ଶ୍ରଦ୍ଧାଞ୍ଜଳି : ଅମର ଅମରେନ୍ଦ୍ର

କଟକ/ଭୁବନେଶ୍ବର : ଶୋଇ ଯା ମାମା….ଭଳି ଶାନ୍ତିରେ ଆଖିରେ ନିଦ ଆଣି ଦେଉଥିବା ଗୀତ, ପୁଚୁକି ଗାଲି ଫେସନ ବାଲି ଭଳି ମେଲୋଡିଅସ ସଂଗୀତ, ମିଛ ଦୁନିଆରେ ଗୋଟିଏ ସତ ଭଳି ଭାବବିହ୍ବଳ ଭଜନ, ନଦୀରେ ନଦୀ ତୁ ପୂଣ୍ୟବତୀ…. ଆଉ ସବିତା… ସବିତା…ସବିତା… ଭଳି ପ୍ରେମ ସମର୍ପଣ ଗୀତର ସେ ଥିଲେ ସଂଗୀତକାର। ଜଣେ ଖିଆଲି ମଣିଷ କିନ୍ତୁ ଅତ୍ୟନ୍ତ ଦରଦି ଆଉ ସମ୍ବେଦନଶୀଳ। ନିଜକୁ ପଛରେ ରଖି ଅନ୍ୟକୁ ଗଢି ତୋଳୁଥିବା ମଣିଷ। ଅମରେନ୍ଦ୍ର ମହାନ୍ତି… ବୁଲୁ ଭାଇ। ଜଣେ ନିରୋଳା କଟକିଆ। ମାତ୍ର ୬୩ ବର୍ଷରେ ସଂସାର ଛାଡିଗଲେ… ନିଜର ପତ୍ନୀ, ପ୍ରେମିକାଙ୍କ ପଛେପଛେ ମାତ୍ର ଦୁଇ ବର୍ଷ ବ୍ୟବଧାନରେ। ଏତିକି ବୟସରେ ‌ଏତେକଥା କରି ଯାଇଥିବା ଏହି ମଣିଷଙ୍କ ସଂପର୍କରେ ସୂଚନା ଏକାଠି କଲାବେଳେ ମନେ ହୁଏ ଅବିଶ୍ବସନୀୟ। କିନ୍ତୁ ତାଙ୍କ କୃତି ବାସ୍ତବରେ ତ ଅମର। ପ୍ରତିଟି ଓଡ଼ିଆ ସଂଗୀତ ପ୍ରେମୀ ପ୍ରାଣରେ ଅମରେନ୍ଦ୍ର ଅମର।

ଓଡ଼ିଶାର ୫ ଦିଗଗଜ୍‌ ସଙ୍ଗୀତଜ୍ଞଙ୍କୁ ଏକାଠି କରିଥିଲେ
ସ୍ବର୍ଗତ ମହାନ୍ତିଙ୍କର ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଯେତିକି ଅବଦାନ ନାହିଁ, କ୍ୟାସେଟ୍‌ ଇଣ୍ଡଷ୍ଟ୍ରିକୁ ତା’ଠାରୁ ଅଧିକ ଅବଦାନ ରହିଛି। ସେ ‘ସମ୍ରାଟ’ ପାଇଁ ପ୍ରସ୍ତୁତ କରିଥିବା ଆଲ୍‌ବମ୍‌ ‘ଆମେ ବି ଟୋକା’ରେ ଓଡ଼ିଶାର ୫ ସଙ୍ଗୀତଜ୍ଞଙ୍କୁ ଏକାଠି ଗୀତ ବୋଲାଇବାରେ ସଫଳ ହୋଇଥିଲେ। ‘ଆମେ ବି ଟୋକା’ ପାଇଁ ସ୍ବର୍ଗତ ମହାନ୍ତି ସିକନ୍ଦର ଆଲମ୍‌, ରଘୁନାଥ ପାଣିଗ୍ରାହୀ, ପ୍ରଣବ ପଟ୍ଟନାୟକ, ପ୍ରଫୁଲ୍ଲ କର ଓ ଅକ୍ଷୟ ମହାନ୍ତିଙ୍କୁ ଏକାଠି କରି ଗୀତ ବୋଲାଇଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ବର୍ଗତ ମହାନ୍ତି। ୯୦ ଦଶକର ଶେଷ ଆଡ଼କୁ ପ୍ରସ୍ତୁତ ଏହି ଆଲ୍‌ବମ୍‌ରୁ ଆମେ ଓଡ଼ିଶାର ସମସ୍ତ ଦିଗଗଜ୍‌ଙ୍କ ଶୁଣିବାର ସୁଯୋଗ ପାଉଛେ।

