୨୦୧୯ରୁ ୨୦୨୪- ଏହି ଛଅ ବର୍ଷ ମଧ୍ୟରେ ଭାରତରେ ଟ୍ରେନ୍ ଧକ୍କାରେ ୮୧ଟି ହାତୀଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ସୂଚନା ଦିଆଯାଇଛି। ଲୋକସଭାରେ ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନଙ୍କ ପ୍ରଶ୍ନର ଉତ୍ତର ଦେଇ ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୨୧-୨୨ରେ ଟ୍ରେନ୍ ଧକ୍କାରେ ୧୫ଟି ହାତୀ, ୨୦୨୨-୨୩ରେ ୧୫ଟି ଏବଂ ୨୦୨୩-୨୪ରେ ୧୭ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ତଥ୍ୟ ଦର୍ଶାଉଛି ଯେ ଟ୍ରେନ ଧକ୍କା ଏକ ଚିନ୍ତାର ବିଷୟ ହୋଇ ରହିଥିଲେ ମଧ୍ୟ ଭାରତରେ ହାତୀ ମୃତ୍ୟୁ ପଛରେ ବିଦ୍ୟୁତ୍ ଆଘାତ ହେଉଛି ମୁଖ୍ୟ କାରଣ, ଏହା ପଛକୁ ଟ୍ରେନ ଧକ୍କା, ଶିକାର ଓ ବିଷ ପ୍ରୟୋଗ।
ହାତୀ ମୃତ୍ୟୁ ରୋକିବା ପାଇଁ ସରକାର ହାତୀ ବାସସ୍ଥାନରେ ଚଳାଚଳ କରୁଥିବା ଟ୍ରେନଗୁଡିକ ପାଇଁ ଗତି ପ୍ରତିରୋଧକ, ଭୂକମ୍ପ ସେନ୍ସର-ଆଧାରିତ ହାତୀ ଚିହ୍ନଟ ଭଳି ପାଇଲଟ୍ ପ୍ରକଳ୍ପ, ବିଭିନ୍ନ ସ୍ଥାନରେ ଅଣ୍ଡରପାସ୍, ରାମ୍ପ ଓ ବାଡ଼ ନିର୍ମାଣ ଭଳି ପଦକ୍ଷେପ ଆରମ୍ଭ କରିଛନ୍ତି ବୋଲି କୁହାଯାଇଛି। ଡେରାଡୁନ୍ର ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ମିଳିତ ପ୍ରୟାସରେ ଏକ ଡକ୍ୟୁମେଣ୍ଟ ପ୍ରକାଶ କରାଯାଇଛି, ଯାହା ପ୍ରକଳ୍ପ ଏଜେନ୍ସିଗୁଡ଼ିକୁ ମାନବ-ପଶୁ ସଂଘର୍ଷକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରେଳମାର୍ଗ ସମେତ ଟ୍ରେନ୍ ଭିତ୍ତିଭୂମି ଡିଜାଇନ୍ କରିବା ପାଇଁ ସାହାଯ୍ୟ କରିବ। ବିଶେଷ କରି ରାମ୍ପ, ଅଣ୍ଡରପାସ୍ ଓ ବାଡ଼ ନିର୍ମାଣ ଦ୍ବାରା ବିଭିନ୍ନ ସ୍ଥାନରେ ହାତୀମାନଙ୍କ ପାଇଁ ବିକଳ୍ପ ରାସ୍ତା ମିଳିବା ସହ ଟ୍ରେନ୍ ଧକ୍କାର ଶିକାର ହେବାର ସଂଖ୍ୟା ହ୍ରାସ କରିବ। ଦେଶର ମୋଟ ୩,୪୫୨.୪ କିଲୋମିଟର ବ୍ୟାପୀ ୧୨୭ଟି ଚିହ୍ନିତ ରେଳମାର୍ଗର କ୍ଷେତ୍ର ସର୍ବେକ୍ଷଣ ପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବନ୍ୟପ୍ରାଣୀଙ୍କ ଗତିବିଧିର ତୀବ୍ରତାକୁ ଆଧାର କରି ୧୪ଟି ରାଜ୍ୟର ୧,୯୬୫.୨ କିଲୋମିଟର ବ୍ୟାପୀ ୭୭ଟି ରେଳମାର୍ଗକୁ ପ୍ରାଥମିକତା ଦିଆଯାଇଛି ବୋଲି ପ୍ରତିକ୍ରିୟାରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/05/new-e10-2025-08-05-14-43-39.jpg)