ସେକହୁଥିଲେ, ପହଞ୍ଚିଯିବାଟା ମରିଯିବା। ଶିଖର କାହାର ନିବାସ ହୋଇପାରେନା। ଏପରିକି ଜଣେ ଯଦି ସେଠାରେ ପହଞ୍ଚି ଯାଇଛି ବୋଲି ଅନୁଭବ କରେ, ମୃତ୍ୟୁ ନହେଲେ ବି ଅବରୋହଣ ଅନିବାର୍ଯ୍ୟ। କିନ୍ତୁ ଏହା ସହିତ ସେ ଆହୁରି କହୁଥିଲେ, ‘‘ମୃତ୍ୟୁ ଥାଉ କି ଅମରତ୍ବ ଥାଉ ସେଇଠି, ଶିଖର ମାତ୍ରେ ଇ ଆରୋହ୍ୟ’’। ଯେମିତିକି ଜୀବନ ମାନେ ଏକ ଅସରନ୍ତି ଯାତ୍ରା! 

Advertisment

ଜୀବନକୁ ଦେଖିବାରେ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କର ଏଇ ଦୃଷ୍ଟିଭଙ୍ଗୀ ତାଙ୍କୁ ପାଠକଙ୍କର ପ୍ରିୟ କରି ଆସିଛି ବର୍ଷ ବର୍ଷ ଧରି। କେଉଁଠି ଅଟକି ନଯାଇ ବିଭିନ୍ନ ଭାବଭୂମିର ସ୍ତର ପ୍ରସ୍ତରକୁ ଯାତ୍ରା ତାଙ୍କ କବିତାର ସବୁଠୁ ଉଲ୍ଲେଖନୀୟ ଦିଗ। ଉପରକୁ ଏସବୁ ପରସ୍ପର ବିରୋଧୀ ଏକ ଦ୍ବନ୍ଦ୍ବ ଭଳି ମନେହୋଇପାରେ, କିନ୍ତୁ ଗଭୀରକୁ ଯାଇ ଦେଖିଲେ ଦେଖାଯିବ ଅନନ୍ତ ବିସ୍ତରିତ ଏକ ଚିତ୍ର- ଯାହା ଜୀବନକୁ ଏହାର ବିପୁଳ ସମ୍ଭାବନାର ସହିତ ପ୍ରତିଫଳିତ କରିବାକୁ ସକ୍ଷମ।  ସେ ଯେତିତି ଶବ୍ଦ ଓ ଉଚ୍ଚାରଣର କବି, ସେତିକି ଗାମ୍ଭୀର୍ଯ୍ୟ ଓ ନୀରବତାର କବି। ସେ ତ ପ୍ରେମର କବି, ତା’ଠୁ ଅଧିକ ବିଦ୍ରୋହର କବି। ସେ ଏକାଧାରରେ ସନ୍ନ୍ୟାସୀ ଓ ରସିକ। ତାଙ୍କ କବିତା କାଗଜରେ ଲେଖା ହୋଇଥିବା ଶବ୍ଦପୁଞ୍ଜ ନୁହେଁ, ଅତୁଳନୀୟ ଦୃଶ୍ୟ, ଅଶ୍ରୁତପୂର୍ବ ଧ୍ବନି ଏବଂ ରକ୍ତ ଓ ଧୂଳିମଖା ସିଦ୍ଧ ଅନୁଭବର ଶିଖର ପରିପ୍ରକାଶ। 
ବିଶ୍ବଦୃଷ୍ଟିର ଚମତ୍କାର ସ୍ବୀକାରୋକ୍ତିରେ ସେ କହିଥିଲେ, ‘‘ସାରା ମଣିଷ ଜାତିର ବିରୋଧରେ ପ୍ରେମ ଘୋଷଣା କରି ସାରିଛି’’। ଚିରକାଳ ସେ ଥିଲେ ବିଦ୍ରୋହୀ, କିନ୍ତୁ ତାଙ୍କ କବିତା ମାନବବାଦୀ ବିଦ୍ରୋହୀ କବିତା। ସେ କହୁଥିଲେ ‘‘ବିଦ୍ରୋହ ଭାରି କୋମଳ’’। ତାଙ୍କ ପକ୍ଷସମର୍ଥନର ପରିଭାଷା ନିଆରା। ପେସାରେ ଥିଲେ ପ୍ରାଶାସନିକ ଅଧିକାରୀ, କିନ୍ତୁ ସେ ସବୁବେଳେ ରହୁଥିଲେ ଦୂରରେ ଏକୁଟିଆ ଠିଆ ହୋଇଥିବା ଲୋକଟି ପାଖରେ ଏବଂ କହୁଥିଲେ, ‘‘ପକ୍ଷ କଥା ଉଠିଚି ତ ମୋତେ ରଖ ଅପର ପକ୍ଷରେ: ବହୁ ନୁହେଁ, ଏକ ବଚନରେ’’। 