କୌଣସି ସରକାରୀ ପୁରସ୍କାର ପାଇ ନଥି‌େଲ
ଓଡ଼ିଆ ସଂଗୀତକୁ ଅମରେନ୍ଦ୍ରଙ୍କ ଅବଦାନ ଅତୁଳନୀୟ। ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ହେଉ କି ଭକ୍ତି ସଂଗୀତ ସବୁଥିରେ ନୂଆ ଧାରା ସୃଷ୍ଟି କରିବାରେ ତାଙ୍କର ଅବଦାନ ଅନସ୍ବୀକାର୍ଯ୍ୟ। ଅସଂଖ୍ୟ ହିଟ୍ ଆଉ ଲୋକପ୍ରିୟ ଗୀତ ଭେଟି ଦେଇଛନ୍ତି ସେ ଓଡ଼ିଶାର ଶ୍ରୋତାଙ୍କୁ। କିନ୍ତୁ କୌଣସି ପ୍ରକାର ସରକାରୀ ପୁରସ୍କାର ଓ ସ୍ବୀକୃତିରୁ ବଂଚିତ ଥିଲେ ଅମରେନ୍ଦ୍ର। ସେ ଅନେକ ଘରୋଇ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଆଉ ସମ୍ବର୍ଦ୍ଧିତ ହୋଇଥିଲେ ବି ସରକାରୀ ସମ୍ମାନରୁ ବଂଚିତ ଥିଲେ। କିନ୍ତୁ ଏଥିରେ ତାଙ୍କର କ୍ଷୋଭ ନାହିଁ, ସେ ଓଡ଼ିଶାର ଶ୍ରୋତାଙ୍କ ହୃଦୟରେ ବଂଚିବାକୁ ଚାହାନ୍ତି ବୋଲି ଅମରେନ୍ଦ୍ର ସବୁ ବେଳେ କହି ଆସୁଥିଲେ।

ସବିତା…ସବିତା…ସବିତା…
ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ‘ସବିତା… ସବିତା… ସବିତା.., ଭୁଲି ମୁଁ ପାରୁନି ତମର ସେ ଅସ୍ତରଙ୍ଗ ପ୍ରୀତି, ଖୋଜି ମୁଁ ପାଉନି ଲବଙ୍ଗ ଦ୍ବୀପର କଇଁଫୁଲ ରାତି, ସେ କଇଁଫୁଲ ରାତି…ସୁପରହିଟ୍ ହୋଇଥିଲା। ଏ ଗୀତ ଲେଖିଥିଲେ, ଗାଇଥିଲେ ଏବଂ ଗୀତର ସଂଗୀତ ନିର୍ଦ୍ଦେଶନା ବି ଦେଇଥିଲେ ଅମରେନ୍ଦ୍ର ମହାନ୍ତି। ସବିତା କାନୁନଗୋଙ୍କୁ ପ୍ରେମ ବିବାହ କରିଥିବା ଅମରେନ୍ଦ୍ର ବିବାହ ପୂର୍ବରୁ ଏହି ଗୀତକୁ ଯୁବବାଣୀ କାର୍ଯ୍ୟକ୍ରମରେ ଗାଇ ନିଜ ପ୍ରେମିକା ତଥା ପତ୍ନୀଙ୍କ ପାଇଁ ଉତ୍ସର୍ଗ କରିଥିଲେ। ଆକାବାଣୀର ଯୁବବାଣୀ ‌କାର୍ଯ୍ୟକ୍ରମକୁ ଲୋକପ୍ରିୟ କରିବାରେ ଅମରେନ୍ଦ୍ରଙ୍କ ଅବଦାନ ଅତୁଳନୀୟ।

