ହୋଟେଲ ଖାଦ୍ୟପେୟରେ ତ୍ରିରଙ୍ଗା

ଚଳିତବର୍ଷ ସମଗ୍ର ଦେଶରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ପାଇଁ ଦେଶବାସୀ ବେଶ୍‌ ଉଲ୍ଲସିତ ଥିବା ଦେଖାଯାଇଛି। ଏପରିକି ଏହାକୁ ଅଧିକ ମହନୀୟ କରିବା ପାଇଁ ଗତ ୧୧ ତାରିଖ ଠାରୁ ଘରେ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇବା ପାଇଁ ମଧ୍ୟ ସମସ୍ତେ ତତ୍ପର ହୋଇ ପଡ଼ିଛନ୍ତି। ତେବେ ଏପରି ମହୋତ୍ସବକୁ ଅଧିକ ସ୍ମରଣୀୟ କରିବା ପାଇଁ ଉତ୍ତରପ୍ରଦେଶର ଗୋରଖପୁର ସ୍ଥିତ ଏକ ହୋଟେଲର ନିଆରା ପ୍ରୟାସ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି।

ଉକ୍ତ ହୋଟେଲ କର୍ତ୍ତୃପକ୍ଷ ଅତିଥିମାନଙ୍କୁ ବିଭିନ୍ନ ଖାଦ୍ୟପେୟ ତ୍ରିରଙ୍ଗା ଭଳି ତିନିଟି ରଙ୍ଗରେ ସଜାଇ ପରଷୁଥିବାର ଚିତ୍ର ଭାଇରାଲ ହେବାରେ ଲାଗିଛି। ବିଶେଷ କରି ପାସ୍ତା, ସ୍ୟାଣ୍ଡ୍‌ଵିଚ୍‌ ଓ ଫ୍ରାଏଡ୍‌ ରାଇସ୍‌ ସମେତ ବିଭିନ୍ନ ଥଣ୍ଡା ପାନୀୟକୁ ଏଭଳି ତିନି ରଙ୍ଗ ସମ୍ବଳିତ କରି ଯୋଗାଇ ଦିଆଯାଉଥିବା ଦେଖାଯାଇଛି। ଭାରତୀୟ ସ୍ଥଳସେନା ପୃଷ୍ଠଭୂମିରୁ ଆସିଥିବା ଉକ୍ତ ହୋଟେଲର ମାଲିକ ନୀତୀଶ ଶୁକ୍ଳାଙ୍କ କହିବାନୁସାରେ, ଦେଶାତ୍ମବୋଧକୁ ଏଭଳି ଏକ ନିଆରା ଢଙ୍ଗରେ ପ୍ରଦର୍ଶନ କରିବା ପାଇଁ ତାଙ୍କ ମୁଣ୍ଡକୁ ଏଇ କୌଶଳ ଜୁଟିଥିଲା। ତେଣୁ ସେ ତାଙ୍କର କର୍ମଚାରୀମାନଙ୍କୁ କହି ଏଭଳି ତ୍ରିରଙ୍ଗା ଛାପରେ ଖାଦ୍ୟପେୟ ପ୍ରସ୍ତୁତ କରିବା ପାଇଁ ପରାମର୍ଶ କରିଥିଲେ। ଏହାଦ୍ବାରା ହୋଟେଲକୁ ଆସୁଥିବା ଅତିଥିମାନେ ମଧ୍ୟ ଅଧିକ ଖୁସି ପ୍ରକଟ କରୁଛନ୍ତି। ସୂଚନାଯୋଗ୍ୟ, ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଏକ ତ୍ରିରଙ୍ଗାୟିତ ଜଳପ୍ରପାତର ପୁରୁଣା ଭିଡିଓ ଚିତ୍ର ମଧ୍ୟ ଲୋକପ୍ରିୟ ହେବାରେ ଲାଗିଛି। ଦୁଇ ବର୍ଷ ତଳେ ରାଜସ୍ଥାନର ଯୋଧପୁର ଠାରେ ଉତ୍ତୋଳିତ ଏହି ଭିଡିଓରେ ଉକ୍ତ ପ୍ରପାତର ଜଳରାଶିର ଦୁଇ ପାର୍ଶ୍ବରେ ସବୁଜ ଓ ଗେରୁଆ ରଙ୍ଗ ଏକ ପ୍ରବାହିତ ତ୍ରିରଙ୍ଗା ଭଳି ଜଣାପଡୁଛି।

ସମ୍ବନ୍ଧିତ ଖବର