ସାରା ଜୀବନ ନୂଆ କବିଙ୍କୁ ଉତ୍ସାହିତ କରି ଆସୁଥିବା ଏବଂ ସେମାନଙ୍କର ପୃଷ୍ଠପୋଷକ ସାଜିଥିବା କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କୁ ହରାଇ ଓଡ଼ିଆ କବିତା ଜଣେ ପ୍ରିୟ ମୁରବିଙ୍କୁ ହରାଇଛି। ଏବେ ‘ଜେନ୍‌-ଜି’ର ଆଲୋଚନା ସବୁଠି। ସେଇ ନବାଗତମାନଙ୍କୁ ସେ ଦିନେ ଆହ୍ବାନ ଦେଇ ଗାଇ ଉଠିଥିଲେ:

‘‘...ନା, ଏଠି ହାରଜିତ ନାଇଁ, ସାମ୍ରାଜ୍ୟ ନାଇଁ, ସିଂହାସନ ନାଇଁ
ଶିଖର ବୋଲି କିଛି ନାଇଁ
କହୁଣେଇ ଉହୁଂକ ନାଇଁ, ଆସ,
ହାତ ମିଳାଅ, ବୁକୁ ମିଳାଅ।
...
ମଣିଷ ଭିତରେ ଆହୁରି ଆହୁରି ମାନବିକତା
ଭରିଦେ ଭରିଦେ ବୋଲି
ଆଜ୍ଞା ଦେଇ ପାରିବାନି ସିନା, ପ୍ରାର୍ଥନା କରିବା, ଆସ।
କଲମ ନଇଁଲେ ବଲମ ଉଠାଇବା କିଆଁ?
...
କବିତା ଯୁଦ୍ଧ ନୁହେଁ ପ୍ରେମ,
ଖେଳ ଆମ ଆରୋହଣ ନୁହେଁ ରିଲେ-
ଦୌଡ଼ି ଦୌଡ଼ି ନିର୍ଦ୍ଦିଷ୍ଟ ଗୋଟିଏ ବିନ୍ଦୁରେ
ଅପେକ୍ଷମାଣ ତରୁଣ ଖେଳୁଆଡ଼କୁ
କଲମଟି ବଢ଼େଇଦେଲେ ଆମର ଛୁଟି।’’

କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କର ସ୍ଥାନ ଓଡ଼ିଆ ସାହିତ୍ୟରେ ଅପୂରଣୀୟ ରହିବ, ସେଥିରେ ଆଦୌ ସନ୍ଦେହ ନାହିଁ। ତେବେ ଆମେ ଆଶା କରିବା, ସେ ଦିନେ ଫେରିବେ, ଫେରିବେ ସେ ଅନୁପ୍ରାଣିତ କରିଥିବା କୌଣସି ନୂଆ କବିର ସ୍ବରରେ, ନୂଆ ରୂପରେ। ସେ ତ କହିଥିଲେ, ‘‘ମନେହୁଏ, ମୋକ୍ଷ ବା ନିର୍ବାଣ କଳ୍ପନା ମାତ୍ର, ପୁନର୍ଜନ୍ମ ବି ଥାଏ କି ନଥାଏ ମୁଁ ଜାଣେନା। ଯଦି ଥାଏ, ମୁଁ ନିଶ୍ଚୟ ଫେରିବାକୁ ଚାହେଁ ଏଇ ପୃଥିବୀକୁ, ବାର ବାର, ଏବେ ବି...।’’ ତେଣୁ ଆଜି ଆମେ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କୁ ବିଦାୟ ଜଣାଇବା ସହ ତାଙ୍କୁ ଅପେକ୍ଷା କରିବା। 

