େସ କେବେ ଜୋର୍ କରି ମୂଲକ ଅସୁଲ କରିନାହାନ୍ତି। ଦଣ୍ଡାବାଳୁଙ୍ଗା ନୁହେଁ, ବାଦ୍ଶାହା ହୋଇ ଜୀବନ ଜିଇଁଛନ୍ତି। ସେ ଅଭିନେତା ଭାବେ ଦର୍ଶକଙ୍କ ମନ ମୋହିଛନ୍ତି। ପୁଣି ମଣିଷପଣିଆ ଦେଖାଇ ଅଜାତଶତ୍ରୁ ହୋଇଛନ୍ତି। ସଫଳତାରେ ଶୀର୍ଷରେ ପହଞ୍ଚିଥିଲେ ସତ, କିନ୍ତୁ ଅହଙ୍କାରର ଜନ୍ମଦାତା ହୋଇନଥିଲେ। ରାଜା ଭଳି ଜୀବନକୁ ଭରପୂର ଉପଭୋଗ କରିଛନ୍ତି, ପୁଣି କଳାଯାତ୍ରାର ପଥିକ ହୋଇ ସାଥୀ କଳାକାରଙ୍କୁ ଆଗକୁ ବଢ଼ିବାର ରାସ୍ତା ଦେଖାଇଛନ୍ତି। ଅଭିନେତା ଭାବେ ବଞ୍ଚିବା ସହ ରାଜନେତା ଓ ବ୍ୟବସାୟୀ ହେବାକୁ ଚେଷ୍ଟା କରିଛନ୍ତି। କଳା ତାଙ୍କୁ ଛାଡ଼ିନାହିଁ କି କଳାକୁ ସେ କେବେ ଛାଡ଼ି ପାରିନାହାନ୍ତି। ଆଜି ଏହି ଧ୍ରୁବତାରା ଅସ୍ତମିତ। ସିନେଜଗତରେ ୪ ଦଶନ୍ଧିରୁ ଅଧିକ ସମୟର କାଳଜୟୀ ଯାତ୍ରା ତାଙ୍କୁ ସ୍ମରଣୀୟ କରି ରଖିବ। ସେ କେବେ ଅସ୍ତମିତ ନୁହେଁ, ଉଦିତ ଉତ୍ତମ ହୋଇ ହିଁ ରହିବେ।
ସସ୍ମିତା ସାହୁଙ୍କ ଆଲେଖ୍ୟ
ନୂଆ, ପୁରୁଣା ଓ ପରଦେଶୀ
ସବୁ ନାୟିକାଙ୍କ ସହ ଜମିଛି ଯୋଡ଼ି
ରୋମାଣ୍ଟିକ୍ ହିରୋ ଉତ୍ତମ ମହାନ୍ତି ଓଡ଼ିଆ ସିନେଜଗତର ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠାରୁ ସୁନ୍ଦର, ଆକର୍ଷଣୀୟ ଚେହେରା ଅଟନ୍ତି। ସେ ଏମିତି ଜଣେ ଅଭିନେତା ଯାହାଙ୍କ ସହ ସମସ୍ତଙ୍କ ଯୋଡ଼ି ବେଶ୍ ଜମେ। ସେ ଓଡ଼ିଆ ହୁଅନ୍ତୁ ଅବା ବଙ୍ଗାଳୀ ବା ବିଦେଶିନୀ ସମସ୍ତଙ୍କ ନାୟକ ସାଜି ଦର୍ଶକଙ୍କୁ ଉଚ୍ଚକୋଟୀର ଚଳଚ୍ଚିତ୍ର ଉପହାର ଦେଇଛନ୍ତି ଉତ୍ତମ। ଅଭିନେତ୍ରୀ ମହେଶ୍ବତା ରାୟ, ଅପରାଜିତା, ରଚନା ବାନାର୍ଜୀ, ସୁଜାତା, ତନ୍ଦ୍ରା ରାୟ, ଅନୀତା, ବୈଶାଳୀ, ସୁଭଦ୍ରା ପତି ଓ ଦୀପା ଭଳି ଅଭିନେତ୍ରୀଙ୍କ ବିପକ୍ଷରେ ନାୟକ ସାଜିଥିବା ଉତ୍ତମ ସର୍ବାଧିକ ବିଦେଶୀ ନାୟିକାଙ୍କ ସହ ବି କାମ କରିଛନ୍ତି। ୧୯୮୫ରେ ମୁକ୍ତିଲାଭ କରିଥିବା ‘ଜ୍ବାଇଁପୁଅ’ରେ ଉତ୍ତମଙ୍କ ପ୍ରଥମ କରି ବଙ୍ଗାଳୀ ନାୟିକାଙ୍କ ସହ କାମ କରିଥିଲେ। ସେ ଥିଲେ ବଙ୍ଗ ସୁନ୍ଦରୀ ମିଠୁ ମୁଖାର୍ଜୀ। ଏହାପରେ ‘ଜୟଦେବ’ ଚଳଚ୍ଚିତ୍ରରେ ବି ବଙ୍ଗୀୟ ଅଭିନେତ୍ରୀ ଶର୍ମିଳା, ୧୯୮୮ରେ ‘ସୁନା ଚଢ଼େଇ’ରେ ଅର୍ଚ୍ଚନା ଯୋଗେଲକର୍, ବଙ୍ଗୀୟ ନାୟିକା ଶତାବ୍ଦୀ ରାୟଙ୍କ ସହ ଚଳଚ୍ଚିତ୍ର ‘ନାଗଜ୍ୟୋତି’ ଓ ହିନ୍ଦୀ ଫିଲ୍ମ ‘ନୟା ଜହର’ ରେ ଉତ୍ତମ ମହାନ୍ତି କାମ କରିଛନ୍ତି। ‘ଦଇବ ଦଉଡ଼ି’ରେ ଉତ୍ତମ ମହାନ୍ତିଙ୍କ ବିପକ୍ଷରେ ନାୟିକା ବନିଥିଲେ ଦକ୍ଷିଣୀ ଅଭିନେତ୍ରୀ ରେଖା ରାଓ।
ଏହି ଯୋଡ଼ି ପୁଣି ‘କଳକୀ ଅବତାର’ରେ ନଜର ଆସିଥିଲେ। ‘ପରଦେଶୀ ଚଢ଼େଇ’ରେ ବିଦେଶିନୀ ନାୟିକା ଅରମିଣ୍ଟାଙ୍କ ସହ ରୋମାନ୍ସ କରିଥିଲେ ଉତ୍ତମ। ‘ଚକା ଆଖି ସବୁ ଦେଖୁଛି’ରେ ଦକ୍ଷିଣ ଭାରତୀୟ ଶ୍ରୀପ୍ରଦାଙ୍କ ସହ ‘ଆମ ଘର ଆମ ସଂସାର’ରେ ଅଭିନେତ୍ରୀ ପ୍ରଯକ୍ତାଙ୍କ ସହ ରୋମାନ୍ସ ବି କିଛି କମ୍ ଆକର୍ଷକ ନ ଥିଲା। ‘କନ୍ୟାଦାନ’ ଚଳଚ୍ଚିତ୍ରରେ ସୋମା ମୁଖାର୍ଜୀଙ୍କ ସହ ବି ଜମିଥିଲା ଉତ୍ତମଙ୍କ ଯୋଡ଼ି। ଉତ୍ତମଙ୍କ ସହ ଅନ୍ସ୍କ୍ରିନ୍ ରୋମାନ୍ସ କରିଥିବା ଅନ୍ୟ ନାୟିକାମାନେ ହେଲେ ଶେହନାଜ୍ (ଅନ୍ୟାୟ ସହିବି ନାହିଁ), ପାପିୟା ଅଧିକାରୀ (ମିଛ ମାୟା ସଂସାର), ଅନୁରାଧା (ଚକାଡୋଳା କରୁଛି ଲୀଳା), କୀର୍ତ୍ତି (ମାଆ ଯାହାର ସାହା), ନୟନା ଦାସ (ଏମିତି ଭାଇ ଜଗତେ ନାହିଁ), ସହେଲି ମୁଖାର୍ଜୀ (ସତମିଛ), ଜୟଶ୍ରୀ (କାଳଚକ୍ର), ଦେବଶ୍ରୀ ରାୟ (ବାଦ୍ଶାହା), ରେଶ୍ମା (ଭୀଷ୍ମପ୍ରତିଜ୍ଞା) ଏବଂ ସୁଚେତା ମୁଖାର୍ଜୀ (ଏ ଯୁଗର କୃଷ୍ଣସୁଦାମା)।
ବାଃ ବାଃ ବାଃ କେମିତି ମଜା, ଟିକି ରାଣୀକୁ କୁନିଆ ରଜା...
