ଭ୍ରମଣ ଉଦ୍ଦେଶ୍ୟରେ ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇ ଯାଉଥିବା ‌ଲୋକେ ଲୋନାୱଲା ଯିବାକୁ ଭୁଲନ୍ତି ନାହିଁ। କେବଳ ଶୀତ ନୁହେଁ, ବର୍ଷାଦିନରେ ବି ଲୋନାୱଲା ବୁଲିବା ବେଶ୍ ଉପଭୋଗ୍ୟ।
ବର୍ଷାକାଳ ଶୈଳନିବାସରେ ନବପ୍ରାଣ ସଂଚାରକରେ। ବର୍ଷା ଓ ଝରିପଡୁଥିବା ଜଳ ଏକତ୍ର ଅସରନ୍ତି ସ୍ରୋତ ହୋଇ ବହିଯାଆନ୍ତି। ଗ୍ରୀଷ୍ମକାଳରେ କ୍ଷୀଣକାୟ ଦିଶୁଥିବା ମହାରାଷ୍ଟ୍ରର ଲୋନାୱଲା ଜଳପ୍ରପାତ ଭୀମକାନ୍ତ ହୋଇ ଗର୍ଜନ ଛାଡ଼େ। ତେଣୁ ଲୋନାୱଲା ବୁଲିଯିବା ପାଇଁ ଉପଯୁକ୍ତ ସମୟ ହେଉଛି ଜୁନ୍‌ରୁ ସେପ୍ଟେମ୍ବର ମାସ। ବୁଲି ଦେଖିବା ଲାଗି ଲୋନାୱଲାରେ ଭୁଶୀ ଜଳଭଣ୍ଡାର, ତୁଙ୍ଗରଲୀ ହ୍ରଦ, ବ୍ୟାଘ୍ରଲମ୍ଫ ଆଦି ଅନେକ ସ୍ଥାନ ରହିଛି।

Advertisment

ଭୁଶୀ ଜଳଭଣ୍ଡାର
ଲୋନାୱଲାରେ ବୁଲିଦେଖିବା ଲାଗି ସର୍ବୋତ୍ତମ ସ୍ଥାନ ହେଉଛି ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ଭୁଶୀ ଜଳଭଣ୍ଡାର ବନ୍ଧ। କୁଳୁକୁଳୁ ହୋଇ ନଦୀବନ୍ଧ ତଳକୁ ବହିଯାଉଥିବା ପ୍ରାଣବନ୍ତ ଜଳସ୍ରୋତ ବର୍ଷାଦିନେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିପକାଏ। ବର୍ଷା ଗାଳୁଥିବା ବେଳେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ ବାରଣ କରାଯାଇଥିଲେ ବି ‌ଏଠାକାର ସବୁଜ ଘାସଗାଲିଚା, ଶିଳାବନ୍ଧୁର ଭୂମି, ସୁଶୀତଳ ପବନ ସମସ୍ତଙ୍କୁ ଭଲଲାଗେ।

ପବନ ଜଳଭଣ୍ଡାର
ବର୍ଷାସିକ୍ତ ପାଗରେ ଲୋହଗଡ଼, ବିସାପୁର ଓ ତିକୋନା ଅରଣ୍ୟ ପରିବେଷ୍ଟନୀ ମଧ୍ୟରେ ଥିବା ସୁଦୃଶ ପବନ ଜଳଭଣ୍ଡାର ଓ ହ୍ରଦର ଦୃଶ୍ୟ ଖୁବ୍‌ ଲୋଭନୀୟ। ବର୍ଷାବେଳେ ସାଥୀହୋଇ ହ୍ରଦ ଚତୁଃପାର୍ଶ୍ବରେ ଭ୍ରମଣ କରିବା, ପଥୁରିଆ ରାସ୍ତାରେ ଚାଲିବା ଓ ନୌକାବିହାର କରିବା ଅତ୍ୟନ୍ତ ଉପଭୋଗ୍ୟ।

ତୁଙ୍ଗରଲୀ ହ୍ରଦ
ଲୋନାୱଲା ମଧ୍ୟସ୍ଥଳରେ ଥିବା ତୁଙ୍ଗରୀଲ ହ୍ରଦ ବାସ୍ତବରେ ପରିଦର୍ଶନ କରିବା ଭଳି ସ୍ଥାନଟିଏ। ବର୍ଷାବେଳେ ଛତାଧରି ଏ ହ୍ରଦ ଉପରେ ଥିବା ସେତୁ ଉପରେ ବସି ଗୋଡ଼ ହଲାଇ ଝଲମଲ ଜଳରାଶି ଓ ଶୀତଳ ବର୍ଷାଟୋପା ଦେଖିବା ଅତୀବ ମନୋମୁଗ୍ଧକର। ବର୍ଷାଜଳରେ ପୂରି ଉଠୁଥିବା ଏ ହ୍ରଦ ଫଟୋଗ୍ରାଫର୍‌ମାନଙ୍କୁ ଖୁବ୍‌ ଆକର୍ଷିତ କରେ।

