ଅନନ୍ୟ ନବୀନ: ନବୀନଙ୍କ ଲୋକପ୍ରିୟତାର ବାରଟି କାରଣ

ଗୌରହରି ଦାସ

ସମାଜକୁ ଶ୍ରେଣୀ, ଜାତି ଏବଂ ଧର୍ମ ଆଧାରରେ ଭାଗ ଭାଗ କରୁଥିବା ଶକ୍ତିର ପରାଜୟ ଉପରେ ଆମର ପ୍ରଗତି ନିର୍ଭର କରେ।

– ନବୀନ ପଟ୍ଟନାୟକ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଓଡ଼ିଶାର ସବୁଠାରୁ ଦୀର୍ଘକାଳ ଧରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ନୁହନ୍ତି, ଏ କ୍ଷେତ୍ରରେ ସେ ଭାରତରେ ମଧ୍ୟ ଅନ୍ୟତମ ଦୀର୍ଘସ୍ଥାୟୀ ମୁଖ୍ୟମନ୍ତ୍ରୀ। ରେକର୍ଡ ଅନୁସାରେ ସିକ୍କିମ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ୨୪ ବର୍ଷ ୪ ମାସ କ୍ଷମତାରେ ଥିବା ବେଳେ ପଶ୍ଚିମବଙ୍ଗର ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ୨୩ ବର୍ଷ ୪ ମାସ ୧୬ ଦିନ କ୍ଷମତାରେ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି ଏବ˚ ଏବେ ସେ ୨୧ ବର୍ଷ ପୂରଣ କରି ୨୨ ବର୍ଷରେ ପ୍ରବେଶ କରିଛନ୍ତି। ବର୍ତ୍ତମାନର ପଞ୍ଚମ ପାଳି ମୁଖ୍ୟମନ୍ତ୍ରିତ୍ବ ପୂର୍ଣ୍ଣ କଲାପରେ ସେ ଏ ଦୁଇ ରେକର୍ଡଧାରୀଙ୍କ ରେକର୍ଡକୁ ଅତିକ୍ରମ କରିଯାଇଥିବେ।

