‘ଛୋଟ କାଶୀ’ର ତ୍ରିପୁରା ସୁନ୍ଦରୀ

ରାଜସ୍ଥାନ : ରାଜସ୍ଥାନ ଅନ୍ତର୍ଗତ ବାଂସଓ୍ଵାଡ଼ା ‘ଛୋଟ କାଶୀ’ ଭାବେ ସୁପରିଚିତ। ଏହି ଧର୍ମ କ୍ଷେତ୍ରରେ ବହୁ ଛୋଟ-ବଡ଼ ମନ୍ଦିର ଅଛି। ତନ୍ମଧ୍ୟରୁ ତ୍ରିପୁରା ସୁନ୍ଦରୀ ମନ୍ଦିର ଅନ୍ୟତମ। ମାଆ ତ୍ରିପୁରା ସର୍ବମଙ୍ଗଳା। ସେ ମଙ୍ଗଳମୟୀ ଏବଂ ସମସ୍ତ ମଙ୍ଗଳର ନିଧି। ସେ କରୁଣାମୟ କରୁଣାର ଅବତାର। ସେ ଭଗବାନ୍‌ ଶିବଙ୍କ ଆଦ୍ୟାଶକ୍ତି ଶିବା ଏବଂ ଦୁର୍ଗତିନାଶିନୀ ମାଆ ଦୁର୍ଗା। ସେ ସର୍ବମନ୍ତ୍ରୟୀ ଓ ସତ୍ୟାନନ୍ଦ ସତ୍ୟରୂପିଣୀ। ବାଂସଓ୍ଵାଡ଼ାଠାରୁ ପ୍ରାୟ ସତର କିଲୋମିଟର୍‌ ଦୂରରେ ତଲଓ୍ଵାଡ଼ା ଗ୍ରାମରେ ତ୍ରିପୁରା ସୁନ୍ଦରୀ ମନ୍ଦିର ଅବସ୍ଥିତ। ମନ୍ଦିର ପ୍ରାଚୀନ ଓ ଅର୍ବାଚୀନ କଳା ସଙ୍ଗମର ଅପୂର୍ବ ନିଦର୍ଶନ। ମନ୍ଦିର ଭିତରେ ପୂଜାପାଉଛନ୍ତି କଳା ମୁଗୁନି ପଥରରେ ତିଆରି ମାଆଙ୍କର ଅଷ୍ଟାଦଶଭୁଜା ପ୍ରତିମା। ସ୍ଥାନୀୟ ଲୋକଙ୍କ ଭାଷାରେ ସେ ‘ତ୍ରିପୁରା ସୁନ୍ଦରୀ ତରତଈ ମାତା’। ମନ୍ଦିର ନିକଟରେ ସମ୍ରାଟ୍‌ କନିଷ୍କଙ୍କ ଅମଳର ଏକ ଶିବଲିଙ୍ଗଙ୍କ ଉପସ୍ଥିତିରୁ ଏହାର ପ୍ରାଚୀନତା ଅନୁମେୟ। ସଂଭବତଃ, ମୂଳ ମନ୍ଦିର ପ୍ରାକ୍‌-କନିଷ୍କକାଳୀନ। ପରବର୍ତ୍ତୀ କାଳରେ କଳେବର ପରିବର୍ଦ୍ଧିତ-ସଂପ୍ରସାରିତ। ମନ୍ଦିର ଆଖ-ପାଖରେ ଏକଦା ଲୁହା ଖନି ଥିଲା। ପାଞ୍ଚାଳ ସଂପ୍ରଦାୟର ଲୋକେ ଲୌହ ଉତ୍ତୋଳନ କରୁଥିଲେ। ୧୧୫୭ରେ ଏହି ସଂପ୍ରଦାୟର ମୁଖିଆ ଚାନ୍ଦା ଭାଈ ଉପାତା ଲୁହାର, ମନ୍ଦିରର ଜୀର୍ଣ୍ଣ ଦ୍ୱାରର ପୁନଃଉଦ୍ଧାର କରାଇଥିଲେ। ତାହା ପରଠାରୁ ବିଭିନ୍ନ ସମୟରେ ସ୍ଥାନୀୟ ପାଞ୍ଚାଳ ସମାଜ ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଉଥିବା ଜଣାଯାଏ।

ସମ୍ବନ୍ଧିତ ଖବର