ଓଡ଼ିଶାର ପ୍ରସିଦ୍ଧ ତ୍ରିବେଣୀ ପୀଠମାନଙ୍କ ମଧ୍ୟରେ ବେଦବ୍ୟାସ ପ୍ରସିଦ୍ଧ। ଏହା ସୁନ୍ଦରଗଡ଼ ଜିଲାର ପାନପୋଷ ନିକଟରେ ଅବସ୍ଥିତ। ଏହା କାଂସ (ଶଙ୍ଖ), କୋୟଲ ଓ ସରସ୍ୱତୀର ସଂଗମ ସ୍ଥଳ। ସେଠାରୁ ବ୍ରାହ୍ମଣୀ ନଦୀର ଉଦ୍ଗମ ହୋଇଛି। କୁହାଯାଏ, ବ୍ରାହ୍ମଣ ପରାଶରଙ୍କ ପୁତ୍ର କୃଷ୍ଣଦ୍ୱୈପାୟନ ବ୍ୟାସଙ୍କ ନାମାନୁସାରେ ନଦୀର ନାମ ବ୍ରାହ୍ମଣୀ ହୋଇଛି। କାଂସ ଓ କୋଏଲର ସଂଗମସ୍ଥଳରେ ରହିଛି ଏକ ଦ୍ୱୀପ। ସେଠାକୁ କେବଳ ନୌକା ଦ୍ୱାରା ଯାଇହୁଏ। ସେଠାରେ ରହିଛି ପରାଶର ଗୁମ୍ଫା। ସଂକୀର୍ତ୍ତନ ମଣ୍ଡପର ପଛରେ ରହିଛି ୪୦-୫୦ ଫୁଟ ଗଭୀରତାର ଏକ ବ୍ୟାସକୁଣ୍ଡ। ବେଦବ୍ୟାସଠାରେ ତିନିଟି ଭବ୍ୟ ମନ୍ଦିର ରହିଛି। ସେଥିରୁ ଦୁଇଟି ଶିବ ମନ୍ଦିର ଓ ଗୋଟିଏ ରାମ ମନ୍ଦିର। ମନ୍ଦିର ଯଦିଓ ବେଶୀ ପୁରାତନ ନୁହେଁ, ଏଥିରେ ଥିବା କଳାପଥରର ଶିବଲିଙ୍ଗ ବହୁ ପ୍ରାଚୀନ। କିଂବଦନ୍ତି ଅନୁଯାୟୀ ଏହା କୃଷ୍ଣଦ୍ୱୈପାୟନ ବ୍ୟାସଙ୍କର ଜନ୍ମଭୂମି ଏବଂ ଏହିଠାରେ ସେ ‘ମହାଭାରତ’ ରଚନା କରିଥିଲେ।
ଏହାର ସ୍ରଷ୍ଟା ଥିଲେ ବ୍ୟାସଦେବ ଓ ଲେଖକ ଥିଲେ ଗଣେଶ। ବ୍ୟାସ ତାଙ୍କର ଚାରିଶିଷ୍ୟ- ପୈଳ, ବୈଶମ୍ପାୟନ, ଜୈମିନୀ ଓ ସୁମନ୍ୟୁଙ୍କୁ ପ୍ରଥମେ ଏହା ଶିକ୍ଷା ଦେଇଥିଲେ ଏବଂ ପରବର୍ତ୍ତୀ କାଳରେ ଏହି ଚାରିଶିଷ୍ୟ ତାଙ୍କ ପ୍ରଶିଷ୍ୟମାନଙ୍କ ମାଧ୍ୟମରେ ସମଗ୍ର ଭାରତରେ ଏହାର ପ୍ରଚାର କରାଇଥିଲେ। ‘ବିଷ୍ଣୁ ପୁରାଣ’ର ବର୍ଣ୍ଣନା ଅନୁସାରେ ଭାରତରେ ଥିଲେ ୨୮ ଜଣ ବ୍ୟାସ। ସେମାନେ ସମୟାନୁକ୍ରମେ ସମସ୍ତ ପୁରାଣ ଓ ଉପପୁରାଣମାନ ରଚନା କରିଥିଲେ। ଏହି ଆଧାରରେ ବ୍ୟାସଦେବଙ୍କର ଜନ୍ମ, ସାଧନାସ୍ଥଳ, ନିବାସସ୍ଥଳ, ତଥା ମହାଭାରତ ରଚନା ସ୍ଥଳ ଭାବରେ ଭାରତର