ସ୍ମୃତିରେ ଥିବା ଗାଁ
ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଏକ ବଡ଼ ଗାଁ ରଂପେଲା ନିକଟସ୍ଥ ବତଲଗାରେ କବିଙ୍କର ଜନ୍ମ। ସେ ମଫସଲ ଗାଁରେ ନିମ୍ନ ପ୍ରାଥମିକ ସ୍କୁଲଟିଏ ବି ନଥିଲା। ତେଣୁ ତାଙ୍କ ପ୍ରାଥମିକ ପଢ଼ାପଢ଼ି  ହୋଇଥିଲା ଘରେ, ବାପାଙ୍କ ପାଖରେ। ଟିକିଏ ବଡ଼ହେବା ପରେ ରଂପେଲା ସ୍କୁଲରେ ନାଁ ଲେଖାହୋଇ ବିଧିବଦ୍ଧ ଶିକ୍ଷା ଆରମ୍ଭ ହୋଇଥିଲା। ସେଇ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ିବାବେଳେ ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇଥିଲା ସ୍କୁଲର ହାତଲେଖା ମୁଖପତ୍ର ‘ମଧୁପ’ରେ। ସେ ଛନ୍ଦବଦ୍ଧ କବିତାର ପ୍ରସଙ୍ଗ ଥିଲା ଈଶ୍ବରଙ୍କ ପ୍ରତି ସ୍ତବ। ତେବେ ସେ ଭଳି କବିତା ଷଷ୍ଠଶ୍ରେଣୀର ପିଲାଟିଏ ଲେଖିବା ଅସମ୍ଭବ ବୋଲି ସହକାରୀ ଶିକ୍ଷକ ସନ୍ଦେହ କରିଥିଲେ। କବିଙ୍କୁ ଡାକରା ଆସିଥିଲା ପ୍ରଧାନଶିକ୍ଷକଙ୍କ କୋଠରିରୁ। ଶିକ୍ଷକମାନଙ୍କ ଧମକାଣରେ କବି ମିଛ କହିଥିଲେ ଯେ କବିତାଟି ସେ ଲେଖି ନାହାନ୍ତି, ଗାଁରେ ହେଉଥିବା ଦାସକାଠିଆରେ ଗାୟକ ଗାଇଥିବା ଗୀତକୁ ସେ ମନେରଖି ଲେଖି ଦେଇଛନ୍ତି। ଚୋରି ଧରିବାରେ ନିଜର ପାରିବାପଣିଆକୁ ନେଇ ଶିକ୍ଷକ ଛାତି ଫୁଲାଉଥିବାବେଳେ କିଶୋର କବି ଲୁହ ଟଳମଳ ଆଖିରେ ସେଠୁ ଫେରିଥିଲେ। ତେବେ କବିଙ୍କ ପୈତୃକ ଗାଁ ଆଉ ନାହିଁ। ସେ ସପ୍ତମରେ ପଢୁଥିବାବେଳେ ହୀରାକୁଦ ନଦୀବନ୍ଧ ଯୋଜନାରେ ଯେଉଁ ୨୮୫ଟି ଗାଁର ଏକଲକ୍ଷରୁ ଅଧିକ ଲୋକଙ୍କୁ ବିସ୍ଥାପନ କରା ଯାଇଥିଲା, ତାଙ୍କ ଗାଁ ତା’ ଭିତରେ ଥିଲା।  ସେବେଠୁ ସେ ଗାଁ ହୀରାକୁଦ ଜଳଭଣ୍ଡାରର ପାଣିତଳେ।

