କାର୍ତ୍ତିକସ୍ୟାସିତେପକ୍ଷେ ତ୍ରୟୋଦଶ୍ୟାଂ ତୁ ପାବକେ।
ଯମଦୀପଂ ବହିର୍ଦଦ୍ୟାତ୍‌ ଅପମୃତ୍ୟୁର୍ବିନଶ୍ୟତି ାା
ପଦ୍ମପୁରାଣ, ୧୨୨/୪

Advertisment

କାର୍ତ୍ତିକମାସରେ ଦୀପଦାନ ପରମପୁଣ୍ୟପ୍ରଦ। ଏହା ବିଭିନ୍ନ ଶାସ୍ତ୍ର, ପୁରାଣରେ ବର୍ଣ୍ଣିତ ହୋଇଛି। ବିଶେଷ କରି ‘ପଦ୍ମପୁରାଣ’ରେ ଏ ସଂପର୍କରେ ସବିଶେଷ ବର୍ଣ୍ଣନା ଅଛି। ଏହି ପୁରାଣର ୧୨୧ ଅଧ୍ୟାୟରେ, ଗନ୍ଧ (ଚନ୍ଦନ), ଅଁଳା ଓ ତୁଳସୀ ଆଦି ଦାନ ସହିତ ଦୀପଦାନର ମାହାତ୍ମ୍ୟ ମଧ୍ୟ ବର୍ଣ୍ଣିତ ହୋଇଛି। କାର୍ତ୍ତିକ ମାସରେ ସାରା ମାସ ଦୀପଦାନ ଶତ ପିଢ଼ିକୁ ଉଦ୍ଧାର କରେ ବୋଲି କୁହାଯାଇଛି। ସ୍ବୟଂ ଶିବ ଏ ସଂପର୍କରେ କାର୍ତ୍ତିକେୟଙ୍କୁ ଦୀପଦାନର ମାହାତ୍ମ୍ୟ କହିଛନ୍ତି। ତାହା ଅନୁସାରେ- ପିତୃପୁରୁଷ ଓ ପିତାମାତା ଚାହାନ୍ତି, ତାଙ୍କର ବଂଶରେ ଏପରି ସୁପୁତ୍ର ଜାତ ହୁଅନ୍ତୁ, ଯେ କି କାର୍ତ୍ତିକ ମାସରେ ଦୀପଦାନ କରି କେଶବଙ୍କୁ ପ୍ରସନ୍ନ କରିବେ। ସେ କହିଛନ୍ତି–ଯେଉଁ ବ୍ୟକ୍ତି ଗୁଆଘିଅ ବା ରାଶିତେଲରେ ଦେବମନ୍ଦିରରେ ଦୀପ ଦିଅନ୍ତି, ସେ ଅଶ୍ବମେଧଯଜ୍ଞର ଫଳ ପାଆନ୍ତି। ଭଗବାନ ବିଷ୍ଣୁଙ୍କ ସମ୍ମୁଖରେ ଯେ ଦୀପଦାନ କରନ୍ତି, ସେ ସମସ୍ତ ଯଜ୍ଞ ଓ ସମସ୍ତ ତୀର୍ଥର ଫଳ ପାଆନ୍ତି। କାର୍ତ୍ତିକ କୃଷ୍ଣପକ୍ଷର ଶେଷ ପାଞ୍ଚଦିନ ଅତ୍ୟନ୍ତ ପବିତ୍ର। ସେହିଦିନଗୁଡ଼ିକରେ ଦୀପଦାନ ଅକ୍ଷୟ ଫଳ ପ୍ରଦାନ କରେ।

ଏହି ପ୍ରସଙ୍ଗରେ ୧୨୨ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ଦୀପାବଳୀର ମାହାତ୍ମ୍ୟ। କାର୍ତ୍ତିକେୟଙ୍କ ପ୍ରଶ୍ନରେ ଶିବ କହିଛନ୍ତି ‘ଯମଦୀପ’ର କଥା। ସେହି ଅଧ୍ୟାୟର ଉପରୋକ୍ତ ଚତୁର୍ଥ ଶ୍ଳୋକରେ ଶିବ କହିଛନ୍ତି- ‌େ‌ହ କାର୍ତ୍ତିକେୟ! କାର୍ତ୍ତିକ କୃଷ୍ଣପକ୍ଷରେ ଘରର ବାହାରେ ‘ଯମଦୀପ’ ଦେବା ଉଚିତ। ଏହି ଦୀପ ଦେଲେ–ଆଉ ଅପମୃତ୍ୟୁର ଭୟ ରହେ ନାହିଁ। ଏ ସଂପର୍କରେ ପରବର୍ତ୍ତୀ ଶ୍ଳୋକରେ କୁହାଯାଇଛି–କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପତ୍ନୀଙ୍କ ସହିତ  ମିଶି‌ ଯେ ଘର ବାହାରେ ଦୀପଦାନ କରନ୍ତି, ପାଶହସ୍ତରେ ଆସୁଥିବା କାଳ ବା ମୃତ୍ୟୁଦେବତା ଯମ ତାଙ୍କ ଉପରେ ପ୍ରସନ୍ନ ହୁଅନ୍ତି। ତାଙ୍କର ଆଉ ଅପମୃତ୍ୟୁର ଭୟ ରହେ ନାହିଁ। ଏହି କାରଣରୁ ଏହି ତିଥିର ଦୀପକୁ ‘ଯମଦୀପ’ କୁହାଯାଏ।