ନୂଆଦିଲ୍ଲୀ: ବିନୋଦ ଜିତ ସିଂହଙ୍କ ସଂଘର୍ଷ କାହାଣୀ ଚର୍ଚ୍ଚାର ପରିସରରେ ରହିଛି। ସେ ଦିବ୍ୟାଙ୍ଗ ଅବସ୍ଥାରେ କରୁଛନ୍ତି ବିଶ୍ବ ଭ୍ରମଣ। ତାଙ୍କ ସହ ଅଛନ୍ତି ବାନ୍ଧବୀ ରୋହିଣୀ।
ବିନୋଦ ସିଂହ ପିଲାଦିନେ ଏକ ସଡ଼କ ଦୁର୍ଘଟଣାରେ ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ସେ ତାଙ୍କ ବାମ ଗୋଡ଼କୁ ହରାଇ ଦେଇଥିଲେ। ସେ ଦିନର ଘଟଣାକୁ ମନେ ପକାଇ ବିନୋଦ କହନ୍ତି, ‘ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ ମୋ ସଂଘର୍ଷ ଜାରି ରହିଛି। ଏହାର ଅନ୍ତ କେବେ ଘଟିବ । ତାହା ସେହି ଇଶ୍ବରଙ୍କୁ ଜଣା। ଗୋଡ଼ ହରାଇବା ପରେ ଲୋକେ ମୋତେ ଖୁବ ଥଟ୍ଟା ପରିହାସ କରିବା ଆରମ୍ଭ କରି ଦେଇଥିଲେ। ଯେମିତି କି ଗୋଡ଼ ତ ନାଇ ଇଏ କ’ଣ କରିବ। ଆଉ କ’ଣ ଜଣେ ଭଲ ମଣିଷ ଭଳି କାମ କରି ପାରିବ ଇତ୍ୟାଦି ଇତ୍ୟାଦି।
ଧୀରେଧୀରେ ବଡ଼ ହେଲି ଲୋକଙ୍କ ଏ ଟାହିଟାପରାକୁ ସହ୍ୟ କରି ପାରିଲି ନାହିଁ। ରାଗରେ ଘର ଛାଡ଼ିଲି। ନିଜ ଚେଷ୍ଟା ବଳରେ ପାଠପଢ଼ା ଶେଷ କରି ଚାକିରି କରିଲି। ଚାକିରି ସମୟରେ ମୋତେ ଜୟପୁର ଫୁଟରୁ ଏକ ନକଲି ଗୋଡ଼ ମିଳିଲା। ଏହାପର ଠାରୁ ମୋ ପରିସ୍ଥିତି ବଦଳିବାକୁ ଲାଗିଲା।
ମୁଁ ଅନେକ ମାରାଥାନରେ ଯୋଗ ଦେଇଛି। ସୁଖଦୁଃଖରେ ଜୀବନ କାଟୁଥିବା ବେଳେ ୨୦୦୩ ମସିହାରେ ମୋ ଜୀବନରେ ଆଉ ଏକ ମୋଡ଼ ଆସିଥିଲା। ୨୦୦୩ରେ ପାରା ହୁଇଲଚେୟାର ବାସ୍କେଟବଲ ଗେମ ଆୟୋଜନ କରାଯାଇଥିଲା। ଏଥିରେ ମୁଁ ଯୋଗ ଦେଇଥିଲି।
ଏହି କାର୍ଯ୍ୟକ୍ରମରେ ମୋର ରୋହିଣୀଙ୍କ ସହ ଭେଟ ହୋଇଥିଲା। ବିଧାତାର ବି ବଡ଼ ବିଚିତ୍ର ଲିଲା ବୋଲି ମୁଁ କହିବି। କାରଣ ଉକ୍ତ ଆୟୋଜନକୁ ଅନେକ ଲୋକ ଆସିଥିବା ବେଳେ ମୁଁ ରୋହିଣୀଙ୍କ ସହିତ ହିଁ କଥା ହୋଇଥିଲି। ଆଉ ତାଙ୍କ ବିଷୟରେ ଜାଣିବାକୁ ପାଇଥିଲି।
କଥା ହେବା ପ୍ରସଙ୍ଗରେ ରୋହିଣୀ କହିଥିଲେ ସେ ପୋଲିଓ ପୀଡ଼ିତା। ଏବଂ ସରକାରୀ ଚାକାରି ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ପରେ ରୋହିଣୀ ଓ ମୋ ମଧ୍ୟରେ ବନ୍ଧୁତା ସ୍ଥାପନା ହୋଇଥିଲା। ପରବର୍ତ୍ତୀ ସମୟରେ ଆମେ ଦୁହେଁ ପରସ୍ପରକୁ ଜୀବନସାଥୀ ଭାବେ ଆପଣାଇବାକୁ ସ୍ଥିର କରିଥିଲୁ। କିଛିଦିନ ପରେ ରୋହିଣୀ ସରକାରୀ ଚାକିରି ପାଇଯାଇଥିଲେ। ଆମେ ଦୁହିଁଙ୍କ ଜୀବନରେ ଅନେକ ଖୁସି ଭରି ଯାଇଥିଲା।
ରୋହିଣୀ ଓ ମୋତେ ବିଶ୍ବ ଭ୍ରମଣ କରିବାକୁ ଖୁବ ପସନ୍ଦ ଥିଲା। ତେଣୁ ଆମେ ଦୁହେଁ ସାଥୀ ହୋଇ ଜୀବନର ମଜା ନେବା ପାଇଁ ବିଶ୍ବ ଭ୍ରମଣ କରିବା ଆରମ୍ଭ କରିଥିଲୁ। ଏହି ଭ୍ରମଣ ସମୟରେ ଆମ ସାମ୍ନାରେ ଅନେକ ବାଧା ବି ଆସୁଛି। କିନ୍ତୁ ଆମେ ସମସ୍ତ ବାଧାକୁ ସାମ୍ନା କରି ଆଗକୁ ବଢ଼ି ଚାଲିଛୁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/15/new-project-62-2025-10-15-15-45-43.jpg)