ପଶ୍ଚିମବଙ୍ଗର ଜ୍ୟୋତି ବସୁ ଏବ˚ ସିକ୍କିମର ପଵନ କୁମାର ଚାମଲିଙ୍ଗଙ୍କ ସହ କେବଳ ଦୀର୍ଘ ସମୟର ସାମ୍ୟ ଛାଡ଼ିଦେଲେ ଅନ୍ୟ କୌଣସି କଥାରେ ନବୀନ ପଟ୍ଟନାୟକଙ୍କର ସମାନତା ନାହିଁ। ବାମପନ୍ଥୀ ଜ୍ୟୋତି ବସୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବାହେବଳକୁ ଧୁରୀଣ ଜନନେତା ଭାବରେ ପ୍ରତିଷ୍ଠା ଲାଭ କରିସାରିଥିଲେ ଏବ˚ ଚାମଲିଙ୍ଗ ପ୍ରଥମେ ପଞ୍ଚାୟତ ନିର୍ବାଚନରେ ଲଢ଼ି ସଫଳତା ପାଇବା ପରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ମାତ୍ର ନବୀନ ପଟ୍ଟନାୟକ ଏ ଦିଇଟି କଥାରେ ଅଲଗା। ସେ ରାଜନୀତିକୁ ଆସିବାବେଳକୁ ଏ କ୍ଷେତ୍ରରେ କୌଣସି ପୂର୍ବ ଅଭିଜ୍ଞତା ଅର୍ଜନ କରି ନ ଥିଲେ କି ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ନ ଥିଲେ। ବର˚ ସେ ଦିଲ୍ଲୀ ରାଜନୀତିରୁ ପ୍ରଥମେ ନିଜର କ୍ୟାରିୟର ଆରମ୍ଭ କରି ତାପରେ ଓଡ଼ିଶାର ଶାସନ ଡୋରି ଧରିବାକୁ ଆସିଥିଲେ। ହାଲୁକା ଭାବରେ କହିଲେ ସେ ‘ଗ୍ରାସରୁଟ୍’ ନେତା ଭାବେ ଆବିର୍ଭୂତ ହୋଇ ନ ଥିଲେ। ମାତ୍ର ଏହି ‘ପାରାସୁଟ’ ନେତା ଜଣକ ଅବିଳମ୍ବେ ବହୁ ‘ଗ୍ରାସରୁଟ୍’ ନେତାଙ୍କୁ ଅତିକ୍ରମ କରିଯାଇଥିଲେ। ତେବେ ସିକ୍କିମର ପଵନ କୁମାର ଚାମଲିଙ୍ଗଙ୍କ ସହ ନବୀନ ପଟ୍ଟନାୟକଙ୍କର ଗୋଟିଏ ସାମ୍ୟ ହେଲା ଦିହେଁ ନିଜ ନିଜ ପାର୍ଟିର ପ୍ରତିଷ୍ଠାତା ସଭାପତି। ଚାମଲିଙ୍ଗଙ୍କର ସିକ୍କିମ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ୧୯୯୩ରେ ପ୍ରତିଷ୍ଠିତ ହୋଇଥିଲା, ନବୀନ ପଟ୍ଟନାୟକଙ୍କର ବିଜେଡି ପ୍ରତିଷ୍ଠିତ ହୋଇଥିଲା ୧୯୯୭ ଡିସେମ୍ବର ୨୬ ତାରିଖରେ। ଏହି ପାର୍ଟି ନବୀନଙ୍କର ପିତା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଯାହାର ମୂଳ ଆହ୍ବାନ ଥିଲା ବିଜୁ ବାବୁଙ୍କ ଅଧୁରା ସ୍ବପ୍ନର ପୂରଣ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକଙ୍କ ଲାଗି ଝଡ଼ର ଇଗଲ ବିଶେଷଣ ବ୍ୟବହାର କରିଥିଲେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଜାନକୀବଲ୍ଲଭ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କୁ ଝଡ଼ର ଇଗଲ ବୋଲି କୁହାଯାଇପାରିବ ନାହିଁ, ମାତ୍ର ତାଙ୍କୁ ଝଡ଼ ପିଠିରେ ବସି ଓହ୍ଲେଇଥିବା ମୁଖ୍ୟମନ୍ତ୍ରୀ ବୋଲି କହିହେବ। କାରଣ ସେ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ସେତେବେଳକୁ ଓଡ଼ିଶା ୧୯୯୯ ମହାବାତ୍ୟାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ସେଇ ବାତ୍ୟାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଚୌକି କେବଳ ଟଳିପଡ଼ିଥିଲା ସେତିକି ନୁହେଁ, କ˚ଗ୍ରେସ ଦଳ ମଧ୍ୟ ଚରମ ବିପର୍ଯ୍ୟୟ ଭୋଗ କରିଥିଲା, ଯାହାର ଆଘାତରୁ ଆଜି ପର୍ଯ୍ୟନ୍ତ ଏହି ପ୍ରାଚୀନ ଦଳ ଉଧେଇପାରିନାହିଁ। ଏଭଳି ଏକ ଅନ୍ଧକାରମୟ ପୃଷ୍ଠଭୂମି ନୂଆନେତା ନବୀନଙ୍କ ପାଇଁ ଅନୁକୂଳ ପରିବେଶ ନିର୍ମାଣ କରିଥିଲା। କାରଣ ଯେତେ ଅକୁଳାଣ ହେଲେ ମଧ୍ୟ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀଙ୍କ ଶାସନ ଗିରିଧର ଗମାଙ୍ଗଙ୍କ ଅସାମର୍ଥ୍ୟ ପାଖାପାଖି ଆଦୌ ହୋଇପାରନ୍ତା ନାହିଁ। ସେ ସମୟରେ ସରକାରୀ କର୍ମଚାରୀଙ୍କ ଦରମା ଦେବାଲାଗି ସୁଦ୍ଧା ପାଣ୍ଠିର ସମସ୍ୟା ଦେଖାଦେଇଥିଲା। ଏହିଭଳି ଏକ ପରିସ୍ଥିତିରେ ଶାସନ କ୍ଷମତା ହାତକୁ ନେଇଥିବା ନବୀନ ପଟ୍ଟନାୟକ ସବୁ ବାଧାବିଘ୍ନ, ଦଳ ବାହାରେ ଓ ଭିତରେ ଥିବା ବିରୋଧୀ, ସମାଲୋଚକ ଏବ˚ ଅନଭିଜ୍ଞତାକୁ ଅତିକ୍ରମ କରି କିପରି ଭାରତର ଅନ୍ୟତମ ସଫଳତମ ମୁଖ୍ୟମନ୍ତ୍ରୀର ମୁକୁଟ ହାସଲ କରିପାରିଲେ ତାହା ବାସ୍ତବରେ ଅନେକଙ୍କ ପାଇଁ ଏକ ବିସ୍ମୟ। ଏହାର କାରଣଗୁଡ଼ିକ କଣ ହୋଇପାରେ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଏତେ ଲୋକପ୍ରିୟ ଯିଏ ପ୍ରତି ନିର୍ବାଚନରେ ତାଙ୍କ ପୂର୍ବ ରେକର୍ଡକୁ ଅତିକ୍ରମ କରି ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିପାରୁଛନ୍ତି। ଏ ସମ୍ପର୍କରେ ବହୁ ସମାଲୋଚକ, ରାଜନୈତିକ ସମୀକ୍ଷକ ଏବ˚ ଜନନେତା ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହିଛନ୍ତି। ସେଗୁଡ଼ିକ ମୁଖ୍ୟତଃ ହେଲା:

