ଖରା, ଝାଳ, ଧୂଳି, ଧୂଆଁ ଆଦି ପ୍ରଭାବରୁ ତ୍ୱଚାକୁ ସୁରକ୍ଷା ପ୍ରଦାନ କରିବା ସହ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ତୁଳସୀ ଏକ ବରଦାନ ସଦୃଶ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ୍‌ ଭରପୂର ମାତ୍ରାରେ ରହିଛି, ଯାହା ଖରାପ ତ୍ବଚାକୁ ଚମକ ଦେବାରେ ସାହାଯ୍ୟ କରିବା ସହ କୁଞ୍ଚନରେଖାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାର ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ତ୍ୱଚାକୁ ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ୍‌, ବ୍ରଣ ଆଦି ସମସ୍ୟାରୁ ରକ୍ଷା କରିଥାଏ। ଏଥିରେ ଭିଟାମିନ୍‌-ସି’ର ମାତ୍ରା ଅଧିକ ଥିବାରୁ ତ୍ୱଚାକୁ ଚମକପ୍ରଦ ରଖିଥାଏ।

Advertisment

ପତ୍ରକୁ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏକ ଚାମଚ ଏହି ପେଷ୍ଟ ସହିତ ଗୋଟେ ଚାମଚ ଓଟ୍‌ମିଲ୍‌ ଓ ଅଳ୍ପ କ୍ଷୀର ମିଶାଇ ସ୍କ୍ରବ୍‌ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୫-୧୦ ମିନିଟ୍‌ ଧୀରେ ଧୀରେ ମସାଜ୍‌ କରନ୍ତୁ ଏବଂ ପାଣିରେ ମୁହଁ ଧୋଇଦିଅନ୍ତୁ। ସପ୍ତାହରେ ଥରେ କିମ୍ବା ଦୁଇଥର ଏପରି କଲେ ତ୍ୱଚାରେ ଜମିଥିବା ମଳି ସଫା ହେବ, ଯାହାଦ୍ୱାରା ବ୍ରଣ ସମସ୍ୟା ଦେଖା ଦେବନାହିଁ। ପତ୍ର ବଟା କିମ୍ବା ଏହାର ପାଉଡର୍‌ ଦୁଇ ଚାମଚ ନିଅନ୍ତୁ। ସେଥିରେ ଏକ ଚାମଚ ମୁଲ୍‌ତାନି ମାଟି ଓ ଅଧାଚାମଚ ଲେମ୍ବୁରସ ମିଶାନ୍ତୁ। ସେଥିରେ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ ୧୦ ମିନିଟ୍‌ ରଖିବା ପରେ ପାଣିରେ ଧୋଇଦିଅନ୍ତୁ। ଏହା ତ୍ୱଚାର କଳାଦାଗ ସମସ୍ୟା କମାଇବା ସହ ମୁହଁରେ ଚମକ ଆଣିଥାଏ।