ପର୍ଯ୍ୟଟକମାନଙ୍କ ପାଇଁ ମାଜୁଲୀ ଭଳି ସୁନ୍ଦର ତଥା ସମ୍ମୋହନ କଲାଭଳି ସ୍ଥାନ ଦେଶରେ କ୍ବଚିତ୍ ଅଛି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଶାନ୍ତ ଗ୍ରାମୀଣ ଜୀବନ ଏବଂ ନାନାଜାତି ଉଦ୍ଭିଦ ଓ ପକ୍ଷୀଙ୍କ ଉପସ୍ଥିତି ପର୍ଯ୍ୟଟକମାନଙ୍କୁ ଖୁବ୍ ଆକୃଷ୍ଟ କରେ। ଆସାମର ଆତ୍ମା ରୂପେ ବିଦିତ ବିଶ୍ବର ବୃହତ୍ତମ ନଦୀଦ୍ବୀପ ମାଜୁଲୀ। ୪୨୧ ବର୍ଗ କିଲୋମିଟର୍ ପରିବ୍ୟାପ୍ତ ଏହି ଦ୍ବୀପାଞ୍ଚଳର ଦକ୍ଷିଣ ଓ ପୂର୍ବ ପ୍ରାନ୍ତରେ ବ୍ରହ୍ମପୁତ୍ର ନଦୀ, ପଶ୍ଚିମ ପ୍ରାନ୍ତରେ ସୁବନଶିରୀ ନଦୀ ପ୍ରବାହିତ ଏବଂ ଉତ୍ତର ପ୍ରାନ୍ତରେ ବ୍ରହ୍ମପୁତ୍ର ନଦୀରୁ ଶାଖା ସ୍ରୋତଟିଏ ବାହାରି କିଛିବାଟ ଯାଇ ପୁନଶ୍ଚ ବ୍ରହ୍ମପୁତ୍ର ସହିତ ମିଳିତ ହେଉଛି। ମାଜୁଲୀ ନ ଗଲେ ଆସାମ ଭ୍ରମଣ ଅପୂର୍ଣ୍ଣ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ମଧ୍ୟ-ନଭେମ୍ବର ସର୍ବୋତ୍ତମ
ବର୍ଷକ ବାରମାସ ଏ ଦ୍ବୀପ ପର୍ଯ୍ୟଟନ କରିହେଉଥିଲେ ବି ସର୍ବୋତ୍ତମ ପରିଭ୍ରମଣ ସମୟ ହେଉଛି ନଭେମ୍ବର ମଧ୍ୟଭାଗ। ସେତେବେଳେ ଏଠାକାର ମୁଖ୍ୟ ପର୍ବ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ଆଧାରିତ ରାସ ଉତ୍ସବ ଚାଲିଥାଏ। ମାଜୁଲୀର ପ୍ରାକୃତିକ ବିସ୍ମୟ ଅନ୍ବେଷଣ କରିବା ଏବଂ ପ୍ରମୁଖ ଦର୍ଶନୀୟ ସ୍ଥାନ ସବୁ ବୁଲି ଦେଖିବାକୁ ଦୁଇରୁ ତିନିଦିନ ଆବଶ୍ୟକ। ଏଠାରେ ଥିବା ବିଶେଷ ଦର୍ଶନୀୟ ସ୍ଥାନଗୁଡ଼ିକ ହେଉଛି ଆଉନୀଆଟୀ ସତ୍ର, ଦକ୍ଷିଣପାଟ ସତ୍ର, ଉତ୍ତର କମଳାବାଡ଼ି ସତ୍ର, ନତୂନ କମଳାବାଡ଼ି ସତ୍ର, ବେଙ୍ଗେନଟୀ ସତ୍ର, ସାମଗୁରୀ ସତ୍ର, ଭୋଗପୁର ସତ୍ର, ଆଦି ଅଲେଙ୍ଗୀ ସତ୍ର, ଅଲେଙ୍ଗୀ ସତ୍ର ଓ ସାଲ୍ମରା ମାଟିପାତ୍ର ଗ୍ରାମ।
ସତ୍ର କ’ଣ?