୧. ନିର୍ମଳ ଭାବମୂର୍ତ୍ତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନିଷ୍କଳଙ୍କ ଓ ଦୁର୍ନୀତିମୁକ୍ତ। ବାଇଶ ବର୍ଷର ଶାସନ ଭିତରେ ତାଙ୍କ ନାମରେ ବ୍ୟକ୍ତିଗତ ଭାବେ କୌଣସି ଦୁର୍ନୀତିର ଛାପ ଲାଗିନାହିଁ। କେବଳ ସେତିକି ନୁହେଁ, ସେ ନିଜର ଭାବମୂର୍ତ୍ତିର ସୁରକ୍ଷା ଦିଗରେ ଖୁବ୍ ସ୍ପର୍ଶକାତର। କୌଣସି ଦୁର୍ନୀତିଗ୍ରସ୍ତ ସହଯୋଗୀ କିମ୍ବା ଅଫିସରମାନଙ୍କୁ ସେ ଛାଡ଼ନ୍ତି ନାହିଁ। ଏ କ୍ଷେତ୍ରରେ ନବୀନ ପଟ୍ଟନାୟକ ବହୁ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ସମୟରେ ନଳିନୀ ମହାନ୍ତି, କମଳା ଦାସ, ପ୍ରଶାନ୍ତ ନନ୍ଦଙ୍କ ପରି ସହଯୋଗୀଙ୍କଠାରୁ ନେଇ ଆଇଏଏସ୍‌ ଅଫିସର ଏବ˚ ବଡ଼ ବଡ଼ ଠିକାଦାର ଦୁର୍ନୀତିରେ ଲିପ୍ତ ଥିବା ଯୋଗୁଁ ଜେଲ୍‌ ଯାଇଛନ୍ତି।

୨. ଲୋକଙ୍କ ମୁଖ୍ୟମନ୍ତ୍ରୀ: କାଳିଆ ଯୋଜନା ହେଉ କି ଟଙ୍କିକିଆ ଚାଉଳ, ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ହେଉ କିମ୍ବା ହରିଶ୍ଚନ୍ଦ୍ର ଯୋଜନା ଏସବୁ ଲୋକକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ନବୀନ ଆଗୁଆ। ଜନ୍ମଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ବହୁ ପ୍ରକାର ଯୋଜନା ସେ ପ୍ରଣୟନ କରି ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ନିଜର ଏକ ଭାବମୂର୍ତ୍ତି ନିର୍ମାଣ କରିପାରିଛନ୍ତି।

