ଯୌନାଙ୍ଗ ଶିଥିଳତା କାହାକୁ କହନ୍ତି?
ଯୌନକ୍ରିୟା ନିମନ୍ତେ ପୁରୁଷଙ୍କ ଯୌନାଙ୍ଗ ଠିକ୍ ରୂପେ ଉତ୍ଥିତ ନ ହୋଇପାରିବା ଅବସ୍ଥାକୁ ଲିଙ୍ଗ ଶିଥିଳତା କୁହାଯାଏ। ଆଗରୁ ଏହାକୁ ନପୁଂସକତା ମଧ୍ୟ କୁହାଯାଉଥିଲା। ଲିଙ୍ଗ ଶିଥିଳତାର ନାନାବିଧ କାରଣ ଅଛି। ଆଜିକାଲି ତାହା ନିରୂପଣ ହୋଇ ଚିକିତ୍ସା କରାଯାଉଛି।
ଏହି ସ୍ବାସ୍ଥ୍ୟ ସମସ୍ୟାର କାରଣ କ’ଣ?
େଯୗନାଙ୍ଗ ଶିଥିଳତା ପଛରେ ବିଭିନ୍ନ କାରଣ ରହିଛି। ଷ୍ଟିମୁଲାଣ୍ଟ୍, ସିଡେଟିଭ୍, ଡାୟୁରେଟିକ୍ସ, ଆଣ୍ଟିହିଷ୍ଟାମିନ୍ ଏବଂ ଉଚ୍ଚ ରକ୍ତଚାପ, କ୍ୟାନ୍ସର୍ ଓ ଅବସାଦ ଚିକିତ୍ସାର ଔଷଧ ତଥା ନିଶାଦ୍ରବ୍ୟ ସେବନ ଲିଙ୍ଗ ଶିଥିଳତାର କାରଣ ହୋଇପାରେ। ସଙ୍ଗମକାଳୀନ ଉତ୍କଣ୍ଠା ଓ ସଙ୍କୋଚ, ଯୌନ ନିର୍ଯାତନାର ସ୍ମୃତି, ରୋଗ ସଂକ୍ରମଣ ଆଶଙ୍କା ଏବଂ ମୃତା ପତ୍ନୀ ପ୍ରତି ବିଶ୍ବସ୍ତତା ଆଦି ମାନସିକ ଅବସ୍ଥା ଯୋଗୁଁ ମଧ୍ୟ ଲିଙ୍ଗ ଶିଥିଳତା ଆସେ। ମାତ୍ରାଧିକ କୋଲେଷ୍ଟ୍ରଲ୍ ଓ ଅନ୍ୟାନ୍ୟ ଚର୍ବିଳ ପଦାର୍ଥ ଜମି ଧମନୀ ଅବରୁଦ୍ଧ ହେବାକୁ ରକ୍ତ ସଞ୍ଚାଳନଜନିତ ଲିଙ୍ଗ ଶିଥିଳତା କୁହାଯାଏ। ଉଚ୍ଚ ରକ୍ତଚାପ ଓ ମଧୁମେହ ମଧ୍ୟ ଏହାର କାରଣ ହୋଇପାରେ। ପ୍ରୋଷ୍ଟେଟ୍ କ୍ୟାନ୍ସର୍ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ରଶ୍ମି ବିକିରଣ ଓ ଅସ୍ତ୍ରୋପଚାର ହୋଇଥିଲେ ଲିଙ୍ଗ ଶିଥିଳ ହୋଇଯାଏ। ଷ୍ଟ୍ରୋକ୍, ସୁଷୁମ୍ନା କାଣ୍ଡରେ ଆଘାତ, ମଲ୍ଟିପ୍ଲ ସ୍ଲେରୋସିସ୍ ଓ ପାର୍କିନ୍ସନ୍ସ ରୋଗ, କେନ୍ଦ୍ରୀୟ ସ୍ନାୟବିକ ବ୍ୟବସ୍ଥାକୁ ଆକ୍ରାନ୍ତ କରିଥିବା କର୍କଟ ରୋଗ, ବୃକ୍କ ଅଥବା ଯକୃତ୍ ଅଚଳ ହୋଇ ଲିଙ୍ଗ ଶିଥିଳ ହେବାକୁ ସ୍ନାୟବିକ ଲିଙ୍ଗ ଶିଥିଳତା କୁହାଯାଏ।
ଲିଙ୍ଗ ଶିଥିଳତାର ଲକ୍ଷଣ କ’ଣ?