ପ୍ରେମ ଓ ବିଦ୍ରୋହର କବି

ରାଜେନ୍ଦ୍ରଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବତଲଗା ଗ୍ରାମରେ। ପିତା- ନୀଳାଚଳ ବିହାରୀ ଓ ମାତା- ଯାଜ୍ଞସେନୀ। ହୀରାକୁଦ ଡ୍ୟାମ୍ ମଧ୍ୟରେ ତାଙ୍କ ଜନ୍ମସ୍ଥାନ ନିଶ୍ଚିହ୍ନ ହେବା ପରେ, ଝାରସୁଗୁଡ଼ାକୁ ତାଙ୍କର ପରିବାର ଚାଲିଆସିଥିଲେ। ସମ୍ବଲପୁର ଜିଲ୍ଲା ସ୍କୁଲରୁ ମାଟ୍ରିକ୍, ଗଙ୍ଗାଧର ମେହେର କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ, ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଶେଷ କରି ୧୯୬୭ରେ ସର୍ବଭାରତୀୟ ପ୍ରାଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଆଇ.ଏ.ଏସ୍. ଚାକିରିରେ ଓଡ଼ିଶାରେ ଅବସ୍ଥାପିତ ହୋଇଥିଲେ। ରାଜେନ୍ଦ୍ରଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି, ‘ଗୌଣ ଦେବତା’, ‘ଶତଦ୍ରୁ ଅନେକ’, ‘ଅନବତାର ଓ ଅନ୍ୟ ଅନ୍ୟ’, ‘ଘୂଣାକ୍ଷର’, ‘ନିଜ ପାଇଁ ନାନାବାୟା’, ‘ଚୌକାଠରେ ଚିରକାଳ’, ‘ଶୈଳକଳ୍ପ’ (୧୯୮୨ରେ ପ୍ରକାଶିତ ଓ ୧୯୮୫ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ), ‘ବହ୍ବାରମ୍ଭ’, ‘ଦ୍ରୋହବାକ୍ୟ’, ‘ବୈରାଗୀ ଭ୍ରମର’, ‘ଅନ୍ୟ‌ା’ (୧୯୮୮, ଶାରଳା ପୁରସ୍କାର ଓ ଭାରତୀୟ ଭାଷା ପରିଷଦର ସମ୍ମାନପ୍ରାପ୍ତ), ‘ଈଶଖେଳ’, ‘‘ସତ୍ୟୋତ୍ତର’, ‘ବୋଧିନଭ’, ‘ବହୁବ୍ରୀହି’ (କାବ୍ୟ କବିତା) ଏବଂ ‘ବିଦାଭାସ’ (ଉପନ୍ୟାସ)।

ବର୍ଣ୍ଣମାଳା ନାମକ ଏକ ଜାତୀୟ କାବ୍ୟାନୁଷ୍ଠାନ ଗଠନ ମାଧ୍ୟମରେ ସେ ସର୍ବଭାରତୀୟ କବି ସମ୍ମିଳନୀ ଆୟୋଜନ କରୁଥିଲେ। କଥିତ ଶବ୍ଦ ଓ ବ୍ୟାକରଣ ନିୟମରେ ନୂତନ ଶବ୍ଦଗୁନ୍ଥନ ତାଙ୍କର ବିଶେଷତ୍ବ। ଭାବଗତ ବୈଚିତ୍ର୍ୟ ଓ ଶବ୍ଦର ସୁପ୍ରଯୁକ୍ତି ତାଙ୍କୁ ନିଆରା କରି ଚିହ୍ନାଏ। ଏକାନ୍ତ ବ୍ୟକ୍ତିଗତ ଆବେଗ ଓ ଅନୁଭବକୁ ସେ ତୀବ୍ର ଭାବେ ଗୁମ୍ଫନ କରନ୍ତି। ତାଙ୍କର ଦୁଇଗୋଟି କବିତା ଗ୍ରନ୍ଥ ‘ଶୈଳକଳ୍ପ’ ଓ ‘ଅନ୍ୟା’ ଓଡ଼ିଆ କବିତା କ୍ଷେତ୍ରରେ ଯେ ସ୍ବତନ୍ତ୍ର, ଏହା ଯେ କୌଣସି ପାଠକ ସ୍ବୀକାର କରିବେ। ସମସ୍ତ କବିତା ସଂକଳନକୁ ସେ ‘ସାଦାପୃଷ୍ଠା’ ଶୀର୍ଷକରେ ଦୁଇଖଣ୍ଡରେ ପ୍ରକାଶ କରିଛନ୍ତି। ଏହା ଓଡ଼ିଆ ସାହିତ୍ୟର ପ୍ରଥମ ଇ-ଗ୍ରନ୍ଥା‌ବଳୀ। ସି.ଡି. ମାଧ୍ୟମରେ ‘ଚିଦାଭାସ’ ଉପନ୍ୟାସ ଉପଲବ୍‌ଧ। ଏହି ଇ-ଗ୍ରନ୍ଥାବଳୀରେ ‘ଚିଦାଭାସ’ ସହ ରହିଛି ଏକ ହଜାରରୁ ଅଧିକ ରାଜେନ୍ଦ୍ରୋକ୍ତି ଓ ସାକ୍ଷାତ୍‌କାର, କବିତା ସଂକ୍ରାନ୍ତ ପ୍ରବନ୍ଧ ଓ ଅଭିଭାଷଣ।