୩. ସରଳ ଜୀବନଯାପନ: ଭାରତବର୍ଷରେ ଏଭଳି ଖୁବ୍‌ କମ୍‌ ଜନନେତା ଅଛନ୍ତି ଯିଏ ଦୀର୍ଘ ୨୨ ବର୍ଷ ଧରି ଏକାପ୍ରକାର ଓ ଏକାରଙ୍ଗର ପୋଷାକ ପିନ୍ଧି ଆସୁଛନ୍ତି ଏବ˚ ଏକାପ୍ରକାର ଗାଡ଼ି ବ୍ୟବହାର କରି ଆସୁଛନ୍ତି। ଧଳା ପଞ୍ଜାବି ଓ ପାଇଜାମା ଭିନ୍ନ ସେ କାନ୍ଧ ଉପରେ ଉତ୍ତରୀୟ କିମ୍ବା ସାଲ୍‌ ଖଣ୍ତେ ପକାଇବାକୁ ମଧ୍ୟ ଚାହାନ୍ତି ନାହିଁ। ବର୍ଷସାରା ପାଦରେ ସେଇ ଏକାପ୍ରକାର କାନପୁରୀ ଚପଲ। ତାଙ୍କର ଏଇ ସରଳ ଜୀବନଯାପନ ପ୍ରଣାଳୀ ଓଡ଼ିଶାର ସାଧାରଣ ଲୋକଙ୍କ ନିକଟରେ ତାଙ୍କୁ ଖୁବ୍‌ ପ୍ରିୟ କରିଛି। ଅନୁରୂପ ଭାବରେ ସେ ନିଜ ପାଇଁ କୌଣସି ବିଶାଳ ସୌଧ ନିର୍ମାଣ କରିନାହାନ୍ତି କିମ୍ବା ସରକାରୀ ବଙ୍ଗଳା ନେଇନାହାନ୍ତି। ବାପାଙ୍କ ତିଆରି ‘ନବୀନ ନିବାସ’ ହିଁ ତାଙ୍କର ଦୀର୍ଘଦିନର ବାସସ୍ଥାନ।

୪. କଥା କମ୍‌, କାମ ବେଶୀ: ସବୁଠାରୁ କମ୍‌ ଶବ୍ଦ ପ୍ରୟୋଗ କରୁଥିବା ନେତାମାନଙ୍କ ଭିତରେ ନବୀନ ପଟ୍ଟନାୟକ ସବା ଆଗରେ ରହିବେ। ତାଙ୍କର ଭାଷଣ ସ˚କ୍ଷିପ୍ତ ଏବ˚ ସ୍ପଷ୍ଟ। ଘଣ୍ଟା ଘଣ୍ଟା ବ୍ୟାପୀ ଭାଷଣ ଦେଉଥିବା ପ୍ରଗଳ୍ଭ ଭାରତୀୟ ରାଜନେତାଙ୍କ ମେଳରେ ସେ ଜଣେ ବ୍ୟତିକ୍ରମ। ଗୋଟେ ଗୋଟେ ନିର୍ବାଚନ ପଦେ ପଦେ ଭାଷଣରେ ଜିତିବାର ଉଦାହରଣ ନବୀନ ବାବୁ ପ୍ରତିଷ୍ଠା କରିଛନ୍ତି। ଉଦାହରଣ ସ୍ବରୂପ ୨୦୧୯ ନିର୍ବାଚନରେ ସେ ଖାଲି ଲୋକଙ୍କୁ ପଦଟେ ପଚାରୁଥିଲେ- ଆପଣମାନେ ଖୁସି ତ? ଏତିକି କଥାରେ ଲୋକଙ୍କ ଭିତରେ ଆଲୋଡ଼ନ ସୃଷ୍ଟି ହେଉଥିଲା।

୫. ଅବିବାହିତ ମୁଖ୍ୟମନ୍ତ୍ରୀ: ଭାରତରେ ଅବିବାହିତ ରାଜନେତାମାନଙ୍କୁ ଲୋକେ ବେଶି ପସନ୍ଦ କରିଥାନ୍ତି। ହୁଏତ ଏହାର କାରଣ ହୋଇପାରେ ଯେ, ସେପରି ନେତାଙ୍କର ନିଜର ପିଲା-ପରିବାର ନ ଥିବାରୁ ସେ ଜନତାଙ୍କ ପାଇଁ ବେଶି ସମୟ ଦେଇପାରିବେ ବୋଲି ସାଧାରଣରେ ଏକ ଧାରଣା ଥାଏ। ପୁଣି ଏପରି ନେତାମାନେ ଦୁର୍ନୀତିମୁକ୍ତ ବୋଲି ମଧ୍ୟ ଏକ ଧାରଣା ସୃଷ୍ଟି ହୁଏ। ଲୋକେ କୁହାକୁହି ହୁଅନ୍ତି, ତାଙ୍କର ତ ପିଲାପିଲି ନାହାନ୍ତି, ସେ ଟଙ୍କା ପଇସା ନେଇ କ’ଣ କରିବେ? ଅବଶ୍ୟ ଜୟଲଳିତା, ମମତା ବାନାର୍ଜୀ ଏବ˚ ମାୟାବତୀଙ୍କ ପରି ଅବିବାହିତା ନେତ୍ରୀମାନଙ୍କୁ ଏପରି କ୍ଲିନ୍‌ଚିଟ୍ ଦେଇହୁଏ ନାହିଁ। ନବୀନ ପଟ୍ଟନାୟକ କିନ୍ତୁ ଅବିବାହିତ ନେତାଙ୍କୁ ନେଇ ଲୋକଙ୍କ ମନରେ ଥିବା ଭଲ ଧାରଣାଗୁଡ଼ିକର ହିତାଧିକାରୀ।

