ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବାର କେଇ ସପ୍ତାହ ଭିତରେ ସେ ନେଇଥିବା ପଦକ୍ଷେପଗୁଡ଼ିକ ବିଶ୍ବର ପ୍ରାୟ ପ୍ରତ୍ୟେକ ରାଷ୍ଟ୍ରକୁ ପ୍ରଭାବିତ କରିଛି। ତାଙ୍କ ପଦକ୍ଷେପ ଦ୍ବାରା ବେଶୀ ପ୍ରଭାବିତ ହୋଇଛି ଆମେରିକୀୟ ସବୁଜ ଆନ୍ଦୋଳନ। ଟ୍ରମ୍ପ୍ଙ୍କ ପ୍ରଥମ ଘୋଷଣାନାମା ମଧ୍ୟରେ ପ୍ୟାରିସ୍ ରାଜିନାମାରୁ ଆମେରିକା ଓହରିଯିବା ନିଷ୍ପତ୍ତି ଅନ୍ତର୍ଭୁକ୍ତ ଥିଲା। ଏହାଦ୍ବାରା ହାରାହାରି ତାପମାତ୍ରା ବୃଦ୍ଧିକୁ ଶିଳ୍ପଯୁଗ ପୂର୍ବ ତାପମାତ୍ରାରୁ ସର୍ବାଧିକ ୨ ଡିଗ୍ରି ସେଲସିଅସ୍ ଅଧିକରେ ସୀମିତ ରଖିବାର ପ୍ରତିବଦ୍ଧତାରୁ ଆମେରିକା ମୁକ୍ତ ହୋଇଛି।
ଗ୍ଲୋବାଲ କାର୍ବନ୍ ପ୍ରୋଜେକ୍ଟର ଏକ ଆକଳନ ଅନୁଯାୟୀ, ୧୯୫୦ ପରଠାରୁ ସମଗ୍ର ବିଶ୍ବ ବାୟୁମଣ୍ଡଳକୁ ନିର୍ଗମନ କରିଥିବା ଅଙ୍ଗାରକାମ୍ଳ ବାଷ୍ପର ୨୨% କେବଳ ଆମେରିକା ଛାଡ଼ିଛି। ସେହିପରି ଟ୍ରମ୍ପ୍ଙ୍କ ଅଧିକ ପ୍ଳାଷ୍ଟିକ ଉତ୍ପାଦନ ଯୋଜନା ପ୍ୟାରିସ ରାଜିନାମାର ପରିପନ୍ଥୀ। ଗତ ୧୦ ତାରିଖରେ ସେ କାଗଜ ନଳୀ (ଷ୍ଟ୍ର) ସ୍ଥାନରେ ପ୍ଲାଷ୍ଟିକ୍ ନଳୀର ପ୍ରତ୍ୟାବର୍ତ୍ତନ ଘୋଷଣା କରିଛନ୍ତି। ଜାତିସଂଘର ପରିବେଶ ଯୋଜନା (ୟୁଏନ୍ଇପି) ଅନୁଯାୟୀ, ବାର୍ଷିକ ୪୬ କୋଟି ମେଟ୍ରିକ୍ ଟନ୍ ପ୍ଲାଷ୍ଟିକ୍ ଉତ୍ପାଦିତ ହେଉଛି। ସେଥିରୁ ପ୍ରତି ବର୍ଷ ୨ କୋଟି ମେଟ୍ରିକ୍ ଟନ୍ ପ୍ଳାଷ୍ଟିକ୍ ପରିବେଶରେ ମିଶୁଛି। ୨୦୫୦ ବେଳକୁ ସମୁଦ୍ରରେ ମିଶୁଥିବା ପ୍ଳାଷ୍ଟିକ୍ ସାମଗ୍ରୀର ଓଜନ ସମୁଦ୍ରରେ ଥିବା ମାଛମାନଙ୍କ ଓଜନକୁ ଟପିଯିବ। ଅପରପକ୍ଷେ, ପ୍ଳାଷ୍ଟିକ୍ ଖାଇ ହାଵାଇଆନ୍ ମଙ୍କ ସିଲ୍ ଓ ପାସିଫିକ୍ ଲଗରହେଡ୍ କଇଁଛଙ୍କ ସମେତ ୭୦୦ ପ୍ରକାର ସାମୁଦ୍ରିକ ଜୀବ ଏବେ ବିପନ୍ନ ଅବସ୍ଥାରେ।
ପରିବେଶ ପ୍ରଦୂଷଣ ହ୍ରାସ ପାଇଁ ବିଭିନ୍ନ ରାଷ୍ଟ୍ର ଜୀବାଶ୍ମ ଇନ୍ଧନରୁ ଦୂରେଇ ଯାଇ ବିକଳ୍ପ ଶକ୍ତି ଉତ୍ସର ବ୍ୟବହାର ଉପରେ ଗୁରୁତ୍ବାରୋପ କରୁଛନ୍ତି। ମାତ୍ର ଟ୍ରମ୍ପ୍ ତୈଳ ଖନନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଛନ୍ତି, ଯାହା ଜଳବାୟୁ ପରିବର୍ତ୍ତନ ଓ ଚରମ ପାଣିପାଗ ସହ ଯୁଝୁଥିବା ବିଶ୍ବ ସମୁଦାୟ ପାଇଁ ଚିନ୍ତାର କାରଣ ହୋଇଛି। ଗତ ମାସ ଇତିହାସର ସବୁଠୁ ଉତ୍ତପ୍ତ ଜାନୁଆରିର ରେକର୍ଡ ହୋଇଛି ଏବଂ ଏପରି ତାପମାତ୍ରା ବୃଦ୍ଧି ପାଇଁ ମନୁଷ୍ୟକୃତ ଅଙ୍ଗାରକାମ୍ଳ ନିର୍ଗମନ ହିଁ ଦାୟୀ। ତେବେ ବିଶ୍ବ ତାପମାତ୍ରା କମାଇବା ପାଇଁ ଅଧିକାଂଶ ରାଷ୍ଟ୍ର ପ୍ରତିବଦ୍ଧ ରହିଥିବା ବେଳେ ଟ୍ରମ୍ପଙ୍କ ଏହି ପଦକ୍ଷେପ ଯୋଗୁଁ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢୁଥିବା ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଆମେରିକାର ପାଣ୍ଠି ଯୋଗାଣ ବନ୍ଦ ହୋଇଯିବ, ଯାହାର ପରିଣତି ସମଗ୍ର ବିଶ୍ବ ଭୋଗିବାର ଆଶଙ୍କା ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/18/nBlFoTpHruhAjrA33iyg.jpg)