ନୂଆଦିଲ୍ଳୀ: ଫ୍ୟାସନ୍ ସୋ’ର କଳ୍ପନା କଲେ ହିଁ ଆଖି ଆଗରେ ୱାକ୍, ଡିଜାଇନ୍ ପୋଷାକ ଓ ଫେସନେବଲ୍ ମଡେଲ୍ ଚାଲି ଆସନ୍ତି। ଭିନ୍ନ ଭିନ୍ନ ଫ୍ୟାସନ୍ ସୋ’ରେ ମଡେଲ୍ଙ୍କୁ ଭିନ୍ନ ଧରଣର ପୋଷାକ ପିନ୍ଧି ରାମ୍ପ୍ୱାକ୍ କରୁଥିବାର ଦେଖିବାକୁ ମିଳିଥାଏ। ମାତ୍ର କେବେ କେଉଁ ମଡେଲ୍ଙ୍କୁ ଆପଣ କାଖରେ ଛୁଆ ଧରି ୱାକ୍ କରୁଥିବାର ଦେଖିଛନ୍ତି କି ?
ଏକ ଆଦିବାସୀ ଫେସନ୍ ସୋ’ର ଜଣେ ମଡେଲ୍ ଏପରି କରି ଏବେ ସଭିଙ୍କୁ ଚକିତ କରିଛନ୍ତି। ଏହି ମଡେଲଙ୍କ ନାମ ଆଲିଶା ଗୌତମ ଉରାଇଁ। ସେ ଅନେକ ବର୍ଷ ହେବ ମଡେଲିଂ କରୁଛନ୍ତି। ମାତ୍ର ନିକଟରେ ସେ କରିଥିବା ମଡେଲିଂ ତାଙ୍କୁ ଏକ ନୂଆ ପରିଚୟ ଦେଇଛି। ସେ ତାଙ୍କ ଶରୀରରେ ନିଜ ଛୁଆକୁ ଏକ ଧଳା ରଂଗର କପଡ଼ାରେ ବାନ୍ଧି କରି ମେଡେଲିଂ କରି ବେଶ୍ ପ୍ରସଂଶା ସାଉଁଟିଛନ୍ତି।
ଆଲିଶା ତାଙ୍କର ମତ ରଖି କହିଛନ୍ତି ଯେ କିଛି ଦିନ ତଳେ ଜତରା ଆଦିବାସୀ ଫେସନ୍ ସୋ’ ହୋଇଥିଲା। ସେଠାରେ ସେ ଭାଗ ନେବା ପାଇଁ ନିଜ ୧୦ ମାସର ଝିଅକୁ ସାଥୀରେ ଧରି ଯାଇଥିଲେ। ଜଣେ ପରେ ଜଣେ ମଡେଲ୍ ୱାକ୍ କରି ଫେରୁଥାନ୍ତି। ଯେତେବେଳେ ଆଲିଶାଙ୍କ ପାଳି ଆସିଲା ତ ତାଙ୍କ ଝିଅ ତାଙ୍କ କାଖରୁ ଓହ୍ଲାଇଲା ନାହିଁ ଓ ଓହ୍ଲାଇବାରୁ କାନ୍ଦିବାକୁ ଲାଗିଲା। ଏହି କାରଣରୁ ଅନ୍ୟ କିଛି ଉପାୟ ନପାଇଁ ଏକ ଧଳା ପୋଷାକରେ ଝିଅକୁ ନିଜ ଶରୀରରେ ବାନ୍ଧି ଚାଲିବା ଆରମ୍ଭ କରିଥିଲେ। ସେ ଆହୁରି ବି କହିଛନ୍ତି ଯେ ଲୋକେ କ’ଣ ଭାବିବେ ତାହା ସେ ସମୟରେ ତାଙ୍କ ମୁଣ୍ଡରେ ପଶିଲା ନାହିଁ। ମାତ୍ର ଏହି କାରଣରୁ ସେ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରଶଂସାର ପାତ୍ରୀ ହୋଇଗଲେ।