ଅନେକ କବିତା ଓ ଶବ୍ଦଗୁଡ଼ିକୁ ପୃଷ୍ଠାରେ ସଜାଇବା ପରେ କବି କହନ୍ତି, ‘ସାଦାତ୍ବ ହିଁ ସବୁ’। ଓଡ଼ିଆ କବିତାରେ ପ୍ରଥମ ଥର ପାଇଁ ପ୍ରଚୁର ଚିତ୍ର ସମ୍ବଳିତ କବିତା ପୁସ୍ତକ ‘ଅନ୍ୟା’ ୧୯୮୮ରେ ପ୍ରକାଶ ପାଇଛି। ପୁସ୍ତକ ପ୍ରକାଶ ଓ ସଜ୍ଜୀକରଣ କ୍ଷେତ୍ରରେ ରାଜେନ୍ଦ୍ର ବେଶ୍‌ କିଛି ପରୀକ୍ଷାନିରୀକ୍ଷା କରିଛନ୍ତି। ‘ଈଶଖେଳ’ ସଂକଳନରେ ମଧ୍ୟ ନୂତନତ୍ବର ଆଭାସ ନିହିତ। ଏହା ହେଉଛି, ମଣିଷ ଓ ଈଶ୍ବରଙ୍କ ମଧ୍ୟରେ ପ୍ରେମ କଳହର ମୁଖର ଉଚ୍ଚାରଣ। ଈଶ୍ବର ଦୃଷ୍ଟିର ବୈଚିତ୍ର୍ୟ ଓ ବିରୋଧାଭାସ ସଂକଳନଟିକୁ ସୁଖପାଠ୍ୟ କରିଛି। ‘ବହୁବ୍ରୀହି’ ସଂକଳନ ପେପର୍‌ବ୍ୟାକ୍‌ରେ ପ୍ରକାଶିତ ଓ ପରବର୍ତ୍ତୀ କାଳରେ ଏହାର ହିନ୍ଦୀ ଓ ଇଂରାଜୀ ଅନୁବାଦ ୧୯୯୮ରେ ସବନମ୍‌ ପୁସ୍ତକ ମହଲ ଦ୍ବାରା ପ୍ରକାଶିତ। ମୂଳ ଓଡ଼ିଆ ସଂକଳନଟି ଗଭୀର ଓ ମାର୍ମିକ ଉପଲବ୍‌ଧିରେ କବିଚେତନାର ନିସ୍ପୃହଣ ଓ ଆସକ୍ତିକୁ ଯୁଗପତ୍ ଚିହ୍ନାଇ ଦେଇଥାଏ। ‘ବୋଧିନଭ’ ସଂକଳନରେ ଓଡ଼ିଆ ସହ ଇଂରାଜୀ ରୂପାନ୍ତର ଏକ‌ତ୍ର ଗ୍ରଥିତ। ରାଜେନ୍ଦ୍ର କିଶୋର ବିଂଶ ଶତକ ଓ ଏକବିଂଶ ଶତକର ସନ୍ଧିକ୍ଷଣରେ ଅନ୍ୟତମ ପ୍ରତିଭାବାନ ଭାରତୀୟ କବିଭାବେ କାବ୍ୟଜଗତରେ ଭାସ୍ବର। ନୂତନ ତଥା ପାରମ୍ପରିକ ଶବ୍ଦ ସମ୍ଭାରରେ ଗ୍ରଥିତ ତାଙ୍କର କବିତା ଆବେଗ ଓ ପ୍ରଜ୍ଞାର ଯଥାଯଥ ପରିମାଣାତ୍ମକ ସଂଯୋଗରେ ସତେଜ ଓ ମର୍ମସ୍ପର୍ଶୀ।

