋମିଟର୍। ସେହିପରି ଗୌହାଟୀସ୍ଥିତ ଲୋକପ୍ରିୟ ଗୋପୀନାଥ ବୋରଡ଼ୋଲୋଇ ଆନ୍ତର୍ଜାତିକ ବିମାନବନ୍ଦରରୁ ଏହାର ଦୂରତା ୪୮୦ କିଲୋମିଟର୍। ଗୌହ୍ବାଟୀ କିମ୍ବା ତେଜପୁରରୁ ସେୟାର୍ ଟ୍ୟାକ୍ସି ଅଥବା ରିଜର୍ଭ ଟ୍ୟାକ୍ସି ଯୋଗେ ସେଲା ଘାଟି ଦେଇ ଆରାମରେ ତୱାଙ୍ଗ୍ରେ ପହଞ୍ଚି ହେବ।
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର: ଗାଡ଼ିରେ ଯିବା ବାଟରେ ହିଁ ଅନୁଭବ କରିବେ ସତେ ଯେମିତି ପ୍ରକୃତି ତା’ର ସବୁତକ ସୌନ୍ଦର୍ଯ୍ୟ ତୱାଙ୍ଗ୍ରେ ଅଜାଡ଼ି ଦେଇଛି। ନଈ-ନାଳ-ହ୍ରଦ-ଝରଣା ଭରା ସବୁଜ ଉପତ୍ୟକା ମଝିରେ ତୁଷାର ଆବୃତ ପର୍ବତ ଶିଖରବେଷ୍ଟିତ ତୱାଙ୍ଗ୍। ପର୍ବତ ଚାରିପଟେ ଗୁଡ଼େଇ ହୋଇ ଉପରକୁ ଉଠିଥିବା ରାସ୍ତାରେ ଗାଡ଼ି ଚଳାଇ ଯିବାବେଳେ ପ୍ରତି ମୋଡ଼ରେ ଦେଖିବେ ଏକକୁ ଆରେକ ବଳି ମନୋରମ ଦୃଶ୍ୟ। ସେଲା ଘାଟି ଚଢ଼ିବା ଓ ଓହ୍ଲାଇବା ବେଳର ପ୍ରାକୃତିକ ଦୃଶ୍ୟରାଜିର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ତୱାଙ୍ଗ୍ର ମଧ୍ୟସ୍ଥଳ ହିଁ ତା’ର ବାସ୍ତବ ସାଂସ୍କୃତିକ ଐତିହ୍ୟ। ଅନେକ ପ୍ରାଚୀନ ବୌଦ୍ଧ ବିହାର ଥିବା ତୱାଙ୍ଗ୍ରେ ଅରୁଣାଚଳ ବାସିନ୍ଦାଙ୍କ ପାରମ୍ପରିକ ପର୍ବପର୍ବାଣି ଆଉ ଉତ୍ସବରେ ସାମିଲ ହୋଇ ତାଙ୍କ ସଂସ୍କୃତିର ମାଧୁର୍ଯ୍ୟ ପରଖି ପାରିବେ। ସ୍ଥାନୀୟ ବାସିନ୍ଦା ପାଳନ କରୁଥିବା ତୱାଙ୍ଗ୍ ତୋର୍ଗିୟା ଓ ଲୋସାର ପର୍ବର ବର୍ଣ୍ଣାଢ଼୍ୟ କର୍ମକର୍ମାଣି ଓ ମୁଖାବୃତ ନୃତ୍ୟ ବେଶ୍ ଚିତ୍ତାକର୍ଷକ। ‘ଜାନ୍’ କୁହାଯାଉଥିବା ମିଲେଟ୍ ଜାଉ, ମୋମୋ ଓ ନୁଡୁଲ୍ ଝୋଳ ‘ଥୁକୁପା’ ଏଠାକାର ସୁସ୍ବାଦୁ ଆଞ୍ଚଳିକ ବ୍ୟଞ୍ଜନ।
ରହିବେ କେଉଁଠି
ରହିବା ଲାଗି ବିଭିନ୍ନ ବର୍ଗର ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ରହିଛି ହୋମ୍ଷ୍ଟେ, ସ୍ବଳ୍ପ-ମୂଲ୍ୟର ହୋଟେଲ୍ଠାରୁ ଆରମ୍ଭକରି ମଧ୍ୟମ-ମୂଲ୍ୟର ଅତିଥିଶାଳା ଓ ବିଳାସମୟ ରିସର୍ଟ।
