ଆଜିଠୁ ଶହେବର୍ଷ ପୂର୍ବେ, ୧୯୨୪ ମସିହାରେ ସଦ୍ଗୁରୁ ଶ୍ରୀନିଗମାନନ୍ଦ ପରମହଂସଦେବ ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାରସ୍ଥିତ ‘ନୀଳାଚଳ କୁଟୀର’ରେ ଶୁଭ ପ୍ରବେଶ କରି ସେଠାରେ ଅବସ୍ଥାନ କରିଥିଲେ। ତାହାର ଶତବାର୍ଷିକୀ ଉତ୍ସବ ସଦ୍ୟ ପାଳିତ ହୋଇଯାଇଛି। ଶ୍ରୀକ୍ଷେତ୍ରରେ ଅବସ୍ଥାନ କାଳରେ ସେ ବହୁବାର ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରାର ଅନୁପମ ଦୃଶ୍ୟ ଅବଲୋକନ କରି ମୁଗ୍ଧ ହୋଇଥିଲେ। ସେ ସଂପର୍କରେ ତାଙ୍କର ତାତ୍ତ୍ୱିକ ଭାବନା ‘ତତ୍ତ୍ୱମାଳା’ରେ ସଂଗୃହୀତ ହୋଇଛି। ତାଙ୍କ ଶ୍ରୀମୁଖନିଃସୃତ ସେହି ଭାବନା ‘ଶ୍ରୀଶ୍ରୀରଥଯାତ୍ରା’ରେ ରୂପ ପାଇଛି। ସେଥିରେ ସେ ତ୍ରିତଳ ରଥ ସହିତ ମାନବ ଶରୀରକୁ ତୁଳନା କରିଛନ୍ତି। ତାଙ୍କର ତାତ୍ତ୍ୱିକ ଦୃଷ୍ଟିରେ ରଥର ରଜ୍ଜୁ ମଧ୍ୟ ତ୍ରିଗୁଣର ପ୍ରତୀକ।
ସେଥିରେ ସେ କହିଛନ୍ତି- ଯୋଗୀ ଓ ଭକ୍ତମାନେ ଏହି ଦେହକୁ ରଥ ବୋଲି କଳ୍ପନା କରିଛନ୍ତି। ରଥ ଯେପରି ତ୍ରିତଳ ବିଶିଷ୍ଟ, ମାନବ ଦେହ ସେହିପରି ସହସ୍ରାର, ହୃଦୟ ଓ ମୂଳାଧାରଚକ୍ର ରୂପରେ ତ୍ରିତଳ ବିଶିଷ୍ଟ। ଊର୍ଦ୍ଧ୍ୱତମ ଚକ୍ରରେ ସହସ୍ରଦଳ କମଳରେ ଶ୍ରୀଶ୍ରୀବାମନଦେବ ଅର୍ଥାତ୍ ଜଗନ୍ନାଥଦେବ ବିରାଜିତ ଅଛନ୍ତି। ବାମନ ଅବତାରରେ ସେ ତ୍ରିଭୁବନ ଅଧିକାର କରିଛନ୍ତି। ଏହି ହେତୁରୁ ସେ ଜଗତର ନାଥ, ଜଗନ୍ନାଥ। ଯଦି କେହି ଭାଗ୍ୟବାନ ସାଧକ ସାଧନାଦ୍ୱାରା ଏହି ଦେହ ରଥର ସହସ୍ରଦଳରେ ବାମନଦେବଙ୍କୁ ଦର୍ଶନ କରିପାରନ୍ତି, ତେବେ ତାଙ୍କୁ ପୁନରାୟ ମର୍ତ୍ତ୍ୟରେ ଜନ୍ମଗ୍ରହଣ କରିବାକୁ ପଡ଼େନାହିଁ। ମଧ୍ୟତଳ, ହୃଦୟ। ଏହି ହୃଦୟଚକ୍ର ହିଁ ଭଗବାନଙ୍କର ଲୀଳାକ୍ଷେତ୍ର। ସମସ୍ତ ଅବତାର, ଦେବଦେବୀ ଓ ସେମାନଙ୍କର କାର୍ଯ୍ୟକଳାପ ଏହିଠାରେ ହିଁ ଦେଖିବାକୁ ମିଳେ।
ନିମ୍ନତଳରେ, ଅର୍ଥାତ୍ ମୂଳାଧାର ଚକ୍ରରେ କାମାଦି ରିପୁଗଣ ଅବସ୍ଥାନ କରନ୍ତି। ବାମନଦେବ ରଥରେ ଉଠିବାମାତ୍ରେ ଚତୁର୍ଦ୍ଦିଗରେ ଶଙ୍ଖ ଘଣ୍ଟା ବାଜିଉଠେ। ଚତୁର୍ଦ୍ଦିଗରୁ ଭକ୍ତମାନେ ଆସି ଏକତ୍ର ହେଲେ କାମାଦି ରିପୁମାନେ ସପରିବାର ଦୂରକୁ ପଳାୟନ କରନ୍ତି। ସେତେବେଳେ ସତ୍ତ୍ୱ-ରଜ-ତମଃ ରୂପ ତ୍ରିଗୁଣରଜ୍ଜୁ ରଥକୁ ବାନ୍ଧି ଆକର୍ଷଣ କରିବାରେ ଲାଗିଥାଏ। ସୁଖ-ଦୁଃଖମୟ କାଳଚକ୍ର ଘୂରି ଘୂରି ଠାକୁର ମନ୍ଦିର ନିକଟରେ ଉପନୀତ ହେଲେ ସେହି ବନ୍ଧନ ଉନ୍ମୁକ୍ତ ହୁଏ।