ପ୍ରଥମ ମୁଦ୍ରିତ କବିତା ଓ ବହି
ସମ୍ବଲପୁର ଜିଲ୍ଲା ସ୍କୁଲରେ ଅଷ୍ଟମ-ନବମ ଶ୍ରେଣୀରେ ପଢ଼ିବାବେଳଠାରୁ ବିଧିବଦ୍ଧ ଭାବେ ତାଙ୍କର କବିତା ଲେଖା ଆରମ୍ଭ ହୋଇ ସାରିଥିଲା। କବିତା ଲେଖି ସେ ବିଭିନ୍ନ ପତ୍ରପତ୍ରିକାକୁ ପଠାଉଥିଲେ। ନବମ ଶ୍ରେଣୀରେ ପଢ଼ିବା ସମୟରେ ତାଙ୍କର ଏକ କବିତା ‘ଲାଜମୟୀ’ ପ୍ରକାଶିତ ହୋଇଥିଲା କୋଲକାତାର ‘ସିନେମା’ ପତ୍ରିକାରେ, ଯାହାକୁ ପ୍ରକୃତରେ ସେ ‘ଆସନ୍ତାକାଲି’ ପତ୍ରିକାକୁ ପଠାଇଥିଲେ। ଉଭୟ ପତ୍ରିକାର ସମ୍ପାଦକ ଥିଲେ ସମାନ ବ୍ୟକ୍ତି,  ସେ କବିତାଟିକୁ ‘ଆସନ୍ତାକାଲି’ ବଦଳରେ ‘ସିନେମା’ରେ ପ୍ରକାଶ କରି ଦେଇଥିଲେ। ତେବେ ସେଇ ପ୍ରଥମ କବିତାର ମୁଦ୍ରିତ ରୂପକୁ ଦେଖିବାର ସୁଯୋଗ ସ୍ବୟଂ କବି ପାଇ ନ ଥିଲେ। ତେଣୁ ୧୯୫୯ରେ ‘ବୈଜୟନ୍ତୀ’ରେ ପ୍ରକାଶିତ ‘ଶେଷ ରାତ୍ରି’କୁ ସେ ନିଜର ପ୍ରଥମ ମୁଦ୍ରିତ କବିତାର ମାନ୍ୟତା ଦେଉଥିଲେ। ୧୯୬୩ ମସିହାରେ ଗଙ୍ଗାଧର ମେହେର କଲେଜରେ ବିଏର ଛାତ୍ର ଥିବାବେଳେ ଛାତ୍ରବୃତ୍ତି ଅର୍ଥ ବିନିଯୋଗରେ ନିଜର ପ୍ରଥମ କବିତା ସଂକଳନ ‘ସସେମିରା’ ପ୍ରକାଶ କରିବାଲାଗି ସେ ଉଦ୍ୟମ କରିଥିଲେ। କିନ୍ତୁ ଅର୍ଥ ଶ୍ରାଦ୍ଧ ହେଲା ସିନା ପ୍ରେସ୍‌ ମ୍ୟାନେଜର କୁଆଡ଼େ ଉଭାନ ହୋଇଗଲେ। ତେଣୁ କବିଙ୍କର ପ୍ରଥମ କବିତା ସଂକଳନ ଭାବେ ପ୍ରକାଶିତ ହୋଇଥିଲା ‘ଗୌଣ ଦେବତା’  ୧୯୭୪-୭୫ ମସିହାରେ। 