୬. ଅଜ୍ଞାତ ଅତୀତ: ନବୀନ ବାବୁ ତାଙ୍କର ପିତା ବିଜୁଙ୍କ ଦେହାନ୍ତ ପରେ ଓଡ଼ିଶା ରାଜନୀତିକୁ ଆସିଲେ। ତାଙ୍କର ଜନ୍ମ ୧୬ ଅକ୍‌ଟୋବର ୧୯୪୬ରେ। ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ପରଲୋକ, ୧୭ ଅପ୍ରେଲ୍‌ ୧୯୯୭ ପରେ ନବୀନ ଓଡ଼ିଶାର ସାଧାରଣ ଜୀବନକୁ ଆସିଲେ। ସେତେବେଳକୁ ନବୀନଙ୍କୁ ପଚାଶ ଟପିଲାଣି। ଏହା ଆଗରୁ ସେ ଓଡ଼ିଶାର ରାଜନୀତି ତ ଦୂରର କଥା ସାଧାରଣ ଜୀବନରେ ମଧ୍ୟ ଦୃଶ୍ୟମାନ ନ ଥିଲେ। ଫଳରେ ତାଙ୍କର ଅତୀତ ସମ୍ପର୍କରେ ରାଜ୍ୟବାସୀ ବେଶି କିଛି ଜାଣନ୍ତି ନାହିଁ। ବଡ଼ ବଡ଼ ଲୋକଙ୍କ ପିଲାଙ୍କ ପରି ନବୀନଙ୍କ ସମ୍ପର୍କରେ ମଧ୍ୟ ସମାନ ଦି ତିନି ପଦ କଥା ସମସ୍ତେ କହନ୍ତି। କଟକର ସେଣ୍ଟ୍‌ ଯୋଶେଫ୍‌ କନ୍‌ଭେଣ୍ଟ୍‌ ସ୍କୁଲ୍‌ରେ ପଢ଼ିବା ପରେ ସେ ଡେରାଡୁନ୍‌ର େଵଲ୍‌ହାମ୍‌ ବୟେଜ୍‌ ସ୍କୁଲ୍‌ ଓ ତାପରେ ଡୁନ୍‌ ସ୍କୁଲ୍‌ରେ ପଢ଼ି ଦିଲ୍ଲୀ ୟୁନିଭରସିଟିକୁ ଯାଇଥିଲେ। ପାଠ ପରେ ଲେଖାଲେଖି ଓ ବୁଲାବୁଲିରେ ସମୟ କାଟୁଥିଲେ। ଆମେରିକାର ଫାଷ୍ଟ୍ ଲେଡି ଜାକ୍ୟୁଲାଇନ୍‌ କେନେଡିଙ୍କ ପରି ବିଖ୍ୟାତ ବ୍ୟକ୍ତିଙ୍କ ସହ ତାଙ୍କର ସମ୍ପର୍କ ଥିଲା ଏବ˚ ସେ ହାତୀ ପିଠିରେ ବସି ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ। ଏହିପରି ପରୀ କାହାଣୀ ସୁଲଭ ଶୁଣାକଥା ଭିନ୍ନ ନବୀନ ବାବୁଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନ୍ୟାନ୍ୟ କଥା ପ୍ରାୟ ଅଜ୍ଞାତ।