ଉତ୍ତମ ଅପରାଜିତାଙ୍କ ବିବାହ ସମୟରେ ‘ଚିତ୍ରଲହରୀ’ ଚଳଚ୍ଚିତ୍ର ପତ୍ରିକାରେ ଉଭୟଙ୍କ ବିବାହ ଫଟୋ ସହ ଫଟୋ କ୍ୟାପ୍ସନ୍ରେ ବାହାରିଥିଲା ବାଃ ବାଃ ବାଃ କେମିତି ମଜା, ଟିକି ରାଣୀକୁ କୁନିଆ ରଜା...। ସବୁଠାରୁ ମଜାଦାର କଥା ହେଉଛି ଏହି ପତ୍ରିକାର ସମ୍ପାଦକ ଥିଲେ ନିଜେ ମିହିର ଦାସ। ଏହି ପତ୍ରିକା କଟକରୁ ପ୍ରକାଶିତ ହେଉଥିବା ବେଳେ ଚଳଚ୍ଚିତ୍ର ଜଗତର ବହୁ ରୋଚକ କଥା ଏଥିରେ ପ୍ରକାଶ ପାଉଥିଲା। ‘ଅଶାନ୍ତ ଗ୍ରହ’ ଚଳଚ୍ଚିତ୍ରର ସୁଟିଂ ଚାଲିଥିଲା ବେଳେ ଉତ୍ତମ ଓ ଅପରାଜିତାଙ୍କର ପ୍ରଥମ ଦେଖା ହୋଇଥିଲା। ଆଉ ତା’ ପରେ ପରେ କିଛି ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିବା ପରେ, ଅପରାଜିତାଙ୍କ ପ୍ରେମରେ ପଡ଼ିଯାଇଥିଲେ ଉତ୍ତମ ମହାନ୍ତି। ତେବେ ଅପରାଜିତାଙ୍କୁ ବିବାହ ପାଇଁ ରାଜି କରିବାକୁ ଉତ୍ତମଙ୍କୁ ପ୍ରାୟ ୫ ବର୍ଷ ଲାଗିଯାଇଥିଲା। ଉତ୍ତମ କେବେ ବି ଅପରାଜିତାଙ୍କୁ ପ୍ରେମ ନିବେଦନ କରିନଥିଲେ, ବରଂ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲେ। ଆଉ ୧୯୮୭ ମସିହା ମେ’ ୧୭ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇଥିଲେ। ଭୁବନେଶ୍ୱରର ମ୍ୟୁନିସିପାଲଟି ଅତିଥି ଭବନରେ ଏହି ବିବାହ ହେଇଥିଲା। ଆଉ ବିବାହର ୨ ବର୍ଷ ପରେ, ଅର୍ଥାତ୍ ୧୯୮୯ ମସିହାରେ ଉତ୍ତମ ଆଉ ଅପରାଜିତାଙ୍କ କୋଳକୁ ଆସିଥିଲେ, ବର୍ତ୍ତମାନର ଓଲିଉଡ୍ ସୁପରଷ୍ଟାର ବାବୁଶାନ୍ ମହାନ୍ତି।
ତ୍ୟାଗ, ପରିଶ୍ରମ ଓ ସମର୍ପଣ ଦ୍ବାରା ହୋଇଥିଲେ ସୁପରଷ୍ଟାର: ସିଦ୍ଧାନ୍ତ
ପିଲାଦିନେ ଘରେ ଘରେ ଆମେ ଦୁଇଟି ସୁପରଷ୍ଟାରଙ୍କ ନାଁ ଶୁଣିଥିବା। ଜଣେ ଥିଲେ ବିଜୟ ମହାନ୍ତି ଓ ଅନ୍ୟ ଜଣେ ଉତ୍ତମ ମହାନ୍ତି। ଟିଭି ପରଦା ଛଡ଼ା ୧୯୮୩ ମସିହାରେ ତାଙ୍କ ସହ ମୋର ପ୍ରଥମ ଦେଖା ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଏକ ମନ୍ଦିରରେ। ମୁଁ ସେତେବେଳେ ସ୍କୁଲରେ ପଢ଼ୁଥାଏ ଓ ମୁଁ ସ୍କୁଲ ଯିବା ରାସ୍ତାରେ ଏକ ମନ୍ଦିରରେ ସେ ସୁଟିଂ କରୁଥିଲେ। ସେତେବେଳେ ତାଙ୍କୁ କେବଳ ଦୂରରୁ ଦେଖିବାର ସୁଯୋଗ ମିଳିଥିଲା। ଏହାର ଠିକ୍ ୧୦ ବର୍ଷ ପରେ ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ ଚଳଚ୍ଚିତ୍ରର ସୁଟିଂ ସେଟ୍ରେ ତାଙ୍କ ସହ ମୋର