ସ୍ବରାଜ ମିଶ୍ର

Advertisment

ମନ୍ଦିର ଓ ମୂର୍ତ୍ତିନିର୍ମାଣ କଳାରେ ଅସାଧାରଣ ଉତ୍କର୍ଷ ହାସଲ କରିଛନ୍ତି ଆମ ଓଡ଼ିଶାର ଶିଳ୍ପୀମାନେ। କାହିଁ କେତେ ଯୁଗ ତଳୁ ପାହାଡ଼ ଉପରେ, ନଦୀଟାପୁରେ, ସମୁଦ୍ର ମୁହାଣରେ ମନ୍ଦିର ତୋଳି ଠିଆ କରିଛନ୍ତି। ନିହଣମୁନରେ ନିଷ୍ପ୍ରାଣ ପଥରରେ ଏପରି ଲାବଣ୍ୟଭରା କଳାକୃତି ପ୍ରସ୍ତୁତ କରିଛନ୍ତି ଯେ ତାହାକୁ ଦେଖିବାକୁ ଦୂରଦୂରାନ୍ତରୁ ଲୋକେ ଧାଇଁ ଆସୁଛନ୍ତି। କିନ୍ତୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଆଜକୁ ପ୍ରାୟ ବାରଶହ ବର୍ଷ ତଳେ ସେମାନେ ମୂର୍ତ୍ତି ଗଢ଼ିବାର ସାହସ କରିଥିଲେ ନଦୀଶଯ୍ୟାର ପଥର ଚଟାଣରେ, ଯାହା ଖରାବର୍ଷା, ଶୀତକାକର, ବଢ଼ିବାଲୁଚର ସ‌ତ୍ତ୍ବେ ଆଜି ବି ବଞ୍ଚାଇ ରଖିଛି ତା’ର ଅପୂର୍ବ ରୂପଲାବଣ୍ୟ। ଢେଙ୍କାନାଳଜିଲ୍ଲା ସରାଙ୍ଗ ନିକଟରେ  ବ୍ରାହ୍ମଣୀ ନଦୀଶଯ୍ୟାରେ ଥିବା ଏହି ମୂର୍ତ୍ତିଟି ଏତେ ବିଶାଳ ଯେ ଏହା ଭାରତର ସର୍ବବୃହତ୍‌ ଶାୟିତ ବିଷ୍ଣୁମୂର୍ତ୍ତିର ମାନ୍ୟତା ପାଇଛି।ଅନନ୍ତଶୟନରେ ଶୋଇ ରହିଥିବା ମହାବିଷ୍ଣୁଙ୍କ ପାଇଁ କ୍ଷୀରସାଗର ପାଲଟିଛି ବ୍ରାହ୍ମଣୀ। କେତେବେଳେ ବନ୍ୟାଜଳରେ ତାଙ୍କୁ କୋଳାଇ ନେଉଛି ତ କେତେବେଳେ ଚରଣ ସ୍ପର୍ଶକରି ବହିଯାଉଛି କୁଳୁକୁଳୁ ହୋଇ।

ଖ୍ରୀଷ୍ଟୀୟ ୮ମ ଓ ୯ମ ଶତାବ୍ଦୀରେ ଓଡ଼ିଶା ଭୂଖଣ୍ଡ ଭୌମକରମାନଙ୍କ ଶାସନାଧୀନ ଥିଲା। ଏହି ସମୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ କିଛି  ରାଜବଂଶ ଭୌମକରଙ୍କ ବଶତା ସ୍ବୀକାରକରି ସାମନ୍ତ ରାଜା ଭାବେ ରାଜ୍ୟ ଶାସନ କରୁଥିଲେ। ସେଥିମଧ୍ୟରୁ ଶୁଳ୍‌କି ବଂଶ ବର୍ତ୍ତମାନର