ଅଶୀ ଦଶକର ମଧ୍ୟଭାଗର କଥା। ‘ସମ୍ବାଦ’ ପକ୍ଷରୁ ପ୍ରକାଶିତ ହେଉଥାଏ ରଙ୍ଗିନ ସିନେମା ପତ୍ରିକା ‘ସିନେ ସମ୍ବାଦ’। ଏହି ପତ୍ରିକାରେ ପ୍ରକାଶିତ ଏକ ପ୍ରଚ୍ଛଦ ପ୍ରସଙ୍ଗର ଶିରୋନାମା ଥିଲା- ‘ଉତ୍ତମ ସର୍ବୋତ୍ତମ’। କହିବା ବାହୁଲ୍ୟ, ଏହା ଓଡ଼ିଆ ସିନେମାର ସୁପର୍ଷ୍ଟାର୍ ଉତ୍ତମ ମହାନ୍ତିଙ୍କ ଉପରେ ହିଁ ପର୍ଯ୍ୟବସିତ ଥିଲା।
ଆଜି ଯେତେବେଳେ ଆମେ ଓଡ଼ିଆ ସିନେମାର ମହାନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗରେ ତାଙ୍କ ସ୍ମୃତିଚାରଣ କରୁ, ସେତେବେଳେ ତାଙ୍କ ବହୁବର୍ଣ୍ଣା ବ୍ୟକ୍ତିତ୍ବର ବିଭିନ୍ନ ଦିଗ ଆମକୁ ଆକର୍ଷିତ କରେ। ଅସଲରେ ସେ ହିଁ ଥିଲେ ତାଙ୍କ ସମୟର ସର୍ବୋତ୍ତମ ନାୟକ।
ସତୁରି ଦଶକର ଶେଷ ଭାଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉତ୍ତମଙ୍କର ଆବିର୍ଭାବ ହୁଏ। ସେ ସମୟରେ ହିନ୍ଦୀ ଚଳଚ୍ଚିତ୍ର ପରିସରରେ ‘ଡ୍ୟାନ୍ସିଂ ଷ୍ଟାର୍’ର ଚିନ୍ତାଧାରା କ୍ରମଶଃ ଲୋକପ୍ରିୟ ହେଉଥାଏ। ଆଉ ଓଡ଼ିଆ ଛବିରେ ସେହି ଜାତୀୟ ଧାରାର ପ୍ରତିନିଧି ସାଜନ୍ତି ଉତ୍ତମ। ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ଡ୍ୟାନ୍ସିଂ ଷ୍ଟାର୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିସହ ତତ୍କାଳୀନ ବଲିଉଡ୍ରେ ଜଣେ ହିରୋର ପରିଭାଷା ଯାହା ଥିଲା, ଉତ୍ତମ ସେ ସବୁ ବୈଶିଷ୍ଟ୍ୟର ଅଧିକାରୀ ଥିଲେ। ଆକର୍ଷଣୀୟ ମୁହଁ, ସୁଗଠିତ ଶରୀର, ଯୁଗୋପଯୋଗୀ କେଶବିନ୍ୟାସ, ମନଜିଣା ହସ ଓ ସ୍ବକୀୟ ଶୈଳୀର ଚାଲି ତାଙ୍କୁ ଯୁବପିଢ଼ିଙ୍କ ନିକଟତର କରିଥିଲା। ସେ ପାଲଟିଥିଲେ ଓଡ଼ିଆ ଦର୍ଶକଙ୍କ ପସନ୍ଦର ଚେହେରା। ଗୋଟିଏ ସିନେମାକୁ ବ୍ୟାବସାୟିକ ସଫଳତା ଦେବାରେ ଜଣେ ନାୟକଠାରୁ ଯାହା ଆଶା କରାଯାଉଥିଲା-ରୋମାନ୍ସ, ଆକ୍ସନ୍ ଓ ଡ୍ୟାନ୍ସ, ସେ ଦିଗରେ ଓଡ଼ିଆ ସିନେ-ଶିଳ୍ପରେ ସେ ଥିଲେ ଅଦ୍ବିତୀୟ।