ରାଜେନ୍ଦ୍ର ମୋର ଭଲ ବନ୍ଧୁ ଥିଲା। ଏହା ସହିତ ମୋର ସହପାଠୀ ଓ ସହକର୍ମୀ ମଧ୍ୟ ଥିଲା। ଆମେ ପରସ୍ପରର  ଲେଖାକୁ ମଧ୍ୟ ସମ୍ମାନ କରୁଥିଲୁ। ଆମ ସମସାମୟିକ କବିମାନଙ୍କ ଭିତରେ ରାଜେନ୍ଦ୍ରର ସ୍ବର ନିଜସ୍ବ ଥିଲା। ତା’ର କବିତାରେ ଅନ୍ୟ କୌଣସି କବିଙ୍କର ଲେଖାର ସ୍ପର୍ଶ ମଧ୍ୟ ମଁୁ କେବେ ଦେଖିନାହିଁ। ସେ ସମ୍ବଲପୁରରେ ଥିଲା ଏବଂ ମୁଁ କଟକ‌େର। କିନ୍ତୁ ଆମ କବିତା ଓ ବନ୍ଧୁତା ଭିତରେ ସେ ସୀମା ସରହଦ କେବେ ରହି ନଥିଲା। ମଁୁ କେବେ ଭାବି ନଥିଲି ସେ ଆମକୁ ଛାଡ଼ି ଚାଲିଯିବ। କାରଣ ଆଶା ଥିଲା, ସେ ହସ୍‌ପିଟାଲ୍‌ରୁ ଫେରିଲେ ଆଉ ଥରେ ଦେଖାହେବ। କିନ୍ତୁ ତାହା ଅଧା ହୋଇ ରହିଗଲା। ସେ କବିତାର ଲୋକ, ତେଣୁ ତାକୁ ସାଦାପୃଷ୍ଠାର ସମ୍ମାନ ଦେବା ଉଚିତ ଏବଂ ସେ ତା’ର ମୂଲ୍ୟ ମଧ୍ୟ ବୁଝିଥିଲା। 
- ଦେବଦାସ ଛୋଟରାୟ

ଶୈଳୀ, ଶବ୍ଦ ଚୟନ, ଶବ୍ଦର ନବରୂପାୟନ, ଅନନ୍ୟ, ବିରଳ, ଦକ୍ଷତା‌ର ସ୍ଥପତି ଥିଲେ ରାଜେନ୍ଦ୍ର କିଶୋର ପଣ୍ଡା। ଜୀବନର ପ୍ରତିଟି ପୃଷ୍ଠାରେ ନବଚେତନା, ଉନ୍ମେଷ, ବିକାଶ, ବାକ୍ୟ ବିଶ୍ଳେଷଣରେ ସଦା ପ୍ରୟାସ ଥିଲା ତାଙ୍କର। ସଂରୋଚନାରେ ସେ ଥିଲେ ଅନମନୀୟ ବ୍ୟକ୍ତିତ୍ବ। ସରଳ, ହସହସ ଭାବର ଅନ୍ତରାଳରେ ଲୁଚି ରହିଥିଲା ବୋଧେ ଗଭୀର ଅସନ୍ତୋଷ। ନୂତନ ପିଢ଼ିକୁ ଗଢ଼ିବା, ସାହିତ୍ୟ ଓ ସଂସ୍କୃତିକୁ ନୂତନ ସ୍ତରକୁ ବଢ଼ାଇବା ଦିଗରେ, ପ୍ରାଶାସନିକ ଜୀବନ ଓ ପରବର୍ତ୍ତୀ କାଳରେ ଅବ୍ୟାହତ ଥିଲା ତାଙ୍କ ଉଦ୍ୟମ। ସୁନିର୍ଦ୍ଦିଷ୍ଟ ଭାବରେ ବର୍ଣ୍ଣମାଳା ମାଧ୍ୟମରେ ଓଡ଼ିଆ କବି ଓ କବିତାକୁ ସମସ୍ତଙ୍କ ପାଖରେ ପ୍ରତିଷ୍ଠିତ କରାଇବା ଦିଗରେ ତାଙ୍କ ଅବଦାନ ଚିର ସ୍ମରଣୀୟ। ସମ୍ପର୍କ ୬୦ ବର୍ଷର, ତାଙ୍କୁ ମୋର ଅଶ୍ରୁ ପ୍ରଣାମ। 
- ଅମରେଶ ପଟ୍ଟନାୟକ

ରାଜେନ୍ଦ୍ର ଓଡ଼ିଆ କବିତା ଜଗତର ଜଣେ ନିର୍ବିକଳ୍ପ କବି। କବିତାରେ ଜୀବନ ଜିଉଁଥିବା, ଉଚ୍ଚାରଣରେ ଗାମ୍ଭୀର୍ଯ୍ୟ, ଓଁକାର ପରି ଶୁଭୁଥିବା ଶବ୍ଦ। ଓଡ଼ିଆ କବିତାକୁ ସ୍ମରଣୀୟ କରି ରଖିବା ତା’ର ଗାମ୍ଭୀର୍ଯ୍ୟରେ କବିତାକୁ ସ୍ମରଣୀୟ କରିଯାଇଥିବା କବି ହେଉଛନ୍ତି ରାଜେନ୍ଦ୍ର। ଓଡ଼ିଆ କବିତାର ସେ ଗୋଟେ ଶୈଳୀର ସ୍ରଷ୍ଟା। ରାଜେନ୍ଦ୍ରଙ୍କ କବିତାକୁ ପଢ଼ିଦେଲେ ସେ କବିତାର ଶିରୋନାମ ନ ଥିଲେ ମଧ୍ୟ ଜାଣି ହୋଇଯିବ ତାହା ରାଜେନ୍ଦ୍ରଙ୍କ କବିତା। ‌ଏହା ହେଉଛି ରାଜେନ୍ଦ୍ରଙ୍କ ଶୈଳୀ, ବୈଚିତ୍ର୍ୟ ଓ ଅନୁଭବ। 
- ବିପିନ ନାୟକ 

