ଅମିୟ ପଟ୍ଟନାୟକଙ୍କ ବିୟୋଗରେ ଶୋକ

ଅମିୟଙ୍କ ଅନୁପସ୍ଥିତି ଚଳଚ୍ଚିତ୍ର ଜଗତ ସବୁବେଳେ ଅନୁଭବ କରିବ: ମୁଖ୍ୟମନ୍ତ୍ରୀ

ଅମିୟ ରଂଜନ ପଟ୍ଟନାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ସେ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦେଶକ ଅମିୟ ପଟ୍ଟନାୟକଙ୍କ ପରଲୋକ ଖବର ପାଇ ମୁଁ ମର୍ମାହତ। ତାଙ୍କ ନିର୍ମିତ ଚଳଚ୍ଚିତ୍ର ସବୁ ବର୍ଗର ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଉଥିଲା। କ୍ୟାମେରାର ପ୍ରଚ୍ଛଦପଟରେ ତାଙ୍କର ଅନୁପସ୍ଥିତି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସବୁବେଳେ ଅନୁଭବ କରିବ।

ଚଳଚ୍ଚିତ୍ର ଜଗତରେ ଅନନ୍ୟ ଛାପ ଛାଡ଼ି ଦେଇ ଯାଇଛନ୍ତି: ଧର୍ମେନ୍ଦ୍ର

କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ବନାମଧନ୍ୟ ବ୍ୟକ୍ତିତ୍ବ ଅମିୟ ପଟ୍ଟନାୟକଙ୍କ ବିୟୋଗରେ ମୁଁ ମର୍ମାହତ। ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜକ ଓ ଶିଳ୍ପପତି ଭାବେ ସେ ଅନନ୍ୟ ଛାପ ଛାଡ଼ି ଦେଇ ଯାଇଛନ୍ତି। ଶ୍ରୀ ପ୍ରଧାନ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସାଂସ୍କୃତିକ ଦୁନିଆରେ ଶୂନ୍ୟସ୍ଥାନ ସୃଷ୍ଟି ହେଲା: ସଂସ୍କୃତି ମନ୍ତ୍ରୀ

ଅମିୟ ପଟ୍ଟନାୟକଙ୍କ ବି‌ୟୋଗରେ ଓଡ଼ିଶାର ସାଂସ୍କୃତିକ ଦୁନିଆରେ ଏକ ଶୂନ୍ୟସ୍ଥାନ ‌ସୃଷ୍ଟି ହୋଇଛି। ଚଳଚ୍ଚିତ୍ର, ନାଟକ, ଧାରାବାହିକ ଦୁନିଆରେ ତାଙ୍କର ଅବଦାନକୁ କେହି ଭୁଲିପାରିବେ ନାହିଁ। ପୁଣି ବିଭିନ୍ନ ସାଂସ୍କୃତିକ ସଂଗଠନ ସହ ସେ ଜଡ଼ିତ ରହି ଓଡ଼ିଆ ସଂସ୍କୃତିର ଉତ୍‌ଥାନ ପାଇଁ ସେ କାର୍ଯ୍ୟ କରୁଥିଲେ ବୋଲି ଶୋକବାର୍ତ୍ତାରେ କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ତାଙ୍କ ସହ ପ୍ରଥମ ସାକ୍ଷାତ ଭାରି ମନେ ପଡ଼ୁଛି
୧୯୮୪ ମସିହାରେ ଅମିୟ ପଟ୍ଟନାୟକଙ୍କ ସହ ସଂଯୋଗବଶତଃ ଦେଖାହେଲା। ବ୍ୟୟବହୁଳ ଡ୍ରାମା କରି ସେ ସେତେବେଳେ ଚର୍ଚାରେ ଥିଲେ। ଦେଖାହେବା ପରେ ମତେ କହିଥିଲେ ଏକ ଫିଲ୍ମ କରିବା। ମୁଁ କହିଥିଲି କରିବା ଯଦି ଏକ ଭଲ କାହାଣୀକୁ ନେବା। ସବୁ ଥୟ ହେବା ପରେ ବିଭୂତି ପଟ୍ଟନାୟକଙ୍କ କାହାଣୀକୁ ନେଇ ‘ହାକିମ୍‌ ବାବୁ’ ଚଳଚ୍ଚିତ୍ର ନିର୍ମାଣ କଲୁ। ଆଜି ତାଙ୍କୁ ଦେଖିଲା ବେଳକୁ ପ୍ରଥମ ସାକ୍ଷାତ ମନେ ପଡ଼ିଯାଉଛି।
ପ୍ରଣବ ଦାସ (ହାକିମ୍‌ ବାବୁ ଚଳଚ୍ଚିତ୍ରର ନିର୍ଦେଶକ)

