ରାମାୟଣରେ ରାବଣର କୋଡ଼ିଏଟି ହାତ ଥିଲା ବୋଲି ସେ ବିଂଶବାହୁ ନାମରେ ମଧ୍ୟ ପରିଚିତ। ନିକଟରେ ଆମେରିକାର ସାନ୍ ଡିଏଗୋ ସ୍ଥିତ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଗବେଷକମାନେ ଆଣ୍ଟାର୍କଟିକା ମହାସାଗରରେ ସେଭଳି ଏକ ବିଂଶବାହୁକୁ ଠାବ କରିଛନ୍ତି। ଅବଶ୍ୟ ଏହି ସାମୁଦ୍ରିକ ଜୀବଟିର ମଣିଷ ପରି ପାପୁଲି ଓ ଆଙ୍ଗୁଠିଯୁକ୍ତ ହାତ ନାହିଁ। ତାହାର ବାହୁଗୁଡ଼ିକ ଅକ୍ଟୋପସର ବାହୁ ସଦୃଶ; କିନ୍ତୁ ତା’ର ଆଠଟି ବଦଳରେ ଦଶଯୋଡ଼ା ଗଣ୍ଠିଯୁକ୍ତ ବାହୁ ରହିଛି।
ପ୍ରଥମ ନଜରରେ ଏହା ପୃଥିବୀ ବାହାରର ଜୀବ ବା ଏଲିଏନ୍ ପରି ଜଣାପଡ଼ିଥାଏ। ଟିକେ ନିରେଖି ଦେଖିଲେ ତାହାର ମୁଣ୍ଡ ପାଖଟି ଠିକ୍ ଷ୍ଟ୍ରବେରି ପରି ଦେଖାଯାଇଥାଏ। ଉକ୍ତ ଅମେରୁଦଣ୍ଡୀ ପ୍ରାଣୀଟିର ବୈଜ୍ଞାନିକ ନାମ ‘ପ୍ରୋମାକୋକ୍ରିନସ୍ ଫ୍ରାଗାରିସ୍’ ରଖାଯାଇଛି। ଲାଟିନ୍ ଶବ୍ଦ ଫ୍ରାଗାରିଅସ୍ରୁ ଆସିଥିବା ‘ଫ୍ରାଗମ୍’ର ଅର୍ଥ ଷ୍ଟ୍ରବେରି, ତେଣୁ ତାହାର ନାମକରଣ ଏପରି ହୋଇଛି। ସମୁଦ୍ର ପତ୍ତନର ୨୧୫ ଫୁଟରୁ ୩,୮୪୦ ଫୁଟ ଗଭୀରତାରୁ ଏହା ଆବିଷ୍କୃତ ହୋଇଛି। ‘ଫିଦର ଷ୍ଟାର’ ନାମକ ସାମୁଦ୍ରିକ ଜୀବ ପରି ଏହା ଦେହରେ ସୂକ୍ଷ୍ମ ପରଯୁକ୍ତ ଅଙ୍ଗମାନ ଅଛି ଯାହା ତାକୁ ପହଁରିବାରେ ସାହାଯ୍ୟ କରିଥାଏ। ତେଣୁ ତାହାକୁ ପ୍ରାଣୀବିଜ୍ଞାନୀମାନେ ‘ଆଣ୍ଟାର୍କଟିକ୍ ଷ୍ଟ୍ରବେରି ଫିଦର ଷ୍ଟାର’ ନାମରେ ନାମିତ କରିଛନ୍ତି।