ଯୌନକ୍ରିୟା ଲାଗି ଆଦୌ ସମର୍ଥ ନ ହେବା, ଆବଶ୍ୟକ ସମୟ ପର୍ଯ୍ୟନ୍ତ ଲିଙ୍ଗ ଉତ୍ଥିତ ନ ରହିବା ଏବଂ ଯୌନକ୍ରିୟା ପ୍ରତି ଅନାଗ୍ରହ ହେଉଛି ଲିଙ୍ଗ ଶିଥିଳତାର କେତେକ ଲକ୍ଷଣ।
ଏହାର ନିରୂପଣ ପାଇଁ କେଉଁ ପରୀକ୍ଷା କରାଯାଏ?
ଲିଙ୍ଗ ଶିଥିଳତା ନିରୂପଣ ଲାଗି ଟେଷ୍ଟୋଷ୍ଟିରୋନ୍ ଓ ଅନ୍ୟାନ୍ୟ ପୁରୁଷ ହର୍ମୋନ୍ ଯାଞ୍ଚ ନିମନ୍ତେ ରକ୍ତ ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, ରକ୍ତ ପ୍ରବାହ ଯାଞ୍ଚ କରିବାକୁ ଅଲ୍ଟ୍ରାସୋନୋଗ୍ରାଫ ଆଦି କରାଯାଏ। ଯୌନାଙ୍ଗରେ ରକ୍ତ ପ୍ରବାହ ବୃଦ୍ଧି କରାଇବା ପାଇଁ ଇଞ୍ଜେକ୍ସନ୍ ଦେଇ ମଧ୍ୟ ଲିଙ୍ଗ ଶିଥିଳତାର କାରଣ ପରୀକ୍ଷା କରାଯାଏ। ନିଦ୍ରିତ ଅବସ୍ଥାରେ ଲିଙ୍ଗ ଉତ୍ଥାନ ଯାଞ୍ଚ କରିବା ଲାଗି ‘ନକ୍ଟନଲ୍ ପିନାଇଲ୍ ଟ୍ୟୁମେସିନ୍ସ’ (ଏନ୍ପିଟି) କରାଯାଏ।
ଲିଙ୍ଗ ଶିଥିଳତାର ଚିକିତ୍ସା କିପରି କରାଯାଏ?
ଲିଙ୍ଗ ଶିଥିଳତା ନିମନ୍ତେ ଏକାଧିକ ଚିକିତ୍ସା ବ୍ୟବସ୍ଥା ରହିଛି। ଅଧିକାଂଶ କ୍ଷେତ୍ରରେ ଫାସ୍ପୋଡାଏଷ୍ଟେରାଜ୍ ଟାଇପ୍-୫ ଇନ୍ହିବିଟର୍ ଭଳି ମୌଖିକ ଔଷଧ ବା ବଟିକା ଦିଆଯାଏ। ରକ୍ତ ପରୀକ୍ଷାରେ ଟେଷ୍ଟୋଷ୍ଟିରୋନ୍ ହର୍ମୋନ୍ ପରିମାଣ କମ୍ ଜଣାପଡ଼ିଲେ ଟେଷ୍ଟୋଷ୍ଟିରୋନ୍ ଚିକିତ୍ସା କରାଯାଏ। କେତେକ କ୍ଷେତ୍ରରେ ଆଇସିଆଇ, ଇଣ୍ଟ୍ରାଜ୍ୟାଭର୍ଣ୍ଣୋସାଲ୍ ଆଲ୍ପ୍ରୋଷ୍ଟାଡିଲ୍ ଆଦି ପିନାଇଲ୍ ଇଞ୍ଜେକ୍ସନ୍ ପ୍ରୟୋଗ କରାଯାଏ। ଆଇୟୁ ଓ ଆଲ୍ପ୍ରୋଷ୍ଟାଡିଲ୍ ଭଳି ଇଣ୍ଟ୍ରାୟୁରେଥ୍ରାଲ୍ ମେଡିକେସନ୍ ବି କରାଯାଏ। ଏହାଛଡ଼ା, ଭ୍ୟାକ୍ମ୍ ଇରେକ୍ସନ୍ ଡିଭାଇସ୍ ଚିକିତ୍ସା ଏବଂ ଦରକାର ପଡ଼ିଲେ ପିନାଇଲ୍ ଇମ୍ପ୍ଲାଣ୍ଟ୍ ବି କରାଯାଏ।