୧୯୭୭ରେ ପ୍ରଥମ ଛବି ‘ଅଭିମାନ’ ଠାରୁ ଆରମ୍ଭ କରି ନାୟକ ଭାବେ ତାଙ୍କର ଶେଷ ଛବି ୨୦୦୩ର ‘ଏ ଯୁଗର କୃଷ୍ଣସୁଦାମା’ ପର୍ଯ୍ୟନ୍ତ ଚଳଚ୍ଚିତ୍ରର ବିଷୟବସ୍ତୁ ଓ ଚରିତ୍ରକୁ ଯଦି ଆମେ ପରଖିବା, ତେବେ ଦେଖିବା ଉତ୍ତମଙ୍କ ଭଳି ସବୁ ଧରଣର ଭୂମିକାରେ ସଫଳ ହୋଇଥିବା ଅଭିନେତାଙ୍କ ସଂଖ୍ୟା ନଗଣ୍ୟ। ‘ଫୁଲଚନ୍ଦନ’ ଓ ‘ଚକାଭଉଁରୀ’ ଭଳି ପ୍ରେମ କାହାଣୀ, ‘ସମୟ ବଡ଼ ବଳବାନ୍’, ‘ସହରୀ ବାଘ’, ‘ଜୋର୍ ଯା’ର ମୁଲକ ତା’ର’ ଓ ‘ପୁଅ ମୋର କଳାଠାକୁର’ ଭଳି ଆକ୍ସନ୍ ଫିଲ୍ମରୁ ନେଇ ‘ତୁଣ୍ଡବାଇଦ’ ଓ ‘ଶାସ୍ତି’ ଭଳି ସାମାଜିକ ସନ୍ଦେଶ ଥିବା କାହାଣୀରେ ପ୍ରମୁଖ ଚରିତ୍ରରେ ଆସି ସେ ଦର୍ଶକ ସ୍ବୀକୃତି ଲାଭ କରିଛନ୍ତି। ସେହିଭଳି ପୌରାଣିକ ଓ ଐତିହାସିକ କାହାଣୀରେ ବି ଉତ୍ତମ ନିଜକୁ ସର୍ବୋତ୍ତମ ପ୍ରମାଣିତ କରିଛନ୍ତି। ଓଡ଼ିଆ ‘ରାମାୟଣ’ରେ ରାମ, ‘ଭକ୍ତ ସାଲବେଗ’ରେ ସାଲବେଗ ଓ ‘ଜୟଦେବ’ରେ କବି ଜୟଦେବ ଭୂମିକାରେ ଉତ୍ତମଙ୍କ ଅଭିନୟକୁ ଓଡ଼ିଆ ଦର୍ଶକ ସାଦରେ ଗ୍ରହଣ କରିଛନ୍ତି। ରହସ୍ୟ ରୋମାଞ୍ଚ କାହାଣୀ ସମ୍ବଳିତ ଛବି ‘ପଳାତକ’, ‘ନିଝୁମ୍ ରାତିର ସାଥୀ’ ଓ ‘ଦେଖ୍ ଖବର ରଖ୍ ନଜର’ରେ ବି ସେ ନିଜକୁ ସଫଳ ପ୍ରମାଣିତ କରିଛନ୍ତି। ‘ଭାଗ୍ୟ ହାତେ ଡୋରି’, ‘ଯାହାକୁ ରଖିବେ ଅନନ୍ତ’ ଓ ‘ଲକ୍ଷ୍ମଣ ରେଖା’ରେ ଉତ୍ତମ ଆଣ୍ଟି-ହିରୋ ଭୂମିକାରେ ଅଭିନୟ କରି ସଫଳ ହୋଇଛନ୍ତି। ଯଦି ଚରିତ୍ର ଅଭିନୟ ବିଭାଗରେ ତାଙ୍କୁ ଆମେ ପରଖିବା ତେବେ ‘ଯଶୋଦା’, ‘ମୋ କୋଳ ତୋ ଝୁଲଣା’, ‘କଳ୍କୀ ଅବତାର’, ‘ରକତ ଚିହ୍ନିଚି ନିଜର କିଏ’, ‘ମା’ ପରି କିଏ ହେବ’, ‘ମୋ ମନ ଖାଲି ତୋରି ପାଇଁ’ ଓ ‘କଳାମାଣିକ’ ଆଦି ଛବିରେ ସେ ଦର୍ଶକଙ୍କ ମନ ଜିଣିଛନ୍ତି। ଏହି ଦୃଷ୍ଟିରୁ ସେ ନିଜକୁ ଜଣେ ପୂର୍ଣ୍ଣାଙ୍ଗ ଅଭିନେତା ଭାବରେ ପ୍ରତିପାଦିତ କରିଛନ୍ତି।
