ନୂଆଦିଲ୍ଲୀ: ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ପ୍ରତ୍ୟେକ ଦିନ ନିଜ କର୍ମସ୍ଥଳୀରେ ପହଞ୍ଚିବା ପାଇଁ ବା ଅନ୍ୟ କୌଣସି କାମ ପାଇଁ ଟ୍ରେନରେ ଯିବା ଆସିବା କରିଥାନ୍ତି । ଟ୍ରେନରେ ଯାତ୍ରା କରିବାକୁ ହେଲେ ଆମେ ଟିକେଟ କାଟିଥାଉ ଯାହା ଦେୟଯୁକ୍ତ ଅଟେ । ଭାରତୀୟ ରେଳ ବିଭାଗ ଆମଠାରୁ ଟିକେଟ ବାବଦକୁ ରାସ୍ତାର ଦୂରତାକୁ ଦେଖି ପୂର୍ବ ନିର୍ଦ୍ଧାରିତ ଟଙ୍କା ନେଇଥାଏ । ହେଲେ ଆଜି ଆପଣମାନଙ୍କୁ ଆମେ ଏମିତି ଏକ ଟ୍ରେନ ବିଷୟରେ କହିବାକୁ ଯାଉଛୁ, ଯେଉଁ ଟ୍ରେନରେ ଯାତ୍ରୀମାନେ ମାଗଣାରେ ଯାତ୍ରା କରିଥାନ୍ତି । ତେବେ ଏହି ସ୍ବତନ୍ତ୍ର ଟ୍ରେନଟି ହିମାଞ୍ଚଳ ପ୍ରଦେଶ ଓ ପଞ୍ଜାବ ସୀମାରେ ଚାଲୁଛି । ଯଦି ଆପଣ ଭକରା ଡ୍ୟାମ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆପଣ ମଧ୍ୟ ଏହି ଟ୍ରେନରେ ମାଗଣାରେ ଯାତ୍ରା କରିପାରିବେ ।

Advertisment

ଦେଖିବାକୁ ଗଲେ ଟ୍ରେନଟି ନାଗଲରୁ ଭକରା ଡ୍ୟାମ ମଧ୍ୟରେ ଚାଲେ । ୨୫ରୁ ଉର୍ଦ୍ଧ୍ବ ଗ୍ରାମର ଲୋକମାନେ ୭୩ ବର୍ଷହେବ ଏହି ଟ୍ରେନରେ ମାଗଣାରେ ଯାତ୍ରା କରୁଛନ୍ତି । ତେବେ ରେଳ ବିଭାଗ ଏହି କାମ ପାଇଁ କିପରି ଅନୁମତି ଦେଉଛି ଆପଣ ଏହା ଭାବୁଥିବେ ନିଶ୍ଚୟ । ତେବେ ଏହା ପଛରେ ଏକ ବଡ଼ କାରଣ ରହିଛି। ପ୍ରକୃତ କଥା ହେଉଛି ଭକରା ଡ୍ୟାମ ବିଷୟରେ ଲୋକଙ୍କୁ ଜଣାଇବାକୁ ଏଭଳି କରାଯାଉଛି । ଏହି ଡ୍ୟାମକୁ ତିଆରି କରିବାକୁ କେତେ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଛି ଓ କିଭଳି ପାହାଡ଼କୁ କାଟି ଟ୍ରେନ ପାଇଁ ବ୍ରିଜ ତିଆରି କରାଯାଇଛି, ତାହା ଜଣାଇବା ପାଇଁ ଏଭଳି କରାଯାଉଛି ।

publive-image

ଏହି ଟ୍ରେନଟି ୧୯୪୯ ମସିହାରେ ଚଳାଚଳ ଆରମ୍ଭ କରିଥିଲା। ସେବେଠାରୁ ଆଜକୁ ୭୩ବର୍ଷ ହେବ ଏଥିରେ ଲୋକମାନେ ମାଗଣାରେ ଯାତ୍ରା କରୁଛନ୍ତି । ପ୍ରତିଦିନ ଏହି ଟ୍ରେନରେ ପ୍ରାୟ ୨୫ଗାଁର ୩୦୦ ଲୋକ ଯିବା ଆସିବା କରିଥାନ୍ତି । ଦେଖିବାକୁ ଗଲେ ଏହି ଟ୍ରେନର ଅଧିକ ଲାଭ ଉଠାଉଛନ୍ତି ସେଠାକାର ଛାତ୍ରଛାତ୍ରୀମାନେ। ଡିଜେଲ ଇଞ୍ଜିନ ଦ୍ବାରା ଚାଲୁଥିବା ଟ୍ରେନଟି ନାଗଲରୁ ଡ୍ୟାମ ପର୍ଯ୍ୟନ୍ତ ଦିନକୁ ଦୁଇଥର ଚାଲେ । ଏହା ସକାଳ ୭:୦୫ରେ ନାଗଲରୁ ଭକରା ଯାଉଥିବା ସହ ସକାଳ ୮:୨୦ରେ ଭକରା ଡ୍ୟାମରୁ ଆସି ନାଗଲରେ ପହଞ୍ଚିଥାଏ । ସେହିପରି ଆଉଥରେ ଟ୍ରେନଟି ଅପରାହ୍ନ ୩:୦୫ରେ ନାଗଲରୁ ବାହାରି ୪:୨୦ରେ ଭକରା ଡ୍ୟାମରୁ ଆସି ନାଗଲରେ ପହଞ୍ଚିଥାଏ ।