ସାମ୍ନାସାମ୍ନି ଦେଖି ହୋଇଥିଲା। ସେଇଠୁ ତାଙ୍କ ସହ ମୋର ଚିହ୍ନାପରିଚୟ ହୋଇଥିଲା। ଉତ୍ତମ ଭାଇ ଥିଲେ ବାରିପଦାର ଓ ମୋ ମା’ ବି ଥିଲେ ସେଠାକାର। ଏଣୁ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା। ଏଥିସହ ଟିକି ଅପାଙ୍କ ମା’ଙ୍କ ସହ ମୋ ଭଉଣୀ ଶାଶୂ ଶଶୁରଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା। ଏଣୁ ଉତ୍ତମ ଭାଇଙ୍କ ପରିବାର ସହ ଆମ ସମ୍ପର୍କ ଆହୁରି ନିବିଡ଼ତର ହୋଇଥିଲା। ଉତ୍ତମ ଭାଇ ଥିଲେ ସେ ସମୟର ସବୁଠାରୁ ବଡ଼ ସୁପରଷ୍ଟାର। ତଥାପି ତାଙ୍କ ଶାନ୍ତ, ନିରବ ଓ ବିନ୍ଦାସ୍ ହାବଭାବ ଫଳରେ ଆମକୁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ କାମ କରିବାର ସୁଯୋଗ ମିଳିଥିଲା। ଏହି ୩୦ ବର୍ଷରେ ତାଙ୍କ ସହ ମୋର ବହୁ ସ୍ମୃତି ଓ ଅନୁଭୂତି ରହିଛି। ସେ ମୋର ବଡ଼ ଭାଇ ଭଳି ଥିଲେ। କୌଣସି ସାମାଜିକ ଗଣମାଧ୍ୟମ ଦ୍ବାରା ନୁହେଁ, କଠିନ ପରିଶ୍ରମ, ଅଧ୍ୟବ୍ୟସାୟ ଓ ସମର୍ପଣ ଦ୍ବାରା ଅର୍ଜନ କରିଥିବା ସୁପରଷ୍ଟାରିଜମ୍ର ସେ ଥିଲେ ଦାୟଦ।
ସୁପରଷ୍ଟାର୍ ଅର୍ଥ ମୋ ପାଇଁ ଉତ୍ତମ ମହାନ୍ତି: ସବ୍ୟସାଚୀ
ଉତ୍ତମ ସାର୍ଙ୍କ ସହ ‘ତୁ ମୋରି ପାଇଁ’ ଚଳଚ୍ଚିତ୍ରରେ କାମ କରିଥିଲି। ସେବେଠାରୁ ତାଙ୍କ ସହ ମୋର ନିବିଡ଼ତା। ସେ ଯେତେବେଳେ ବି ଦେଖନ୍ତି ଭାରି ପ୍ରେରଣା ଦିଅନ୍ତି। ‘ଆରେ ବାବା ବଢ଼ିଆ କାମ କରୁଛୁ, ଆହୁରି କାମ କରିଚାଲେ’... ଦେଖାହେଲେ ସେ ନିହାତି ଏ କଥା କୁହନ୍ତି। ଉତ୍ତମ ସାର୍ ଏମିତି ମଣିଷ ଥିଲେ, ଯାହାଙ୍କୁ ସୁଟିଂ ସେଟ୍ରେ ବରିଷ୍ଠଙ୍କଠାରୁ କନିଷ୍ଠ, ପ୍ରଯୋଜକଙ୍କଠାରୁ ନେଇ ଟେକ୍ନିସିଆନ୍ଙ୍କ ପର୍ଯ୍ୟନ୍ତ ସମସ୍ତେ ଭଲପାଆନ୍ତି ଏବଂ ସମସ୍ତଙ୍କ କଥା ବି ଉତ୍ତମ୍ ସାର୍ ବୁଝନ୍ତି। ସେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଏଭଳି ଜଣେ କଳାକାର ଯାହାଙ୍କ ମୁଣ୍ଡକୁ କେବେ ସଫଳତା ଚଢ଼ିନାହିଁ। ଜଣେ ନିରହଙ୍କାରୀ ମଣିଷ ଭାବେ ସେ ସ୍ବତନ୍ତ୍ର। ଛୋଟିଆ ଗୋଟେ ସଫଳତା ଆଜିକା କଳାକାରଙ୍କୁ ଅହଙ୍କାରୀ କରିଦେଉଥିବା ବେଳେ ଉତ୍ତମ ସାର୍ ହେଉଛନ୍ତି ସେମାନଙ୍କ ପାଇଁ ଏକ ଉଦାହରଣ। ସେ ହେଉଁଠି ରୁହନ୍ତି, ସେଠି ଉତ୍ସବ ହୁଏ। ବିବାଦ, ଝଗଡ଼ା ଆଦିରେ ଉତ୍ତମ ସାର୍ଙ୍କ ନାମ ନଥିବା ତାଙ୍କର ସଫଳତାର ସବୁଠାରୁ ବଡ଼ ଉଦାହରଣ।