ଅନ୍ୟପକ୍ଷରେ ଜଣେ କଳାକାରର ଯେଉଁସବୁ ସ୍ବଭାବ ତାକୁ ଅନ୍ୟମାନଙ୍କ ନିକଟରେ ପରିଚିତ କରାଏ ଏବଂ ସଦ୍ଦିଚ୍ଛା ସାଉଁଟିବାରେ ସଫଳ କରାଏ, ସେ ସବୁର ଅଧିକାରୀ ବି ଥିଲେ ସେ। କ୍ୟାମେରା ପଛରେ ଉତ୍ତମ ଥିଲେ ଜଣେ ସ୍ନେହୀ ଓ ଦରଦୀ ମଣିଷ। ଅଭିନୟ ତାଙ୍କର ପେସା ଥିଲେ ବି ଏହାକୁ ସେ ନିଶା ଭାବେ ଉପଭୋଗ କରୁଥିଲେ। ଅନେକ କ୍ଷେତ୍ରରେ ସେ ନିଜର ପାରିଶ୍ରମିକ ନେଇ କୋହଳ ମନୋଭାବ ପୋଷଣ କରୁଥିଲେ। ବାସ୍ତବ ଜୀବନରେ ଉତ୍ତମ ଜଣେ ବିବେକବାନ୍ ମଣିଷ ଭାବେ ନିଜକୁ ଉପସ୍ଥାପିତ କରିଛନ୍ତି। କିଛିବର୍ଷ ତଳେ ଘରେ ପୁଅବୋହୂଙ୍କ ଭିତରେ ଯେତେବେଳେ ବିବାଦ ସୃଷ୍ଟି ହୋଇଥିଲା, ସେ ନିଜ ବୋହୂକୁ ସମର୍ଥନ କରି ଜଣେ ଭଲ ବାପା ଓ ଶ୍ବଶୁର ବୋଲି ପ୍ରମାଣ ଦେଇଥିଲେ।
ଉତ୍ତମ ଥିଲେ ଅଜାତଶତ୍ରୁ। ଫିଲ୍ମ ଶିଳ୍ପରେ ଦୀର୍ଘ ଚାରି ଦଶନ୍ଧି କାର୍ଯ୍ୟ କରିବା ଭିତରେ କାହାସହ ତାଙ୍କର ଦୀର୍ଘସୂତ୍ରୀ ଶତ୍ରୁତା ଥିବା ଶୁଣାଯାଇନାହିଁ। ସେହିପରି ଜଣେ ସଫଳ ନାୟକ ଭାବେ ସେ ନୂଆ ନୂଆ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ସବୁ ସମୟରେ ପ୍ରୋତ୍ସାହିତ କରି ଆସିଛନ୍ତି। ବହୁ ନୂଆ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ପ୍ରଥମ ସିନେମାରେ ସେ ନାୟକ ସାଜି ସେମାନଙ୍କୁ ସଫଳତାର ରାସ୍ତାରେ ବାଟ କଢ଼ାଇଛନ୍ତି। ବୋଧହୁଏ ଉତ୍ତମ ମହାନ୍ତି ଥିଲେ ‘ଜୟଦେବ ପୁରସ୍କାର’ ପାଇବାରେ ସର୍ବକନିଷ୍ଠ। ୧୯୭୭ରେ କ୍ୟାରିଅର୍ ଆରମ୍ଭ କରିଥିବା ଉତ୍ତମଙ୍କୁ ୧୯୯୯ରେ ରାଜ୍ୟର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ତମଙ୍କର ଏକ ନିର୍ଲିପ୍ତ ଆକଳନ ତାଙ୍କୁ ଆପଣା ପରିସରର ଜଣେ ‘ସର୍ବୋତ୍ତମ’ ବ୍ୟକ୍ତିତ୍ବ କହିବାର ଦାବି ରଖେ।
-ସାତ୍ତ୍ବିକ ଜୀବନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/02/FYetidVNG6PxdNTzXfPe.jpg)