ଅାସାମର ନବ ବୈଷ୍ଣବବାଦ ନାଭିଚକ୍ର ଭାବେ ପ୍ରସିଦ୍ଧ ମାଜୁଲୀ ଦ୍ବୀପରେ ପ୍ରାୟ ୨୨ଟି ସତ୍ର ବା ମଠ ରହିଛି। ଷୋଡ଼ଶ ଶତାବ୍ଦୀରେ ମହାନ୍ ଆସାମୀୟ ସନ୍ଥ ତଥା ସଂସ୍କାରକ ଶ୍ରୀମନ୍ତ ଶଙ୍କରଦେବ ଓ ତାଙ୍କ ଶିଷ୍ୟ ମାଧବଦେବ ରାଜ୍ୟରେ ନବ ବୈଷ୍ଣବବାଦ ପ୍ରବର୍ତ୍ତନ କରିଥିଲେ। ସେମାନେ ହିଁ ସତ୍ର ପ୍ରତିଷ୍ଠା ଅୟମାରମ୍ଭ କରିଥିଲେ। ଏଗୁଡ଼ିକ ଆଧ୍ୟାତ୍ମ, ସାହିତ୍ୟ, ନୃତ୍ୟ ଓ ସଂଗୀତର ପୀଠ ଥିଲା। ଯୁଗ ଯୁଗ ଧରି ଏ ଦ୍ବୀପ ନବ ବୈଷ୍ଣବବାଦ ଦର୍ଶନ, ନୃତ୍ୟ, ସଂଗୀତ, ଚିତ୍ରକଳା, ଭାସ୍କର୍ଯ୍ୟ ଓ ଧାର୍ମିକ ନାଟକ ନିମନ୍ତେ ପ୍ରସିଦ୍ଧି ଅର୍ଜନ କରିଛି।
ସବୁଠୁ ବଡ଼ ପର୍ବ ରାସ ମହୋତ୍ସବ
ମାଜୁଲୀ ଦ୍ବୀପର ସବୁଠୁ ବଡ଼ ଆକର୍ଷଣୀୟ ପର୍ବ ହେଉଛି ରାସ ମହୋତ୍ସବ। ପ୍ରତିବର୍ଷ ନଭେମ୍ବର ମାସରେ ପାଳିତ ଏହି ଉତ୍ସବରେ ପ୍ରସିଦ୍ଧ ଭାଓନା ନାଟକ ସମେତ ଅନ୍ୟାନ୍ୟ ବହୁ ସାଂସ୍କୃତିକ କର୍ଯ୍ୟକ୍ରମ ପରିବେଷଣ କରାଯାଏ। ସତ୍ତ୍ରୀୟ ନୃତ୍ୟର ରହସ୍ୟମୟ ମୁଦ୍ରା ସ୍ବଚକ୍ଷୁରେ ଦେଖିବା ସହିତ ପରିବ୍ରାଜକମାନେ ସତ୍ତ୍ରୀୟ ନୃତ୍ୟ ତାଳେ ତାଳେ ଝୁମିପାରିବେ। ସମଗ୍ର ଭାରତ ଓ ବିଦେଶରୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ଏହି ମହୋତ୍ସବ ବେଳେ ସମଗ୍ର ମାଜୁଲୀ ଦ୍ବୀପ ଚଳଚଞ୍ଚଳ ହୋଇଉଠେ।
ପକ୍ଷୀପ୍ରେମୀଙ୍କ ଅମରାବତୀ
ମାଜୁଲୀ ଦ୍ବୀପ ବିଦେଶାଗତ ପକ୍ଷୀମାନଙ୍କ ପାଇଁ ନିରାପଦ ରହଣି ସ୍ଥାନ। ତା’ଛଡ଼ା କେତେକ ବିଲୟମୁଖୀ ଓ ଦୁର୍ଲଭ ପକ୍ଷୀ ବାସ କରୁଥିବାରୁ ଏହା ପକ୍ଷୀ ପର୍ଯ୍ୟବେକ୍ଷକ ଓ ପ୍ରକୃତିପ୍ରେମୀଙ୍କ ଅମରାବତୀ ହୋଇପାରିଛି। ଏ ଦ୍ବୀପର ଜଳାଭୂମିକୁ ସାଇବେରିଆ ଓ ୟୁରୋପ୍ ଆଦି ସୁଦୂର ସ୍ଥାନରୁ ପକ୍ଷୀମାନେ ଆସନ୍ତି। ବିଶେଷକରି ଶୀତଋତୁରେ ବିଦେଶାଗତ ପକ୍ଷୀକୁଳ ମାଜୁଲୀକୁ ସେମାନଙ୍କ ଅସ୍ଥାୟୀ ନିବାସ କରିପକାଇଥାଆନ୍ତି। ତେଣୁ ପକ୍ଷୀପ୍ରେମୀ ଏଠାରେ ଅନେକ ପ୍ରକାର ପକ୍ଷୀ ଦେଖିପାରନ୍ତି।
ନୌକାବିହାର ଓ ଗ୍ରାମ୍ୟଜୀବନ
ଏଠାରେ ଭ୍ରମଣକରି ଗ୍ରାମୀଣ ଜନଜାତି ତଥା ଆଦିନିବାସୀଙ୍କ ଜୀବନଚର୍ଯ୍ୟା ଓ ବେଉସା ଅତି ନିକଟରୁ ଉପଲବ୍ଧି କରିହେବ। ବିସ୍ତୀର୍ଣ୍ଣ ଧାନବିଲ, ବାଉଁଶବଣ, କଦଳୀବଣ ଓ ଆଖୁକିଆରି ନିମନ୍ତେ ବି ଏ ଦ୍ବୀପ ଖୁବ୍ ପ୍ରସିଦ୍ଧ। ମାଜୁଲୀ ଦ୍ବୀପବାସୀଙ୍କ ମୂଳ ବେଉସା ହେଉଛି ଧାନଚାଷ। ଏହାଛଡ଼ା, ଦ୍ବୀପବାସିନ୍ଦା ମାଛମାରିବାରେ ପ୍ରବୀଣ। ଇଚ୍ଛାକଲେ ପର୍ଯ୍ୟଟକମାନେ ସ୍ଥାନୀୟ ଲୋକଙ୍କ ସହିତ ମିଶି ମାଛମାରି ପାରିବେ ନତୁବା ମତ୍ସ୍ୟଜୀବୀମାନେ ଜାଲ ଫିଙ୍ଗି ମାଛ ମାରୁଥିବା ଦେଖିପାରିବେ। କିଛି ନ ହେଲେ ନୌକାରେ ବସି ନଦୀରେ ବୁଲି ମାଜୁଲୀ ଦ୍ବୀପର ଶାନ୍ତ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।
ହସ୍ତତନ୍ତ ଓ ହସ୍ତକଳା
ତନ୍ତରେ ବସ୍ତ୍ର ବୁଣିବାରେ ବି ମାଜୁଲୀବାସୀ ପ୍ରବୀଣ। ସୂକ୍ଷ୍ମ କାରୁକାର୍ଯ୍ୟଭରା ପାରମ୍ପରିକ ଆସାମୀୟ ବସ୍ତ୍ର ହେଉଛି ସ୍ଥାନୀୟ ଅଞ୍ଚଳର ବିଶେଷତ୍ବ। ସ୍ଥାନୀୟ ଗାଁ’ରେ ମିସିଙ୍ଗ୍ ଜନଜାତି ଅତି ସୂକ୍ଷ୍ମକାରୁକାର୍ଯ୍ୟ ଥିବା ବସ୍ତ୍ର ବୁଣନ୍ତି। ସେଠାକାର ସୁନ୍ଦର ହାତବୁଣା ଗାମୁଛା ଓ ମେଖଳା ଚାଦର ବି ଖରିଦ କରିପାରିବେ। ସେହିପରି ମାଜୁଲୀ ଦ୍ବୀପ ପୌରାଣିକ ଚରିତ୍ରମାନଙ୍କ ମୁଖା ଓ ମାଟିପାତ୍ର ନିର୍ମାଣ ପାଇଁ ବି ପ୍ରସିଦ୍ଧ। ଚାହିଲେ ପର୍ଯ୍ୟଟକମାନେ ସେଗୁଡ଼ିକୁ କ୍ରୟକରି ଆଣିପାରିବେ।
ଆଦିବାସୀ ବ୍ୟଞ୍ଜନ
ଖାଦ୍ୟରସିକମାନେ ବି ଏଠାରେ ଅନେକ ପ୍ରକାର ଆଦିବାସୀ ଆମିଷ ବ୍ୟଞ୍ଜନ ଖାଇପାରିବେ। ଆଳୁ-ମାଛ ପତ୍ରବମ୍ଫା, ବାଉଁଶକାଠିରେ ଫୋଡ଼ା କୁକୁଡ଼ାମାଂସ ପୋଡ଼ା, କଦଳୀପତ୍ରରେ ଗୁଡ଼ାଇ ପୋଡ଼ାଯାଇଥିବା କୁକୁଡ଼ାମାଂସ ଅଥବା ମାଛ ଓ ଶୁଖୁଆ ଚଟଣି ଭଳି ସୁସ୍ବାଦୁ ବ୍ୟଞ୍ଜନ ଏଠାକାର ପ୍ରସିଦ୍ଧ ତଥା ପାରମ୍ପରିକ ଆଦିବାସୀ ରନ୍ଧନ।
ଗମନାଗମନ
ଜୋର୍ହାଟ୍ସ୍ଥିତ ନିମତି ଘାଟରୁ ମାଜୁଲୀ ଦ୍ବୀପକୁ ନିୟମିତ ଡଙ୍ଗା ଆତଯାତ କରେ। ସେଥିରେ ଏଠାକୁ ଆସିହେବ। ମାଜୁଲୀ ଦ୍ବୀପ ନିକଟବର୍ତ୍ତୀ ସହର ହେଉଛି ଜୋର୍ହାଟ୍। ସେ ସହରକୁ ଦେଶର ଅନ୍ୟାନ୍ୟ ପ୍ରାନ୍ତରୁ ବିମାନ ଗମନାଗମନ କରେ। ଗୌହାଟୀରୁ ଟ୍ରେନ୍ ଯୋଗେ ବି ମାଜୁଲୀ ଯାଇହେବ। କିଛି ନ ହେଲେ, ଜୋର୍ହାଟ୍ରୁ ଟ୍ୟାକ୍ସି ନେଇ ମାଜୁଲୀ ଯାଇଆସିହେବ। ରହଣି ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ମାଜୁଲୀରେ ଅନେକ ପ୍ରକାର ରହଣି ବ୍ୟବସ୍ଥା ରହିଛି। ବାଉଁଶ କୁଟୀର ଓ ହୋମ୍ଷ୍ଟେ ଠାରୁ ନେଇ ସତ୍ରରେ ବି ପର୍ଯ୍ୟଟକମାନେ ରହିପାରିବେ। ଅବଶ୍ୟ ଭକ୍ତ ଓ ସେ ଜାତୀୟ ପରିବ୍ରାଜକଙ୍କ ନିମନ୍ତେ ସତ୍ରଗୁଡ଼ିକରେ ଭଲ ସୁବିଧା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/26/sfsfsxccx-2025-10-26-01-49-20.jpg)