ପ୍ରାବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଓ ଦର୍ଶନୀୟ ସ୍ଥାନ ରହିଛି। ପର୍ଯ୍ୟଟନ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ପର୍ଯ୍ୟଟକ ପ୍ରାକୃତିକ ପରିବେଶରେ ମଜା ଉଠାଇବା ପାଇଁ ଏହି ଜିଲ୍ଲାକୁ ଛୁଟି ଆସିଥାନ୍ତି। ସବୁ ସ୍ଥାନ ମଧ୍ୟରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ୍ ମନୋହରପୁର ନିକଟରେ ବୈତରଣୀ ନଦୀକୂଳର ବନ୍ୟ ପରିବେଶ ମଧ୍ୟରେ ଏକ ନୂତନ ପର୍ଯ୍ୟଟନସ୍ଥଳୀ ‘ସୁନାମୁନି ଜଙ୍ଗଲ ବିଚ୍’ ଏବେ ଚର୍ଚ୍ଚାରେ ରହିଛି। ନଜର ଆଢୁଆଳରେ ରହିଥିବା ଏହି ସ୍ଥାନ ସମ୍ପର୍କରେ ଜଣାଯିବା ପରେ ଏବେ କେନ୍ଦୁଝର ଜିଲ୍ଲା ସମେତ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟକଙ୍କ ଗହଳି ଜମୁଛି।
ଆନନ୍ଦପୁର ବ୍ଲକ୍ର ଅନ୍ଧାରୀମୁଲକ କୁହାଯାଉଥିବା ମନୋହରପୁର ଗ୍ରାମ ଏକଦା ଅଷ୍ଟ୍ରେଲିଆର ଧର୍ମଯାଜକ ଗ୍ରାହାମ୍ ଷ୍ଟେନ୍ସ୍ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଏବେ ସୁନାମୁନି ପର୍ଯ୍ୟଟନସ୍ଥଳୀକୁ ନେଇ ଏହି ଆଦିବାସୀ ଇଲାକା ଚଳଚଞ୍ଚଳ ହୋଇଉଠିଛି। ଆନନ୍ଦପୁର ସଦର ମହକୁମାଠାରୁ ମନୋହପୁରର ଦୂରତା ୪୬ କି.ମି. ହୋଇଥିବା ବେଳେ ମନୋହରପୁର ଠାରୁ ୪ କି.ମି. ଦୂରରେ ରହିଛି ସୁନାମୁନି ଜଙ୍ଗଲ ବିଚ୍। ମୟୂରଭଞ୍ଜର ଠାକୁରମୁଣ୍ଡାରୁ ଏହାର ଦୂରତା ମାତ୍ର ୨୨ କି.ମି.। ମନୋହରପୁର ଗ୍ରାମଠାରୁ ୨ କି.ମି. ଯିବା ପରେ ସେଠାରୁ ୨ କି.ମି. ରହିଛି ଜଙ୍ଗଲିଆ ରାସ୍ତା। ରାସ୍ତାରେ ବଡ଼ ବଡ଼ ପଥର ପଡ଼ିଥିବା ବେଳେ ବର୍ଷାରେ ଘାଇ ସୃଷ୍ଟି ହୋଇଥିବାରୁ ଚାରିଚକିଆ ଯାନ ଯିବା ସମ୍ଭବ ହେଉ ନ ଥିଲା। ଲୋକମାନେ ବାଇକ୍ରେ କିମ୍ବା ଚାଲି ଚାଲି ଏହି ସ୍ଥାନକୁ ଯାଉଥିଲେ। ତେବେ ଏନେଇ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆନନ୍ଦପୁର ବିଧାୟକଙ୍କ ଉଦ୍ୟମରେ ପର୍ଯ୍ୟଟନସ୍ଥଳୀକୁ ରାସ୍ତା ନିର୍ମାଣ କରାଯାଇଛି।
ଗମନାଗମନ ଓ ରହଣି ସୁବିଧା
ଭୁବନେଶ୍ବରରୁ ଏହି ସ୍ଥାନର ଦୂରତା ପାଖାପାଖି ୨୦୦ କି.ମି. ହେବ। ଆନନ୍ଦପୁରରେ ରାତ୍ରୀଯାପନ ପାଇଁ ସରକାରୀ ବଙ୍ଗଳା ସହିତ ଅନେକ ଘରୋଇ ହୋଟେଲ ରହିଛି। ସୁନାମୁନି ସହିତ ପାଖରେ ଥିବା ଭୀମକୁଣ୍ଡ ଓ ଭୈରବକୁଣ୍ଡର ମଜା ମଧ୍ୟ ନେଇପାରିବେ।
ବନ୍ୟ ପରିବେଶ ମଧ୍ୟରେ ବୈତରଣୀର ନୀଳ ଜଳରାଶି ଏଠାରେ ସମୁଦ୍ରର ଭ୍ରମ ସୃଷ୍ଟି କରିଛି। ଏପରିକି ଚାରିପାର୍ଶ୍ବରେ ବିରାଟ ପର୍ବତମାଳା ସାଙ୍ଗକୁ ପଥର ମଧ୍ୟରେ ନଦୀର ଅଙ୍କାବଙ୍କା ସ୍ରୋତ ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିପାରିବ। ନଦୀକୂଳ ବାଲୁକାଶଯ୍ୟାରେ ଭୋଜିଭାତ କରିବାପାଇଁ ଉପଯୁକ୍ତ ସ୍ଥାନ ମଧ୍ୟ ରହିଛି। ସ୍ଥାନୀୟ ମତ୍ସଜୀବୀଙ୍କ ଦ୍ବାରା ଏଠାରେ ମାଛ ଧରାଯାଉଥିବା ବେଳେ ପର୍ଯ୍ୟଟକମାନେ ମଧ୍ୟ ବୈତରଣୀର ମଧୁର ମାଛ ସୁବିଧାରେ ପାଇପାରିବେ। ଅନେକ ସମୟରେ ପର୍ଯ୍ୟଟକମାନେ ଏଠାରେ ତମ୍ବୁ ମାରି ରାତି କଟାଇ ନିଆରା ଅନୁଭୂତି ସାଉଁଟିଛନ୍ତି। ଏଠାକାର ଶୀତଳ ଜଳରାଶିରେ ଗାଧୋଇବା ମଧ୍ୟ ନିଆରା ଅନୁଭବ ଆଣୁଥିବା ନେଇ କଇନିପୁରାର ସାଜନ କୁମାର ସାହୁ ପ୍ରକାଶ କରିଛନ୍ତି। ତେବେ ଏହି ସ୍ଥାନର ପାରିପାର୍ଶ୍ବିକ ବିକାଶ ନ ହେବା ପର୍ଯ୍ୟଟକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ରାସ୍ତାର ବିକାଶ ସହିତ ପାରିପାର୍ଶ୍ବିକ ଉନ୍ନତି କରାଗଲେ ଏହା ରାଜ୍ୟରେ ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇପାରନ୍ତା, ଏଥିରେ ସନ୍ଦେହ ନାହିଁ।
- ଶତ୍ରୁଘ୍ନ ସାହୁ