ପ୍ରାଚୀନ ବୌଦ୍ଧ ବିହାର: ତୱାଙ୍ଗ୍ରେ ରହିଛି ବିଶ୍ବର ବୃହତ୍ତମ ବୌଦ୍ଧ ବିହାର। ଏଠାରେ ସଂଗୃହୀତ ହୋଇଛି ଶହ ଶହ ବର୍ଷ ତଳର ପ୍ରାଚୀର ଚିତ୍ର, ପ୍ରାଚୀନ ଧର୍ମଗ୍ରନ୍ଥ ଓ ହସ୍ତକଳା ସାମଗ୍ରୀ। ସପ୍ତଦଶ ଶତାବ୍ଦୀରେ ସଂସ୍ଥାପିତ ଏହି ବୌଦ୍ଧ ବିହାରରେ ଏବେ ବି ୪୫୦ରୁ ଅଧିକ ସନ୍ନ୍ୟାସୀ ଅବସ୍ଥାନ କରୁଛନ୍ତି। ଧ୍ୟାନ ଓ ଯୋଗ ନିମନ୍ତେ ତୱାଙ୍ଗ୍ ଏକ ଆଧ୍ୟାତ୍ମିକ ତପୋବନ ସଦୃଶ। ଶାନ୍ତ ପରିବେଶରେ ବୌଦ୍ଧ ସନ୍ନ୍ୟାସୀମାନଙ୍କ ଛନ୍ଦୋବଦ୍ଧ ମନ୍ତ୍ରୋଚ୍ଚାରଣ ଆପଣଙ୍କୁ ଭିନ୍ନ ଏକ ଦୁନିଆକୁ ନେଇଯିବ। ଯଦି ଆପଣ ଆଧ୍ୟାତ୍ମମନସ୍କ, ତେବେ ଏଠାରେ କିଛି ସମୟ ବିତାଇବା ପରେ ଅବଶ୍ୟ ଆତ୍ମିକ ଶାନ୍ତି ପ୍ରାପ୍ତ ହେବେ।
ମାଧୁରୀ ହ୍ରଦ: ତୱାଙ୍ଗ୍ର ଅନ୍ୟତମ ଲୋକପ୍ରିୟ ଦର୍ଶନୀୟ ସ୍ଥାନ ହେଉଛି ମାଧୁରୀ ହ୍ରଦ। ଏଠାକାର ସଙ୍ଗେସ୍ତର ହ୍ରଦ ଏବେ ଲୋକମୁଖରେ ମାଧୁରୀ ହ୍ରଦ ଭାବେ ପରିଚିତ। ଏହି ହ୍ରଦରେ ଥରେ କୌଣସି ହିନ୍ଦୀ ଚଳଚ୍ଚିତ୍ର ସୁଟିଙ୍ଗ୍ କରିବାକୁ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଆସିଥିଲେ, ସେବେଠାରୁ ଏହି ଶୋଭାମୟ ହ୍ରଦର ପୁନଃ ନାମକରଣ କରାଯାଇଛି।
ତୱାଙ୍ଗ୍ ଯୁଦ୍ଧ ସ୍ମାରକୀ: ୧୯୬୨ ଭାରତ-ଚୀନ୍ ଯୁଦ୍ଧରେ ସହିଦ ହୋଇଥିବା ସୈନିକମାନଙ୍କ ସମ୍ମାନାର୍ଥେ ଏଠାରେ ରହିଛି ୪୦ ଫୁଟ୍ ଉଚ୍ଚ ସ୍ମାରକୀ। ଭାରତ ଇତିହାସ ପ୍ରତି ଆଗ୍ରହୀ ବ୍ୟକ୍ତିମାନେ ଏଠାରେ ଥିବା ସଂଗ୍ରହାଳୟରେ ଯୁଦ୍ଧକାଳୀନ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଦଲିଲ ଆଦି ଦେଖିପାରିବେ।
ବୁମ୍ଲା ଘାଟି: ଭାରତ-ଚୀନ୍ ସୀମାନ୍ତରେ ୪,୬୩୩ ମିଟର୍ ଉଚ୍ଚରେ ଥିବା ଐତିହାସିକ ତାତ୍ପର୍ଯ୍ୟ ବହନକାରୀ ବୁମ୍ଲା ଘାଟିରେ ଉଭୟ ଦେଶ ସେନାର ସୀମାନ୍ତ ବଳଙ୍କ ବୈଠକ ବସେ। ଦୁଃସାହସିକ କ୍ରୀଡ଼ାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଅବଶ୍ୟ ଦେଖିବା ଭଳି ସ୍ଥାନଟିଏ।