ଭଟ୍ଟାରିକା: କଟକ ଜିଲ୍ଲାର ବଡ଼ମ୍ବାରେ ରହିଛି ପ୍ରସିଦ୍ଧ ଶକ୍ତିପୀଠ ମା’ ଭଟ୍ଟାରିକାଙ୍କ ମନ୍ଦିର। ଏହା ତନ୍ତ୍ରପୀଠ ଭାବେ ମଧ୍ୟ ପରିଚିତ। ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ତ୍ରିପୁରାସୁନ୍ଦରୀ ମହାମାୟା ମା’ ଭଟ୍ଟାରିକା ଲଳିତାସନରେ ଉପବେସନ କରିଛନ୍ତି। ବାମହସ୍ତରେ ରହିଛି ନାଡ଼ଯୁକ୍ତ ପଦ୍ମଫୁଲ, ଦକ୍ଷିଣହସ୍ତ ବରଦ ମୁଦ୍ରାରେ। ମା’ଙ୍କ ଦୁଇପାର୍ଶ୍ୱରେ ଅଛନ୍ତି ଅଷ୍ଟ ଅଙ୍ଗରକ୍ଷୀ। ମା’ ଦୁଇ ଭୁଜା, ଦୁର୍ଗା, ବିରଜାଙ୍କ ପରି ପ୍ରାଚୀନ। ଅବ୍ରାହ୍ମଣ-ମାଳି ପୂଜକମାନେ ରାଜରାଜେଶ୍ୱରୀ ମହାମାୟା ତ୍ରିପୁରାସୁନ୍ଦରୀ, ସିଦ୍ଧଭଟ୍ଟାରିକା ଉଚ୍ଚାରଣ କରି ଦୁର୍ଗାମନ୍ତ୍ରରେ ମା’ଙ୍କ ପୂଜା କରନ୍ତି।
କିମ୍ବଦନ୍ତି ଓ ପୌରାଣିକ ତଥ୍ୟ ଅନୁସାରେ ଭଗବାନଙ୍କ ଷଷ୍ଠ ଅବତାର ପର୍ଶୁରାମ ମାତୃହତ୍ୟା ଦୋଷରୁ ମୁକ୍ତି ପାଇବା ସହ ଦୁଷ୍ଟ କ୍ଷତ୍ରୀୟମାନଙ୍କୁ ବିନାଶ କରିବା ପାଇଁ ମାତୃଶକ୍ତିର ଶରଣ ବାଞ୍ଛା କଲେ। ନାନା ସ୍ଥାନ ଭ୍ରମଣ ପରେ ପର୍ଶୁରାମ ଉତ୍କଳର ରମ୍ୟ ରତ୍ନଗିରିର ନିଘଞ୍ଚ ଅରଣ୍ୟର ସୁଷମା ଏବଂ କଳନାଦିନୀ, ଛନ୍ଦ ଚପଳା ମହାନଦୀର କମନୀୟ କାନ୍ତିରେ ବିଭୋର ହୋଇ ପ୍ରସ୍ତର ଖଣ୍ଡରେ ବସି ଘୋର ତପସ୍ୟା କଲେ। ନୀଳକଳେବର ଶ୍ୟାମଳ ମୂରତି ଜାମଦାଗ୍ନଙ୍କ ତପସ୍ୟାରେ ଆବିର୍ଭାବ ହେଲେ ଭୁଭାର ଉଦ୍ଧାରିଣୀ ମା’ ଜଗଦମ୍ବା। ରାକ୍ଷସ କୁଳ ବିନାଶ କରିବା ପାଇଁ ସେ ଯାଚିଦେଲେ ଧନୁ ତୁଣୀର। ମା’ଙ୍କ ଆବିର୍ଭାବ ସମୟରେ ତାଙ୍କର ଅଙ୍ଗରକ୍ଷୀ ଭାବେ ଆଠଜଣ ଦେବୀ ଉଗ୍ରା, ଉଗ୍ରପ୍ରଭା, ସକଟା, ବିକଟା, ଚଣ୍ଡା, ପ୍ରଚଣ୍ଡା, ଦୁର୍ଗା, ଖିରାବ୍ଧିତନୟା ମଧ୍ୟ ପ୍ରକଟିତ ହୋଇଥିଲେ। ବର ପ୍ରଦାନ କରି ମା’ ଅନ୍ତର୍ଦ୍ଧାନ ହେବା ପରେ ପର୍ଶୁରାମ ଦେଖିଥିବା ରୂପକୁ ଧନୁତୁଣୀର ସରମୁନରେ ପାଷାଣରେ ମୂର୍ତ୍ତି ଅଙ୍କନ କଲେ। ଅଷ୍ଟ ଅଙ୍ଗରକ୍ଷୀଙ୍କ ମୂର୍ତ୍ତି ଆଙ୍କିବା ପାଇଁ ମଧ୍ୟ ସେ ଭୁଲି ନ ଥିଲେ। ଦଶ କୁମାର ଚରିତ ଆଚାର୍ଯ୍ୟ ଦଣ୍ଡିଙ୍କ ଲେଖା ଅନୁସାରେ ତତ୍ରବୀରଭଟ୍ଟ, ପଟଳ, ତରଙ୍ଗ, ତୁରଙ୍ଗ, ମକର ଆଦିଙ୍କ ନାମାନୁସାରେ ମା’ଙ୍କ ନାମ ରହିଲା ଭଟ୍ଟାରିକା। ସେହିଠାରେ ଆସନ ମଣ୍ଡିଲେ ମା’। ପ୍ରସିଦ୍ଧ ହେଲେ ଭଟ୍ଟାରିକା (ଭଟ୍ଟ+ଅରିକା=ଭଟ୍ଟାରିକା, ଭଟ୍ଟ-କ୍ଷତ୍ରୀୟ, ଅରି-ଶତ୍ରୁ) ରୂପରେ। ସପ୍ତମ ଅବତାର ପ୍ରଭୁ ଶ୍ରୀରାମ, ପ୍ରାଣପ୍ରିୟା ସୀତା ଓ ସାନୁଜ ଲକ୍ଷ୍ମଣଙ୍କ ସହ ବନବାସ କାଳରେ ମା’ଙ୍କ ପୀଠକୁ ଆସିଥିଲେ। ମା’ ଭଟ୍ଟାରିକାଙ୍କ ପୂଜାର୍ଚ୍ଚନା ପରେ ଦକ୍ଷିଣାତ୍ୟ ଯାତ୍ରା କରିଥିଲେ ପ୍ରଭୁ ଶ୍ରୀରାମ।
୧୩୦୫ ଖ୍ରୀଷ୍ଟାବ୍ଦରେ ଦୁଇଭାଇ ହଟକିଶୋର ରାଉତ ଓ ମଲ୍ଲକିଶୋର ରାଉତ ମା’ଙ୍କ ନାମାନୁସାରେ ବୃହଦମ୍ବା ରାଜ୍ୟ ଗଠନ କଲେ। ପରେ ତାହା ଅପଭ୍ରଂଶ ହୋଇ ବଡ଼ମ୍ବା ହୋଇଥିଲା। ୧୪୦୦ ଶତାବ୍ଦୀରେ ଦ୍ବିତୀୟ ରାଜା ମଲ୍ଲକିଶୋର ମା’ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହ ଏବଂ ୧୭୦୦ ଶତାବ୍ଦୀରେ ରାଜା ବଳଭଦ୍ର ମଙ୍ଗରାଜ ଜଗମୋହନ ନିର୍ମାଣ କରିଥିଲେ। ମା’ ଭଟ୍ଟାରିକା ବୌଦ୍ଧ ତାରା ଦେବୀରୁ ହିନ୍ଦୁ ମହାମାୟା ଶକ୍ତିରୂପିଣୀ ଦେବୀ ରୂପେ ରୂପାନ୍ତରିତ ବୋଲି ଗବେଷକମାନେ କୁହନ୍ତି। ମା’ଙ୍କ ପ୍ରତ୍ୟେକ ପର୍ବ ମଧ୍ୟରୁ ଶାରଦୀୟ ପୂଜା ଓ ଚୈତ୍ର ମାସରେ ନବରାତ୍ର ପୂଜା ଅନ୍ୟତମ। ଏହି ଦିବସରେ ମା’ଙ୍କୁ ରାତି ୪ଟାରୁ ମଙ୍ଗଳ ଆଳତି, ସ୍ନାନ, ତର୍ପଣ ମାଜଣା କରାଯାଇ ପାଟବସ୍ତ୍ର ପରିଧାନ ପରେ ସକାଳ ୫ଟାରେ ବହ୍ଲବ ଧୂପ ହୋଇଥାଏ। ସେହିପରି ଦିନ ୧୦ଟାରେ ଖେଚୁଡ଼ି ଧୂପ ପରେ ମଧ୍ୟାହ୍ନ ଧୂପରେ ଖିରି, କାକରା, ଏଣ୍ଡୁରି, ବଗଡ଼ା ଅନ୍ନ, ତରକାରି, ଖଟା ଆଦି ପୂଜା ହେବା ସହ ମାଛ ଭୋଗ ଲାଗିଥାଏ। ଶାରଦୀୟ ପର୍ବର ୧୬ଦିନ ମା’ଙ୍କ ପାଖରେ ମାଛ ବଳି ଦିଆଯାଏ। ଅପରାହ୍ଣରେ ମାଜଣା ପରେ ସନ୍ଧ୍ୟା ଆଳତି ହୋଇଥାଏ। ବେଦଜ୍ଞ ବ୍ରାହ୍ମଣ ହବିଷାନ୍ନ ପାଳନ କରି ୧୬ଦିନ ଯାଏ ଚଣ୍ଡୀ ପୁରାଣ ଓ ଅପରାଜିତା ଚଣ୍ଡୀପାଠ କରନ୍ତି। ରାତ୍ର ଧୂପରେ ଖେଚୁଡ଼ି, କାକରା, ଏଣ୍ଡୁରି, ମଣ୍ଡୁଆଳ, ଦହିପଖାଳ ହୋଇଥାଏ। ଏହାପରେ ମା’ଙ୍କ ବଡ଼ସିଂହାର ବେଶ କରାଯାଏ। ଶେଷରେ ଶାନ୍ତିପଣା ଦେଇ ତାମୂଳ ଅର୍ପଣ କରି ମା’ଙ୍କୁ ଖଟ ଶେଜକୁ ନିମନ୍ତ୍ରଣ କରାଯାଏ। ଷୋଡ଼ଶ ଦିନାତ୍ମକ ପୂଜା ସମୟରେ ରାତି ସାଢ଼େ ୧୧ଟାରେ ମା’ଙ୍କ ପହୁଡ଼ ବନ୍ଦ ହୁଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/r7bbYA9oa6Y1vxZ22oai.jpg)