୭. ବିଜୁ ବାବୁଙ୍କ ପୁଅ: ୧୯୯୭ରେ ନବୀନ ପଟ୍ଟନାୟକ କ୍ଷମତା ରାଜନୀତିକୁ ଆସିବାବେଳେ ସେ ବିଜୁ ବାବୁଙ୍କ ପୁଅ- ଏହା ହିଁ ଥିଲା ତାଙ୍କର ବଡ଼ ଯୋଗ୍ୟତା। ନିଜେ ନବୀନ ପଟ୍ଟନାୟକ ମଧ୍ୟ ଏକାଧିକ ବାର କହିଛନ୍ତି ଯେ ବିଜୁ ବାବୁଙ୍କ ପରଲୋକ ପରେ ଲକ୍ଷ ଲକ୍ଷ ସ˚ଖ୍ୟାରେ ଓଡ଼ିଶାବାସୀ ଯେଭଳି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଭୁବନେଶ୍ବରରୁ ପୁରୀ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ରାସ୍ତା ଦିକଡ଼ରେ ଠିଆ ହୋଇଥିଲେ ତାହା ତାଙ୍କ ଲାଗି ଏକ ବିରଳ ଅଭିଜ୍ଞତା ଥିଲା। ଓଡ଼ିଶାର ସ˚ଖ୍ୟାଗରିଷ୍ଠ ଲୋକଙ୍କ ଧାରଣା ଯେ ବିଜୁ ବାବୁ କିଛି ବିଶ୍ବାସଘାତକ ନେତାଙ୍କ ଯୋଗୁଁ ଶେଷ ଜୀବନରେ କେନ୍ଦ୍ରମନ୍ତ୍ରୀ ହେବାର ସୁଯୋଗରୁ ବଞ୍ଚିତ ହୋଇଥିଲେ। ବାପାଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମର୍ଥନ ଉତ୍ତରାଧିକାର ସୂତ୍ରରେ ନବୀନଙ୍କୁ ମିଳିଥିଲା। ଆଜି ମଧ୍ୟ ବୁଢ଼ାବୁଢ଼ୀମାନେ ନବୀନ ବାବୁଙ୍କୁ ବିଜୁ ବାବୁଙ୍କ ପୁଅ ବୋଲି କହି ଆଦର କରନ୍ତି।

୮. ଭଦ୍ର ଓ ମିଷ୍ଟଭାଷୀ: ଭାରତୀୟ ରାଜନୀତିର ନେତାମାନେ ବିରୋଧୀମାନଙ୍କ ସମ୍ପର୍କରେ କଦର୍ଯ୍ୟ ଓ ଅପମାନଜନକ ଶବ୍ଦ ବ୍ୟବହାର କରିବା ସାଧାରଣ କଥା। ଏହି ପୃଷ୍ଠଭୂମିରେ ଖୁବ୍‌ ଅଳ୍ପ କହୁଥିବା ଏବ˚ ଆଦୌ ଅପଶବ୍ଦ ବା ଗାଳିଗୁଲଜର ଶବ୍ଦ ବ୍ୟବହାର କରୁ ନ ଥିବା ନବୀନ ପଟ୍ଟନାୟକ ବାସ୍ତବରେ ଭଦ୍ରଲୋକ ଭାବରେ ସୁପରିଚିତ। ଏହା ତାଙ୍କୁ ସବୁ ସ୍ତରର ଲୋକଙ୍କ ନିକଟରେ ଲୋକପ୍ରିୟ କରିଛି।

୯. ଧର୍ମନିରପେକ୍ଷ ଭାବମୂର୍ତ୍ତି: ନବୀନ ପଟ୍ଟନାୟକ ୨୦୦୦ ମସିହାରେ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ସେତେବେଳେ ଭାରତୀୟ ଜନତା ପାର୍ଟି ସହ ସେ ମେଣ୍ଟ କରିଥିଲେ। ଭାରତୀୟ ଜନତା ପାର୍ଟି ଏକ ହିନ୍ଦୁ ପାର୍ଟି ଭାବେ ଜଣାଶୁଣା। ତେବେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ମୃତ୍ୟୁ ଘଟଣା ଓ ପରବର୍ତ୍ତୀ ସା˚ପ୍ରଦାୟିକ ହି˚ସାକାଣ୍ତ ନବୀନଙ୍କୁ ବିବ୍ରତ କରିଥିଲା। ଏହାପରେ ସେ ଭାଜପାଠାରୁ ନିଜର ସମ୍ପର୍କ ଛିନ୍ନ କରିଥିଲେ। ସେହିଦିନଠାରୁ ସେ ନିଜର ଧର୍ମନିରପେକ୍ଷ ଭାବମୂର୍ତ୍ତି ଅକ୍ଷୁଣ୍ଣ ରଖିଛନ୍ତି। ନବୀନ ବାବୁ ସ୍ବଭାବତଃ ହେତୁବାଦୀ। ତେଣୁ ଅଧିକା˚ଶ ଭାରତୀୟ ନେତାଙ୍କ ପରି ସେ ବାବା, ମାତା, ଜ୍ୟୋତିଷ, ଠାକୁର କି ଠାକୁରାଣୀଙ୍କ ଭକ୍ତ ନୁହନ୍ତି କିମ୍ବା ଯଜ୍ଞ ପୂଜାପାଠରେ ବିଶ୍ବାସୀ ନୁହନ୍ତି। ଏହା ମଧ୍ୟ ତାଙ୍କ ଲୋକପ୍ରିୟତାର ଅାଉ ଏକ ବଡ଼ କାରଣ।