ଅକ୍ଷୟ ମହାନ୍ତିଙ୍କୁ ବାଧ୍ୟ କରିଥିଲେ ଲେଖିବା ପାଇଁ
ଟୋପାଏ ଲୁହରେ ଭସାଇ ଦେବି ତୋ ଦେଉଳ…
ପ୍ରଖ୍ୟାତ ସଂଗୀତକାର ଅକ୍ଷୟ ମହାନ୍ତିଙ୍କ ସହ ଅତ୍ୟନ୍ତ ଘନିଷ୍ଠ ଥିଲେ ଅମରେନ୍ଦ୍ର। ଅଶୀ ଦଶକ ବେଳକୁ ଅକ୍ଷୟ ମହାନ୍ତି ଆଉ ଅନ୍ୟ କାହା ପାଇଁ ଗୀତ ଲେଖୁ ନଥିଲେ। କିନ୍ତୁ ଏକ ଭକ୍ତି ସଂଗୀତ ଲେଖିବା ପାଇଁ ଅକ୍ଷୟ ମହାନ୍ତିଙ୍କୁ ବାଧ୍ୟ କରିଥିଲେ ଅମରେନ୍ଦ୍ର। ଆଉ ମାତ୍ର କିଛି ସମୟ ଭିତରେ ତାହାକୁ ଲେଖି ସେ ଅମରେନ୍ଦ୍ରଙ୍କ ହାତକୁ ବଢାଇ ଦେଇଥିଲେ। ଅମରେନ୍ଦ୍ରଙ୍କ ସଂଗୀତ ନିର୍ଦ୍ଦେଶନାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଚିତ୍ତ ଜେନା ଏହି ଗୀତ ଗାଇଥିଲେ। ଅକ୍ଷୟ ମହାନ୍ତି-ଅମରେନ୍ଦ୍ର ମହାନ୍ତି-ଚିତ୍ତ ଜେନାଙ୍କର ଏହି ଭକ୍ତି ସଂଗୀତ କାଳଜୟୀ ହୋଇ ରହି ଯାଇଛି….। ‘ଟୋପାଏ ଲୁହରେ ଭସାଇ ଦେବି ତ ଦେଉଳ… କଣେ କୈବଲ୍ୟ ଖାଇ ସାରି ଦେବି ଷାଠିଏ ପଉଟି ଚାଉଳ…. ତେଣୁ ଜଗନ୍ନାଥ ଶୁଣ ସହଳ… ଜଗନ୍ନାଥ ଶୁଣ ସହଳ…।’

ଉଦୀୟମାନ ସଂଗୀତ ନିର୍ଦ୍ଦେଶକ ଓ ଉଦାର ବ୍ୟକ୍ତିତ୍ବ
ଅମରେନ୍ଦ୍ର ମହାନ୍ତି ଥିଲେ ଉଦୀୟମାନ ସଂଗୀତ ନିର୍ଦ୍ଦେଶକ, ଆଉ ଉଦାର ବ୍ୟକ୍ତି। ତାଙ୍କ ସହିତ ‌ମୋର ୪୦ ବର୍ଷର ସଂପର୍କ। ମୋତେ ବଡ଼ ଭାଇ ଭଳି ମାନୁଥିଲେ। ସେ ବହୁ ସଂଗୀତ କମ୍ପୋଜ୍ କରିଛନ୍ତି। ସେ କମ୍ପୋଜ୍‌ କରିଥିବା ସଂଗୀତ ଗୁଡ଼ିକ ଚିରସବୁଜ। ଏଥି ପାଇଁ ଓଡ଼ିଶାର ଅଗଣିତ ସଂଗୀତ ପ୍ରେମୀଙ୍କ ପାଇଁ ସେ ସବୁଦିନ ପାଇଁ ଅମର। ଏଭଳି ଜଣେ ବନ୍ଧୁ, ପ୍ରତିଭାବାନ ସଂଗୀତ ନିର୍ଦ୍ଦେଶକ, ଦରଦୀ ମଣିଷ ଆମକୁ ଏତେ ଶୀଘ୍ର ଛାଡି ଚାଲି‌ଯିବେ, ଏହା ବିଶ୍ବାସ କରି ହେଉନାହିଁ। ତାଙ୍କର ଅମଳିନ ପ୍ରତିଭା ଆମ ସମସ୍ତଙ୍କ ସବୁଦିନ ପାଇଁ ମନେରହିବ। ସଂଗୀତ ଜଗତରେ ତାଙ୍କ ସ୍ଥାନ କେବେ ବି ପୂରଣ ହେବ ନାହିଁ।
ଶେଖର ଘୋଷ, ପ୍ରଖ୍ୟାତ କଣ୍ଠଶିଳ୍ପୀ

