ଶିବାବତାର ଭଗବତ୍ପାଦ ଆଚାର୍ଯ୍ୟଶଙ୍କର ୨୦୦୦ ବର୍ଷ ତଳେ ଯାହା ତାଙ୍କ ରଚିତ ‘ଭଜ ଗୋବିନ୍ଦମ୍’ରେ କହିଥିଲେ
‘ପୁନରପି ଜନମଂ ପୁନରପି ମରଣଂ
ପୁନରପି ଜନନୀ ଜଠରେ ଶୟନମ’
ତାହାକୁ ସରଳ ଭାବରେ ଭାଗବତକାର ସନ୍ଥ ଜଗନ୍ନାଥ ଦାସ କହିଲେ
‘ମର୍ତ୍ୟ ମଣ୍ଡଳେ ଦେହ ବହି
ଦେବତା ହୋଇଲେ ମରଇ’
ଦେଖୁ ଦେଖୁ ଓଡ଼ିଶାର ଜଣେ ଲୋକପ୍ରିୟ ଡାକ୍ତର, ବନ୍ଧୁବତ୍ସଳ, ସମାଜସେବୀ, ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ଦେହାନ୍ତ ହେବା ୧୧ ଦିନ ହୋଇଗଲା। ସଂସାରରେ କିଏ କେତେ ଦିନ ବଂଚିବ ତାହା ବଡ଼ କଥା ନୁହେଁ। ଜୀବନକାଳ ମଧ୍ୟରେ ସେ କେତେ ବନ୍ଧୁ ଅର୍ଜନ କରିଛି ତାହା ହିଁ ବଡ଼ କଥା। କବିବର ରାଧାନାଥ ରାୟ ଲେଖି ଯାଇଛନ୍ତି।
‘ତୁମ ମାଟିଦେହ ଗ୍ରାସିଛି ଶ୍ମଶାନ,
ହେଲେ ଯଶୋଦେହେ ତୁମ୍ଭେ ଆୟୁଷ୍ମାନ’
ଡାକ୍ତର ଜଗନ୍ନାଥ ମହାପାତ୍ର, ଭୁବନେଶ୍ୱର ସହରରେ ଏକ ଅତ୍ୟନ୍ତ ପରିଚିତ ନାମ। ୮୪ ବର୍ଷ ଜୀବନ କାଳରେ ସେ କେବଳ ଭୁବନେଶ୍ୱରରେ ବୋଧେ କଟାଇଛନ୍ତି ଅନ୍ୟୁନ ୭୦ ବର୍ଷ। କଟକ ଜିଲ୍ଲା ସାଲେପୁର ଥାନା ନିଶ୍ଚିନ୍ତ କୋଇଲି ବ୍ଲକର କେନ୍ଦ୍ରାପଡ଼ା କେନାଲ ଓ ଲୁଣାନଦୀ କୂଳରେ ଏକ ଗାଁ ତରିତୋ ଶାସନରେ ମା’ ଦୁଲରଥ ଦେବୀଙ୍କ କୋଳ ମଣ୍ଡନ କରିଥିଲେ,୧୯୩୯ ମସିହା ଜାନୁଆରୀ ୧୪ ତାରିଖରେ, ପିତା କାଶୀନାଥ ଜଣେ ନିମ୍ନମଧ୍ୟବିତ୍ତ ପରିବାରର। ବାଲ୍ୟ ଜୀବନରୁ ଅତ୍ୟନ୍ତ ଝଡ଼ଝଞ୍ଜା ଭିତରେ ସେ ଗତି କରିଥିଲେ। ଚାଟଶାଳୀ ପାଠ, ତା’ ପରେ ଘର ପାଖ ଅସୁରେଶ୍ୱର ହାଇସ୍କୁଲରେ ୮ମ ପାସ କରି, ଆର୍ଥିକ ଅନଟନ ଭିତରେ, ଭୁବନେଶ୍ୱର ଆସି କ୍ୟାପିଟାଲ ହାଇସ୍କୁଲରେ ପାଠ ପଢ଼ିଲେ। ଜଗନ୍ନାଥ ସେବେଠାରୁ ଆଉ ପଛକୁ ଚାହିଁ ନାହାନ୍ତି। ନିଜର ନିଷ୍ଠା ଓ ଦୃଢ଼ ସଂକଳ୍ପ ପାଇଁ ସେ ଜଣେ ଡାକ୍ତର ଭାବେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକରୁ ଉତ୍ତୀର୍ଣ୍ଣ ହୋଇ, ୧୯୬୮ ମସିହାରେ ଆଡହକ୍ ଚାକିରି ପାଇଥିଲେ।