ଅନେକ ସ୍ଥାନକୁ ନିର୍ଦ୍ଧାରଣ କରାଯାଏ। ପୁରାଣରେ ମଧ୍ୟ ଏ ସବୁର କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ସମଗ୍ର ଭାରତ ଥିଲା ବ୍ୟାସଦେବଙ୍କର ବିଚରଣ ଭୂମି। ତେଣୁ ବ୍ୟାସଦେବଙ୍କର ଜନ୍ମ, ନିବାସ ଓ ସାଧନା କୁଟୀର ଭାବରେ (ଉତ୍ତର ଭାରତର ବ୍ୟାସଗୁମ୍ଫା, ବ୍ୟାସସରୋବର, ନେପାଳର ତାନାହି ଜିଲାର ଡାମୁଲି, କୁରୁକ୍ଷେତ୍ରର ବ୍ୟାସପୁର, ଓଡ଼ିଶାର ଯାଜପୁର ବ୍ୟାସନଗରର ବ୍ୟାସ ସରୋବର ଇତ୍ୟାଦି) ଅନେକ ସ୍ଥାନକୁ ବ୍ୟାସଦେବଙ୍କ ସହିତ ସଂଯୁକ୍ତ କରାଯାଇଛି।
ଏହାର କାରଣ ସ୍ୱରୂପ ପୁରାଣରେ ଦର୍ଶାଯାଇଛି, ପ୍ରତ୍ୟେକ ଦ୍ୱାପରରେ ବିଷ୍ଣୁ ବ୍ୟାସରୂପ ଧାରଣ କରି ବେଦର ବିଭାଗ ପ୍ରସ୍ତୁତ କରିଥାନ୍ତି। ପ୍ରଥମ ଦ୍ୱାପରରେ ସେ ବ୍ରହ୍ମା, ଦ୍ୱିତୀୟରେ ପ୍ରଜାପତି, ତୃତୀୟରେ ଶୁକ୍ରାଚାର୍ଯ୍ୟ, ଚତୁର୍ଥରେ ବୃହସ୍ପତି, ତତ୍ପରେ ସୂର୍ଯ୍ୟ, ଯମ, ଇନ୍ଦ୍ର, ବଶିଷ୍ଠ, ସାରସ୍ୱତ, ତ୍ରିଧାମା, ତ୍ରିକୃଷ୍ଣ, ଭରଦ୍ୱାଜ, ଅନ୍ତରୀକ୍ଷ, ଧର୍ମ, ତ୍ରୟାରୁଣ, ଧନଞ୍ଜୟ, ମେଧାତିଥି, ବ୍ରତୀ, ଅତ୍ରି, ଗୌତମ, ହର୍ଯ୍ୟାତ୍ମା, ବାଜଶ୍ରବ, ସୋମ ଶୁଷ୍କୟଣ, ତୃଣବିନ୍ଦୁ, ଭାର୍ଗବ, ଶକ୍ତି, ଜାତୁକର୍ଣ୍ଣ ବାଲ୍ମୀକି ଓ କୃଷ୍ଣଦ୍ୱୈପାୟନ ବ୍ୟାସ। ଏହି ଭାବରେ ଏହି ଅଷ୍ଟାଦଶ ବ୍ୟାସଙ୍କର ସ୍ମୃତିଚିହ୍ନ ଅସଂଖ୍ୟ ବ୍ୟାସ ସରୋବର ଜଳବିନ୍ଦୁରେ ତଲ୍ଲୀନ ହୋଇ ରହିଛି। ବିଭିନ୍ନ ତିଥିରେ ବିଭିନ୍ନ ସ୍ଥାନରେ ବ୍ୟାସଦେବଙ୍କର ସ୍ମୃତିରେ ପବିତ୍ର ସରୋବର ସ୍ନାନ ଓ ଦର୍ଶନ ଅନୁଷ୍ଠିତ ହୋଇଥାଏ। ସେହିପରି ଯାଜପୁର ଜିଲାର ବ୍ୟାସ ସରୋବରଠାରେ ଭୌମୀ ଏକାଦଶୀ ତିଥିରେ ଏକ ମେଳା ହୁଏ ଏବଂ ବ୍ୟାସ ସରୋବର ସ୍ନାନ ଅନୁଷ୍ଠିତ ହୁଏ।