ବ୍ୟାଘ୍ରଲମ୍ଫ
ବ୍ୟାଘ୍ରଲମ୍ଫ ବା ‘ଟାଇଗର୍ସ ଲିପ୍‌’ ହେଉଛି ଲୋନାୱଲାର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ। ପର୍ବତ ଶିଖରରୁ ଉପତ୍ୟକା ଆଡ଼କୁ ବ୍ୟାଘ୍ରଟିଏ ଲମ୍ଫମାରୁଥିବା ପରି ଦିଶୁଥିବାରୁ ଏହାର ଏଭଳି ନାମକରଣ କରାଯାଇଛି। ବହଳ ସବୁଜିମା ଭରା ଉପତ୍ୟକାଗୁଡ଼ିକର ମନୋମୟ ଦୃଶ୍ୟ, କୁଜ୍ଝଟିକାମୟ ସକାଳ ଓ ଆର୍ଦ୍ର ପବନ ଯୋଗୁଁ ହିଁ ବର୍ଷାଦିନେ ବ୍ୟାଘ୍ରଲମ୍ଫ ବେଶ୍‌ ରମଣୀୟ ଦିଶେ। ପର୍ଯ୍ୟଟକମାନେ ଏହି ପର୍ବତ ଶିଖରକୁ ଉଠି ପ୍ରାକୃତିକ ଦୃଶ୍ୟରାଜି ଦେଖିବାକୁ ସୁଖପାଆନ୍ତି।

ରାଜମାଚୀ ଦୁର୍ଗ
ଲୋନାୱଲାର ଅନ୍ୟତମ ବର୍ଷାକାଳୀନ ଲୋକପ୍ରିୟ ଭ୍ରମଣସ୍ଥଳୀ ହେଉଛି ରାଜମାଚୀ ଦୁର୍ଗ। ଏହି ପ୍ରାଚୀନ ଦୁର୍ଗର ଚାରିଆଡ଼ ଘନ ଶ୍ୟାମଳ ଦିଶେ। ତା’ଉପରୁ ଦିଶେ ତୃଣାବୃତ ପଶ୍ଚିମଘାଟ ପର୍ବତମାଳା ଓ ଶିରୋଟା ଜଳଭଣ୍ଡାରର ଚମତ୍କାର ଦୃଶ୍ୟରାଜି। କେତେକ ଦୁଃସାହସିକ ଅଭିଯାତ୍ରୀ ରୋମାଞ୍ଚ ପାଇଁ ବର୍ଷା ହେଉଥିବା ବେ‌େଳ ବି ବାଇକ୍‌ ଚଢ଼ି ଦୁର୍ଗ ପର୍ଯ୍ୟନ୍ତ ଉଠିଯାଆନ୍ତି।

ତିକୋନା ଦୁର୍ଗ
ପର୍ଯ୍ୟଟକଙ୍କ ପାଇଁ ଏ ପ୍ରାଚୀନ ଦୁର୍ଗ ବି ଗୋଟାଏ ଅନନ୍ୟ ଦର୍ଶନୀୟ ସ୍ଥାନ। ଏହାର ବିଶାଳ ପ୍ରବେଶ ଦ୍ବାର, ସୁଉଚ୍ଚ ପ୍ରାଚୀର, ଜଳଭରା ପୁଷ୍କରିଣୀ ଓ ଚତୁଃପାର୍ଶ୍ବସ୍ଥ ଅପୂର୍ବ ଦୃଶ୍ୟରାଜି ବର୍ଷାଋତୁରେ ଆହୁରି ରମଣୀୟ ଦିଶେ। ଏଠାରୁ ପବନ ହ୍ରଦ ଓ ଅନେକ ପୁରୁଣା ମନ୍ଦିର ଦୃଶ୍ୟମାନ ହୁଏ। ଦୁର୍ଗର ସବା ଉପରେ ଥିବା ପ୍ରସ୍ତର ଚକ୍ର ବି ଦେଖିବା ପରି ଭାସ୍କର୍ଯ୍ୟ।