ଢେଙ୍କାନାଳ, ତାଳଚେର,  ଅନୁଗୁଳ ଆଦି ଅଞ୍ଚଳକୁ ନେଇ ଗଠିତ ‘କୋଦାଳକ ମଣ୍ଡଳ’ରେ ଶାସନ କରୁଥିଲେ। ସେମାନେ ‘ସ୍ତମ୍ଭ’ ଉପାଧି ଧାରଣ କରୁଥିଲେ ଏବଂ ସେମାନଙ୍କ ରାଜଧାନୀ ଥିଲା ‘କୋଦାଳକ’, ଯାହାକୁ ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ‘କୁଆଳୋ’ ଗ୍ରାମ ବୋଲି ଚିହ୍ନିତ କରାଯାଉଛି। ଏଠାରେ ପ୍ରସିଦ୍ଧ ଅଷ୍ଟଶମ୍ଭୁ ମନ୍ଦିର ସମେତ ଅନେକ ପ୍ରାଚୀନ ସ୍ଥାପତ୍ୟର ଅବଶେଷ ଦେଖିବାକୁ ମିଳେ। ସେହି ଶାସନକାଳରେ ଖ୍ରୀଷ୍ଟୀୟ ୯ମ ଶତାବ୍ଦୀର ଆଦ୍ୟ ଭାଗରେ ସରାଙ୍ଗ ନିକଟ ବ୍ରାହ୍ମଣୀ ନଦୀଶଯ୍ୟାରେ ଅନନ୍ତଶୟନ ବିଷ୍ଣୁମୂର୍ତ୍ତି ନିର୍ମିତ ହୋଇଥିବାର ବିଶ୍ୱାସ କରାଯାଏ। ତେବେ ବ୍ରାହ୍ମଣୀ ଉପତ୍ୟକାରେ ଗୋଟିଏ ନୁହେଁ, ଦୁଇଟି ବିଶାଳକାୟ ଶାୟିତ ବିଷ୍ଣୁମୂର୍ତ୍ତି ରହିଛି। ସେଥିରୁ ଗୋଟିଏ ସରାଙ୍ଗଠାରେ ନଦୀଶଯ୍ୟାରେ ରହିଥିଲା ବେଳେ ଅନ୍ୟଟି ରହିଛି ବ୍ରାହ୍ମଣୀର ଉପନଦୀ ଟିକିରାର ଅନତି ଦୂରରେ, ତାଳଚେର କଣିହଁା ଅଞ୍ଚଳର ଭୀମକାଣ୍ଡ ଗାଁ ନିକଟରେ। ୧୯୯୦ ଦଶକରେ ଜାତୀୟ ତାପଜ ବିଦ୍ୟୁତ୍‌ ନିଗମ (ଏନ୍‌ଟିପିସି)ର ସୁପର୍‌ ଥର୍ମାଲ୍ ପ୍ଲାଣ୍ଟ୍ ପ୍ରତିଷ୍ଠିତ ହେବାପରେ ଭୀମକାଣ୍ଡର ମୂର୍ତ୍ତି ରହିଥିବା ଅଞ୍ଚଳଟି ପ୍ଲାଣ୍ଟ୍‌ ପରିସରଭୁକ୍ତ ହୋଇଛି। ଏଣୁ ଏବେ ମୂର୍ତ୍ତି ନିକଟରେ ପହଞ୍ଚିବା ପାଇଁ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ପରିସର ଭିତରକୁ ଯିବାକୁ ପଡୁଛି।

ଅନନ୍ତଶୟନରେ ଶୋଇ ରହିଥିବା ମହାବିଷ୍ଣୁଙ୍କ ପାଇଁ କ୍ଷୀରସାଗର ପାଲଟିଛି ବ୍ରାହ୍ମଣୀ। କେତେବେଳେ ବନ୍ୟାଜଳରେ ତାଙ୍କୁ କୋଳାଇ ନେଉଛି ତ କେତେବେଳେ ଚରଣ ସ୍ପର୍ଶକରି ବହିଯାଉଛି କୁଳୁକୁଳୁ ହୋଇ।

