ନୂଆଦିଲ୍ଲୀ:  ଦୁଇଦିନ ତଳେ ପାଳନ ହୋଇଛି ମଦର୍ସ ଡେ। ଏହି ଦିନଟି ହେଉଛି ମାଆମାନଙ୍କର ସ୍ବତନ୍ତ୍ର ଦିନ ଓ ପ୍ରତ୍ୟେକ ମା’ ପାଇଁ ଉତ୍ସର୍ଗୀକୃତ। ମଦର୍ସ ଡେ’ରେ ପିଲାମାନେ ସେମାନଙ୍କର ମା' ମାନଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇଥାନ୍ତି । ଏହି ଦିନ ସହ ଜଡିତ ଏକ ସୁନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଇଣ୍ଡିଗୋ ଏୟାରଲାଇନ୍ସର ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ପୋଷ୍ଟ କରାଯାଇଛି।

Advertisment

ଏହି ଭିଡିଓରେ ଜଣେ ଏୟାର ହୋଷ୍ଟେସ୍ ଝିଅ ଓ ତାଙ୍କ ମାଆ ଅଛନ୍ତି। ଘଟଣାଚକ୍ରରେ ଦୁଇଜଣ ଯାକ ସମାନ ବିମାନରେ କ୍ୟାବିନ କ୍ରୁ ଅଟନ୍ତି। 'ମାତୃ ଦିବସ' ଦିନ ଉଭୟ ବିମାନର ଉଡ଼ାଣ ବ‌େଳେ ଉପସ୍ଥିତ ଥିଲେ। ଏହି ସମୟରେ ଏୟାର ହୋଷ୍ଟେସ୍ ଝିଅ 'ମାତୃ ଦିବସ'ର ଶୁଭେଚ୍ଛା ଜଣାଇଥିଲେ ଏବଂ କ୍ୟାବିନ କ୍ରୁ ମା'ଙ୍କୁ ତାଙ୍କ ପ୍ରେରଣା ବୋଲି କହିଥିଲେ। ଏହାପରେ ଯାତ୍ରୀମାନେ କରତାଳି ଦେଇ ତାଙ୍କୁ ପ୍ରଶଂସା କରିଥିଲେ।

ଏହି ଭିଡିଓଟି ମାତୃ ଦିବସରେ ଇଣ୍ଡିଗୋର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ପୋଷ୍ଟ କରାଯାଇଥିଲା ଏବଂ ଏହାର ଶୀର୍ଷକ ଥିଲା - ‘ହାପି ମଦର୍ସ ଡେ, ଯିଏ ମୋତେ ସର୍ବଦା ସମର୍ଥନ କରିଥିଲେ... ଭୂମିରୁ ଆକାଶ ପର୍ଯ୍ୟନ୍ତ।’ ଭିଡିଓଟିରେ ନଜର ଆସିଛି ଯେ, ବିମାନରେ ଥିବା କ୍ୟାବିନ କ୍ରୁ  ନବେରା ପ୍ରଥମେ ଯାତ୍ରୀମାନଙ୍କ ସାମ୍ନାରେ ଉପସ୍ଥିତ ହୋଇ ତାଙ୍କ ମା’ଙ୍କୁ ପରିଚିତ କରାଉଛନ୍ତି ଓ କହୁଛନ୍ତି- ସେ ଛଅ ବର୍ଷ ବୟସରୁ ତାଙ୍କ ମା’ଙ୍କୁ ଏହି କାମ କରୁଥିବା ଦେଖୁଛନ୍ତି ଏବଂ ତାଙ୍କ ପ୍ରେରଣାରେ ସେ ବି କ୍ୟ‌ାବିନ୍ କ୍ରୁ ପାଲଟିଥିବା କହିଛନ୍ତି।

ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୫ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି ଏବଂ ଶହ ଶହ ଲୋକ ଲାଇକ୍ ମଧ୍ୟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି- ମା ପରି କେହି ହୋଇପାରିବେ ନାହିଁ ।