୧୦. ହକିର ପୃଷ୍ଠପୋଷକତା: ଭାରତର ଅଧିକା˚ଶ ବଡ଼ ବଡ଼ ଲୋକ କ୍ରିକେଟ୍‌ ପଛରେ ଧାଇଁଥିବା ବେଳେ ନିଜର ଜାତୀୟ କ୍ରୀଡ଼ା ହକି ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ଏପରି କ୍ଷେତ୍ରରେ ନବୀନ ପଟ୍ଟନାୟକ ହକିର ପୃଷ୍ଠପୋଷକତା କରି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଭୁବନେଶ୍ବରରେ ବିଶ୍ବକପ୍‌ ହକି ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ କରିବାଠାରୁ ନେଇ ଅାଗାମୀ ଦଶ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ଟିମ୍‌ର ପୃଷ୍ଠପୋଷକତା କଥା ଘୋଷଣା କରି ସେ ଯୁବବର୍ଗର ପ୍ରିୟ ହୋଇଛନ୍ତି।

୧୧. ମହିଳା ଭୋଟ୍ ବ୍ୟାଙ୍କ୍: ବାସ୍ତବରେ ନବୀନଙ୍କର ମହିଳା ଭୋଟ୍ ବ୍ୟାଙ୍କ୍ ପ୍ରସଙ୍ଗ ସବା ଆଗରେ ଉଲ୍ଲେଖ କରାଯିବା ଆବଶ୍ୟକ ଥିଲା। ୨୦୦୧ରୁ ଆରମ୍ଭ ‘ମିସନ ଶକ୍ତି’ ଯୋଜନାର ବ୍ୟାପ୍ତି ଓ ପ୍ରଭାବ ଯୋଗୁଁ ସରକାର ଏହାକୁ ଏବେ ଏକ ସ୍ବତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି। ମିସନ ଶକ୍ତି ଅଧୀନରେ ଓଡ଼ିଶାରେ ବିଭିନ୍ନ ବ୍ଲକ୍‌ ଏବ˚ ପୌରପାଳିକାରେ ଥିବା ୭୦ ଲକ୍ଷ ମହିଳା ୬ ଲକ୍ଷ ସ୍ବୟ˚ ସହାୟକ ଗୋଷ୍ଠୀରେ ସାମିଲ୍‌ ହେବା ସହ ନିଜର ଆର୍ଥିକ ଉନ୍ନତି କରିପାରିଛନ୍ତି। ନିକଟରେ ରାଜ୍ୟ ସରକାର ମିସନ ଶକ୍ତି ହାତରେ ପୂର୍ବରୁ ପଞ୍ଚାୟତ ହାତରେ ନ୍ୟସ୍ତ ଅନେକଗୁଡ଼ିଏ କାମ ଦେଇ ଏମାନଙ୍କୁ ବିକାଶ ଯୋଜନାରେ ସ˚ପୃକ୍ତ କରିପାରିଛନ୍ତି। ଓଡ଼ିଶାର ମହିଳାମାନେ ନବୀନଙ୍କର ସବୁଠାରୁ ବଡ଼ ଭୋଟ୍ ବ୍ୟାଙ୍କ୍।

