ଚକୁଳି ମାଉସୀଙ୍କୁ ଶ୍ରଦ୍ଧାଞ୍ଜଳି

ଚକୁଳି ମାଉସୀ ନାଁ ଶୁଣିଲେ ମନରେ ଆପେଆପେ ଆଙ୍କିହୋଇଯିବ ପାକୁଆ ପାଟିରେ ଧାରେ ହସି ଶାଳପତ୍ର ଠୋଲାରେ ଗରମାଗରମ ଚକୁଳି ପିଠାସାଙ୍ଗକୁ ନାଲି ଚଟଣୀ ହାତକୁ ବଢ଼ାଇଦେଉଥିବା ମାଉସୀର ମୁହଁ। ପିଲାଠୁ ବୁଢ଼ା ସଭିଙ୍କ ପାଇଁ ସେ ଥିଲେ ଚକୁଳି ମାଉସୀ। କଟକର ନନ୍ଦୀସାହିରେ ରହୁଥିବା ଅନ୍ନପୂର୍ଣ୍ଣା ସାହୁ ୧୯୭୪ ମସିହାରେ ସ୍ବାମୀଙ୍କ ସହ ମିଶି ବରା, ଚକୁଳି ଓ ବିଭିନ୍ନ ପ୍ରକାରର ମିଠା ବ୍ୟବସାୟ ଆରମ୍ଭ କଲେ। ପାଖରେ ଏତେ ସମ୍ବଳ ନଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ୍ ମିତ୍ର ତାଙ୍କୁ ସାହାଯ୍ୟ କରିଥିଲେ।

୧୯୯୯ ମହାବାତ୍ୟାରେ ସ୍ବାମୀଙ୍କ ମୃତ୍ୟୁପରେ ନିଜର ୫ପିଲାଙ୍କୁ ମଣିଷ କରିବା ପାଇଁ ଅନ୍ନପୂର୍ଣ୍ଣା ଏକାକୀ ଏହି ବ୍ୟବସାୟ ଚଳାଇଲେ। ମାତ୍ର ପାଞ୍ଚଟଙ୍କାରେ ହାତ ତିଆରି ସୁଆଦିଆ ଚକୁଳି ଓ ଚଟଣୀ ଖାଇବାକୁ ଲୋକଙ୍କର ଲମ୍ବାଧାଡ଼ି ଲାଗେ। ସକାଳ ୬ଟାରୁ ଦୋକନ ଖୋଲନ୍ତି ମାଉସୀ। ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଲମ୍ବାଧାଡ଼ି ଲାଗେ ମାଉସୀ ଘର ଆଗରେ। ବାମ୍ଫଦିଆ ପତଳା ଚକୁଳି ସାଙ୍ଗକୁ ଶିଳବଟା ରସୁଣ, ଧନିଆ ଓ ଲଙ୍କା ମିଶା ନାଲି ଚଟଣୀ ଯିଏ ଖାଇଛି ତା’ର ସ୍ବାଦ ସେ ପାଇଛି। କିନ୍ତୁ ଦୁଃଖର ବିଷୟ ଗତ ୧ତାରିଖ ଦିନ ଅନ୍ନପୂର୍ଣ୍ଣା ସାହୁଙ୍କର ପରଲୋକ ଘଟିଛି। ଜୀବନର ଶେଷ ପର୍ଯ୍ୟନ୍ତ ଲୋକଙ୍କୁ ଖୁଆଇବାର ପଣ କରିଥିବା ମାଉସୀ ଏବେ ସବୁଦିନ ପାଇଁ ନିରବୀ ଯାଇଛନ୍ତି। ଶେଷଯାଏ ନିଜ କଥା ରଖିଥିବା ଚକୁଳି ମାଉସୀଙ୍କୁ ଏବେ ସବୁ କଟକିଆ ନିଜ ସକାଳ ଜଳଖିଆ ସମୟରେ ତାଙ୍କୁ ଖୋଜିବେ ନିଶ୍ଚୟ।

ସମ୍ବନ୍ଧିତ ଖବର