ଚଳିତବର୍ଷ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଦେଶପ୍ରୀତି ପ୍ରଦର୍ଶନ ପୂର୍ବକ ଏହାର ସଚେତନତା ସୃଷ୍ଟି ପାଇଁ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି। ତେବେ ଏଥିପାଇଁ ତାମିଲନାଡୁର ଜଣେ ସାମାଜିକ କର୍ମୀ ନିଆରା ଢଙ୍ଗରେ ତ୍ରିରଙ୍ଗାକୁ ପ୍ରଦର୍ଶନ କରିବା ଚର୍ଚ୍ଚାର ବିଷୟ ହୋଇଛି।
ନିଜର ପ୍ରଗାଢ଼ ଦେଶଭକ୍ତିର ନିଦର୍ଶନ ସ୍ବରୂପ କୋଏମ୍ବାଟୁର ଜିଲ୍ଲା ଅନ୍ତର୍ଗତ କୁନିଆମୁଥୁରର ୟୁଏମ୍ଟି ରାଜା ନିଜ ଆଖି ଡୋଳାରେ ତ୍ରିରଙ୍ଗା ଆଙ୍କି ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି। ପ୍ରକୃତରେ ଏକ ପତଳା କପଡ଼ା ସଦୃଶ ସୂକ୍ଷ୍ମ ଝିଲ୍ଲୀ ଉପରେ ତ୍ରିରଙ୍ଗାର ଏକ କ୍ଷୁଦ୍ର ପ୍ରତିକୃତି ଆଙ୍କି ତାହାକୁ ସେ ଆଖି ଡୋଳାର ଧବଳ ଅଂଶରେ ଛପେଇ ଦେଇଛନ୍ତି। ସେଇ ତ୍ରିରଙ୍ଗା ସମ୍ବଳିତ ଆଖି ଡୋଳାର ଏକ ଭିଡିଓ ଚିତ୍ର ସାମାଜିକ ଗଣମାଧ୍ୟମରେ ଛାଡ଼ି ସର୍ବସାଧାରଣଙ୍କ ମନରେ ଜାତୀୟତା ଭାବ ଜାଗ୍ରତ ପାଇଁ ସେ ଏପରି କରିଛନ୍ତି ବୋଲି କହିଛନ୍ତି। ତେବେ ଅନ୍ୟମାନେ ଏହାକୁ ଅନୁସରଣ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। କାରଣ ଏହାଦ୍ବାରା ଚକ୍ଷୁରେ ଆଲର୍ଜି ଏବଂ ସଂକ୍ରମଣର ଆଶଙ୍କା ରହିଛି ବୋଲି ଡାକ୍ତରମାନେ ସତର୍କ କରାଇଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/2-4.jpg)