ଚଳଚ୍ଚିତ୍ରର ସ୍ତମ୍ଭ ଭୁଶୁଡ଼ି ପଡ଼ିଛି
ଓଡ଼ିଶା ମଞ୍ଚ ଓ ଚଳଚ୍ଚିତ୍ରର ସ୍ତମ୍ଭ ଆଜି ଭୁଶୁଡ଼ି ପଡ଼ିଛି। ଏଥିରେ ମଞ୍ଚ ଓ ଓଡ଼ିଆ ଚଳଚ୍ଚିତ୍ର ଉଭୟ କ୍ଷତିଗ୍ରସ୍ତ। ଏ ପରିସ୍ଥିତି ବଦଳିବା
ଭାରି କଷ୍ଟ।
ପ୍ରଶାନ୍ତ ନନ୍ଦ (ଅଭିନେତା, ନିର୍ଦେଶକ)

ଓଡ଼ିଆ ସିନେ ଜଗତରୁ ଭଲ ମଣିଷଟେ ଚାଲିଗଲେ
ନାଟକ, ଟେଲିଭିଜନ୍‌ ଓ ସିନେମାକୁ ପ୍ରଯୋଜକ ନୁହେଁ ବରଂ ଅତି ଭଲ ପାଉଥିବା ମଣିଷଟିଏ ଥିଲେ। ତାଙ୍କ ନିର୍ଦେଶିତ ନାଟକ ଯେ ଏତେ ବ୍ୟୟବହୁଳ ହୋଇପାରେ ତାହା ଶୁଣି ଆମେ ଚମତ୍କୃତ ହେଉଥିଲୁ। ସିନେମାର ପ୍ରଚାର ପାଇଁ ହେଲିକପ୍ଟରରେ ଲିଫ୍‌ଲେଟ୍‌ ଉଡ଼ାଇ ସେ ଆଉ ଏକ ଛାପ ଛାଡ଼ି ଦେଇଥିଲେ। ଓଏଫ୍‌ଡିସିର ଅଧ୍ୟକ୍ଷ ହିସାବରେ ଏତିକି କହିବି, ଓଡ଼ିଆ ସିନେ ଜଗତରୁ ଆଉ ଜଣେ ଭଲ ମଣିଷ ଚାଲିଗଲେ।
କୁନା ତ୍ରିପାଠୀ (ଅଭିନେତା, ଓଏଫ୍‌ଡିସି ଅଧ୍ୟକ୍ଷ)

ସିନେ ଜଗତର ନିଷ୍କପଟ ବ୍ୟକ୍ତିତ୍ବ
ଅମିୟ ଭାଇ ସିନେ ଜଗତର ନିଷ୍କପଟ ବ୍ୟକ୍ତିତ୍ବ। ସେ ଥିଲେ ହୃଦୟର ମଣିଷ। କଳାକାର, ଟେକ୍ନିସିଆନ୍‌ଙ୍କ ମୁହଁ ଦେଖି ଦୁଃଖ ବୁଝିପାରୁଥିଲେ। ସିନେ ଜଗତରେ ତାଙ୍କ ଅନୁପସ୍ଥିତି ସିନେ ଜଗତ ପାଇଁ ବିରାଟ କ୍ଷତି।
ମଳୟ ମିଶ୍ର (ସଂଗୀତ ନିର୍ଦେଶକ)

ତାଙ୍କ ଅଭାବ ସବୁବେଳେ ଅନୁଭୂତ ହେବ
ପ୍ରଯୋଜନା କ୍ଷେତ୍ରରେ ତାଙ୍କଠୁ ଅନେକ କିଛି ଶିଖିଛୁ। ଓଡ଼ିଆ‌ ଚଳଚ୍ଚିତ୍ରରେ ଯେଉଁମାନେ ଫିଲ୍ମ ପ୍ରଯୋଜନା କରୁଛନ୍ତି ସେମାନେ ଫିଲ୍ମ ଫାଇନାନ୍‌ସର ହୋଇପାରନ୍ତି କିନ୍ତୁ ଅମିୟ ପଟ୍ଟନାୟକ ଥିଲେ ପ୍ରକୃତ ପେସାଦାର ପ୍ରଯୋଜକ। ଓଡ଼ିଆ ସିନେ ଶିଳ୍ପ ତାଙ୍କ ଭଳି ଜଣେ ବ୍ୟକ୍ତିତ୍ବର ଅଭାବ ସବୁବେଳେ ଅନୁଭବ କରିବ।
ସଂଜୟ ନାୟକ (ପ୍ରଯୋଜକ)

ସେ ଅମର ରହିବେ
ଚଳଚ୍ଚିତ୍ର ଜଗତ‌କୁ ଅମିୟ ପଟ୍ଟାନାୟକଙ୍କ ଅବଦାନ କେତେ, ତାହା ଭିନ୍ନ କଥା। କିନ୍ତୁ ମଣିଷ ମୃତ୍ୟୁ ପରେ ବି ବଞ୍ଚି ରହେ ତାହାର ବ୍ୟକ୍ତିତ୍ବ, ବ୍ୟବହାର ଓ ଲୋକସମ୍ପର୍କରେ। ସେମିତି ଜଣେ ମଣିଷ ଥିଲେ ଅମିୟ ପଟ୍ଟନାୟକ। ସେ ଅମର ହୋଇ ରହିବେ ଆମ୍ଭମାନଙ୍କ ହୃଦୟରେ।
ଶ୍ରୀତମ ଦାସ (ଅଭିନେତା)

ସମ୍ବନ୍ଧିତ ଖବର