ଉଭୟ ବିଷ୍ଣୁମୂର୍ତ୍ତି ସମ୍ପର୍କରେ ଅନୁଧ୍ୟାନ କରିଥିବା ପ୍ରତ୍ନତତ୍ତ୍ବବିତ୍‌ ପରମାନନ୍ଦ ଆଚାର୍ଯ୍ୟ କହନ୍ତି ଯେ ବ୍ରାହ୍ମଣୀ ଉପତ୍ୟକା ବିଭିନ୍ନ ଦେଶୀୟ ରାଜ୍ୟର ଶାସନାଧୀନ ଥିବାରୁ ଏହି ଅଞ୍ଚଳର ପ୍ରତ୍ନସମ୍ପଦ ବହୁଦିନଧରି ଗବେଷକମାନଙ୍କ ଦୃଷ୍ଟି ଆଢୁଆଳରେ ଥିଲା। ‘ତାଳଚେର ଇତିହାସ ଓ ତାଳଚେର ଅଞ୍ଚଳର ଐତିହାସିକ ଉପାଦାନ’ ପ୍ରବନ୍ଧରେ ସେ ଲେଖିଛନ୍ତି,‘‘ମୋର ବନ୍ଧୁ ସୁଧାକର ପଟ୍ଟନାୟକ ପ୍ରଥମେ ସ୍ତମ୍ଭ ବଂଶୀୟ ତମ୍ବାପଟାରେ ଲିଖିତ ଥିବା କୋଦାଳକ ମଣ୍ଡଳର ରାଜଧାନୀ ଢେଙ୍କାନାଳ ରାଜ୍ୟର କୁଆଳୋ ବୋଲି ଚିହ୍ନିତ କରିଥିଲେ। ମୁଁ ୧୯୨୮ରେ ତାଳଚେରରୁ କୁଆଳୋ ଦେଖିବାକୁ ଯାଇ ପଟ୍ଟନାୟକ ମହାଶୟଙ୍କ ଉକ୍ତିର ସତ୍ୟତାର ପ୍ରମାଣ ପାଇଥିଲି। ତତ୍ପରେ ୧୯୪୬ରେ ଅନୁଗୋଳରୁ ଶ୍ରୀ ରାଧାମୋହନ ଗଡ଼ନାୟକ ଓ ମୋର ଜ୍ୟେଷ୍ଠ ଜାମାତାଙ୍କ ସହିତ ସରାଙ୍ଗର ବିଷ୍ଣୁମୂର୍ତ୍ତି ଦେଖିବାର ସୁଯୋଗ ପାଇଥିଲି। ସରାଙ୍ଗ ଯିବାପାଇଁ ତାଳଚେରର ତତ୍କାଳୀନ ରାଜାସାହେବ ସମସ୍ତ ସୁବିଧା କରି ଦେଇଥିଲେ।’’ ଭୀମକାଣ୍ଡ ଗ୍ରାମରେ ଏଭଳି ଆଉ ଏକ ଶାୟିତ ବିଷ୍ଣୁମୂର୍ତ୍ତି ଅଛି ବୋଲି ସେତେବେଳେ  ତାଳଚେର ରାଜାଙ୍କ ଠାରୁ ସୂଚନା ପାଇଥିଲେ ମଧ୍ୟ  ୧୯୪୯ ଫେବ୍ରୁଆରି ପୂର୍ବରୁ ସେଠାରେ ପହଞ୍ଚିବାର ସୌଭାଗ୍ୟ ତାଙ୍କୁ ଜୁଟି ନଥିଲା। ଭୀମକାଣ୍ଡ ଗ୍ରାମରେ ପହଞ୍ଚି ଚାଲି ଚାଲି କିଛିବାଟ ଯିବାପରେ ଚତୁର୍ଦ୍ଦିଗରେ ଚାଷଜମି ଘେରା ଏକ ପଥର ଚକଡ଼ା ଉପରେ ସେ ଦେଖିଥିଲେ ଏହି ଦ୍ବିତୀୟ ଶାୟିତ ବିଷ୍ଣୁମୂର୍ତ୍ତି, ଯାହାକି ଆକାର ପ୍ରକାର ତଥା ରୂପଲାବଣ୍ୟରେ ସରାଙ୍ଗ ମୂର୍ତ୍ତିର ଅନୁରୂପ ଥିଲା।