ଡାକ୍ତର ଭାବେ ସେବାକୁ ନିଜ ଜୀବନର ଧ୍ୟେୟ ମନେକରି ସରକାରୀ ଚାକିରିରେ ଥାଇ ମଧ୍ୟ, ଲୋକ ସଂପର୍କ ରକ୍ଷାକରିବାରେ ସେ ଥିଲେ ଜଣେ ଅତ୍ୟନ୍ତ ବିରଳ ବ୍ୟକ୍ତିତ୍ୱ। ପରକୁ ଆପଣାର କରିବାର କଳା ତାଙ୍କ ପାଖରେ ଥିଲା। ସେ, ଥିଲେ ଜଣେ ଖୋଲା ହୃଦୟର ମଣିଷ। ରୋଗୀ ସେବା କରିବା ସମୟରେ ସେ କେବେ ନିଜର, ପର ଭାବନ୍ତି ନାହିଁ। ସମସ୍ତଙ୍କ ପ୍ରତି ତାଙ୍କର ବ୍ୟବହାର ଥିଲା ପ୍ରାୟତଃ ସମାନ। ଜଗା ଭାଇନାଙ୍କ ସହ ମୋର ଦୀର୍ଘ ୪୩ ବର୍ଷର ସଂପର୍କ, ଭାଇନାଙ୍କ ସହ ମୋତେ ପରିଚିତ କରାଇ ଦେଇଥିଲେ ମୋର ରାଜନୈତିକ ଗୁରୁ ଡ. ହରେକୃଷ୍ଣ ମହତାବ। ସେବେଠାରୁ ସେ ମୋତେ ଛାଡ଼ି ନାହାନ୍ତି କି ମୁଁ ତାଙ୍କୁ ଛାଡ଼ିନି। ଓଡ଼ିଶା ଆର୍ଯ୍ୟ ସମାଜର ସେ ଜଣେ ବଳିଷ୍ଠ ପୃଷ୍ଠପୋଷକ ଥିଲେ। ଭାରତୀୟ ମହାବୋଧି ସମିତିରେ ମୁଁ ତାଙ୍କୁ ଆଜୀବନ ସଦସ୍ୟ କରାଇଥିଲି।
ଡା. ଜଗନ୍ନାଥ ମହାପାତ୍ରଙ୍କର ଗୋଟିଏ ଭଲ ଗୁଣ ଥିଲା। ସେ କୌଣସି କଥାରେ ନା’ କରନ୍ତି ନାହିଁ। ସ୍ୱାମୀ ଶିବାନନ୍ଦଙ୍କ ଗୁରୁବାଣୀ ‘Be Positive’ର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ। ଭୁବନେଶ୍ୱର ପୌର ସଭାରେ ଅଧ୍ୟକ୍ଷ ହେବାପରେ ଆଶୀର୍ବାଦ ନେବାପାଇଁ ସେ, ସ୍ୱର୍ଗତ ସନ୍ତୋଷ କୁମାର ସାହୁଙ୍କ ଘରକୁ ଆସିଥିଲେ, ମୁଁ ପୂର୍ବତନ ମନ୍ତ୍ରୀ ଲକ୍ଷ୍ମଣ ମଲ୍ଲିକ, ଗଙ୍ଗାଧର ମହାପାତ୍ର, ଅଧ୍ୟାପକ କୈଳାସ ଆଚାର୍ଯ୍ୟ ସେଠାରେ ବସିଥାଉ। ଭାଇନା କହିଲେ, ଆଜ୍ଞାମାନେ ମୋତେ ଆଶୀର୍ବାଦ କରନ୍ତୁ, ମୁଁ ଭଲ କାମ କରେ। ସେଇଠି ସ୍ୱର୍ଗତ ସାହୁ, ପୂର୍ବତନ ସାଂସଦ କହିଲେ ‘ଜଗନ୍ନାଥ ବାବୁ, ଆଗ ସଂକଳ୍ପ କର ‘ମୁଁ ଡାକ୍ତରୀ ପେସା କୌଣସି ପରିସ୍ଥିତିରେ ଛାଡ଼ିବି ନାହିଁ’ ତାହାହିଁ ସେ ସେଦିନ ସଂକଳ୍ପ କରିଥିଲେ ଓ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ରୋଗୀ ସେବା କରୁଥିଲେ। ଏହିଭଳି ଜଣେ ମହାନ ଆତ୍ମାଙ୍କୁ ମୁଁ କୋଟି କୋଟି ପ୍ରଣାମ ଜଣାଉଛି। ଓଁ ଶାନ୍ତି।