ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ଜମ୍ମୁ-କଶ୍ମୀର ସମ୍ବଦ୍ଧିତ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବ ରଖିବା ପରେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ ଏବେ #ଧାରା୩୭୦ ଟ୍ଵିଟ୍‌ର ଭିଡ଼ ଜମିଛି। ଅନେକ ଜଣାଶୁଣା ବ୍ୟକ୍ତି ଟ୍ଵିଟର୍‌ରେ ଏହାକୁ ନେଇ ଟ୍ଵିଟ୍‌ କରିବାରେ ଲାଗିଛନ୍ତି।

Advertisment

ଭାରତୀୟ କ୍ରିକେଟ୍‌ ତାରକା ସୁରେଶ ରାଇନା ଲେଖିଛନ୍ତି, ‘ଏହା ଏକ ଐତିହାସିକ ପଦକ୍ଷେପ। ଧାରା ୩୭୦ର ଉଚ୍ଛେଦ ଏକ ସୁନ୍ଦର ସମୟକୁ ସ୍ୱାଗତ କରିବ।’

ସେହିପରି ଲେଖକ ଚେତନ ଭଗତ ଲେଖିଛନ୍ତି, ‘୨୦୧୯, ଅଗଷ୍ଟ ୫ ତାରିଖ। ଶେଷରେ କଶ୍ମୀର ସ୍ୱାଧୀନ ହୋଇଗଲା। ସ୍ୱାଧୀନ ହୋଇଗଲା ଆଗକୁ ବଢ଼ିବା ପାଇଁ ଓ ଭବିଷ୍ୟତ ଗଢ଼ିବା ପାଇଁ।

ଆନ୍ଧ୍ରପଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲେଖିଛନ୍ତି, ‘କେନ୍ଦ୍ର ସରକାରଙ୍କ ୩୭୦ ଧାରାର ଉଚ୍ଛେଦ ପ୍ରସ୍ତାବକୁ ତେଲୁଗୁ ଦେଶମ ପାର୍ଟି ସମର୍ଥନ କରୁଛି। ଜମ୍ମୁ-କଶ୍ମୀରର ଲୋକଙ୍କ ଶାନ୍ତି ଓ ସମୃଦ୍ଧି ପାଇଁ ମୁଁ ପ୍ରାର୍ଥନା କରୁଛି।’

ଅଭିନେତା ବିବେକ ଓବରଏ ଲେଖିଛନ୍ତି, ‘ଦେଶ ପାଇଁ ସହିଦ ହୋଇଥିବା ସେ ସମସ୍ତ ଯବାନଙ୍କ ପାଇଁ ଏହା ହେଉଛି ବଡ଼ ଶ୍ରଦ୍ଧାଞ୍ଜଳି। ସମସ୍ତ ଦେଶଭକ୍ତଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ହୃଦୟରୁ ସଲାମ।’