ଓ୍ଵାଶିଂଟନ: ପ୍ରତି ମଣିଷ ଶରୀରର ବାସ୍ନା ଭିନ୍ନ। ସେମାନେ ପୁରୁଷ ହୁଅନ୍ତୁ ଅବା ମହିଳା ସେମାନଙ୍କ ଶରୀରର ଏକ ବାସ୍ନା ରହିଛି। ଏହା ମୁଖ୍ୟତ ବ୍ୟବହୃତ ପୋଷାକ କିମ୍ବା ବିଛଣାରୁ ବାରି ହୋଇ ପଡ଼ିଥାଏ।
ସଂପ୍ରତି କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି କି ଶରୀରର ବାସ୍ନା ମାନସିକ ଉତ୍ତେଜନା ଓ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ। ଯଦିଓ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ କଥାଟି ସତ।
ଜର୍ଣ୍ଣାଲ ଅଫ୍ ପର୍ସନାଲିଟି ଆଣ୍ଡ୍ ସୋସିଆଲ୍ ସାଇକୋଲୋଜିରେ ପ୍ରକାଶିତ ସନ୍ଦର୍ଭ ଅନୁସାରେ ଅବିବାହିତ ମହିଳାମାନେ ନିଜ ପୁରୁଷ ବନ୍ଧୁ ବିବାହିତା ମହିଳାମାନେ ସେମାନଙ୍କ ସ୍ୱାମୀଙ୍କ ଶରୀର ବାସ୍ନା ସଂସ୍ପର୍ଶରେ ଆସିଲେ ଚାପମୁକ୍ତ ହୁଅନ୍ତି। ଏହା ସେମାନଙ୍କୁ ମାନସିକ ଉତ୍ତେଜନା ଓ ଚାପରୁ ମୁକୁଳାଇବାରେ ସହାୟକ ହୋଇଥାଏ।

ଯେହେତୁ ମହିଳାମାନଙ୍କ ଆଘ୍ରାଣ ଶକ୍ତି ପୁରୁଷଙ୍କଠାରୁ ଶକ୍ତିଶାଳୀ ତେଣୁ ସ୍ୱାମୀ କିମ୍ବା ପୁରୁଷ ସାଥୀଙ୍କର ଶରୀରର ବାସ୍ନାକୁ ସେମାନେ ସହଜରେ ବାରି ପାରନ୍ତି ଓ ତାହା ସେମାନଙ୍କୁ ଶାନ୍ତ କରିବାରେ ସହାୟକ ହୋଇଥାଏ।
ଏହି ଅନୁଧ୍ୟାନ କରିଥିବା ମାର୍ଲସ ହୋଫର୍ଙ୍କ ଅନୁସାରେ ୯୬ ଜଣ ଦମ୍ପତିଙ୍କୁ ନେଇ ଆମେ ଏହି ପରୀକ୍ଷା କରିଥିଲୁ। ମହିଳାମାନଙ୍କୁ ମାନସିକ ଚାପ ମଧ୍ୟରେ ପକାଯାଇ ତା’ପରେ ସେମାନଙ୍କ ସ୍ୱାମୀଙ୍କ ବ୍ୟବହୃତ ପୋଷାକ ଆଘ୍ରାଣ କରିବାକୁ ଦିଆଯାଇଥିଲା। କିଛି ସମୟ ପରେ ସେମାନେ ଶାନ୍ତ ଅନୁଭବ କରିଥିବା ଦେଖା ଯାଇଥିଲା।