ତାଙ୍କୁ ମଁୁ ବହୁ ବର୍ଷ ଧରି ଜାଣିଛି। ସେ ଆଧୁନିକ କବିତାର ଜଣେ ଦିଗ୍‌ଦର୍ଶକ ଥିଲେ। ହଠାତ୍‌ ତାଙ୍କର ଦେହାନ୍ତ ଆମ ସମସ୍ତଙ୍କୁ ଚକିତ କରିଦେଇଛି। ଆଜି ସାହିତ୍ୟଘର ସ୍ତବ୍ଧ। ତାଙ୍କ କବିତାର ‌ଶୌର୍ଯ୍ୟ, ଦ୍ରୋହ ତା ସହ ସେ କବିତା ଜଗତକୁ ରୁଦ୍ଧିମନ୍ତ କରି ଯାଇଛନ୍ତି। ତାଙ୍କର ଅବଦାନ ଓଡ଼ିଆ ସାହିତ୍ୟ ଜଗତକୁ ସ୍ମରଣୀୟ କରିଯାଇଛି।
- ଆଶୁତୋଷ ପରିଡ଼ା

କେନ୍ଦ୍ରାପଡ଼ାର ବିଶିଷ୍ଟ କବି ଦୀପକ ମିଶ୍ରଙ୍କର ଘନିଷ୍ଠ ବନ୍ଧୁ ଥିଲେ ରାଜେନ୍ଦ୍ର କିଶୋର ପଣ୍ଡା। ଆଧୁନିକ ଅମଳର କବି ରମାକାନ୍ତ, ସିତାକାନ୍ତ, ସୌଭାଗ୍ୟ ମିଶ୍ରଙ୍କ ଭଳି ‌ରାଜେନ୍ଦ୍ର ମଧ୍ୟ ଥିଲେ ଜଣେ ବିଶିଷ୍ଟ କବି। ଏମାନେ ଆଧୁନିକ ଓଡ଼ିଆ କବିତାଜଗତର ଧାରାକୁ ‌ସେ ଏକ ସ୍ବତନ୍ତ୍ର ରୂପ ଦେଇଥିଲେ। ଯେଉଁ ଧାରାକୁ ଆମେ ଏ ପର୍ଯ୍ୟନ୍ତ ଅନୁସରଣ କରୁଛୁ। ଦୀପକ ମିଶ୍ର କହୁଥିଲେ, ରାଜେନ୍ଦ୍ର ପଣ୍ଡା ତାଙ୍କ ଶବ୍ଦର ପୌରୁଷ ପାଇଁ ଚିରକାଳ ବଞ୍ଚିରହିବେ। ଆଧୁନିକ କବିତାରେ ସେ ନୂଆ ଶବ୍ଦ ଗଢ଼ୁଥିଲେ ଓ ସେ ଶବ୍ଦର ଗାମ୍ଭୀର୍ଯ୍ୟ ଏତେ ଗରିଷ୍ଟ ଥିଲା ଯେ ଆମେମାନେ ସେ ପ୍ରଭାବରୁ ମୁକ୍ତ ହୋଇ ପାରୁ ନ ଥିଲେ। ଆମେ ତାଙ୍କୁ ଆଜି ହରେଇଛୁ କିନ୍ତୁ ତାଙ୍କ କବିତା ତାଙ୍କୁ ଚିରକାଳ ପାଇଁ ବଞ୍ଚାଇ ଦେଇ ଯାଇଛି।
- ଅପର୍ଣ୍ଣା ମହାନ୍ତି