ପରମାନନ୍ଦ ଆଚାର୍ଯ୍ୟଙ୍କ ବ୍ୟତୀତ ଆହୁରି ବହୁ ପ୍ରତ୍ନତତ୍ତ୍ବବିତ୍ ଓଡ଼ିଶାର ଏହି ଦୁଇ ଅନନ୍ୟ ମୂର୍ତ୍ତି ଉପରେ ଗବେଷଣା କରିଛନ୍ତି। ଭୌମକରମାନଙ୍କ ଶାସନ କାଳରେ ଶୁଳ୍‌କି ରାଜାମାନଙ୍କ ଦ୍ବାରା ନିର୍ମିତ ଉଭୟ ବିଶାଳକାୟ ମୂର୍ତ୍ତିର ଗଠନଶୈଳୀରେ ଅନେକ ସାମ୍ୟ ଥିବା ବେଳେ କିଛିଟା ତାରତମ୍ୟ ମଧ୍ୟ ରହିଛି। ସରାଙ୍ଗର ମୂର୍ତ୍ତି ଡାହାଣକୁ ଢଳି ଶୋଇଛନ୍ତି। ତାଙ୍କର ଡାହାଣ ପାଦ ବାମଗୋଡ଼ ଉପରେ ଛନ୍ଦିହୋଇ ରହିଛି ଓ ଚାରୋଟି ହାତ ସୁସ୍ପଷ୍ଟ। ବାଁପଟ ଉପର ହାତଟିରେ ଗଦା ଓ ତଳ ହାତରେ ଶଙ୍ଖ। ସେହିପରି ଡାହାଣ ପଟେ ତଳକୁ ଥିବା ହାତରେ ଚକ୍ର ଥିବା ବେଳେ ଉପର ହାତଟି ପ୍ରସାରିତ ହୋଇ ଗଣ୍ଡଦେଶକୁ ଛୁଉଁଛି। ମସ୍ତକ ଉପରେ ଅନନ୍ତଙ୍କର ଫଣା ରହିଛି। ମୁଣ୍ଡରେ କିରୀଟ, କାନରେ କୁଣ୍ଡଳ ଓ ଶରୀରରେ ବସ୍ତ୍ର ଖୋଦିତ ହୋଇଛି। ନାଭିରୁ ସମୁତ୍ଥିତ ପଦ୍ମଦଳରେ ଚତୁର୍ଭୁଜ ବ୍ରହ୍ମା ଆସୀନ। ଅବକ୍ଷୟ ହୋଇ  ବ୍ରହ୍ମା ମୂର୍ତ୍ତିଟିର ଏବେ କେବଳ ଆକାର ମାତ୍ର ରହିଛି। ସେହିପରି ଅନନ୍ତନାଗଙ୍କର ଫଣା ମଧ୍ୟ କ୍ଷୟ ହୋଇ ଅସ୍ପଷ୍ଟ ହୋଇଗଲାଣି। ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ଏହି ମୂର୍ତ୍ତିଟି ୪୭ଫୁଟ୍‌ରୁ କିଛି ଅଧିକ ଓ ଅନନ୍ତଙ୍କର ଫଣା ପ୍ରାୟ ୩ ଫୁଟ୍‌ ମିଶାଇଲେ ଏହାର ଦୈର୍ଘ୍ୟ ୫୦.୫ ଫୁଟ୍‌ (୧୫.୪୦ ମିଟର୍‌)। ତେବେ ଭୀମକାଣ୍ଡ ମୂର୍ତ୍ତିରେ ଅନନ୍ତନାଗଙ୍କର ପରିକଳ୍ପନା ନାହିଁ। ଏହି ମୂର୍ତ୍ତିଟି ଡାହାଣ ପଟକୁ ପୂରା ଢଳି ଶୋଇଥିବାରୁ ସେହି ପାଖର ହାତ ଦୁଇଟି ଖୋଦିତ ହୋଇନାହିଁ। ବାଁ ପଟ ଉପର ହାତରେ ଚକ୍ର ଓ ଅନ୍ୟ ହାତଟି ଆଜାନୁଲମ୍ବିତ। ଡାହାଣ ପାଦ ବାଁ ପାଦ ଉପରେ ନ୍ୟସ୍ତ। ତେବେ ଏହାର ବସନଭୂଷଣ ସ୍ପଷ୍ଟ। ଶିରରେ କିରୀଟ, ଗଳାରେ ବନମାଳ, ଭୁଜରେ କଙ୍କଣ କେୟୁର ଆଦି ଶୋଭିତ। ଏହାର ଦୈର୍ଘ୍ୟ ୪୨.