ନୂଆଦିଲ୍ଲୀ: ତୁର୍କୀର ଜଣେ ଯୁବତୀ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଭଲ ପାଇ ବସିଥିଲେ। ଏହାପରେ ଯୁବତୀ ଜଣକ ହଜାର କିଲୋମିଟର ଦୂରରୁ ଭାରତରେ ପହଞ୍ଚି ତାଙ୍କ ପ୍ରେମିକଙ୍କୁ ବିବାହ କରିଥିଲେ। କିନ୍ତୁ ଦୁହିଁଙ୍କର ୨ବର୍ଷ ପୂର୍ବରୁ ନିର୍ବନ୍ଧ ସରିଥିଲା। ଦୁହିଁଙ୍କ ପରିବାରବର୍ଗଙ୍କ ଅନୁମତି ମିଳିବା ପରେ ଭାରତୀୟ ଯୁବକ ଓ ବିଦେଶୀ ଯୁବତୀଙ୍କ ବିବାହ ହୋଇଥିଲା।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଗୁଟୁରରେ ରହୁଥିବା ମଧୁ ସଙ୍କିରଥଙ୍କ ସାକ୍ଷାତ ୨୦୧୬ ମସିହାରେ ତୁର୍କୀର ଗିଜେମଙ୍କ ସହିତ ହୋଇଥିଲା। ଦୁହେଁ ଏକ କାମରେ ଯାଇଥିବା ବେଳେ ଭେଟାଭେଟି ହୋଇଥିଲା। ସେବେଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତାର ଏକ ବନ୍ଧନ ବାନ୍ଧି ହୋଇଯାଇଥିଲା। ଏହାପରେ ସଙ୍କିରଥ କାମ ପାଇଁ ତୁର୍କୀ ଚାଲିଯାଇଥିଲେ। ଏହିଠାରୁ ଦୁହିଁଙ୍କ ବନ୍ଧୁତା ପ୍ରେମ ସମ୍ପର୍କରେ ବଦଳି ଯାଇଥିଲା। ତୁର୍କୀରେ ଗିଜେମ ସଙ୍କିରଥଙ୍କ ବହୁତ ସାହାଯ୍ୟ କରିଥିଲେ।
ଏହି ପ୍ରେମୀଯୁଗଳ ଯେତେବେଳେ ନିଜର ଏହି ସମ୍ପର୍କକୁ ପରିବାରଲୋକଙ୍କୁ ଜଣାଇଥିଲେ ଦୁହିଁଙ୍କ ପରିବାର ରାଜି ହୋଇ ନଥିଲେ। ଶେଷରେ ଦୁହେଁ ନିଜ ପରିବାରଲୋକଙ୍କୁ ବୁଝାଇ ଦେଇଥିଲେ। ପରିବାରଲୋକଙ୍କ ଅନୁମତି କ୍ରମେ ୨୦୧୯ରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା। ୨୦୨୦ରେ ଗିଜେମ ଓ ସଙ୍କିରଥଙ୍କ ବିବାହ ହେବାର ଥିଲା। କିନ୍ତୁ କରୋନା ମହାମାରୀ ପାଇଁ ସେମାନେ ନିଜ ବିବାହକୁ ଘୁଞ୍ଚାଇ ଦେଇଥିଲେ।
ଏବେ ପରିସ୍ଥିତି ଧୀରେଧୀରେ ସ୍ବାଭାବିକ ହେବା ପରେ ଗିଜେମ ଓ ସଙ୍କିରଥଙ୍କ ବିବାହ ଗତ ମଙ୍ଗଳବାର ତେଲୁଗୁ ରୀତି-ନୀତିରେ ସମ୍ପର୍ଣ୍ଣ ହୋଇଥିଲା। ଦୁହିଁଙ୍କ ଏହି ବିବାହ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।