ଲୋହଗଡ଼ ଦୁର୍ଗ
ସୁଦୃଢ଼ ନିର୍ମାଣ ଲାଗି ଲୋହଗଡ଼ ବା ଲୌହଦୁର୍ଗ ଆଖ୍ୟା ପାଇଥିବା ଏ ଐତିହାସିକ ଦୁର୍ଗ ବି ବର୍ଷାକାଳୀନ ପର୍ଯ୍ୟଟକଙ୍କ ଲାଗି ଅନ୍ୟତମ ଟ୍ରେକିଙ୍ଗ୍‌ ସ୍ଥାନ। ବର୍ଷାବିଧୌତ ଏ ଦୁର୍ଗର ଅବତରଣିକା ବା ପାବଚ୍ଛଶ୍ରେଣୀ ଶିଉଳି ଆବୃତ ହୋଇଯାଏ। ଏଥିରେ ଥିବା ରହସ୍ୟମୟ ଅଙ୍କାବଙ୍କା ପାଦଚଲା ରାସ୍ତା ଦେଇ ଗଲେ ଅନେକ ଜଳପ୍ରପାତ ଦୃଶ୍ୟମାନ ହୁଏ। ଏଠାରୁ ପଶ୍ଚିମଘାଟ ପର୍ବତମାଳାର ପ୍ରାକୃତିକ ଦୃଶ୍ୟ ଅତି ଚମତ୍କାର ଦିଶେ।

ନାରାୟଣୀ ଧାମ ମନ୍ଦିର
ଧଳା ଶଙ୍ଖମର୍ମର ପ୍ରସ୍ତରରେ ନିର୍ମିତ ନାରାୟଣୀ ଧାମ ମନ୍ଦିର ବି ଲୋନାୱଲାର ଅନ୍ୟତମ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ। ଦେବୀ ନାରାୟଣୀଙ୍କୁ ସମର୍ପିତ ଏ ମନ୍ଦିର ସ୍ଥାନୀୟ ବାସିନ୍ଦାଙ୍କ ପ୍ରିୟ ଆରାଧନାସ୍ଥଳ। ଏହାଛଡ଼ା ସେଠାରେ ପ୍ରଭୁ ଗଣପତି ଓ ପ୍ରଭୁ ହନୁମାନଙ୍କ ପୀଠ ବି ରହିଛି। ସେଠାରେ ଥିବା ଅନେକ ଝରଣା ମଧ୍ୟ ନାରାୟଣୀ ମନ୍ଦିରର ଶୋଭାବର୍ଦ୍ଧନ କରୁଛି। ଏହା ବ୍ୟତିରେକେ, ଲୋନାୱାଲାରେ ରାଇଉଡ୍‌ ପାର୍କ, ଲାଇଅନ୍‌ସ୍‌ ପଏଣ୍ଟ୍‌, ଡ୍ୟୁକ୍‌ସ୍‌ ନୋଜ୍‌, ଭଜା ଗୁହାମାଲା, ବିସାପୁର ଦୁର୍ଗ, କୁନେ ଜଳପ୍ରପାତ, କାର୍ଲା ଗୁମ୍ଫା, ଡାଇନୋସର୍‌ ପାର୍କ, ସୁନୀଲ୍‌ସ୍‌ ସେଲିବ୍ରିଟି ୱାକ୍ସ୍‌ ମ୍ୟୁଜିୟମ୍‌ ଆଦି ଅନେକ ଦର୍ଶନୀୟ ସ୍ଥାନ ବି ଅଛି।

ରହଣି ଓ ପରିବହନ
ଲୋନାୱଲାରେ ରହିବା ପାଇଁ ବିଭିନ୍ନ ବଜେଟ୍‌ର ହୋଟେଲ୍‌ ଓ ରିସର୍ଟ ରହିଛି। ଏହାଛଡ଼ା, ଭୋଜନ ନିମନ୍ତେ ଏଠାରେ ଅନେକ ଢାବା ଓ ରେସ୍ତୋରାଁ ବି ଅଛି। ଏଠାକାର ପ୍ରସିଦ୍ଧ ଷ୍ଟ୍ରିଟ୍‌ଫୁଡ୍‌ ହେଉଛି ଗୋଲ୍‌ଡେନ୍‌ ବଡ଼ାପାଓ। ପର୍ଯ୍ୟଟକ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ଦେଶର ସବୁ ପ୍ରାନ୍ତରୁ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ ଭଳି ସହରର ଯୋଗାଯୋଗ କରିଛି। ମୁମ୍ବାଇ ଓ ପୁଣେରୁ ଏହାର ଦୂରତା ଯଥାକ୍ରମେ ୮୯.୬  ଓ ୬୯ କିଲୋମିଟର। ରେଳ, ବସ୍‌, ଟ୍ୟାକ୍ସି ଯୋଗେ ଲୋନାୱଲା ଯାଇହେବ। ବିମାନରେ ଏଇ ଦୁଇ ନଗରୀରେ ଅବତରଣ କରି ସୁବିଧା ଅନୁସାରେ ସଡ଼କ ଅଥବା ରେଳପଥରେ ଲୋନାୱଲା ଯାଇହେବ।