୩ ଫୁଟ୍‌ (୧୨.୯ ମିଟର୍‌)।

ଦୁଇ ମୂର୍ତ୍ତି ମଧ୍ୟରେ ଆୟୁଧକ୍ରମରେ ତାରତମ୍ୟ ଥିଲେ ବି ଏହି ବୈଷମ୍ୟର ପୌରାଣିକ ତାତ୍ପର୍ଯ୍ୟ ରହିଛି। ପ୍ରଖ୍ୟାତ ସାହିତ୍ୟ ସମାଲୋଚକ ପ୍ରଫେସର ଦାଶରଥି ଦାସ ‘ସାହିତ୍ୟସନ୍ଧାନ’ ପୁସ୍ତକରେ ତାଙ୍କର ‘ଓଡ଼ିଶାରେ ଦୁଇଟି ବିଷ୍ଣୁମୂର୍ତ୍ତି’ ପ୍ରବନ୍ଧରେ ଟି. ଏ. ଗୋପୀନାଥ ରାଓଙ୍କ ‘ହିନ୍ଦୁ ଆଇକନ୍‌ଗ୍ରାଫି’ ଆଧାରରେ କହିଛନ୍ତି ଯେ ସରାଙ୍ଗର ମୂର୍ତ୍ତିକୁ ‘ସର୍ପେନ୍ଦ୍ରଭୋଗଶୟନ’ ଓ ଭୀମକାଣ୍ଡ ମୂର୍ତ୍ତିକୁ ‘ଜଳଶାୟୀ ନାରାୟଣ’ ବୋଲି କହିବା ସମୀଚୀନ ହେବ। ଉଭୟ ମୂର୍ତ୍ତିର ବିଶେଷତ୍ବ ହେଲା ତାହାର ବିଶାଳତା ଓ ପ୍ରାଚୀନତା। ଅନନ୍ତଶାୟୀ ବିଷ୍ଣୁମୂର୍ତ୍ତି ହିସାବରେ ଏଭଳି ବିଶାଳ ମୂର୍ତ୍ତି ସାରା ଭାରତରେ ବିରଳ। ଦୀର୍ଘ  ବାରଶହ ବର୍ଷ ଧରି  ସରାଙ୍ଗର ମୂର୍ତ୍ତିଟି ଖୋଲା ଆକାଶ ତଳେ ଜଳଧାରକୁ ଲାଗି ରହିଥିବାରୁ ବାରମ୍ବାର ଜଳମଗ୍ନ ହୋଇ ଏହାର କଳାସୌଷ୍ଠବ ଅନେକାଂଶରେ ନଷ୍ଟ ହୋଇଗଲାଣି। ସେହିପରି ଭୀମକାଣ୍ଡ ମୂର୍ତ୍ତିଟି ଏବେ ଏନ୍‌ଟିପିସି ପରିସରରେ ଏକ ସେଡ୍ ତଳେ ସୁରକ୍ଷିତ ଅବସ୍ଥାରେ ରହିଥିଲେ ମଧ୍ୟ ପୂର୍ବରୁ ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇସାରିଛି। ତେବେ ଉଭୟଙ୍କର ମୂଳରୂପ ଯେ ଖୁବ୍ ରମଣୀୟ ଥିଲା,ଏହା ନିଶ୍ଚିତ। କାରଣ ଜରାଜୀର୍ଣ୍ଣ ହୋଇ ପଡ଼ିଥିଲେ ମଧ୍ୟ ଉଭୟଙ୍କ ଅଧରରେ ମନ୍ଦହାସର ଛଟା ଆଜି ବି ଅକ୍ଷୁଣ୍ଣ।