ଲୋକ ଭାବୁଥିଲେ ପାଗଳ, ୪୦ ହଜାର ଗଛ ଲଗାଇ ପାଲଟିଲେ ହିରୋ

ଷ୍ଟୋନମ୍ୟାନ ଶୁଣିଥିବେ ଏବେ ଟ୍ରି ମ୍ୟାନଙ୍କୁ ଜାଣନ୍ତୁ

ଚିତ୍ରକୂଟ: ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ସ୍ଥାନୀୟ ଲୋକ ପ୍ରଥମେ ପାଗଳ ବୋଲି ଭାବିନେଇଥିଲେ କିନ୍ତୁ ପରେ ତାଙ୍କୁ ହିରୋ ଆଖ୍ୟା ଦେଇଛନ୍ତି | ଷ୍ଟୋନମ୍ୟାନ ସାଜି ହତ୍ୟା କରୁଥିବା ହତ୍ୟାକାରୀଙ୍କ ବାବଦରେ ଆପଣ ଜାଣିଥିବେ, ଜାଣନ୍ତୁ ଏହି ଟ୍ରି ମ୍ୟାନଙ୍କୁ ଯିଏ କି ସବୁଜ ବିପ୍ଳବ ସୃଷ୍ଟି କରିଛନ୍ତି |

ଉତ୍ତରପ୍ରଦେଶ ଚିତ୍ରକୂଟର ଭରତପୁର | ଏହି ଗାଁରେ ଖୁବ ଖୁସିରେ ଥିଲେ ରହୁଥିଲେ ଭୈୟାରାମ | ନିଜର କୁନି ସଂସାରକୁ ନେଇ ଖୁବ ଖୁସିରେ ଥିଲେ ଭୈୟାରାମ | କିନ୍ତୁ ଅଚାନକ ୨୦୦୧ରେ ତାଙ୍କ ପରିବାରକୁ ମାଡିଆସିଥିଲା ଝଡ | ୨୦୦୧ରେ ଶିଶୁ ପୁତ୍ରକୁ ଜନ୍ମ ଦେବାପରେ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା | ଘରର କୁଳସନ୍ତାନଙ୍କୁ ନେଇ କେମିତି ବଂଚିବେ ଚିନ୍ତା କରୁକରୁ ୨୦୦୭ ରେ ଶିଶୁପୁତ୍ରଟିର ମୃତ୍ୟୁ ଘଟିଥିଲା | ଏହାପରେ ଭୈୟାରାମଙ୍କ ଜୀବନରେ ଆସିଥିଲା ପରିବର୍ତ୍ତନ | ସେହିଦିନ ସେ ଚିନ୍ତା କରିଥିଲେ ଯେ ନିଜ ପାଇଁ ନ ବଂଚି ଅନ୍ୟ ପାଇଁ ବଂଚିବେ |

Photo-Khabarlahariya

ଗୋଟିଏ ଗଛ ୧୦୦ ପୁତ୍ର ସହ ସମାନ ମନ୍ତ୍ର ନେଇ ନିଜ ଜୀବନ ଆରମ୍ଭ କରିଥିଲେ | ଗାଁ ଛାଡି ଜଙ୍ଗଲରେ କୁଡ଼ିଆଟିଏ ନିର୍ମାଣ କଲେ ଓ ଏହିଠାରୁ ଆରମ୍ଭ କଲେ ସବୁଜ ବିପ୍ଳବ | ବିନା ଗଛରେ ଶ୍ରୀହୀନ ହୋଇପଡିଥିବା ଜଙ୍ଗଲରେ ଲଗାଇଚାଲିଲେ ଗଛ | ୩ କିଲୋମିଟର ଦୂରରୁ ପାଣି ଆଣି ଗଛରେ ଦେଲେ | ହେଲେ ଗାଁକୁ ନ ଆସିବାରୁ ଗ୍ରାମବାସୀ ଭାବିଲେ ଭୈୟାରାମ ପାଗଳ ହୋଇଯାଇଛନ୍ତି | କିନ୍ତୁ କାହା କଥାକୁ ବି ଭୃକ୍ଷେପ ନ କରି ଗଛ ଲଗାଇ ଚାଲିଲେ ଭୈୟାରାମ |

ଜାଣିନି ମୋ ପରେ ଏହି ଗଛର କିଏ ଯତ୍ନ ନେବ, କିନ୍ତୁ ମୁଁ ଥିବା ଯାଏଁ ଏହି ଗଛ ସବୁକୁ କାହାକୁ କାଟିବାକୁ ଦେବି ନାହିଁ: ଭୈୟାରାମ

ତାଙ୍କ ପ୍ରୟାସରେ ୧୧ ବର୍ଷରେ ୫୦ ଏକର ଜମିରେ ଏବେ ଜଙ୍ଗଲ ସୃଷ୍ଟି ହୋଇପାରିଛି | ଦିନେ ଯେଉଁଠି ଦୁବଟିଏ ନଥିଲା ଏବେ ସେଠାରେ ଲମ୍ବା ଲମ୍ବା ଗଛ ଦେଖିବାକୁ ମିଳିଛି | ନିଜର ଜୀବନଯାପନ ପାଇଁ ଭୈୟାରାମ ପରିବା ଚାଷ ସହ ଧାନ ମଧ୍ୟ ଚାଷ କରନ୍ତି | ଜଙ୍ଗଲରେ ରହି ବି ଭରପୁର ଖାଦ୍ୟ ଖାଇ କେବଳ ଗଛ ଲଗାଇବା ଚିନ୍ତାରେ ସବୁବେଳେ ରହିଥାନ୍ତି | ତେବେ ଭୈୟାରାମଙ୍କର ଗୋଟିଏ ଚିନ୍ତା ରହିଛି | କେବେ ସରକାରୀ ସହାୟତା ମିଳିବ ଯାହାଫଳରେ ଜଙ୍ଗଲରେ କିଛି ବୋରୱେଲ ଖୋଳିବେ | ଯାହାଦ୍ୱାରା ଗଛଗୁଡିକ ଭଲ ଭାବରେ ପାଣିଟିକେ ପାଇପାରିବ | ବର୍ତ୍ତମାନ ୪୦ ହଜାର ଗଛ ଲଗାଇସାରିଥିବା ଭୈୟାରାମଙ୍କ ସ୍ବପ୍ନ ଅଛି କିଭଳି ୪୦ ଲକ୍ଷ ଗଛ ଲଗାଇବେ |

ସମ୍ବନ୍ଧିତ ଖବର