୧୨. ଶୃଙ୍ଖଳା ହିଁ ଶକ୍ତି: ଦେଶର ବିଭିନ୍ନ ରାଜନୈତିକ ଦଳ ବିଶେଷକରି ପୁରାତନ କ˚ଗ୍ରେସ ଦଳ ଭିତରେ ବିଶୃଙ୍ଖଳା ସମ୍ବାଦପତ୍ରର ଶିରୋନାମା ମଣ୍ତନ କରୁଥିବାବେଳେ ବିଜୁ ଜନତା ଦଳ ଭିତରେ ଶୃଙ୍ଖଳା ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେଇ ଆସିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ଏକାଧିକ ବାର ସେ ଏହା ଦୃଢ଼ତାର ସହ ପ୍ରମାଣିତ କରି ଆସିଛନ୍ତି ଯେ ସେ ହିଁ ଏହି ଦଳର ସୁପ୍ରିମୋ, ଏବ˚ ତାଙ୍କର ନିର୍ଦ୍ଦେଶ ଅଲ˚ଘ୍ୟ। ଏ କ୍ଷେତ୍ରରେ ତାଙ୍କ କର୍ତ୍ତୃତ୍ବକୁ ପ୍ରଶ୍ନ କରିଥିବା ନେତା ଯେତେ ବଡ଼ ହୁଅନ୍ତୁନା କାହିଁକି ତାଙ୍କୁ ନବୀନ ପ୍ରସ୍ଥାନ ଦ୍ବାର ଦେଖେଇ ଦେଇଛନ୍ତି। ଏହି ତାଲିକା ଖୁବ୍ ଦୀର୍ଘ ଏବ˚ ସେ ଦୀର୍ଘ ତାଲିକାର ପ୍ରମୁଖ ନାମଗୁଡ଼ିକ ହେଲେ ବିଜୟ ମହାପାତ୍ର, ପ୍ୟାରୀମୋହନ ମହାପାତ୍ର, ବୈଜୟନ୍ତ ପଣ୍ତା, ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଏବ˚ ଦାମୋଦର ରାଉତ।

ଏହି ବାରଟି କାରଣ ସାଙ୍ଗକୁ ନବୀନଙ୍କର ଲୋକପ୍ରିୟତାର ଆହୁରି ଅନେକ କାରଣ ଅଛି। ସେଥି ଭିତରୁ ପ୍ରମୁଖ ହେଲା, ସେ ଦକ୍ଷ ସହଯୋଗୀ ଚୟନ କରିବାରେ ସମର୍ଥ। ତାଙ୍କ ସଫଳତାର କିଛି ଶ୍ରେୟ ଯେ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଯାଏ ଏଥିରେ କୌଣସି ଅତିରଞ୍ଜନ ନାହିଁ। ସେ ଦକ୍ଷ ବ୍ୟକ୍ତିଙ୍କୁ ଦାୟିତ୍ବ ଦିଅନ୍ତି ଓ ଦାୟିତ୍ବ ଦେବାପରେ ମଝିରେ ହସ୍ତକ୍ଷେପ ନ କରି ତାଙ୍କୁ ନିରାପଦ ଦୂରତ୍ବରୁ ନିରୀକ୍ଷଣ କରନ୍ତି। ଶାସନରେ ଅଯଥା ହସ୍ତ‌େକ୍ଷପ ସେ କରନ୍ତି ନାହିଁ। ତେବେ ତାଙ୍କ ସମୟରେ ଗୋଟିଏ ବିଲକ୍ଷଣ ମଧ୍ୟ ଦେଖାଦେଇଛି। ରାଜ୍ୟର ରାଜନୈତିକ ନେତା ଓ ମନ୍ତ୍ରୀମାନେ ପ୍ରାୟ କ୍ଷମତାଶୂନ୍ୟ ହୋଇପଡ଼ିଛନ୍ତି। ନବୀନଙ୍କ ଶାସନ ଷ୍ଟାଇଲ୍‌କୁ ରାଷ୍ଟ୍ରପତି-ମୁଖ୍ୟ ଶାସନ ବ୍ୟବସ୍ଥା ସହ ତୁଳନା କରାଯାଇପାରେ ବୋଲି ମଧ୍ୟ ଆଲୋଚନା ହୋଇଥାଏ। ତେବେ ସେ ଯାହାହେଉନା କାହିଁକି ଦଳ ଓ ସରକାରରେ ଆଜି ତାଙ୍କର କେହି ବିକଳ୍ପ ନାହାନ୍ତି। ଏହିପରି ଭାବରେ ନବୀନ ବାବୁ ଉଭୟ ସରକାର ଓ ଦଳ ଉପରେ ତାଙ୍କର ଅସମ୍ଭବ ନିୟନ୍ତ୍ରଣ ରଖିପାରିଛନ୍ତି ଯାହା ଆଗରୁ ଅନ୍ୟ କୌଣସି ନେତା ରଖିପାରି ନ ଥିଲେ। ଦୃଢ଼ ‌ନେତୃତ୍ବ ତାଙ୍କ ଲୋକପ୍ରିୟତାର ଆଉ ଏକ କାରଣ।

ସଂପାଦକ: ଫିଚର, ସମ୍ବାଦ
ମୋ: ୯୪୩୭୦୭୭୨୮୮

ସମ୍ବନ୍ଧିତ ଖବର