ସପ୍ତାହେ ପୂର୍ବରୁ ଜଗନ୍ନାଥ ସିରିଏଲ୍ ବିଷୟରେ କଥା ହୋଇଥିଲୁ
ଅମରେନ୍ଦ୍ର ସହିତ ମୋର ୪୦ ବ‌ର୍ଷର ଘନିଷ୍ଠ ସଂପର୍କ। ମୋତେ ସେ ବଡ଼ଭାଇର ସମ୍ମାନ ଦେଉଥିଲା । ‘ଶ୍ରଦ୍ଧାଞ୍ଜଳି’ ଚଳଚିତ୍ରରୁ ସେ ତା’ କ୍ୟାରିୟର ଆରମ୍ଭ କରିଥିଲା। ଦୁହେଁ ଅନେକ ସିନେମା, ୫୦ରୁ ଅଧିକ ଯାତ୍ରା, ବହୁ ଟିଭି ସିରିଏଲ୍, ଅସଂଖ୍ୟ ଭଜନ ପାଇଁ ଏକାଠି କାମ କରୁଛୁ। ପୁଚୁକୁ ଗାଲି…, ମନ ଉଡ଼ିଯାଏ… ଭାଇ ହେଲା ଭଗାରୀ…, ଭଜନ ସମ୍ରାଟ ଭିକାରି ବଳ ଗାଇଥିବା ଭଜନ ‘ମିଛି ଦୁନିଆରେ ଗୋଟିଏ ସତ…, ମୁଁ ତ ବଡ଼ ଦେଉଳର ପାରା ରେ…ଭଳି ଅସଂଖ୍ୟ ହିଟ୍ ଗୀତରେ ଆମେ ମିଶିକି କାମ କରୁଛି। ଅଳ୍ପ କିଛି ଦିନ ଆମେ କରିଥିବା ଚଳଚ୍ଚିତ୍ର ‘ରଙ୍ଗ ବରଷିବ ଟୁପୁରୁ ଟୁପୁରୁ’ ମୁକ୍ତିଲାଭ କରିଥିବା ବେଳେ ‘ଗାଁ ନାଁ ଗାଲୁଆପୁର’ କରୋନା ପାଇଁ ମୁକ୍ତିଲାଭ ଅପେକ୍ଷାରେ ରହିଛି। ସେ ଟିଭି, ରେଡିଓ ଆଦିରେ ସଂଗୀତ ନିର୍ଦ୍ଦେଶନା ଦେଇଛି। ସେ ତା ପତ୍ନୀଙ୍କ ନାମରେ ଯୁବବାଣୀରେ ‘ସବିତା..’ ଶୀର୍ଷକ ସଂଗୀତ ନିର୍ଦ୍ଦେଶନା ଦେଇଥିଲା। ସ‌ପ୍ତାହେ ତଳେ ‘ଜଗନ୍ନାଥ ସିରିଏଲ୍ ବିଷୟରେ କଥା ହୋଇଥିଲୁ। ହେଲେ ଜଗନ୍ନାଥ ତାକୁ ଏତେ ଶୀଘ୍ର ନେଇଗଲେ, ବିଶ୍ବାସ ହେଉନାହିଁ।
ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ବିଶିଷ୍ଟ ଗୀତିକାର

ସମ୍ବନ୍ଧିତ ଖବର