ଅଧୁରା ରହିଗଲା ରାଜନେତା ହେବା ସ୍ବପ୍ନ
ଅଭିନୟରେ ବିପୁଳ ଲୋକପ୍ରିୟତା ପରେ ସମସ୍ତେ ରାଜନେତା ହେବାକୁ ଚାହାନ୍ତି। ଫଳରେ ଜନତାଙ୍କ ବିପୁଳ ସମର୍ଥନ ପାଇ ଲୋକସଭା ବା ବିଧାନସଭାରେ ଲୋକଙ୍କ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳେ। ଏହିକ୍ରମରେ ପୋଖତ ଅଭିନେତା ଉତ୍ତମ ବି ଦିନେ ରାଜନୀତିକୁ ଓହ୍ଲାଇଥିଲେ। ୨୦୦୦ ମସିହା ପରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ‘ଓଡ଼ିଶା ଗଣ ପରିଷଦ’ ଜରିଆରେ ସେ ପ୍ରଥମେ ରାଜନୀତିରେ ପାଦ ଥାପିଥିଲେ। କିନ୍ତୁ ସେଥିରେ ସେ ବିଶେଷ ସକ୍ରିୟ ନଥିେଲ। ଏହାପରେ ୨୦୧୪ ମସିହା ମାର୍ଚ୍ଚ ୧୨ରେ ଉତ୍ତମ ଆନୁଷ୍ଠାନିକ ଭାବେ ‘ବିଜୁ ଜନତା ଦଳ’ରେ ଯୋଗ ଦେଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଦଳରେ ଯୋଗ ଦେଇଥିଲେ ଉତ୍ତମ। ସେହିବର୍ଷ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ସେ ଶଙ୍ଖ ଧରିଥିଲେ। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଥିଲା କି ଯେଉଁ ବର୍ଷ ଉତ୍ତମ ବିଜେଡିରେ ଯୋଗ ଦେଇଥିଲେ ସେହିବର୍ଷ ତାଙ୍କ ପତ୍ନୀ ଅପରାଜିତା ମହାନ୍ତି ମଧ୍ୟ କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ସେହିବର୍ଷ ଉତ୍ତମଙ୍କୁ ବିଜେଡିରୁ ଟିକେଟ୍ ମିଳିନଥିଲା ଓ ସେ ଦଳର ଷ୍ଟାର୍ ପ୍ରଚାରକ ଭାବେ ମଇଦାନକୁ ଓହ୍ଲାଇଥିଲେ।
ହିନ୍ଦୀ ସିନେମାରେ ବି ଅଭିନୟ କରିଥିଲେ
ଉତ୍ତମ ମହାନ୍ତି କେବଳ ଓଡ଼ିଆ ନୁହେଁ ବଙ୍ଗଳା ସହ ଗୋଟିଏ ହିନ୍ଦୀ ସିନେମାରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ। ହିନ୍ଦୀ ସିନେମା ‘ନୟା ଜହର’ରେ ସେ ଅଭିନୟ କରିଥିଲେ। ୧୯୯୧ ମସିହାରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା। ଯାହାକୁ ନିର୍ଦ୍ଦେଶନା ଦେଇଥିଲେ ଜ୍ୟୋତି ସରୂପ। ଉତ୍ତମଙ୍କ ସହ ଏହି ଚଳଚ୍ଚିତ୍ରରେ ମହାଭାରତର ଅର୍ଜୁନ ଭୂମିକାରେ ଆସିଥିବା ଅଭିନେତା ଅର୍ଜୁନ ଓ ଶତାବ୍ଦୀ ରାୟ, ନବୀନ ନିଶ୍ଚଳ ପ୍ରମୁଖ ଅଭିନୟ କରିଥିଲେ। ବରିଷ୍ଠ ଅଭିନେତା ସ୍ୱର୍ଗତ ସାଧୁ ମେହେରଙ୍କ ପରେ ସେ ଏକମାତ୍ର ଓଡ଼ିଆ ଅଭିନେତା ଭାବେ ଏକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ।