ଜାପାନର ଏକ ଷ୍ଟାର୍ଟ-ଅପ୍ କମ୍ପାନି ପର୍ଯ୍ୟଟକମାନଙ୍କୁ ବେଲୁନ୍ରେ ଆକାଶ ପରିଭ୍ରମଣର ସୁବିଧା ଯୋଗାଇବାର ଯୋଜନା ରଖିଛି। ଏହାର ହିଲିଅମ୍ ବେଲୁନ୍ ସାହାଯ୍ୟରେ ଯାତ୍ରୀମାନେ ଭୂପୃଷ୍ଠରୁ ଦୀର୍ଘ ୨୫ କିଲୋମିଟର୍ ଉଚ୍ଚ ଷ୍ଟ୍ରାଟୋସ୍ଫିଅରରୁ ପୃଥିବୀର ସୁନ୍ଦର ଦୃଶ୍ୟ ଉପଭୋଗ କରିପାରିବେ। ଗତ ଜୁଲାଇରେ ଇୱାୟା ନାମକ ଉକ୍ତ କମ୍ପାନି ପରୀକ୍ଷାମୂଳକ ଭାବେ ବେଲୁନ୍କୁ ୬ କି.ମି. ବା ୧୯,୭୦୦ ଫୁଟ ଉପରକୁ ନେଇପାରିଥିଲା। ହିଲିଅମ୍ ଗ୍ୟାସ୍ ଭର୍ତ୍ତି ଏହି ୨୫ ମିଟର ଉଚ୍ଚ ବେଲୁନ୍ରେ ୧.୧ ମିଟର ଓସାର ଓ ୧.୫ ମିଟର ଉଚ୍ଚତା ବିଶିଷ୍ଟ ଏକ ଜଣିକିଆ କ୍ୟାବିନ୍ ଖଞ୍ଚାଯାଇଥିଲା। ସାଧାରଣତଃ ଭୂପୃଷ୍ଠରୁ ୪ କି.ମି. ଉଚ୍ଚକୁ ଗଲେ ଶ୍ବାସକ୍ରିୟାରେ ସମସ୍ୟା ଦେଖାଦେବାର ଆଶଙ୍କା ଥିବାରୁ ଉକ୍ତ କ୍ୟାବିନ୍ଟିକୁ ଏକ ସ୍ବତନ୍ତ୍ର ଧରଣର ପ୍ଳାଷ୍ଟିକ୍ ଆଚ୍ଛାଦିତ କରି ସଂପୂର୍ଣ୍ଣ ବାୟୁ, ତାପମାତ୍ରା ଓ ଚାପରହିତ କରାଯାଇଥିଲା। ତାହା ଭିତରେ ଶ୍ବାସକ୍ରିୟା ନିମିତ୍ତ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି।
ସେଥିରେ କମ୍ପାନିର ଜଣେ କର୍ମଚାରୀ ବସିଲା ମାତ୍ରେ ବେଲୁନ୍ଟି ସଙ୍ଗେ ସଙ୍ଗେ ଉପରକୁ ଉଠି ଯାଇ ଅଦୃଶ୍ୟ ହୋଇଯାଇଥିଲା। ତାହା ୬,୦୭୨ ମିଟର ଉଚ୍ଚରେ ପହଞ୍ଚିବା ପରେ ହିଲିଅମ୍ ବାଷ୍ପକୁ କାଢ଼ି ଦିଆଯାଇଥିଲା ଏବଂ ବେଲୁନ୍ଟି ତଳକୁ ଖସି ୨୫ କି.ମି. ଦୂରରେ ଭୂପୃଷ୍ଠରେ ଅବତରଣ କରିଥିଲା। ବେଲୁନ୍ରେ ମଣିଷ ୬ କି.ମି. ଉଚ୍ଚତା ଛୁଇଁବାର ଏହା ପ୍ରଥମ ଘଟଣା ଥିଲା। ଚଳିତବର୍ଷ ଶେଷ ସୁଦ୍ଧା ୨୫ କି.ମି. ଉଚ୍ଚ ଛୁଇଁବାକୁ କମ୍ପାନି ଲକ୍ଷ୍ୟ ରଖିଛି।
ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିଅରରୁ ହିଁ ଆକାଶର ଘନ ଅନ୍ଧାର ଓ ପୃଥିବୀର ସୁଦୃଶ୍ୟ ନୀଳିମାକୁ ଉପଭୋଗ କରିହେବ। ତେବେ ଏହି ସମ୍ଭାବ୍ୟ ୪ ଘଣ୍ଟାର ଯାତ୍ରା ପାଇଁ ଜଣେ ବେଲୁନ୍ ଯାତ୍ରୀଙ୍କୁ ଲକ୍ଷେ ୬୪ ହଜାର ଡଲାର ବା ପାଖାପାଖି କୋଟିଏ ୩୬ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଆସନ୍ତା ବର୍ଷ ମାର୍ଚ୍ଚରୁ କମ୍ପାନି ପ୍ରଥମ କରି ବ୍ୟାବସାୟିକ ଉଡ଼ାଣ ଆରମ୍ଭ କରିବ ଏବଂ ଏଥି ପାଇଁ ଆଶାୟୀ ପର୍ଯ୍ୟଟକମାନଙ୍କଠାରୁ ଆବେଦନ ଗ୍ରହଣ ଚାଲିଛି।