ହିନ୍ଦୁ ଧର୍ମରେ ତୁଳସୀକୁ ଏକ ପୂଜନୀୟ ବୃକ୍ଷ ବୋଲି ବିବେଚନା କରାଯାଏ। ବିଶ୍ବାସ କରାଯାଏ ଯେ ଯେଉଁ ଘରେ ତୁଳସୀ ଗଛ ରହିଛି, ସେଠାରେ ମାଆ ଲକ୍ଷ୍ମୀଙ୍କ ବାସ ହୋଇଥାଏ। କେବଳ ଲକ୍ଷ୍ମୀ ନୁହଁ, ଭଗବାନ ବିଷ୍ଣୁ ବି ତୁଳସୀରେ ଥାଆନ୍ତି ବୋଲି ବିଶ୍ବାସ ରହିଛି।

Advertisment

କୁହାଯାଏ ତୁଳସୀ ଗଛ ଲଗାଇବା ଦ୍ବାରା ଘରେ ସକାରାତ୍ମକ ଭାବ ବଢ଼ିଥାଏ। ଗାଧୋଇ ସାରି ତୁଳସୀ ଗଛରେ ପାଣି ଦେବାକୁ ଖୁବ୍ ଶୁଭ ବିବେଚନା କରାଯାଏ । ଆପଣ ପ୍ରତିଦିନ ଗାଧୋଇ ସାରିବା ପରେ ତୁଳସୀ ମାଆଙ୍କୁ ମୁଣ୍ଡିଆ ମାରି ସେଥିରେ ଜଳ ଦେବା ଦ୍ବାରା ଘର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ।

ଯେତେ ଶୁଭ ତୁଳସୀ ପତ୍ର ହୋଇଥାଏ, ସେତିକି ଶୁଭ ତୁଳସୀ ଜଳ ବି ହୋଇଥାଏ। ଆପଣ ରାତିରେ ଏକ ଢାଳରେ ପାଣି ରଖି ସେଥିରେ କିଛି ତୁଳସୀ ପତ୍ର ପକାଇ ରଖନ୍ତୁ। ସେହି ପାଣିକୁ ସକାଳୁ ଘର ଝାଡୁ କରିବା ପରେ ପୂରା ଘରେ ଛିଞ୍ଚନ୍ତୁ। ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀଙ୍କ ପାଦ ଆପଣଙ୍କ ଘରେ ପଡ଼ିବ ବୋଲି ବିଶ୍ବାସ କରାଯାଏ।

ତୁଳସୀ ପାଣିରେ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ନାନ କରାଇବା ଖୁବ୍‌ ଶୁଭଙ୍କର ହୋଇଥାଏ। ଆପଣ ଜାଣନ୍ତି ଯେ କୃଷ୍ଣଙ୍କର ତୁଳସୀ ଭାରି ପ୍ରିୟ। ଆପଣ ଯଦି ଘରେ କୃଷ୍ଣଙ୍କ ମୂର୍ତ୍ତି ରଖିଛନ୍ତି ତ ତୁଳସୀ ପାଣିରେ ସେହି ମୂର୍ତ୍ତିକୁ ଧୋଇଦିଅନ୍ତୁ। ତୁଳସୀପାଣି ସର୍ବଦା ତମ୍ବା ପାତ୍ରରେ ରହିବା ଆବଶ୍ୟକ,  ତାହାକୁ ସବୁବେଳେ ପୂଜା ଘରେ ହିଁ ରଖନ୍ତୁ।