ନୂଆଦିଲ୍ଲୀ: ଅନ୍ୟ ଗ୍ରହର ପ୍ରାଣୀ ବା ଏଲିଅନ୍ସକୁ ନେଇ ଏବେ ବି ଠୋସ୍ ପ୍ରମାଣ ସାମ୍ନାକୁ ଆସିପାରିନାହିଁ।  ଅନେକ ଲୋକ ଭାବନ୍ତି ଯେ ଏଲିଅନ୍ସମାନେ ନାହାନ୍ତି କିନ୍ତୁ କିଛି ଲୋକ ବିଶ୍ୱାସ କରନ୍ତି ଯେ ସେମାନେ ଅଛନ୍ତି ଓ ପୃଥିବୀର ଅନେକ ଲୋକଙ୍କ ସହ କଥା ହେଉଛନ୍ତି ।

Advertisment

ବ୍ରିଟେନର ୪୫ ବର୍ଷିୟ ଟ୍ରକ୍ ଡ୍ରାଇଭର ମାଇକେଲ୍ ଆଲେନ୍ ଦାବି କରି କହିଛନ୍ତି ଯେ ମଣିଷମାନଙ୍କ ସହ ଯୋଗାଯୋଗ କରିବା ପାଇଁ ତାଙ୍କୁ ଏଲିଅନ୍ସମାନେ ବାଛିଛନ୍ତି। ସେ ଛୋଟବେଳୁ ଏଲିଅନ୍ସମାନଙ୍କ ସହ ଯୋଗାଯୋଗ କରିଆସୁଛନ୍ତି । ସେ ବିଶ୍ୱାସ କରନ୍ତି ଯେ ଏଲିଅନ୍ସମାନେ ମଧ୍ୟ ତାଙ୍କୁ ଅନେକ ଥର ଅପହରଣ ବି କରିଛନ୍ତି । ସୂଚନାଯୋଗ୍ୟ, ମାଇକେଲ ତାଙ୍କ ଅପହରଣକାରୀଙ୍କ ଏକ ଚିତ୍ର ଆଙ୍କିଛନ୍ତି ଏବଂ ସେ ତାଙ୍କ ଅନୁଭୂତି ଉପରେ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି ।

‘ଡେଲି ଷ୍ଟାର’ ଖବରକାଗଜର ରିପୋର୍ଟ ଅନୁଯାୟୀ, ମାଇକେଲ ଆରମ୍ଭରୁ ଏଲିଅନ୍ସମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ତାଙ୍କ କହିବାଅନୁସାରେ ୮୦ ଦଶକରେ ସେ ଏଲିଏନ୍ସମାନଙ୍କୁ ଭୁଲରେ ଯୋଗାଯୋଗ କରିବାରୁ ସେମାନେ ଆକର୍ଷିତ ହୋଇଥିଲେ ।  ଯେତେବେଳେ ସେ ଛୋଟ ଥିଲେ, ତାଙ୍କ ମୁଣ୍ଡରେ ଏକ ଅଦ୍ଭୁତ କମ୍ପନ ହୋଇଥିଲା । ସେ ଭାବିଲେ ଯେ ତାଙ୍କ ମା’ ପାଖରେ ଅଛନ୍ତି, କିନ୍ତୁ ପରେ ସେ ଦେଖିଲେ ଯେ ଧୂସର ରଙ୍ଗର ଏଲିଅନ୍ସ ପାଖରେ ବସିଛି ।

ମାଇକେଲ୍ ଦାବି କରିଛନ୍ତି ଯେ ଯେତେବେଳେ ସେ ଛୋଟ ଥିଲେ, ଏଲିଅନ୍ସମାନେ ତାଙ୍କୁ ଘର ନିକଟ ବଗିଚାକୁ ନିମନ୍ତ୍ରଣ କରିଥିଲେ । ସେମାନଙ୍କ ଚେହେରା ଏଭଳି ଥିଲା ଯେ ଯାହା ମାଇକେଲ୍ ପୂର୍ବରୁ ଦେଖି ନଥିଲେ । ଏପରି ଏକାଧିକ ବାର ଘଟିବା ପରେ ସେ ଧୀରେ ଧୀରେ ଏହା ବୁଝିଗଲେ ଯେ ଏଲିଅନ୍ସମାନେ ତାଙ୍କ ମିଶନ ପାଇଁ ତାଙ୍କୁ ବାଛିଛନ୍ତି । ଜଣେ ଆମେରିକୀୟ ବ୍ୟକ୍ତି ମଧ୍ୟ ଥରେ ଏକ ଆଶ୍ଚର୍ଯ୍ୟଜନକ କଥା କହିଥିଲେ କି  ସେ ୧୦ ବର୍ଷର ପିଲା ଥିବା ବେଳେ ତାଙ୍କୁ ଏଲିଅନ୍ସମାନେ ଅପହରଣ କରି ନେଇଥିଲେ।