ବାପା ଟ୍ରକ ଚଳାନ୍ତି, ମା ମଜୁରି ଖଟନ୍ତି ! ଦୁଇ ପୁଅ ହେବେ ଇଞ୍ଜିନିୟର ଓ ଡାକ୍ତର

ଯୋଧପୁର : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳେ । ଦୃଢ଼ ମନୋବଳ ଓ ଇଚ୍ଛା ଶକ୍ତି ଆଗରେ ଆର୍ଥିକ ଅନଟନ ବାଧା ସୃ୍ଷ୍ଟି କରିପାରେନି । ଏପରି ଘଟଣା ଘଟିଛି ରାଜସ୍ଥାନ ଯୋଧପୁରର ଜଣେ ଟ୍ରକ ଡ୍ରାଇଭରଙ୍କ ପରିବାରରେ । ଟ୍ରକ୍ ଡ୍ରାଇଭର ଜଣଙ୍କ ନାମ ହେଲା ମଙ୍ଗନାରାମ ବିଶୋଇ ଆଉ ତାଙ୍କ ସ୍ତ୍ରୀ ଜଣେ ଦିନ ମଜୁରିଆ । ଆର୍ଥକ ଦୁରବସ୍ଥା ଦେଇ ଗତି କରୁଥିଲେ ମଧ୍ୟ ସେମାନେ ତାଙ୍କ ପିଲାଙ୍କୁ ପାଠ ପଢ଼ାଇ ବଡ଼ ମଣିଷ କରିବାର ସ୍ୱପ୍ନକୁ ଭୁଲି ନ ଥିଲେ । ସେମାନଙ୍କର ଏକ ପୁଅ ଶ୍ୟାମ ସୁନ୍ଦର ଏବେ ଆଇଆଇଟିରେ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତାଙ୍କର ଆଉ ଜଣେ ପୁଅ ମହେନ୍ଦ୍ର ମେଡ଼ିକାଲ କଲେଜରେ ପାଠ ପଢ଼ିବା ପାଇଁ ନାମ ଲେଖାଇଛି । ୪୫ ବର୍ଷିୟ ମଙ୍ଗନାରାମ ବିଗତ ଏକ ବର୍ଷ ହେଲା ଦୁଇ ପୁଅଙ୍କୁ ଦେଖି ନାହାନ୍ତି ।

ଏବେ ଏହି ପରିବାରରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ଏତେ କଷ୍ଟ କରି ସେମାନେ ଦେଖିଥିବା ସ୍ୱପ୍ନ ବେକାର ଯାଇନି । ସୂଚନା ଅନୁସାରେ ଗତ ବର୍ଷ ମଙ୍ଗନାରାମ ଟଙ୍କା ଉଦ୍ଧାର କରି ଦୁଇ ପୁଅଙ୍କୁ ଇଞ୍ଜିନିୟରିଂ ଓ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ କୋଟା ପଠାଇଥିଲେ । ଦୁଇ ପୁଅ ମଧ୍ୟ ବାପାମା’ଙ୍କ କଷ୍ଟକୁ ବୁଝି କଠିନ ପରିଶ୍ରମ କରିଥିଲେ । ଆଜି ସଫଳତା ତାଙ୍କ ହାତମୁଠାରେ । ମହେନ୍ଦ୍ର ଓ ଶ୍ୟାମ ଉଭୟ ଗାଁର ପ୍ରଥମ ଡାକ୍ତର ଓ ଇଞ୍ଜିନିୟର ହେବେ ।

Amar Ujala

ସୂଚନାଯୋଗ୍ୟ ମଙ୍ଗନାରାମଙ୍କର ୩ ପୁଅ । ବଡ଼ ପୁଅ ସୁରେନ୍ଦ୍ର ଯୋଧପୁରରେ ଏବେ ବିଏଡ଼୍ କରୁଛନ୍ତି । ମଙ୍ଗନାରାମଙ୍କ ଅନୁସାରେ ମାସିକ ୧୨ ହଜାର ଟଙ୍କା ଆୟ କରନ୍ତି । ଆଉ ସେତିକିରେ ପରିବାରକୁ ଦୁଃଖକଷ୍ଟରେ ପ୍ରତିପୋଷଣ କରନ୍ତି । ଏହାସହ ସେ କହିଛନ୍ତି ଚଳିତ ଥର ଉଭୟେ ଯଦି ଯୋଗ୍ୟ ବିବେଚିତ ହୋଇନଥାନ୍ତେ, ତେବେ ଆଗକୁ ଆଉ ସେ ପାଠ ପଢ଼ାଇବା ପାଇଁ ଟଙ୍କା ଯୋଗାଡ଼ କରିପାରିନଥାନ୍ତେ ।

ଶ୍ୟାମ ସୁନ୍ଦର କହିଛନ୍ତି କୋଟାରେ ଉଭୟ ଭାଇ ଏକ ଘର ଭଡ଼ା କରିନେଇ ରହୁଥିଲେ । ଆମର ଅବସ୍ଥା ଦେଖି ଘର ମାଲିକ ଘର ଭଡ଼ା ମଧ୍ୟ ନେବା ଛାଡ଼ିଦେଲେ । ଉଭୟ ଦୁଇ ବର୍ଷ ହେଲା କୌଣସି ନୂଆ ପୋଷାକ କିଣି ନାହାନ୍ତି । ଘରକୁ କେବଳ ଦୀପାବଳିରେ ଥରେ ଘରକୁ ଯାଆନ୍ତି । ତାଙ୍କ ଅବସ୍ଥା ଦେଖି ମେସ୍ ଚଳାଉଥିବା ବ୍ୟକ୍ତି ମଧ୍ୟ ତାଙ୍କୁ ମାଗଣା ଖାଇବା ପାଇଁ ଦେଉଥିଲେ । ତେବେ ଏତେ ସବୁ ଲୋକଙ୍କ ସାହାଯ୍ୟ ଏବେ ବିଫଳ ହୋଇନି । ଉଭୟେ କଷ୍ଟ କରି ଏବେ ବାପାମା’ଙ୍କ ସହ ଅନ୍ୟ ଲୋକଙ୍କ ସ୍ୱପ୍ନକୁ ବି ସାକାର କରିଛନ୍ତି ।

ସମ୍ବନ୍ଧିତ ଖବର